Unknown

 

 

 

 

 

 

 

 

 

 

 

ଗଞ୍ଜାମ ମାଳରେ ସାତଦିନ

ଚିତ୍ତରଞ୍ଜନ ଦାସ

 

ଭୂମିକା

 

ଗଞ୍ଜାମ ଭ୍ରମଣର ପାଣ୍ଡୁଲିପିଟି ପାଠ କରି ନିକଟବର୍ତ୍ତୀ ସ୍ଥାନ, ବିଷୟବସ୍ତୁ ଓ ଦୃଶ୍ୟାବଳୀର ବର୍ଣ୍ଣନାକୁ ଚିତ୍ତାକର୍ଷକ କରିବାରେ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କର କୃତିତ୍ୱ ଅନୁଭବ କଲି । ପର୍ଯ୍ୟଟନର ବର୍ଣ୍ଣନା ମଧ୍ୟରେ ଲେଖକ ଧର୍ମ, ରାଜନୀତି, ସାହିତ୍ୟ ଓ ସାମାଜନୀତି ବିଷୟକ ଯେଉଁସବୁ ମତାମତ ପ୍ରକାଶ କରିଛନ୍ତି, ତାହା ମଧ୍ୟ ଭାବପୂର୍ଣ୍ଣ ଓ ପ୍ରାଞ୍ଜଳ ହୋଇପାରିଛି । ସର୍ବୋପରି ମନୁଷ୍ୟପ୍ରତି ତାହାଙ୍କର ଅଗାଧ ଅନୁରାଗ ପ୍ରକଟିତ ହୋଇଉଠିଛି । ଗନ୍ତବ୍ୟ ପଥରେ ସେ ଯେଉଁସବୁ ଜଡ଼ ବା ଜୀବନ୍ତ ବସ୍ତୁର ସମ୍ମୁଖୀନ ହୋଇଛନ୍ତି, ତାହାକୁ ଏକାନ୍ତ ଆପଣାର କରି ଲେଖନୀ ମୁନରେ ଫୁଟାଇଛନ୍ତି । ଏହାହିଁ ତାଙ୍କ ରଚନାର ସାର୍ଥକତା । ଦରଦୀ ପ୍ରାଣର ଅନୁଭୂତି ଘେନି ସାନବଡ଼ କଥାଗୁଡ଼ିକୁ ଯେପରି ନିପୁଣତା ସହିତ ଚିତ୍ରିବାର ଉଦ୍ୟମ ହୋଇଛି, ବିଶେଷତଃ ଶବର ଆଦି ଜଙ୍ଗଲ ଜାତିମାନଙ୍କର ସାମାଜିକ ଜୀବନ ଓ ନୃତ୍ୟଗୀତର ଆଲୋଚନା ସଙ୍ଗେ ଐତିହାସିକ ଓ ପ୍ରାଗୈତିହାସିକ ସଭ୍ୟତାର ଗବେଷଣା ମଧ୍ୟ ଯେପରି କୌଶଳ ଓ ପଟୁତା ସହିତ ଉଲ୍ଲେଖ କରାଯାଇଛି, ତାହା ପ୍ରଶଂସନୀୟ ।

 

ଶବର-ପଲ୍ଲୀରେ ସୁଚାରୁ ଚିତ୍ରଣ ଭିତରେ ସରଳ ସବଳ ଶବରଚରିତ୍ରର ବିଶ୍ଳେଷଣ ସଙ୍ଗେ ସଙ୍ଗେ ଧର୍ମ, ରାଜନୀତି, ସାହିତ୍ୟ, କଳା ଆଦି ବିଷୟରେ ଯେଉଁ ସହଜ ଆଲୋଚନା ହୋଇଛି ତାହା ସର୍ବଥା ଶିକ୍ଷଣୀୟ ଓ ଉପଭୋଗ୍ୟ । ଉଦୟଗିରି ଓ ରାମଗିରିର ଅନୁଭୂତି ଯେପରି ଜୀବନ୍ତ ସେହିପରି ମର୍ମସ୍ପର୍ଶୀ । ଆମର ଏଇ ଓଡ଼ିଶା ଭୂଇଁକୁ ଭଲରୂପେ ଚିହ୍ନିବାପାଇଁ ଏହାର ପ୍ରତି ଗ୍ରାମ, ଜଙ୍ଗଲ ଓ ଗିରିଗୁହାରେ ଯେ ପ୍ରଚୁର ଜ୍ଞାତବ୍ୟ ବୃତ୍ତାନ୍ତ ଲୁକ୍‌କାୟିତ ରହିଛି, ଆମ ନିଜ ଜନ୍ମସ୍ଥାନକୁ ଆବିଷ୍କାର କରିବାପାଇଁ ଯେ ଆହୁରି ଆଗ୍ରହ ଓ ଆକାଙ୍‌କ୍ଷାର ଲୋଡ଼ା ଅଛି ଏହି କାହାଣୀର ପାଠକ ତାହା ବାରମ୍ବାର ଅନୁଭବ କରିଥାଏ । ଲେଖକଙ୍କର ଭାଷା ମଧ୍ୟ ବର୍ଣ୍ଣନାର ଓ ବିଷୟ ବସ୍ତୁର ଅନୁରୂପ ହୋଇପାରିଛି । ଲେଖକଙ୍କର ଲେଖନୀ ଅଧିକ କୁସୁମିତ ହେଉ, ଏହାହିଁ ଏକାନ୍ତ କାମନା ।

 

କାଳିନ୍ଦୀଚରଣ ପାଣିଗ୍ରାହୀ

କଟକ—୧୫।୨।୫୧

☆☆☆

 

–ଏକ–

 

ସେଦିନ ଗଂଜାମକୁ ଯାଇ ତା’ର ସଙ୍ଗରେ ପହିଲା ଦେଖା—ଚାରି ପାଖର ପର୍ବତ—ଘୋର ଅପରାହ୍ନ ସୂର୍ଯ୍ୟକୁ ଲୁଚାଇଦେବାରେ ଆୟୋଜନ କରୁଚି । ସନ୍ଧ୍ୟା ଆସୁଚି । ଆଉ ଟିକିଏ ଗଲେ ଏ ପାଖର ଆଲୁଅ ନିଭାଇ ଦେଇ ସୂର୍ଯ୍ୟ ପାହାଡ଼ ଧାପର ସେପାଖକୁ ଚାଲିଯିବ । ଏ ପାଖରେ ସବୁ ଅନ୍ଧାର ହୋଇଯିବ ।

 

ନିତିଦିନ ଦିନ ଥାଉଁ ଏଠି ଏମିତି ଅନ୍ଧାର ଆସେ । ବେଳ ଗଡ଼ୁ ଗଡ଼ୁ ବଣର ଦରପିନ୍ଧା ମଣିଷ, ଜଙ୍ଗଲର କାଠୁରିଆ, ମାଣ୍ଡିଆ ବଖଡ଼ର କାମୁକା ଦିଣ୍ଡା (ସ୍ତ୍ରୀ ଲୋକ), ବଣର ପାହାଡ଼, ଗଛ ପତର ବି ଏଇ ଅନ୍ଧାର ଲାଗି ପ୍ରସ୍ତୁତ ହୋଇଯାନ୍ତି । ଅନ୍ଧାର ଏମାନଙ୍କର ଚିହ୍ନା । ଉପର ଆଉ ତଳ–ଦୁଇ ଅନ୍ଧାରର ଏମାନେ ଜୀବ ।

 

ଚାରିଆଡ଼େ ଅନ୍ଧାର ହୋଇ ଆସୁଥାଏ । ଜଙ୍ଗଲର ଗର୍ଭ ଭେଦି, ପାହାଡ଼ ମୁଣ୍ଡିଆର ପିଠି ଆବୋରି ଯୋଉ ସରୁଆ ଗୋଡ଼ି ରାସ୍ତା ଖଣ୍ଡକ ଦୂର ଦୂରକୁ ଚାଲି ଯାଇଚି ତା’ରି ଉପରେ ମୁଁ ତାକୁ ଦେଖିଲି ।

 

ଚାରିଆଡ଼ ଅନ୍ଧାର ହୋଇ ଆସୁଥାଏ । ସେଇ ଅନ୍ଧାରରେ ଜୁକୁ ଜୁକୁ ଜଳୁଥାଏ କେବଳ ତାର ଆଖି ଦିଓଟି । ଗୋଡ଼ ପଡ଼ିବାରେ ଠାବ ଠିକଣା ନାହିଁ । କାନ୍ଧରୁ ହାତ ଦୁଇଟା ଏପାଖ ସେପାଖ ଝୁଲୁଚି—ବାଳ କେରାଟା ଠିକ୍‌ ସେଇ ଓଦା ଜଙ୍ଗଲର ଘାସ ଗୋଛାଏ ପରି ଅଲରା, ଅସନା ଆଉ ଅବାଗିଆ । ଖାଲି ସେ ଆଖି ଦିଓଟି ଜାଳି ମୋ ଆଡ଼କୁ ଝୁଲି ଝୁଲି ଆସୁଥାଏ । ମତେ ମାଡ଼ି ବସିବ କି ?

 

ଶୁଦ୍ଧ କଟକର ମୋଗଲବନ୍ଦୀ ଲୋକ ମୁଁ—ବାପା ଭାଇ ପଇସା ଦେଇ ମୋତେ ଶିକ୍ଷିତ କରିଛନ୍ତି । ସେଥିଲାଗି ତା’ର ଆଖି ଦିଇଟା ଦେଖି ସେଦିନ ଭାରି ଡର ମାଡ଼ିଲା । ଜଙ୍ଗଲ ପଥରେ ମୁଁ ଏକା ଦୂରପ୍ରବାସୀ—ଯିବାକୁ ଆହୁରି ଅନେକ ଦୂର ବାଟ ।

 

ସେଦିନ ରାସ୍ତାରେ ସେ ଏକା ଏକା ବାହାରି ପଡ଼ିଥିଲା—ତା’ର ବି ସ୍ତ୍ରୀ-ସଂସାର ଥିବ, ପିଲାକବିଲା ଥିବେ, କାଙ୍ଗୁ ଖେତ କି କମଳା ବାଗାନ ଥିବ, ସେକଥା ଭାବିବାକୁ ମୋର ତର ନ ଥିଲା ।

 

ଅସଭ୍ୟ ଲୋକଟା ମଦ ଖାଇ ଏମିତି ଝୁଲି ଝୁଲି ଚାଲୁଥିଲା । ଆମ ଆଡ଼େ ତ ସହରମାନଙ୍କରେ ନିଶା–ନିବାରଣ ଲାଗି ସଭା, ସୁଆଙ୍ଗ ଓ ଶୋଭାଯାତ୍ରା ହେଉଚି । କିଏ କେତେ ଦୃଷ୍ଟିରୁ ନିଶାଖୋର ମଣିଷଗୁଡ଼ାଙ୍କୁ ବାଗକୁ ଆଣିବାକୁ କେତେ ମିହନ୍ତ କରୁଚନ୍ତି । ତଥାପି ଏ ଲୋକଟା ବାଗକୁ ଆସି ନାହିଁ ।

 

ଲୋକଟା କ୍ଷଣକେ କତିକି ଆସିଗଲାଣି । ରାସ୍ତାରେ ଆଉ କେହି ନାହାନ୍ତି । ଚାରିଆଡ଼ ଶୂନ୍‌ଶାନ୍‌ । ଚନ୍ଦ୍ରଗିରି ଖୋଲରୁ ଖାଲି କେତେଟା ଚଢ଼େଇଙ୍କର କଣ୍ଠଆଳାପ ଚାଲିଚି । ଖାଲି ଆମେ ଦୁଇଜଣ—ସଭ୍ୟ ଆଉ ଅସଭ୍ୟ—ଆଉ ଟିକିଏ ଗଲେ ଦିହେଁ ହାବୁଡ଼ି ଯିବୁ ପରା । ଭାରି ଡର ମାଡ଼ୁଥାଏ । ଏ ଦେଶରେ ମୋର ପାଠ, ମୋର ମଗଜ, ମୋର ଦେଶୀ ଆଇନ୍‌ ଏଠି କି କାମ ଦବ-! ହାବୁଡ଼ି ଗଲେ ତ ଆଉ ରକ୍ଷା ନାହିଁ ।

 

ଭ୍ରୁଲତାର ସରୁ ବାଳ ଭିତରେ ଦେଇ ତା’ଆଡ଼କୁ ଅନାଇଲି—ସେ ହସୁଚି । ମୋତେ ଦେଖି, କି ଆଉ କାହାକୁ ପାଇ ତା’ର ଓଠ ଉପରଟା ଯେପରି ଖାଲି ହସରେ କମ୍ପି ଉଠୁଚି । ସେଇ ହସର ଅନୁସଙ୍ଗ କରି ଆଖିର ଡୋଳା ଦି’ଟା ବି ଖାଡ଼ା ହୋଇ ଠିଆ ହୋଇ ରହିଥାଏ । ଓଠ, ଆଖି ଦିହିଙ୍କ ନଜର ମୋରି ଉପରେ । ଜଙ୍ଗଲରେ ମୁଁ ଏକା ।

 

ତାରି ଦେଶ ଏ । ବଣ ଜଙ୍ଗଲ ପଡ଼ିଆ ପଦର ଭରି ସବୁ ତା’ରି ମୁଲକ । ମୁଁ ଆସିଚି ବିଦେଶୀ ବିରାଦରୀ ଜଣେ । ମୋତେ ଦେଖେଇବାକୁ ତା’ର କଣ ଆଉ କିଛି ନ ଥିଲା ! ତେବେ ଏ ନିଶା ଆଖିର ନାଲି ହସ କାହିଁକି ?

 

ମନକୁ ଭଣ୍ଡାଇ ଏପାଖ ସେପାଖ ଅନାଇଲି । ଉପରକୁ ତଳକୁ ଆଖି ବୁଲାଇଲି । ଉପରେ ନେଳି ଆକାଶ, ଏକାକୀ ଯାତ୍ରାର ଏକାନ୍ତ ସଙ୍ଗୀ ଏଇ ଅରଣ୍ୟର ପତ୍ରକାଣ୍ଡ ସମ୍ଭାର—ମନ ଭୁଲାଇବାକୁ ଏଇ ଯଥେଷ୍ଟ ! କାନଟାକୁ ଏକାଗ୍ର କରି ବହୁ ଦୂର ଲମ୍ବାଇ ନେଲି ହୁଏତ କୁଆଡ଼ୁ କୌଣସି ଅପାର୍ଥିବ ସଙ୍ଗୀତ ଭାସି ଆସୁଥିବ ବୋଲି । ତଥାପି ମୋର ଡରୁଆ ସଭ୍ୟ ମନଟା ପୃଥିବୀ ଛାଡ଼ି ପାରିଲା ନାହିଁ । ମଦୁଆ ବଣୁଆ ମଣିଷର ସେଇ ନାଲି ଝୁଲା ଝୁଲା ଆଖି ଯେପରି ମୋର ଆଖି ପଥରେ ଗୁନ୍ଥି ହୋଇଗଲା ।

 

କୃପା ହେଲା ଏ ରାଇଜ ଉପରେ । ଜଗତରେ ତେଣେ ଦେଣ ନେଣ, କାର୍ଯ୍ୟ କାରବାରର ଧୁମ୍‌ ଲାଗିଚି । ମନ୍ତ୍ରପରି ଯନ୍ତ୍ରର କରାମତି ଦେଇ ମଣିଷ କେଡ଼େ ଖୁସିରେ ଆଜି ଆପଣା ଆପଣା ଭାବଧାରା, ସାହିତ୍ୟ ଓ ସଂସ୍କୃତି ବଦଳ କରୁଚି । ଏ ମୁଲକଟାର କଣ କିଛି ଦେବାକୁ ନାହିଁ ? ନିର୍ଜୀବ ଗଛ ପତର ପାହାଡ଼ ଗୋଡ଼ି ଗରଡ଼ା ଭିତରେ ଖାଲି ଏଇ ମଦୁଆ ଆଖି ଦିଇଟା କଣ ତା’ର ଏକମାତ୍ର ଉପହାର !

 

ମଲା ଇତିହାସରେ ପଢ଼ିଚି ଆମର ପୂର୍ବ ପୁରୁଷମାନେ ପୂରୁବ ଦିଗକୁ ବୋଇତ ବାହି କେତେ କେତେ ଦେଶକୁ ଯାଇଥିଲେ ସେଠି କେତେ କୀର୍ତ୍ତି ଖୋଳାଇ ଥିଲେ, ସେଠିକା ଲୋକମାନଙ୍କୁ ଆପଣାର କରି ସେଠୁଁ ବୋଝାଇ ଧନ ଦରବ ଆଣି ଘର ମଣ୍ଡାଇ ଦେଉଥିଲେ । ଏଇ ସବୁ ସଂଭୂତ ସ୍ୱପ୍ନ ନେଇ ଦିନେ ଦିନେ ଭାରି ବାହାବା ନେଇଚି, ଭବିଷ୍ୟତକୁ ଭୁଲି ନିଶ୍ଚିନ୍ତ ହେବାଲାଗି ଖୁବ୍ ଉତ୍ସାହ ପାଇଚି ।

 

ଘରେ ଦଶହରା ପରବର ଦେ’ଦେଉଣୀ ଖିଆପିଆ ଛାଡ଼ି ଗଞ୍ଜାମ ମାଳରେ ପଶିଥିଲେ ସେହିପରି ଅନେକ ଆଶାରେ । ନାଚ ଦେଖିବି, ଶଗଡ଼ିଆ ହଳିଆ ଆଉ ଚଢ଼େଇଆର ଗୀତ ଶୁଣିବି, ପାଣ ଆଉ ଶବର ଘରର ପ୍ରଚ୍ଛନ୍ନ କଳାକୁ ଖାତା କଲମର ପେଟରା ବାନ୍ଧି ମୁଦି ଆଣିବି—କିନ୍ତୁ ପହିଲେ ଏଇ ଅମଙ୍ଗଳ ସୂଚନା କାହିଁକି ? ମୁହଁରେ ମଦର ଭଣଭଣ ଗନ୍ଧ, କପାଳ ତଳେ ନାଲି ନାଲି ଜଳନ୍ତା ଆଖି, ଅଲରା ଅପରିପାଟୀ ଦେହଟା—ତା’ଛଡ଼ା କଣ କଛି ଦେବାର ନଥିଲା ଏଇ ଅତିଥିକୁ । ତାକୁ ଦେଖି ଅତିଥିମନ ମୋର ବଡ଼ କ୍ଷୁନ୍ନ ଭୟାର୍ତ୍ତ ହୋଇଗଲା ସେଦିନ । ବୁଝିପାରିଲି ନାହିଁ । ପାର୍ବତୀ ଭୂଇଁର କୁମର ସେଦିନ ମୋତେ ଦିନାସ୍ତର ଅଭିନନ୍ଦନ ଜଣାଇ ଏତେ ହସିଥିଲା କାହିଁକି ! ଉଆଁସର ଅନ୍ଧାର ଭିତରେ ଦି’ଟା ରଡ଼ କାଉଁରିଆଁ ନିଆଁପରି ତା’ର ଆଖି ସେଦିନ ଏପରି ଜଳୁଥିଲା କାହିଁକି ?

 

ସେ ମୋରି ଆଡ଼କୁ ଝୁଲି ଝୁଲି ଆସୁଚି । ଚାଲାକ ମନ ନିଜର ବାଟକୁ ସଂଯତ କରିନେଲା । ଗୋଟାଏ ମୋଟା ଗଛକୁ ଉଢ଼ୁଆଳ ଦେଇ ମୁଁ ଠିଆ ହୋଇଗଲି । ସେ ସେମିତି ହସି ହସି ନିଆଁ ବରଷି ଚାଲିଗଲା । ଯୁଗ ଯୁଗ ଧରି କେତେ ମଣିଷଙ୍କୁ ସେ ଦେଖିଚି—ଭିତରେ ଭୟ, ବିରାଗ ଓ ବିଚ୍ଛିନ୍ନତା ରଖି କେତେ ମଣିଷ ଏମିତି ଧୋବ ପୋଷାକ ପିନ୍ଧି ତା’ଆଗକୁ ଆସିଚନ୍ତି । ସମସ୍ତଙ୍କୁ ସେ ଏମିତି ହସିଚି—କାଠିଖଞ୍ଜା ଛାତି ଉପରେ ତା’ର ଆଖି ସେମିତି ରଡ଼ ଘଷି ଦି’ଫରା ପରି ଜଳିଚି । କେହି କାହାକୁ ଚିହ୍ନି ପାରି ନାହାନ୍ତି ।

 

ଆଜି ଯେମିତି ପରସ୍ତେ ହୋଇଗଲା, ସେମିତି ବର୍ଷ ବର୍ଷ କେତେ ଆଖି ବଦଳା ହେଉଥିବ—ଜଣେ କେତେ ଯୁଗର ଅଭିଶାପ ନେଇ ଜଳୁଥିବ, ଆଗତ ଆଉଜଣକ ସେମିତି କ୍ଷୁଦ୍ର ଶରୀର ତଳେ ବୀଭତ୍ସ ଭୟର ନୀଡ଼ ରଚନା କରି ଘୃଣା କରୁଥିବ ।

 

ଏଇ ମୋର ତା’ସହିତ ପ୍ରଥମ ଦିନର ପରିଚୟ—ଆଜି ରାତିର ଅନ୍ଧାର ପରି ସେଇଟା ମଧ୍ୟ ବିଫଳ ଗଲା । ମଦୁଆ ବନଚାରୀର ଭୀଷଣ ଚକ୍ଷୁବାଣରେ ସେଦିନ ମୁଁ ବଡ଼ ବିବଶ ହୋଇ ପଡ଼ିଥିଲି; ଅନ୍ଧାର ପଛରେ ସବୁ ହରାଇ ବସି ସେ ଜଙ୍ଗଲର ସମସ୍ତ ଦିନଟା ଯେମିତି ବିଫଳ ବିବଶ ହୋଇ ପଡ଼ିଥିଲା ।

 

ତାକୁ ଦେଖି ଡରିଲି ବୋଲି ଚିହ୍ନି ପାରିଲି ନାହିଁ । ଅତିଥି ଅଜ୍ଞାତ ହୋଇ ଯାଇଥିଲି ବୋଲି ଆପଣାର କରିପାରିଲି ନାହିଁ ।

 

ଏ ରାଇଜରେ ଆମ ଆଡ଼ର ଅନେକ ହାକିମ ବାବୁଭୟା ଅଛନ୍ତି । ଦିହ ଅସୁଖ ଲାଗି ବଳକା ଭତ୍ତା ପାଇ ସେମାନେ ଏଠି ଅନେକ ଦିନ ହେଲା ଶାସନ କରୁଚନ୍ତି । ଚାରିବର୍ଷ ତଳେ ସେମାନେ ଏଇଠୁଁ ଯୁଦ୍ଧଚାନ୍ଦା ଆଦାୟ କରି ଦେଇଥିଲେ, ଏବେ ବି ଗାନ୍ଧୀଚାନ୍ଦା ମାଗୁଚନ୍ତି—ଦେଶସାରା ସମସ୍ତେ ମିଶି ପଥର ଗାନ୍ଧୀ ଗଢ଼ି ହରିବୋଲ ଦେବେ ବୋଲି । ଆଚ୍ଛା, ସେମାନେ କଣ ଆଜିକାର ପରିଚୟ ପାଇ ନାହାନ୍ତି ?

 

ଆଜି ବାଟର ଏ ମଢ଼ୁଆ ମଦୁଆ ମଣିଷର ନାଲି ଟଳ ଟଳ ଆଖି ସେମାନଙ୍କୁ କଣ ଅଭିନନ୍ଦନ କରିନାହିଁ । ସହସ୍ର ତାପର ଅଗ୍ନିବାଣ ମାରି ସେମାନଙ୍କର ସଭ୍ୟ ମନର ସବୁ ଅଟ୍ଟାଳୀଗୁଡ଼ାକୁ କଣ ଏଇ ଆଖି ଧସାଇ ଦେଇନାହିଁ ?

☆☆☆

 

–ଦୁଇ–

 

ଅନ୍ଧାର ରାତିରେ ଚିଲିକାକୂଳ କେତେବେଳେ କଟିଗଲା କେଜାଣି, ସିନ୍ଦୁରା ନ ଫାଟୁଣୁ ମାଡ୍ରାସ ମେଲ ବ୍ରହ୍ମପୁରରେ ପହଞ୍ଚିଲା । ରେଳଡ଼ବାର ମଣିଷକୁଢ଼ରୁ ନିଜକୁ ବାହାର କରି ଆଣିଲି ପ୍ଲାଟଫର୍ମ ଉପରକୁ । ରାତିଯାକ ତ ନିଦ ହୋଇନାହିଁ—କେବଳ ଅଧାଘାଉଲିଆ ହୋଇ ସମସ୍ତ ମୁହଁଟା ଅଭିମାନୀ ବାଳକ ପରି ଫୁଲିରହିଚି । ଆଖି ଦି’ଟା କୋଇଲା ଗୁଣ୍ଡରେ ଭର୍ତ୍ତି—ଯଥା ସମ୍ଭବ ନିଜକୁ ଭଦ୍ର କରିନେଇ ସହର ଆଡ଼କୁ ବାହାରି ପଡ଼ିଲି ।

 

କଟକର ରିକ୍‌ସା, ବ୍ରହ୍ମପୁରର ଝଟକା । ଦକ୍ଷିଣ ଭାରତର ଛୋଟ ବଡ଼ ସବୁ ସହରରେ ଏଇ ଝଟକା ଦେଖିବାକୁ ମିଳେ ।

 

ଝଟକାବାଲା ଅଧିକାଂଶ ତେଲେଙ୍ଗା । କଟକରେ ବି ରିକ୍‌ସାଟଣା ବ୍ୟୟସୟଟାକୁ ବିଶାଖାପାଟଣାର ତେଲେଙ୍ଗା ଯୁବକମାନେ ଆସି ଆବୋରି ବସିଲେଣି । ଇତିହାସରେ ପଢ଼ିଚି ଦକ୍ଷିଣରୁ ରାଜା ଆସି ଓଡ଼ିଶାରେ ଗଙ୍ଗବଂଶ ସ୍ଥାପନା କରିଥିଲେ, ତେଲେଙ୍ଗା ମୁକୁନ୍ଦଦେବ ଉତ୍ତର ଦକ୍ଷିଣ ମିଶାଇ ତ୍ରି କଳିଙ୍ଗର ପ୍ରାଣସଂସ୍କୃତି ଏକ କରି ଦେଇଥିଲେ । କିନ୍ତୁ ଏ ଯୁଗର ମଣିଷଉଡ଼ା ନୀତି ନିଆରା । ପେଟ ପୋଡ଼ିଲେ ଯାଇ ବାର ପାଟକ ତେର ପାଟଣାକୁ ମନ ବଳେ । ଜାଣେ ନା, ବିଶାଖାପାଟଣାର ମଣିଷ—ଚରାଳିମାନେ ପ୍ରକୃତରେ ମଣିଷର ଏଇ ପେଟର ସମାଧାନ କରନ୍ତି କି ନାହିଁ; ଜାଣେ ନା, ମଧ୍ୟ-ପୂର୍ବ ଉପକୂଳରେ ଉପୁଜୁଥିବା ଧାନ ଓ ମାଣ୍ଡିଆ ଫସଲ କାହା ଘରର ଗହୀରା ଅମାର ପୂର୍ଣ୍ଣ କରେ । ସେଇପରି କୌଣସି ଗୋଟାଏ କାରଣରୁ ସେଠିକାର ତେଲେଙ୍ଗା ଭେଣ୍ଡିଆ କଟକ ଆସେ ରିକ୍‌ସା ଟାଣିବାକୁ—ପାଟପୁର ଓ ଗୋଡ଼ୀସାହି ଟଣାଳିମାନଙ୍କର ସରିସା ହୋଇ ପଇସା କମେଇବାକୁ ।

 

ଝଟକା କରି ସହର ମଝିକୁ ଆସିଲି । ଦିନର ଆଲୁଅ ପଡ଼ି ନଗର ଜୀବନର ମଇଳା ଗୁଡ଼ାକ ସଫା ନଜରରେ ଆସିଲାଣି । ଦୋକାନ, ବଜାର, ଧୂଳି, ପତର, ଦି’ତିନିଟା ଲଙ୍ଗଳା ଭିକମଗା ପିଲା, ତା’ସଙ୍ଗକୁ କେତେଟା ଘରଛଡ଼ା ଗାଈ ବଳଦ—ସବୁରି ଉପରେ ଅଚିହ୍ନା ମଣିଷଙ୍କର ବାଟମେଳା । ଇଂଲଣ୍ଡ ଆମେରିକାରେ ସହରର ଦୃଶ୍ୟ କେମିତି ହୋଇଥିବ ତାର ଖବର ଅବଣ୍ୟ ମୁଁ ରଖିନାହିଁ ।

 

ଉଦୟଗିରି ଯିବାକୁ ହେଲେ ଯେଉଁ ମଟରରେ ଯିବାକୁ ହେବ, ସେତକ ବି ଜଣା ନ ଥିଲା । ମଟରଷ୍ଟାଣ୍ଡରୁ ସେଟା ବୁଝି ନେଇ ଲୁହାଗୁଡ଼ି ବସ୍‌ରେ ବସିଲି । ମଟର ଛାଡ଼ୁ ଛାଡ଼ୁ ବେଳ ଆଠଟାରୁ ସେ ପାଖକୁ ଗଡ଼ିଗଲା; ତା’ପରେ ମଟର ଚାଲିଲା—ଧୀରେ ଧୀରେ ସମୁଦ୍ର ପାଖକୁ ପଛରେ ପକାଇଦେଇ । ଦି’ପାଖରେ ଦୃଶ୍ୟ ଠିକ୍‌ ଯେପରି ସବୁ ପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳେ-। ଘର, ଗୋରୁଖୁଆଡ଼, ଆମ୍ବ ପଣସର ତୋଟା ଆଉ ଅମଳ ଆବାଦର ରଙ୍ଗୀନ କ୍ଷେତ–ହିମାଳୟର ପାଦ ପାଖରୁ କନ୍ୟାକୁମାରୀର ସଲିଳାଙ୍କ ଯାଏ ଗାଁ ସବୁଠାରେ ସେଇ ଏକାପରି-। ପ୍ରକୃତିର ସଂସ୍କୃତି ସବୁଠାରେ ସମାନ ।

 

ଦିଗପହଣ୍ଡି ଓରଫ ବଡ଼ଖେମୁଣ୍ଡି ଗଲା—ତା’ପରେ ପାହାଡ଼ ଭୂଇଁ ସୁରୁ ହେଲା । ରୋଦନ କଲାପରି ଆମ ଇଞ୍ଜିନ୍‌ଟା ଆମ ସଭିଙ୍କୁ ଟାଣି ଉପରକୁ ଉଠୁଥାଏ । ହଠାତ୍‌ ଶୁଣିଲି ଆଗରେ ତପ୍ତପାଣି ଉଷ୍ଣପ୍ରସ୍ରବଣ । ପିଲାଦିନରେ ଏଇ ତପ୍ତପାଣି କଥା ଗୋଟାଏ ଭ୍ରମଣ କାହାଣୀର ଲେଖାରେ ପଢ଼ିଥିଲି । ଆମ ମଟର ସେଠି ଅଟକିଲା । ଯାତ୍ରୀମାନେ ସମସ୍ତେ ଓହ୍ଲାଇ ତପ୍ତପାଣି ଠାକୁରାଣୀଙ୍କୁ ଦେଖିବାକୁ ଗଲେ, ଅନେକ ବି ଗାଧୋଇଲେ ।

 

ତପ୍ତପାଣି ହେଉଚି ଗଞ୍ଜାମ ଜିଲ୍ଲାର ଗୋଟିଏ ଗରମ ଝରଣା । ଅରାଏ ଯାଗାରୁ ମାଟିତଳୁ ଫୁଟାପାଣି ବାହାରୁଚି । ସରକାର କି କେଉଁ ବାଦାନ୍ୟ ବ୍ୟକ୍ତି ପାଣିକୁ ଘେର ବାନ୍ଧି ଦେଇଚନ୍ତି—ପାଣି ଭିତରେ କେତେଖଣ୍ଡ ପଥର, ଗୋଟିକଯାକ ସିନ୍ଦୂରବୋଳା । ବଡ଼ ମଜାର ଉପନ୍ୟାସ ହୁଅନ୍ତା ଆମ ମଣିଷ ମନର ସପନଚର୍ଯ୍ୟାର କାହାଣୀ । ଭକ୍ତ ଓ ବିଶ୍ୱାସୀ ମଣିଷ ଯୋଉଠି ଯାହା ଅସାଧାରଣ ବା ଅଦୈନନ୍ଦିନ ଦେଖିଚି, ସେଠି ସିନ୍ଦୂର ବୋଳିଚି, ଫୁଲ ଚଢ଼ାଇଚି, ସେଠି ସେ ମନ୍ତ୍ରଯନ୍ତ୍ରର ରହସ୍ୟ ଛନ୍ଦି ବସିଚି । ମଣିଷ ପୂଜା କଥା ତ ଛାଡ଼ିଦିଅ; ୧୯୪୨ର ମହାତ୍ମା ଗାନ୍ଧୀଙ୍କୁ ନେଇ ରାମାୟଣ ଲେଖିବା ଲାଗି ହୁଏତ ଏ କଳିଯୁଗର କେତେ ବାଲ୍ମୀକି ବାହାରି ପଡ଼ିବେଣି । କିନ୍ତୁ ଖାଲି ମଣିଷ ଭିତରେ ଥମିଥିଲେ ମନ୍ଦ ହୋଇ ନ ଥାନ୍ତା, ମଣିଷର ଭୀରୁ ମନ ଗଛ, ପଥର, ନିଆଁ ଓ ପାଣି ସବୁଠିଁ ହାତ ପତାଇ ଅଭୟ ଖୋଜି ବୁଲିଚି । ନିଜକୁ ଖୋଜି ପାଇବାପାଇଁ ଏ ମାଟିଗୋଡ଼ି ପାଖରେ ଶିର ନୁଆଁଇବା ଯେ ତାକୁ କେତେଦୂର ସହାୟତା କରିଚି, ଧର୍ମ ଦର୍ଶନର ଆରୋପବାଦୀମାନେ ହୁଏତ ତାର ଭଲ ହିସାବ ଦେଇପାରିବେ ।

 

ତପ୍ତପାଣିର ପରିବେଶଟି ବେଶ୍‌ ଗମ୍ଭୀର ଓ ଶାନ୍ତିମୟ । ଚାରି ଆଡ଼ର ଉଚ୍ଚ ପର୍ବତ ଓ ଘନ ଅରଣ୍ୟ ଭିତରେ ସେ ନିଜର ସୌନ୍ଦର୍ଯ୍ୟ ଓ ଚମତ୍କାର ଦ୍ୱାରା ଏତେ ଲୋକଙ୍କୁ ନି’ତି ଟାଣିଆଣି ପାରୁଚି । କେତେ ଗାଁ’ରୁ କେତେ ମଣିଷ ଗାଡ଼ି କରି ଆସି ନିଶିଦିନ ସ୍ଥାନଟିକୁ ମୁଖର କରି ରଖିଚନ୍ତି-। ଲୋକଙ୍କର ବିଶ୍ୱାସ, ଏଇଠୁ ପାଣି ନେଇ ଖେତରେ ପକାଇଲେ ଫସଲରେ ପୋକ ଲାଗିବେ ନାହିଁ । ସେଇଥିପାଇଁ କେତେ ଆଡ଼ର କେତେ ଚାଷୀ ବାଉଁଶ ନଳୀ କାଟି ପାଣି ଭରତି କରି ନେଉଚନ୍ତି । ବିଗତ ଯୁଗର ମଣିଷକୁ ଯେଉଁଠି ଯେଉଁ ପ୍ରାକୃତିକ ବାଧା ଆସି ପହଞ୍ଚିଚି, ସେଠି ତା’ର ବିଶ୍ୱାସ ବାଧା କାଟିବାର ସଳଖ ଉପାୟ ବତେଇ ଦେଇଚି ।

 

ତପ୍ତପାଣି ପରେ ରୀତିମତ ମଟର ଉଠି ଉଠି ଘାଟୀ ଚଢ଼ୁଥାଏ । ସେତେବେଳକୁ ବାରଟା ବାଜିବଣି । ଚାରିଆଡ଼େ ମେଘର ତମ୍ବୁ ଖଟାଇ ଦେଇ ପୃଥିବୀର ଗଛ ପତର ସତେ ଅବା ଆଖି ଢୁଳୁ ଢୁଳୁ କରୁଚନ୍ତି । ସମସ୍ତେ ଆଜି କ୍ଳାନ୍ତ–ଆମେ ମଟର ଭିତରର ଯାତ୍ରୀଏ ମଧ୍ୟ ସେଥିରୁ ବାଦ ପଡ଼ିନୁଁ । ସୂର୍ଯ୍ୟର ଆଲୁଅ ସକାଳୁ ଲଭିଯାଇଚି । ଅଜଣା ଅଶୁଣା ପ୍ରତିବେଶୀଙ୍କ ମେଳରେ ସମସ୍ତେ ଆଜି ନିଶା ଖାଇଚନ୍ତି ।

 

ଲୁହାଗୁଡ଼ି କେତେବେଳେ କେଉଁଠି ପଡ଼ିଲା ମନେ ନାହିଁ । କିନ୍ତୁ ମଟର ଯେଉଁଠି ଓହ୍ଲାଇଦେଲା, ସେଠି ଘର ନାହିଁ କି ବାସିନ୍ଦା ନାହାନ୍ତି । କେବଳ ରାସ୍ତାଟି ଦୁଇକେନା ହୋଇ ଦି’ଆଡ଼େ ଚାଲି ଯାଇଚି । ସହଯାତ୍ରୀମାନଙ୍କଠାରୁ ପଚାରି ବୁଝିଲି, ରାମଗିରି ଉଦୟଗିରି ସେଠିକି ୩୨ ମାଇଲ, ଦୁଇ ଦିନର ବାଟ । ମନ ଭିତରେ କାହାର ଭୀରୁ ଆଖି ଦୁଇଟା ସନ୍ତ୍ରସି ଉଠିଲା । କଟକରେ ଜାଣିବାବାଲାମାନେ କହିଥିଲେ ମଟର ପାଖରୁ ମୋଟେ ପାଞ୍ଚ ମାଇଲ, ଖୁବ୍ ବେଶୀ ପନ୍ଦର ମାଇଲ । ଯାହାହେଉ, ଏପର୍ଯ୍ୟନ୍ତ ଯେ ସେମାନେ ବୋଧଦେଇ ଆଣିଚନ୍ତି, ସେଥିଲାଗି ସେମାନଙ୍କୁ ଧନ୍ୟବାଦ ଦେଲି । ବତିଶ କି ବା’ଷଠି ଯାହାହେଉ ପଛକେ, ଯିବାକୁହଁ ହେବ ।

 

ଚାରିଆଡ଼େ ଜଙ୍ଗଲ—ଡାହାଣ ହାତ ମୋହାନା, ବାଁ’ହାତ ଲମ୍ବାଏ ଲମ୍ବାଏ ଗଲେ ଉଦୟଗିରି । ମୋ ରାସ୍ତା ନେଇ ମୁଁ ଚାଲିଲି । ଜିନିଷ ବେଶୀ ନ ଥାଏ । ଗୋଟାଏ ହାତରେ ଚମଡ଼ା ସୁଟ୍‌କେଶ, ଆର କାନ୍ଧରେ ଚମଡ଼ା ଥଳୀଟା—ଆଉ ହୃଦୟଭରା ବଳ ଓ ଉଦ୍‌ବେଗ ନେଇ ପ୍ରାୟ ଗୋଟାକବେଳେ ମୁଁ ଯାତ୍ରା ଆରମ୍ଭ କଲି ।

 

ଆମର ବାଟଚଲା ଆରମ୍ଭ ହେଲା ସଙ୍ଗେ ସଙ୍ଗେ ଆକାଶ ବିଦିହ ଚାଲିଲା—ସକାଳୁ ମେଘଗୁଡ଼ିକ ଉଷୁଆଁ ହାଣ୍ଡିର କଳାପରି ଆକାଶ ଆବୋରି ଶୋଇଥିଲେ, କୋଉ ଦୂରର ପବନରେ ସେମାନଙ୍କର ପାଦ ଚାଲିଲା ପାଣିର ପସରା ନେଇ । ଗଛ ପତର କଥା କହିଲା, କୋରଡ଼ କନ୍ଦରାରେ ଚଳନ୍ତା ପବନର ଶିଂଗା ବାଜିଲା ।

 

ଗଞ୍ଜାମ ଆସିଥିଲି ସାତବରଶଷ ତଳେ । ବଡ଼ଗଡ଼ ତାଲୁକାର ରାତି ରାତି ଶଗଡ଼ବୁଲା ଏବେ ବି ମନରୁ ଯାଇନାହିଁ । ତଥାପି ସାତ ବରଷର ଅଧିକ ଶିକ୍ଷିତ ମନ ଓ ଉତ୍ସାହ ନେଇଯାଉଚି ବୋଲି ଏଥର ଯାତ୍ରାଟା ବିଲ୍‌କୁଲ ନୂଆ ଲାଗୁଥାଏ ।

 

ପର୍ବତରେ ଯେତେବେଳେ ବର୍ଷା ଆସେ, ସେତେବେଳେ ଯୋଜନକ ଦୂରରୁ ତା’ର ସୁ’ ସୁ’ ସଂଗୀତ ବାଜି ଉଠେ । ସବୁ ଶୂନ୍ୟର ଶଦ୍ଦସାମାନ୍ୟକୁ ଉତ୍ତୋଳିତ କରି ସେ ଉଲ୍‌କାର ଉନ୍ମେଷଣା ନେଇ ଛୁଟି ଆସେ । ସେଦିନ ମେଘୁଆ ଆକାଶରେ ସେଇ ଶବଦ ଯେତେବେଳେ କାନରେ ବାଜିଲା, ମନଟା କାହିଁକି ହଠାତ୍ ଚମକି ଉଠିଲା ।

 

ହଁ ବର୍ଷା ଆସୁଚି, ସକାଳ ପହରର ବିରହିଣୀ ଆକୁଳିତ ବୃଷ୍ଟିଜଳର ଅଶ୍ରୁ ଢାଳି ଆଜି ସୂର୍ଯ୍ୟ ରମଣର ବାସର ପଥ ଧୌତ କରିଦେବ । ଦୂର ପର୍ବତ ମଧ୍ୟ ମିଳନ-ଅଭିସାରର ପୁରୋହିତ ସାଜିବ ବୋଲି ବରଷା ରେଖାର ସହସ୍ରୋପବୀତ ପିନ୍ଧି ସାରିଲାଣି । କିନ୍ତୁ ପ୍ରକୃତିର ଏଇ ବାସର ପର୍ବରେ ମୋର ରାହା କାହିଁ ? ଘର ଦୁଆର କୁଆଡ଼େ କିଛି ନାହିଁ—ଆଶ୍ରା ନେବି କେଉଁଠି ? ଟୁପୁ ଟୁପୁ ବର୍ଷାରେ ବସନ ତିନ୍ତିଲା—ତଥାପି ମୁଁ ମାଡ଼ି ଚାଲିଥାଏ । କିନ୍ତୁ ଆଉ ହେଲା ନାହିଁ—ଆଶ୍ରା ଖୋଜିବାକୁହିଁ ହେବ ।

 

ସେଇ ରାସ୍ତାରେ ମୋ’ରି ସଙ୍ଗରେ ଆଉ ଜଣେ ଆସୁଥିଲେ ଆମରି ମଟରରୁ ଓହ୍ଲାଇ । ତାଙ୍କ ଗାଁ ଏଇଠି । ଆମେ ସେତେବେଳକୁ ଦୁଇକୋଶ ରାସ୍ତା ଚାଲି ସାରିଲୁଣି । ରାସ୍ତାରେ ଆସିଲାବେଳେ ତାଙ୍କରି ସହିତ ପଦେ ପଦେ କଥା ହେଉଥାଏ । ହଠାତ୍‌ ସେଇ ପ୍ରସ୍ତାବ କରି ବସିଲେ ଯେ ବର୍ଷାଟା କମିଗଲା ପର୍ଯ୍ୟନ୍ତ ମୁଁ ତାଙ୍କରି ପିଣ୍ଡାରେ ଆଶ୍ରୟ ନେଲେ ସେ ଖୁସି ହୁଅନ୍ତେ-। ମନଟା ସେତେବେଳେ ଅସ୍ଥିର ହୋଇ ଗଛ ଉପରେ ଅଗକୁ ଅଗ ଡେଇଁ ବୁଲୁଥିଲା, ଏପରି ହଠାତ୍‌ ଅନୁରୋଧକୁ ଭଗବାନଙ୍କର ବାଣୀ ପରି ମାନି ସଙ୍ଗେ ସଙ୍ଗେ ରାଜି ହୋଇଗଲି-। ଭଦ୍ରତା ଦେଖେଇବାକୁ ଭୀରୁ ମନରେ ଆଉ ଜାଗା ନଥିଲା ।

 

ଶଂକୁଳୀପଦର ଗାଆଁଟି ରାସ୍ତାପାଖରୁ ଡାକେ ବାଟ ହେବ । ଗାଆଁଟା ଅତି ଛୋଟ, ନାଲିମାଟି ଲିପା ଦୁଇ ପାଖରେ ଦୁଇ ଧାଡ଼ି ଘର । ବାଙ୍କୀରେ ଏଇ ନାଲି କଲିଦିଆ କାନ୍ଥ ଦେଖି ପ୍ରଥମେ ଅତି ଭଲ ଲାଗିଥିଲା । ପ୍ରକୃତିର କଳାକ୍ଷେତ୍ର ଜଙ୍ଗଲ ଭିତରେ, ପୋତାମାଟି ଉପରେ । ଗରିବ ଗାଉଁଲୀର କଳାକ୍ଷେତ୍ର ତାର କାନ୍ଥ, ପିଣ୍ଡା ଓ ବଡ଼ବଡ଼ୁଆ ନେଇ, ତା’ର ଉପକରଣ ହେଉଛି ମାଟି ଓ ଗୋବର, ଆଙ୍ଗୁଠି ହେଉଚି ତୂଳୀ ।

 

ଗାଆଁରେ ପହଂଚିବା କ୍ଷଣି ଢୁ ଢୁ ବର୍ଷା ଗାଳିଲା—ଦୁଃସମୟ ଜାଣି କିଏ ଯେପରି ବେଳସୁଁ ଠାବକରି ଦେଇଥିଲା ଏ ଅଜଣା ଗାଆଁରେ । ଛୋଟିଆ ଛୋଟିଆ ଘରର ଅଣଓସାରିଆ ପିଣ୍ଡାମାନ—ପ୍ରାୟ ସବୁଠି ମାଣ୍ଡିଆ ଶୁଖାହେଉଚି ।

 

ମେଘ, ଅସରାରୁ ଆଶ୍ରା ନେବାକୁ ଯାଇ ସେଦିନ ସେଇ ଛୋଟିଆ ଗାଆଁଟିରେ ମୁଣ୍ଡ ଗୁଞ୍ଜିଲି । ଗୋଡ଼ ଧୋଇବା ପାଇଁ ପାଣି ଆସିଲା, ପିଣ୍ଡା କଣକୁ ଖଜୁରୀ ପଟି ପଡ଼ିଲା ବସିବା ପାଇଁ-। ମୁଁ ଖାଲି ଉପରକୁ ମେଘକୁ ଅନାଉଥାଏ । କେତେବେଳେ ଆକାଶ ସଫା ହବ, ମୁଁ ଯିବି-। ଏଇ ସମୟରେ ସାମନା ଭିତର ଘରୁ ଚାହା ଆସିଲା । ପଲ୍ଲୀର ସେଇ ଛୋଟ ପିଣ୍ଡା ଉପରେ ଏଇ ଆତିଥ୍ୟକୁ ମୁଁ ଆଦରରେ କିଣିନେଲି ନିଜର ସମସ୍ତ ପରିଚୟ ଓ ଶ୍ରଦ୍ଧାର ବିନିମୟରେ । କେବଳ ଗାଆଁରେ—ଯେଉଁଠି ଅଫିସ୍ ନାହିଁ, ହୋଟେଲ ନାହିଁ, ସମୟ ଅସମୟର ଅଡ଼ୁଆ ବନ୍ଧା ନାହିଁ–କେବଳ ସେଇଠି ହୃଦୟ ହୃଦୟକୁ ଚିହ୍ନିଲା । କେବଳ ସେଇ ଗାଆଁର ଜଣେ ଘରଣୀ ମୋର ମାଆ ହୋଇ ମୋର ମନ କଥା ବୁଝିଲା ।

 

ଖାଣ୍ଟି ଦୁଧର ଚାହା ଖାଉ ଖାଉ ମକା ପୋଡ଼ା ହୋଇ ଆସି ପହଂଚିଲା । ଜୀବନରେ ଶିଖା ସବୁ ଭଦ୍ରତା ଓ କୁଳୀନତା ସେଦିନ କୁଆଡ଼େ ଲାଜ ଲୁଚାଇ ପଳାଇଥିଲା କେଜାଣି, ପିଲାଟି ପରି ମକା ଦାନ୍ତେଇ ବସିଗଲି । ମୋର ମେଜବାନ ଭାରି ଗରିବ । କେବଳ ଭୋଜୀ ବରାତରେ ଚାଉଳ ରାନ୍ଧି ଖାଆନ୍ତି । ନହେଲେ ମାଣ୍ଡିଆ ଓ କାଙ୍ଗୁ ଚାଉଳରେ ବରଷଟା ଯାକ ଚଳୁଥାଏ । ଗାଆଁରେ ସମସ୍ତେ ସେଇମିତି ଗରିବ, କାହାରି ପିଣ୍ଡା ପକ୍‌କା ନୁହେଁ କି କାହାରି ମଥାନ ଉଚ୍ଚା ନୁହେଁ-

 

ପ୍ରାୟ ତିନିଟା ବେଳକୁ ଆକାଶ ସଫା ହୋଇଗଲା, ପର୍ବତ ଗରଭର ଗର୍ଜନ ବନ୍ଦହେଲା–ମେଘ ବୋଇତ ଦିଗ ବୁଲାଇ ଭାସି ଚାଲିଗଲା । ମୋତେ ଯେ ଅନେକ ଦୂର ଯିବାକୁ ହେବ-। ମାୟା ଛଡ଼ାଇ ବାହାରିଲି, ରାତିରେ ମୋଲାଗି କାଙ୍ଗୁ ଚାଉଳ ରାନ୍ଧି ଖାଇବାର ଯେ ବରାଦ ଦେଇସାରିଥିଲି, କର୍ତ୍ତବ୍ୟ—ସତର୍କ ମନ ସେତକ କରାଇ ଦେଲାନାହିଁ । କ୍ଷଣିକାର ଭାରି ମୋହ ତୁଟାଇ ବାଟକୁ ଆସିଲି ।

 

‘ବାବୁ ପାଠ ପଢ଼ି ସାରିଲେ ଗୋଟିଏ ବଡ଼ ହାକିମ ହୋଇ ଆମ ଜିଲାକୁ ଆସିବେ ।’ ଆସିଲାବେଳେ ଘରର ଜଣେ ବୁଢ଼ା କହିଲେ ।

 

ନିହାତି ଅସ୍ୱାଭାବିକ ନୁହେ । ମୋ ଘର କଟକରେ, ମୁଁ କଲିକତା ସେପାଖରେ ଇଂରାଜୀ ପାଠ ପଢ଼ୁଚି, ହାକିମ ହେବି ନାହିଁ ତ ଆଉ କଣ ?

 

‘ବାବୁ, ତମେ ବାହା ନହେଇ ଆଜିଯାଏ ପାଠ ପଢ଼ୁଚ ?’ ଘର ଭିତରୁ ମାଇପି ଗଳାରେ କିଏ କହିଲା; ବୋଧୁହୁଏ ଯିଏ ମୋଲାଗି ଚାହା ଆଉ ମକାଭଜାର କଣ୍ଟ ଦେଇ ଆପଣା ଆତିଥ୍ୟକୁ ଡାକିନେଇଥିଲା ।

 

‘ଅଇଛା ଯେତେ ପଇସା ପାଠ ପଢ଼ାରେ ଯାଉଚି, ଚାକିରି କଲେ କ’ଣ ତା’ର ଦଶଗୁଣା ମିଳିବ ନାହିଁ’—ଆଗ ବୁଢ଼ାଟି ମୋର ମଙ୍ଗଳ କାମନା କଲେ ।

 

ମୁଁ ରାସ୍ତାକୁ ବାହାରିଲି । ପୁଣି ଏକା । କାନ୍ଧରେ ଥଳୀ, ହାତରେ ସୁଟକେଶ୍‌ ଆଉ ମୁଁ । ସେଇ ଜଙ୍ଗଲ, ସେଇ ପାହାଡ଼ ଉପରେ ଆଖି ବୁଲାଇ ମୁଁ ସିଧା ରାସ୍ତା ଧରି ଚାଲିଚି । ସୂର୍ଯ୍ୟକୁ ଅନାଇ ବେଳ ଠଉରାଉଚି । ସବୁଜ ସିକ୍ତ ଶ୍ୟାମଳ ପର୍ଣ୍ଣର ରୌଦ୍ର ଝିଲିମିଲି ଉପରେ ମନ କେତେ କେତେ ରାଜ୍ୟ କଳ୍ପନା କରିଯାଉଚି ।

 

ଚାନ୍ଦିପୁରରେ ସେଦିନ ହାଟପାଳି । କିନ୍ତୁ ମୁଁ ସେଠି ପହଂଚିଲା ବେଳକୁ ହାଟ ଭାଙ୍ଗି ସାରିଲାଣି । ଏଠି ହାଟ ସବୁ ସକାଳୁ ବସେ, ଖରାବେଳକୁ ଭାଙ୍ଗିବାକୁ ଲାଗେ । ପର୍ବତ କନ୍ଦରା ଡେଇଁ ଲୋକମାନଙ୍କୁ ପୁଣି ଆପଣା ଆପଣା ମାଳ ଗାଆଁକୁ ଯିବାକୁ ପଡ଼େ । ନିଜର ଆବାଦ ଫସଲକୁ ହାଟରେ ବ୍ରହ୍ମପୁର ପଠାଇ ସେମାନେ ହପ୍ତାକର ଲୁଣ ଲଙ୍କା ଓ ଶୁଖୁଆ କିଣି ନିଅନ୍ତି । ଗାଁଆ ଆଉ ସହରର ମୁହଁ ଚାହାଁଚୁହିଁ ଏଇ ହାଟରେ ହୁଏ ।

 

ଚନ୍ଦ୍ରଗିରି ଆଉ ଆଠ ମାଇଲ, ଆଜି ରାତିରେ ଠାବ ଯାଇ ସେଇଠି । ଏକୁଟିଆ ମୁଁ ପୁଣି ମୋର ରାହା ଦେଖିଲି । ବେଳେ ବେଳେ ବାଟୋଇ ହାବୁଡ଼ୁ ଥାଆନ୍ତି । ସେମାନଙ୍କ ସାଙ୍ଗରେ ନାନା ଦୁଃଖ ସୁଖ ହେଉଥାଏ । ହୃଦୟରେ ଭରା ଶ୍ରଦ୍ଧା ଓ ସରଳତା, ଶରୀରରେ ଭରା ବଳ, ମୁହଁର କଥାରେ ଭରା ଦରିଦ୍ରତା—ଏଇଆକୁ କେନ୍ଦ୍ର କରି ଗଢ଼ିଉଠିଥିବା ସେମାନଙ୍କ ସଂସାରର ନାନା କାହାଣୀ ସେଦିନ ଶୁଣିଲି ।

 

ମୁହଁ ଅନ୍ଧାର ହୋଇଗଲା ବେଳକୁ ଯାଇ ଚନ୍ଦ୍ରଗିରି ଭେଟିଲି । ବେଶ୍‌ ବଡ଼ ଗାଆଁଟିଏ । ମନରେ ଭରସା ପଶିଲା, ଆଜି ଦିନକର ବାଟ ସରିଲା ।

 

ବାଟ ପଚାରି ପାତ୍ରଙ୍କ ଘରକୁ ଗଲି । ଗାଁ ମଝିରେ ସବୁଠାରୁ ଉଚ୍ଚ ଧୋବଲା କାନ୍ଥର ଖୁମ୍ବଦିଆ ଘରଟି ହେଉଚି ପାତ୍ରଙ୍କର । ବଡ଼ଗଡ଼ ତାଲୁକାର କରଣ କାଜୀଙ୍କ ପରି ଏ ଅଞ୍ଚଳରେ ପାତ୍ର । ଏମାନେ ପଲ୍ଲୀପଦରରୁ ସିସ୍ତୁ ଆଦାୟ କରି ତା’ର ମାମୁଲି ଅଂଶ ବଡ଼ଖେମୁଣ୍ଡି ରାଜାଙ୍କୁ ଦିଅନ୍ତି । ବାକିତକ ମଝିରେ ତାଙ୍କର । ତାଙ୍କ ଅଧୀନରେ ପିଆଦା ପାଇକ ବା ପେଷଣିଆ ଥା’ନ୍ତି । ସରକାରୀ ହାକିମଙ୍କର ମାଲପତ୍ରସବୁ ବେଠି କରି ବୋହିନେବାକୁ ନାନା ଗାଁରେ ପାଣ ଓ ଶବରମାନଙ୍କୁ ଜମି ଜାଗିର ଦେଇ ରଖାଯାଇଚି ।

 

ପାତ୍ରଙ୍କର ଉଚ୍ଚ ପିଣ୍ଡା—ଆଗରେ ହଳକୁ ହଳ ବଳଦ ବନ୍ଧା ହୋଇଚନ୍ତି । ଗାଁରେ ସେଇ ବଡ଼ ଲୋକ—ହତଶିରୀ ହଜାରଙ୍କ ଭିତରେ ମାଆ ଲକ୍ଷ୍ମୀ କେବଳ ତାଙ୍କୁ ବାହାନ କରି ବସିଚନ୍ତି ।

 

ଯାହାହେଉ ପାତ୍ର ମଣିଷ ଦେଇ ମତେ ଡାକବଙ୍ଗଳାକୁ ପଠାଇ ଦେଲେ, ସେଠାରେ ଖାଇବାର ବ୍ୟବସ୍ଥା କରିଦେଲେ । ଡାକବଙ୍ଗଳାଟି ଛୋଟ ହେଲେ ମଧ୍ୟ ବେଶ୍‌ ପରିଷ୍କାର । ଉଚ୍ଚ ଚାଳଘର ଦୁଇବଖରାରେ ଖଟଟିଏ, ଟେବୁଲ ଓ ଚଉକୀ କେବଳ ଅଛି । ସେଦିନ ଚାଷ ହିସାବ ବିଭାଗର ଜଣେ ଇନ୍‌ସପେକ୍‌ଟର ମଧ୍ୟ ସେଇଠି ଥାନ୍ତି । ସେ ମୋର ରହିବାର ବେଶ୍‌ ସୁବିଧା କରିଦେଲେ । ତାଙ୍କର ରୋଷେଇରେ ଖାଇଦେଇ ଶୀଘ୍ର ଶୋଇବାକୁ ଚାଲିଗଲି । ବିଛଣାର ଗନ୍ଧ ବାରୁ ବାରୁ କୁଆଡ଼େ ନିଦରେ ଅଚେତ ହୋଇଗଲି । ଶରୀରର ଇଞ୍ଜିନ୍‌ ରାତିଯାକ ଉଜାଗର ରହି କାଲି ଲାଗି ଶକ୍ତି ସଂଗ୍ରହ କଲା । ରାତିରେ ବେଶ୍‌ ଶୀତ ଲାଗିଲା ।

 

ପାହାନ୍ତା ପହରର ପହିଲି କାଉ କାଆ କଲାବେଳକୁ ମୋର ନିଦ ଭାଙ୍ଗିଲା । ଉଦୟଗିରି ଆହୁରି ଅଧେବାଟ ଅଛି । ତରତରରେ ନିତ୍ୟକର୍ମ ସାରି ଦେଇ ଖରାପଡ଼ିଲା ଆଗରୁ ପୁଣି ରାସ୍ତାରେ ବାହାରି ପଡ଼ିଲି ।

 

ଘନ ଜଙ୍ଗଲ ଭିତରେ ବାଙ୍କି ବାଙ୍କି ରାସ୍ତା ଚାଲି ଯାଇଚି । ଏ ଜଙ୍ଗଲରେ ହାତୀ ଅଛନ୍ତି ବୋଲି ଖବର ପାଇଥିଲି । କିନ୍ତୁ ଦୁଇ ତିନୋଟି ଅଜଗର ଛୁଆ ଛଡ଼ା ସେଦିନ ଆଉ କିଛି ଦେଖିଲି ନାହିଁ । କାଲି ରାତିର ବର୍ଷାମାଡ଼ ଖାଇ ସାପଛୁଆ ଗୁଡ଼ିକ ରାସ୍ତା ଉପରେ କୋଲ ମାରି ପଡ଼ିଥିଲେ । ଏପର୍ଯ୍ୟନ୍ତ ବି ପିଠିରେ ଖରା ସେକ ବାଜି ନଥିଲା ।

 

ସେଦିନର ସେଇ ଏକୁଟିଆ ଯିବାର ଆନନ୍ଦକୁ ଭାଷାରେ କହିଦେବାର ଶୈଳୀ ଆଉ ମନେ ପଡ଼ୁନାହିଁ । ଘନନିବିଡ଼ ପତ୍ରଳ ସମାବେଶର ଛୋଟିଆ ମଣ୍ଡଳ ଭିତରେ ମୁଁ ଏକା ଚାଲିଚି କେବଳ ରାସ୍ତାର ନିର୍ଦ୍ଦେଶ ଅନୁସରଣ କରି । କେଉଁଠି ଉଠାଣି ଗଡ଼ାଣିରେ ଜଙ୍ଘ ଘୋଳି ହୋଇଯାଉଚି । ବେଳେ ବେଳେ ଆକାଶକୁ ପିଠିକରି କାୟା ଲମ୍ବାଇଥିବା ପାହାଡ଼ ଆଖିରେ ପଡ଼ିଯାଉଚି, ପୁଣି ହୁଏତ ବଡ଼ ବଡ଼ ଗଛ ଦୃଷ୍ଟି ଉଗାଳି ସବୁ ଉଢ଼ୁଆଳ କରି ଦେଉଚନ୍ତି । ସେଦିନ ମନ ଖାଲି ଗଞ୍ଜାମ ଭିତରେ ନଥିଲା । ଉନ୍‌ମନା ଅନ୍ତର—ମଣିଷଟା ସେଦିନ ଜଙ୍ଗଲର ଏକାଚାରୀ ଲିଭିଂଷ୍ଟୋନଙ୍କର ସ୍ୱର୍ଗତଃ ଆତ୍ମା ସଙ୍ଗରେ ସଖ୍ୟ କରି ନେଇଥିଲା । ପରିବେଶ ଅଲଗା ସିନା, ଅନୁଭୂତି ଏକ । ସେଇ ହିସାବରେ ଲିଭିଷ୍ଟୋନ୍‌ଙ୍କର ସେଇ ଯୌଥ ଯାତ୍ରା ସଙ୍ଗରେ ମୋର ଏକାକୀ ଯାତ୍ରା ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ । ସାଢ଼େ ଚାରିଶହ ବର୍ଷ ତଳର କଲମ୍ବସଙ୍କ କଥା ମନେ ପଡ଼ିଯାଉଥାଏ । ପୌରୂଷୀ ମନଟା ଇତିହାସ ସଙ୍ଗରେ ଗଣତି ମିଳାଇ ଢିପେ ଢିପେ ନୂଆ ପୃଥିବୀ ଦେଖିବାର ପତାକା ପୋତି ପୋତି ଚାଲିଥାଏ ।

 

ସକାଳୁ ଅଖିଆ ବାଟ ଚାଲିବା ଆରମ୍ଭ କରି ଦେଇଚି । ସକାଳୁ ସକାଳୁ ବେଶ୍‌ ବାଟ କଟାଇ ନେଲି । ଧୀରେ ଧୀରେ ସୂର୍ଯ୍ୟ ପର୍ବତ ଉପରକୁ ଉଠିଲା । ଏଣେ ପେଟ ଭୋକରେ ଜଳିଲାଣି । ବାଟରେ ଗାଁ ଗଣ୍ଡା ଆଖିରେ କିଛି ପଡ଼ୁନଥାଏ । ଦୁଇକୋଶ ବାଟ ଚାଲିଲା ପରେ ମହେନ୍ଦ୍ରଗଡ଼ ବୋଲି ଗୋଟିଏ ଗାଁ ପଡ଼ିଲା । ଗାଆଁ ଦେଖି ଭୋକିଲା ପେଟରେ ଭରସା ବାନ୍ଧିଲି । ଗାଁଆମୁହାଁ ଜଣଙ୍କୁ ପଚାରିଲି ଏଠି ଖାଇବା ଜିନିସ ମିଳିବ କି ନାହିଁ ? ସେ ଠୋ’କରି ନାହିଁଟାଏ କରି ଦେଲେ । ଗାଁ’ରେ ଗୋଟାଏ ବୋଲି ଦୋକାନ ନାହିଁ । ତଥାପି ଆଶା ଦେଲେ, ଦୁଇକୋଶକେ ଛେଳିଗଡ଼ ଗାଁ ପଡ଼ିବ, ସେଇଠି ଭାରି ସୁବିଧାରେ ସବୁ ଖାଇବାର ମିଳି ପାରିବ । ପେଟ ଜଳୁଥିଲେ ବି ସେଇ ଖାଲିପେଟର ନିଆଁକୁ ହଜମ କରି ଆହୁରି ଦୁଇକୋଶ ବାଟ ଚାଲିଲି । ବାଟରେ ମହେନ୍ଦ୍ରଗଡ଼ର ତୀରସୁଆ ନଈ ପଡ଼ିଲା । ପ୍ରାୟ ବେଳ ନଅଟାବେଳକୁ ଛେଳିଗଡ଼ ବସ୍ତିରେ ପହଞ୍ଚିଲି-

 

ଖାଦ୍ୟ ପାଇଁ ଅନ୍ତ୍ରମୟ କୋଷଟା ସେତେବେଳକୁ କେତେ ଥର ଗର୍ଜ୍ଜନ କରି ଉଠିଲାଣି । ତେଣୁ ଖାଦ୍ୟରଙ୍କ ବିଦେଶୀ ହିସାବରେହିଁ ଛେଳିଗଡ଼ ସାଙ୍ଗରେ ପ୍ରଥମ ପରିଚୟ ହେଲା । ଦୁଇ ଜଣ ପିଲା ମୋତେ ଗୋଟିଏ ଦୋକାନକୁ ନେଇଗଲେ । ଦରିଦ୍ର ଗୃହସ୍ଥଟିଏ ନିଜ ପିଣ୍ଡାରେ ଅଳପକିଆ ଦୋକାନ ମେଲିଚି । ଲଙ୍କା ଜୀରାଠାରୁ ବିଡ଼ି ସିଗାରେଟ ପର୍ଯ୍ୟନ୍ତ ସବୁ ଜିନିଷ ସେଠି ପସାରି ହୋଇ ଥୁଆ ହୋଇଚି । ଖାଇବା ଜିନିଷ ଭିତରେ କେବଳ ମୁଢ଼ି ଆଉ ଗୁଡ଼ । ବାଧ୍ୟହୋଇ କିଣିଲି । ସେମେଟା ମୁଢ଼ିରୁ ମୁଠାଏ ପାଟିରେ ପାକାଇଲା ବେଳକୁ ପାଟି ଅଠା ଅଠା ହୋଇ ଯାଉଥାଏ । ସିଧା ଶୋଷିଲା କଣ୍ଠରୁ ବାହାରି ‘‘ଏଠି ଚାହା ମିଳିବ ନାହିଁ ?’’

 

ମୋତେ ଦେଖିବାକୁ ଯେତେ ଯିଏ ଦୋକାନଠିଁ ଜମା ହୋଇଥିଲେ, ତାଙ୍କ ଭିତରୁ ବୁଢ଼ାଟିଏ ବାହାରି ପଡ଼ି କହିଲା, ‘ଆଗ ସାହିରେ ମିଳିବ’ । ପୁଣି ଟିକିଏ ରହି, ‘ଆଚ୍ଛା, ତୁ କ’ଣ ଆମ ଘରେ ଚାହା ପିଇବୁ ? ଖ୍ରୀଷ୍ଟିଆନ ଘର ।’

 

ଜାତିଛଡ଼ା ମୋର ଆଉ କି ଜାତି ଥାନ୍ତା, ସେଥିରେ ପୁଣି ତାଳୁରେ ଶୋଷର ଅଗ୍ନି ଜଳୁଚି-। ସଙ୍ଗେ ସଙ୍ଗେ ହଁ ଭରିଗଲି ।

 

ବୁଢ଼ା ମୋତେ ତା ଘରକୁ ଡାକିନେଲା—ଏକାବେଳେକେ ଭିତର ଘରକୁ । ସେଇଠି ମୋଲାଗି ହେଁସ ପଡ଼ିଲା । ଘରଣୀ ଚୁଲି ମୁଣ୍ଡରେ ବସି ପିଠା କରୁଥାଏ । ପ୍ରଥମେ ପିଠା ବଢ଼ାହେଲା, ତା’ପରେ ଚାହା । ଆତିଥ୍ୟ ସ୍ୱୀକାରର ଦାବୀଟା ବଢ଼ାଇ ଦେଇ ତିନି ଗିଲାସ ଚାହା ଗର୍ଭସ୍ଥ କରିଦେଲି ।

 

ମୁଁ ଯିବାକୁ ବାହାରିଲି । ଉଦୟଗିରି ଆଉ ମୋଟେ ଚାରି କୋଶ ବାଟ । ବେଳ ପ୍ରାୟ ଦଶଟା ହୋଇଯିବ । ଚମ୍ପାଘାଟୀର ଶିଖର ଉପରେ ମେଘ ଗୁମରି ବୁଲୁଥାଏ—କେଉଁ ଅଦୃଶ୍ୟ ବଧୁ ଯେପରି କ୍ଷଣକେ ଧୂସର ବାଦଲକୁ ପୋଛି ପକାଇ ସ୍ୱର୍ଗ ମଣ୍ଡପରେ ନୀଳ ଚନ୍ଦନ ଚିତା ଦେଉଥାଏ-। ତାର ଆଲିମ୍ପନକଳା ସ୍ୱତନ୍ତ୍ର ।

 

ଏଇ କେତେ ମୁହୂର୍ତ୍ତର ସଂଳାପ ଫଳରେ ଛେଳିଗଡ଼ର ଖ୍ରୀଷ୍ଟିଆନ ବସ୍ତି ମତେ ନିଜର କରିନେଇଥିଲା । ମୋତେ ଏକା ଛାଡ଼ିବାକୁ ସେମାନେ ଏକାବେଳେକେ ନାରାଜ ହେଲେ । ଜଣେ ମୋ ସାଙ୍ଗରେ ଯିବହିଁ ଯିବ । କିନ୍ତୁ ସେମାନଙ୍କର ଭାଳେଣି ପଡ଼ିଲା, ଆଜି ରବିବାର, ଗୀର୍ଜାର ସମୂହ ପ୍ରାର୍ଥନା ନସରିଲେ ତ ଆଜି କୌଣସି ଲୋକ ବାହାରିବେ ନାହିଁ । ସମସ୍ତେ କହିଲେ ସେଠି ଆଉ କେତେ ଘଣ୍ଟା ରହିବାକୁ ।

 

ମନ ଯେଉଁଠୁ ଶରଧା ପାଏ, ସେଇଠି ଗୁରେଇ ଭୁରେଇ ରହିବାକୁ ଭଲପାଏ । ଅଜଣା ବନ୍ଧୁମାନଙ୍କର ମାୟା ମୋତେ ଟାଣି ରଖିଲା । ଲୁଗା ପାଲଟି ମୁଁ ମଧ୍ୟ ସେମାନଙ୍କ ସଙ୍ଗରେ ଗୀର୍ଜାକୁ ଗଲି ।

 

ଗୀର୍ଜା ବୋଇଲେ କଟକ ପରି ଗୋଜିଆ—ଶିଖ ଉଚ୍ଚ କୋଠା ନୁହଁ । ଛୋଟିଆ ଭଙ୍ଗା ଚାଳଘର—ଜଙ୍ଗଲରୁ ଝାଟି କାଟି ଗାଆଁବାଲା ଘରଟି ତିଆରି କରିଛନ୍ତି । ସବୁଦିନ ରବିବାର ସକାଳେ ଘଣ୍ଟା ବାଜେ । କାଦୁଅ ମାଟିର କୋତରା ମଣିଷ ସଫା ସୁତୁରା ହୋଇ ହପ୍ତାକେ ଥରେ ଧର୍ମସ୍ଥାନକୁ ଆସେ । ମୁହୂର୍ତ୍ତକର ଆତ୍ମସମର୍ପଣରେ ସେଇ କ୍ଷଣକ ସେ ସବୁ ଭୁଲିଯାଏ । ତାର ମାଟିଘର ଭିତରକୁ କ୍ଷଣକଲାଗି ଭଗବାନ ଆସନ୍ତି, ଦରିଦ୍ର ମଣିଷ କ୍ଷଣକଲାଗି ଶାନ୍ତି ପାଏ ।

 

ଗୋଟାଏ ପାଖରେ ମରଦ, ଆଉ ଗୋଟିଏ ପାଖରେ ମାଇପେ । ଖ୍ରୀଷ୍ଟିଆନ ଧର୍ମରେ ଏଇ ସମବେତ ପ୍ରାର୍ଥନାଟା ମୋତେ ସବୁଠାରୁ ଚମତ୍କାର ଲାଗେ । ସମାଜର ବାର ମନ ତେର ଭେଦର ମଣିଷଙ୍କୁ ଏକାଠି ଏକ ଭକ୍ତିର ଚକ୍ରତଳେ ଏକତ୍ର କରି ଏହି ଧର୍ମ ମାନବ ମନର ଅନ୍ତର୍ନିହିତ ଐକ୍ୟ ଘୋଷଣା କରୁଚି । ଦୈନନ୍ଦିନ କର୍ମ—ଜୀବନର ସବୁ ସୁଖ ଦୁଃଖ ଭୁଲି ନିର୍ମଳ ମନରେ ସଭିଙ୍କ ସାଥିରେ ନିଜ ଅନ୍ତରର ମିଳନ କରାଇ ମଣିଷ କମ ଶାନ୍ତି ପାଏ ନାହିଁ ।

 

ପିଲାଠାରୁ ବୁଢ଼ା, ସାଇ ଗୋଟାକର ମଣିଷ କ୍ରମେ ରୁଣ୍ଡ ହେଲେ । ସମସ୍ତେ ବସିବାକୁ ଖଜୁରୀ ପଟି ପଡ଼ିଥାଏ । ଆଗରେ ଭଙ୍ଗା ଚଉକୀ ଓ ଟେବୁଲ—ଟେବୁଲ ଉପରେ ଦୁଇଟା କାଠଫାଳିଆ ଯୋଡ଼ାହୋଇ କ୍ରସ ତିଆରି ହୋଇଚି । ଦରିଦ୍ର ମଣିଷର ଦଇନୀକୁ ନିଜ ଜୀବନରେ ନିର୍ଘୋଷିତ କରି ଯେଉଁ ବିରାଟ ମଣିଷ ଦିନେ ପ୍ରାଣ ଦେଇଥିଲା, ତାରି ପ୍ରତିକ ଆଜି ସବୁ ଧାର୍ମିକର ଗଳାର ମାଳୀ ହୋଇଚି । ଛେଳିଗଡ଼ର ଅନାମଧେୟ ଭଙ୍ଗା ଗୀର୍ଜାରେ ମଧ୍ୟ ତାର ସ୍ଥାନ ସବୁଠୁଁ ମହୀୟାନ୍‌ ।

 

ଗାଁ ଲୋକେ ନିଜେ ନିଜର ପାଦ୍ରୀ । ଅବଶ୍ୟ ଜଣେ ଦରମାଖିଆ ପାଦ୍ରୀ ଉଦୟଗିରିରେ ରହନ୍ତି, ବିଶେଷ ଉତ୍ସବ ମାନଙ୍କରେ ତାଙ୍କୁ ଡାକି ଅଣାଯାଏ । ନହେଲେ ଏଇ ଗାଁର ଧର୍ମାଚରଣ ଏହାର ନିଜସ୍ୱ । ବାଇବେଲ ଓ ଭଜନମାଳାମାନ ଓଡ଼ିଆରେ ଛାପା ହୋଇଚି । ସମସ୍ତଙ୍କ ହାତରେ ସେଥିରୁ ଖଣ୍ଡେ ଖଣ୍ଡେ । ଧର୍ମ ସଂଗୀତରେ ମାଦକ ଭରି ଦେବାକୁ ଓଡ଼ିଶୀ ଖୋଳ ଓ କରତାଳ ମଧ୍ୟ ଆସିଚି । ଜଣେ ଷୋଳ ବରଷର ପିଲା ଉପରେ ଆଜି ପ୍ରାର୍ଥନା ପଢ଼ାଇବା ଭାର ଥିଲା । ଭାରି ଆପଣାର ଲାଗିଲା ଏଇ ସରଳ ଅଥଚ ସ୍ୱାଧୀନ ଧର୍ମାନୁଷ୍ଠାନଟି । କୋଡ଼ାଇ କେନାଲର ଖ୍ରୀଷ୍ଟିୟାନ୍‌ ଆଶ୍ରମ କଥା ମନେ ପଡ଼ିଗଲା । କେବଳ ଧର୍ମର ମାର୍କା ନେଇ ସେଠି ନାନାଆଡ଼ୁ ନାନା କିସମର ଲୋକ ଏକଜୁଟ ହୋଇଥିଲେ । ମାସକ ପାଇଁ ହୁଏତ ଅନେକ ହାୱା ବଦଳେଇବାକୁ ଆସିଥିଲେ । ସମସ୍ତେ ସେଠି ବଡ଼ଲୋକ—କେବଳ ଗୀର୍ଜାରେ ପରସ୍ପର ଭିତରେ ହୁଏତ ଅନ୍ତରର ଭେଟ ହେଉଥିଲା । ତା’ଠାରୁ ଯଥେଷ୍ଟ ବଡ଼ ଛେଳିଗଡ଼ ଗାଁଆର ଧର୍ମର ମିଳନଟି—ନିତିଦିନର ହାନିଲାଭ, ଦୁଖଃ ଯାତ୍ରାରେ ଯେଉଁମାନେ ସମାନୁଭବୀ, ସେଇମାନେ ସରଳ ମନରେ ଏଠି ଭକ୍ତର ପ୍ରଣତି ନେଇ ଏକତ୍ର ହୋଇଚନ୍ତି । ମହାପୁରୁଷ ଖ୍ରୀଷ୍ଟ ସେଠି ନୁହନ୍ତି ଏଇଠି ଅଛନ୍ତି ।

 

ଏଇଟା ନିଶ୍ଚୟ କଥା, ଏ ଲୋକମାନେ ଅନ୍ନ-ଖ୍ରୀଷ୍ଟାନ(Paddy Christians) ଦରିଦ୍ର ଅସ୍ପୃଶ୍ୟ ପାଣମାନଙ୍କୁ ଏଠି ରାଜପ୍ରାସାଦର ଆଲୁଅ ଦେଖାଇ ରାଜଧର୍ମରେ ଦୀକ୍ଷା ଦିଆଯାଇଚି । ଖାଲି ଗଞ୍ଜାମ କାହିଁକି, ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ସବୁଠିଁ ଏଇ ଧ୍ୱଜାଧର୍ମର ଇତିହାସ ରହିଚି । ଅନେକ ବାହାଦୂର ଖ୍ରୀଷ୍ଟିଆନ୍‌ ଯୁବକ ଧର୍ମସାମ୍ରାଜ୍ୟ (Empire of the Gospel)ର ପ୍ରତିଷ୍ଠା ପାଇଁ ଘରଛଡ଼ା ହୋଇଚନ୍ତି । ଧର୍ମାସକ୍ତ ପାଦ୍ରୀମାନଙ୍କର କୀର୍ତ୍ତିକଳାପର ଆଖ୍ୟାନ ଚୀନ୍‌ରେ ମଧ୍ୟ ରହିଚି । ସେ ଗୁଡ଼ାକ ପୁରୁଣା କଥା । ଊନବିଂଶ ଶତାଦ୍ଦୀର ରଙ୍କୁଣା ପାଦ୍ରୀମାନଙ୍କୁ ପଛରେ ପକାଇ ଜଗତ ଅନେକ ଆଗେଇ ଗଲାଣି । ବର୍ତ୍ତମାନ ଭେକ ନେଇ ମୁଣ୍ଡ ଘୁରାଇବାର ଅବସର ନାହିଁ, ମଣିଷ ସେ ସୀମାରେଖା ଟପି ଭାବର ମାନଦଣ୍ଡରେ ବସିଲାଣି । ଶ୍ରୀକୃଷ୍ଣ, ମହମ୍ମଦ, ଗୌତମ ଓ ଯୀଶୁଖ୍ରୀଷ୍ଟ ଏକାଯୁଗରେ ଜନ୍ମିଥିଲେ ଯାହା କରିଥାନ୍ତେ, ଏଇ ଶତକର ଉଦୀୟମାନ ମଣିଷ ସେହି ମହାସମନ୍ୱୟରେ ବ୍ରତୀ ହୋଇ ବାହାରି ଯେ ଯେଉଁଠି ଯେଉଁ ଆକାରକୁ ଆତ୍ମନିବେଦନ କରୁଥାଉ ପଛକେ ଯଦି ସେ ସବୁ ବାଡ଼ କାଟି ନିଜର ଅନ୍ତରକୁ ଛୁଅଁଇ ପାରିଲା, ତେବେ ସବୁ ଧର୍ମ ଆଜି ସେଇ ମଣିଷର ଜୟ ଜୟକାର କରିବ । ଆଜି କ୍ରସ, କୋରାନ ବା କର୍ମକାଣ୍ଡ ନେଇ ଝଗଡ଼ା ନାହିଁ; ଖାଲି ନିଷ୍ଠାର ତରାଜୁରେ ବା ଏଯୁଗରେ ଭଗବାନ ମଣିଷକୁ ମାପିବେ ଭକ୍ତଠାରୁ ଠକକୁ ଅଲଗା କରି ଦେଖାଇ ଦେବେ ।

 

ଅତୀତରେ ଯାହା ହୋଇଥାଉ ପଛକେ, ଖ୍ରୀଷ୍ଟିଆନ୍‌ ବସ୍ତିଟି ଗାଁର ଅନ୍ୟ ବସ୍ତି ତୁଳନାରେ ପରିଷ୍କାର ପରିଚ୍ଛନ୍ନ । ଲୋକମାନଙ୍କର ଚଳନ ମଧ୍ୟ ଅଧିକ ମାର୍ଜିତ । ପରସ୍ପର ଭିତରେ ଅତି ବେଶୀ ସୌହାର୍ଦ୍ୟ ଏମାନଙ୍କର ଅଛି । ଏଇ ସୌହାର୍ଦ୍ୟ ଭାବର ଅନୁଶୀଳନ କରିବା ହେଉଚି ଖ୍ରୀଷ୍ଟଧର୍ମର ଗୋଟିଏ ବଡ଼ ବୈଶିଷ୍ଟ୍ୟ । ଏଥିଲାଗି ନିଶ୍ଚୟ ସେ ପାଦ୍ରୀମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ । ସେହି ମାନଙ୍କର ଆପ୍ରାଣ ଉଦ୍ୟମ ଫଳରେ ଦେଣରେ ସାକ୍ଷରତା ବଢ଼ିଚି, ଆଜି ମଧ୍ୟ ଆମ ଦେଶରେ ନାନାସ୍ଥାନରେ ଅନେକ ଖ୍ରୀଷ୍ଟିଆନ୍‌ ସେବକ ନିଜର ନିଃସ୍ୱାର୍ଥ ସେବାଦ୍ୱାରା ଦେଶକୁ ଅଧିକ ଶିକ୍ଷିତ ଓ ସୁସ୍ଥ କରୁଚନ୍ତି । ସେଇମାନଙ୍କର ଧୈର୍ଯ୍ୟ ଓ ନିଷ୍ଠା ଭିତରେ ଯୀଶୁଖ୍ରୀଷ୍ଟଙ୍କର ସଂସିଦ୍ଧବତୀ ଏବେ ମଧ୍ୟ ଜଳୁଚି ।

 

ସମବେତ ପ୍ରାର୍ଥନା ଚାଲିଚି, ହଠାତ୍‌ ମାଇପିମାନଙ୍କ ତରଫରୁ ଚଞ୍ଚଳ ଚିତ୍କାର ଉଠିଲା । ଘର ଚାଳରେ ଗୋଟିଏ ସାପ—ଠିକ୍‌ ମୋର ମୁଣ୍ଡ ଉପରେ । ସମସ୍ତେ ହୋ ହୋ କରି ଉଠିଲେ । କାଠ ଫାଳିଆ ସାହାଯ୍ୟରେ କଳା ମଚ ମଚ ଚାରିହାତିଆ ସାପଟିକୁ ମାରି ଦିଆଗଲା । ପୁଣି ଅଧାରୁ ପ୍ରାର୍ଥନା ଆରମ୍ଭ ହେଲା ।

 

ଗୀର୍ଜାରୁ ଫେରୁ ଫେରୁ ଖାଇବାର ଡକରା ଆସିଲା । ନିପଟ ଓଡ଼ିଆ ଘର ପରି ଢାଳରେ ପାଣି, ବସିବା କାଠ–ପିଢ଼ାର ଉପଚର୍ଯ୍ୟାରେ ଠା’ସଜଡ଼ା ହୋଇଚି । ଭାତ ଓ କୁକୁଡ଼ା ମାଂସ ସେଦିନ ଅତି ଆପ୍ୟାୟିତ ହୋଇ ଖାଇଲି । ଅତିଥି ପାଇଁ ସେମାନେ ଅତି ଶ୍ରଦ୍ଧାରେ କୁକୁଡ଼ା ମାରିଥିଲେ; ମାଂସ ଖାଏ ନାହିଁ ବୋଲି କହି ସେମାନଙ୍କର ଶ୍ରଦ୍ଧାର ଆୟୋଜନ ଫେରାଇ ଦେବାକୁ ସାହାସ ହେଲା ନାହିଁ । ଭୀରୁ ମନର ନୀତି ହାର ମାନିଲା—ହୃଦୟରହିଁ ଜୟ ହେଲା ।

 

ଛେଳିଗଡ଼ ମାୟା ଛିଡ଼ାଇ ଏଥର ଯିବାର ବେଳ ହୋଇଗଲା । ମୋ ସାଥିରେ ଗୋଟିଏ ପିଲାକୁ ସେମାନେ ପଠାଇଲେ । ୟାଭିତରେ ଯେତେ ଲୋକ ମୋର ପରିଚୟରେ ଆସିଥିଲେ, ସମସ୍ତଙ୍କଠାରୁ ବିଦାୟ ନେଇ ମୁଁ ପୁଣି ରାସ୍ତାରେ ବାହାରି ପଡ଼ିଲି । ଆଉ ଆଠ ମାଇଲ ବାଟ ।

 

ଉପରେ ନୀଳ ଆକାଶରେ ଧଳା ମେଘ ଖେଳ । ଦୂର ପର୍ବତର ଗାଡ଼ୁଆ କୋଳରେ ଜଳୀୟ ବାଷ୍ପ ଜଳବିନ୍ଦୁର ଗୋଟି ବାନ୍ଧୁଚି । ସୂର୍ଯ୍ୟ ମଥା ଉପରୁ ଗଡ଼ି ଆସିଲାଣି । ବତିଶ ମାଇଲର ଦୀର୍ଘ ଯାତ୍ରା ଆଜି ଶେଷ ହେବ ।

 

ହଠାତ୍‌ ପଛକୁ ଅନାଇ ଦେଖିଲି ଦୁଇଜଣ ପିଲା ଆମ ଆଡ଼କୁ ଦଉଡ଼ି ଦଉଡ଼ି ଆସୁଚନ୍ତି । ତା ଭିତରୁ କାଳୀଞ୍ଜନକୁ ଏଇ କେତେ ଘଣ୍ଟା ଭିତରେ ବେଶ୍‌ ଚିହ୍ନି ଯାଇଥିଲି । ସେମାନେ ମୋ ସାଙ୍ଗରେ ଯାଉଥିବା ଲୋକଟିକୁ କହିଗଲେ, ‘ବାବୁ ପଇସା ଦେଲେ ମୋଟେ ଆଣିବୁ ନାହିଁ ।’ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ହେଲି ଏଇ ଦରିଦ୍ର ପଲ୍ଲୀବାସୀର ସକଳ ଶ୍ରଦ୍ଧା ଓ ଆଦର ଦେଖି ।

 

କାଳୀଞ୍ଜନ ଅତି ଛୋଟ ପିଲା—ବୟସ ପନ୍ଦରରୁ ଟପିବନାହିଁ । ତା’ର ପୁଣି ବାହାଘର ହୋଇଯାଇଚି । ବାହାଘରଟା ଏଠି ଭାରୀ ମାମୁଲି କଥା । ବାପା ମା ଯେତେ ଶୀଘ୍ର ପୁଅକୁ ଗଅଣ୍ଠେଇ ଦେଇ ନିଜ କାମ ସାରି ଦିଅନ୍ତି । ସତେ ଅବା ପୁଅର ବାହାଘରଟା ବାପ ମାଙ୍କର ଗୋଟାଏ ବଡ଼ ଦାୟ । ମୋ ସାଙ୍ଗରେ ଯେଉଁ ପିଲାଟି ଯାଉଥାଏ । ତାକୁ ପଚାରି ବୁଝିଲି ତାର ବାହାଘର ପାଞ୍ଚବର୍ଷ ହେଲା ସରିଯାଇଚି । ଅଠର ବରଷରେ ଗୋଟାଏ ପିଲାର ବାପ ସେ !

 

ତା ନାଁ ଗୋରଖ । ମୋ’ଠାରୁ ଓଡ଼ିଆ କଥା ଶୁଣି ସେ ଯେପରି କୋଟି ନିଧି ପାଇଲା । ନାନା ଗପ, ଦୁଃଖ ସୁଖ କଥା କହି ଯେପରି ନିଜର ନିରା ଅନ୍ତରଟିକୁ ସେ ଏକାବେଳେକେ ଉନ୍ମୁକ୍ତ କରିଦେଲା । ବାଟରେ କହିଲା, ବାବୁ, ମୁଁ କ’ଣ ତୋ ସାଥିରେ ପହିଲେ ଆସିବାକୁ ମଙ୍ଗୁଥିଲି କି ? ମୁଁ ଭାବୁଥିଲି, ତୁ ବ୍ରହ୍ମପୁରରୁ ଆସିଚୁ, ଇଂରାଜୀରେ କହିବୁ କି ତେଲେଙ୍ଗିରେ କହିବୁ । ମୁଁ ସିନା ତୋ ପଛେ ପଛେ ଯିବି, ଆଉ କଣ ତୋ କତିକି ଆସିବି ? ଯାହା କହ ବାବୁ, ଆମ ଓଡ଼ିଆଟା ଯେଡ଼େ ସଫା, ଆଉ ବୋଲି କଣ ତା ସରିସା ହୋଇ ପାରିବ ?’

 

ନିଜକୁ ଭାଗ୍ୟବାନ ମନେ କଲି ଏଇ ଅନ୍ତରର ମିଳନ ଲାଗି ।

 

ହଁ, ବ୍ରହ୍ମପୁର ଟପି ଗଞ୍ଜାମର ମଫସଲକୁ ଆସିଲା ପରେ ଏ ପର୍ଯ୍ୟନ୍ତ ଓଡ଼ିଆ ଛଡ଼ା ଅନ୍ୟ ଭାଷା ଶୁଣିନାହିଁ । ସବୁ ଗାଆଁରେ, ସବୁ ଘରେ ଓଡ଼ିଆ ଚିତା, କୁଳବଧୁ ମୁଣ୍ଡରେ ସେଇ ଓଡ଼ିଆ ଜୁଡ଼ା, ହାତରେ ଖଡ଼ୁ । ପିଲାଠୁଁ ବୁଢ଼ାଯାକେ ସବୁରି ତୁଣ୍ଡରେ ଭଞ୍ଜ ଆଉ ଗୋପାଳକୃଷ୍ଣଙ୍କର ଛାନ୍ଦମାନ ଏବେ ବି ଜୀଇ ରହିଛି । ଦିଲ୍ଲୀରୁ ବଛା ହୋଇ ଯେଉଁ ବଣ୍ଟୁଆଳୀମାନେ ପ୍ରଦେଶର ସୀମା ନିର୍ଣ୍ଣୟ କରି ଦେବାକୁ ସହର ସହର ଗୁହାର ନେଇ ବୁଲୁଛନ୍ତି, ସେଇମାନଙ୍କୁ ଏଇ ମଫସଲକୁ ଆଣି ଅସଲ ସଂସ୍କୃତି ସହିତ ପରିଚୟ କରାଇଦେଲେ ରାଜନୀତି ଓ ପ୍ରଦେଶ ନେଇ ପଣ୍ଡିତମାନଙ୍କ ଭିତରେ ବୋଧହୁଏ ଏତେ ହଟ୍ଟଗୋଳ ହୁଅନ୍ତା ନାହିଁ ।

 

ଜଙ୍ଗଲ ଭିତରେ ସୁଡ଼ଙ୍ଗ ଭେଦିଲା ପରି ଆମେ ରାସ୍ତାଏ ରାସ୍ତାଏ ଚାଲିଥାଉଁ । ରାସ୍ତା ଦି’ପାଖରେ କାଙ୍ଗୁ, ଜନା ଓ ମାଣ୍ଡିଆ ଖେତ । ଏଇଟା ମାଣ୍ଡିଆ ଅମଳର ସମୟ । ଚଢ଼େଇ ହୁରୁଡ଼େଇବାକୁ ଦଉଡ଼ା ବନ୍ଧା ହୋଇ କାଠର ଡବଡ଼ବା ବାଜା ଲଟକା ହୋଇ ଥାଏ ବିଲ ମଝିରେ । ଚଢ଼େଇ ଆସିଲେ ଚାଷୀ ତାର ପତର କୁଡ଼ିଆରୁ ଦଉଡ଼ି ଟାଣି ଦିଏ—ଚାରିଆଡ଼ର ଡବାଡ଼ବା ଗୁଡ଼ିକ ବାଜି ଉଠେ ।

 

ହଠାତ୍‌ ସୂର୍ଯ୍ୟକୁ ଉଢ଼ୁଆଳ କରି ବରଷା ମାଡ଼ି ଆସିଲା । ରଜସ୍ୱଳା ନାରୀର ବେପଥୁ ପରି ସମସ୍ତ ଅରଣ୍ୟର ଅଙ୍ଗଶ୍ରୀ ଶୀତଳ ପବନରେ ଶିହରି ଉଠିଲା । ଉପରେ ହଠାତ୍‌ ଚାଞ୍ଚଲ୍ୟ ଖେଳାଇ ମେଘ ଅସରା ଅଜାଡ଼ି ହୋଇ ଆସିଲା । ଗୋଟାଏ ପାଖରେ ଖରା, ଆଉ ଗୋଟାଏ ପାଖରେ ବୃଷ୍ଟିର ମୁକ୍ତିଧାରା—ସ୍ୱର୍ଗର ଉର୍ବଶୀ ଅବା ହୀରାର ଆଭରଣ ପିନ୍ଧି ଆମର ପୃଥିବୀକୁ ଓହ୍ଲାଇ ଆସୁଚି ।

 

ହଁ, ବର୍ଷା ବନ୍ଦ ହେଲା । କିନ୍ତୁ ମେଘର ଖେଳ ସେମିତି ଚାଲିଥାଏ । ନାନା ନକ୍‌ସା ଓ ଚିତ୍ରର ପ୍ରଚ୍ଛଦରେ ମେଘମାଳା ପର୍ବତକୁ ସଜାଇବାରେ ଲାଗିଥାନ୍ତି । କାନରେ ତା’ର ମେଘର କୁଣ୍ଡଳ–ମସ୍ତକରେ ମେଘର ମୁକୁଟ—ଶ୍ୟାମଳ ବନାନୀର ସିକ୍ତ ବସନ–କାନ୍ତି ବକ୍ଷ ଉପରୁ ଆଲମ୍ବିତ ହୋଇ ଆସିଚି । ସେ ପାଖରେ ସୂର୍ଯ୍ୟ ବାହାରି ଏଇ ମେଘର ସାଜରେ ଝଲକ ଲଗାଇ-। ବୃଷ୍ଟିଧାରାର ପ୍ରଣୟ ଲିପି ପଠାଇ ଆକାଶ ଯେପରି ଧରଣୀର ମିଳନ—ଅଭିସାରରେ ବାହାରିଚି-। ମେଘ ଚିରି ତା’ର ନୀଳ ଆଖି ଯେପରି ଏଇ ପୃଥିବୀର ରୂପକୁ ପିଇଦେଇ ଯାଉଛି-। ଏଇ ବର୍ଷା ବାସରରେ ମର୍ତ୍ତ୍ୟ ଓ ଅମର୍ତ୍ତ୍ୟର ମିଳନ ହେବ, ରୋଦସୀ ଆଜି ପୂର୍ଣ୍ଣ ହେବ ।

 

ଯେତିକି ବାଟ ସରି ଆସୁଥାଏ, ମନ ସେତିକି ପୁଲକି ଉଠୁ ଥାଏ । ଠାବ ଅତି ପାଖ ହୋଇ ଯାଉଥାଏ । ଜଙ୍ଗଲ ଭିତରୁ ଚରୁଆଳ ବୁଢ଼ା ଗୋଠ ନେଇ ଫେରି ଆସୁଚି । ତା’ମୁଣ୍ଡରେ ତଲାରୀ, ହାତରେ ଠେଙ୍ଗା, ଗାଇ ମଇଁଷି ବେକରେ କାଠର ଲଡ଼କ ବାନ୍ଧି ଦିଆହୋଇଚି—ଗୋଠ ଯିବାର ତାଳେ ତାଳେ ଲଡ଼କ ଗୁଡ଼ିକ ବେଶ୍‌ ଅସମଞ୍ଜସରେ ବାଜି ଉଠୁଚି । ଗହନ ଜଙ୍ଗଲରେ ଗୋରୁ ଠାବ କରିବା ଲାଗି ଏଇ ଲଡ଼କହିଁ ଏକମାତ୍ର ସହାୟ ।

 

ତଲାରୀ ଉତ୍ତର ଓଡ଼ିଶାର ଟୋପର ପରି—କିନ୍ତୁ ଶାଳ ପତ୍ରରେ ତିଆରି । ଖାଲି ଖରା ବରଷାରୁ ରକ୍ଷା ପାଇବାକୁ ନୁହେଁ, ନାନା କାମରେ ଏଇ ତଲାରୀକୁ ଲଗାଯାଇ ପାରେ । ଆଜି ବାଟରେ ଆସିଲାବେଳେ ଗୋଟିଏ ଶବର ପରିବାରକୁ ତଲାରୀରେ ଭାତ ଅଜାଡ଼ି ଖାଇବାର ଦେଖି ଆସିଚି । ହାଟରୁ ସଉଦା ଆସେ ମଧ୍ୟ ଏଇ ତଲାରୀରେ ।

 

ଚମ୍ପାଘାଟୀ ପାର ହୋଇ ପୁଣି ତଳକୁ ଖସିଲି । ଶସ୍ୟ ଖେତ ଓ ଶାଳବନ ଭିତରେ ଗୋଡ଼ିର ରାସ୍ତାଟି ନାନା ବାଗରେ ଚାଲି ଯାଇଚି । ଉଦୟଗିରି ଆଉ ଅଳପ ବାଟ ।

 

ଉଦୟଗିରି ଆଗରୁ ଗୋଟିଏ ଝରଣା ପଡ଼େ ସେଇଠି ଗୋଡ଼, ହାତ, ମୁହଁ ଧୋଇ ନିଜକୁ ସଫା ସୁତୁରା କରିନେଲି, ବତିଶ ମାଇଲି ବାଟଚଲାର ଧୈର୍ଯ୍ୟକୁ ଶେଷ କରି ଅଶ୍ୱସ୍ତିର ନିଶ୍ୱାସ ମାରିଲି ।

 

ଭାଇଙ୍କ ବସାରେ ପହଞ୍ଚିଲା ବେଳକୁ ଚାରିଟା ବାଜି ଯାଇଥିବ ।

 

ସେ ଦିନ ଏପରି ଅପ୍ରତ୍ୟାଶିତ ଭାବରେ ଉଦୟଗିରିରେ ପହଞ୍ଚି ସମସ୍ତଙ୍କୁ ଅବାକ୍‌ କଲି । ଦୁଇଦିନର ଜଙ୍ଗଲ ବାଟ କଟାଇ ମୁଁ ଯେ ଏକା ଏକା କିପରି ଏ ଯାଏ ଚାଲିଆସିଲି, ସେଥିଲାଗି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କ କଥାରୁ ଜାଣିଲି, ବାଟରେ ଅମୁକ ଜାଗାରେ ହାତୀ ଅଛନ୍ତି, ଅମୁକ ଜାଗାରେ ବାଘ ଓ ଭାଲୁ ଅଛନ୍ତି । ଉଦୟଗିରି ଡାକ୍ତରଖାନାକୁ ପ୍ରାୟ ପ୍ରତି ସପ୍ତାହରେ ଭାଲୁଚଟା ମଣିଷ ଆସନ୍ତି । ଏତେ ଭୟମାନ ଅଛି ବୋଲି ଜାଣି ନ ଥିବାରୁ ବୋଧହୁଏ ଏତେ ବାଟ ଚାଲିଆସିଚି । ସଚେତ ମନକୁହଁ ଯାବତ ଭୟ ଖାଇ ଗୋଡ଼ାଏ, ଜୀବନରେ ଏଇ ସଚେତ ମନ—ପ୍ରହରୀର ଅଣ୍ଟାହିଁ ପ୍ରଥମେ ଭାଙ୍ଗେ ।

 

ଉଦୟଗିରି ଲୁହାଗୁଡ଼ିଠାରୁ ବତିଶ ମାଇଲ ଦୂର । ଅନେକ ପାହାଡ଼ ଘାଟି, ବଣ ଜଙ୍ଗଲର ବ୍ୟୁହ ଭେଦ କରି ଏଠି ଆସି ପହଞ୍ଚିଚି । ରେଲ, ମଟର, କଳକାରଖାନା, ସେ ସବୁ ଅନେକ ଦୂରରେ ପକାଇ ଦେଇ ଆସିଚି ।

 

ଉଦୟଗିରି ଛୋଟିଆ ଗାଆଁଟିଏ ହେଲେ କଣ ହେବ, ଏହା ଅନେକ ହାକିମ ହୁକୁମାଙ୍କର ମହକୁମା ଥାନ । ଜଣେ ତାଲୁକା ମାଜିଷ୍ଟ୍ରେଟ ଏଠି ରହନ୍ତି । ତା’ଛଡ଼ା ଡାକ୍ତରଖାନା ଓ ପୁଲିସ ଥାନା ବି ଅଛି । ଗାଆଁ ମଝିରେ ମାଇନର ସ୍କୁଲ ।

 

ଗାଆଁଟିର ଚାରିଆଡ଼େ ପର୍ବତ—ବାରିପଛରୁ ଅରଣ୍ୟ ଆରମ୍ଭ ହୋଇଛି, ଏପରିକି ରାତିରେ କବାଟ ଖୋଲି ବାରିପଟକୁ ବାହାରିବା ମଧ୍ୟ ନିରାପଦ ନୁହେଁ । ସେଇ ଗୋଟିଏ ରାସ୍ତା ଗାଆଁ ମଝି ଦେଇ ପାରଳାଖେମୁଣ୍ଡି ଚାଲିଯାଇଛି । ରାସ୍ତା ଛଡ଼ା ଆଉ ଅନ୍ୟ ଆଡ଼େ ବାହାରିବାର ଉପାୟ ନାହିଁ—ଚାରିଆଡ଼ର ପର୍ବତ ଯେପରି ଗାଆଁଟିକୁ ଚିପିଆଣି ଛୋଟିଆ କରି ଦେଇଚି ।

 

ଉଦୟଗିରି ଯାଇଥିଲି ଆପଣାର ବ୍ୟକ୍ତିଗତ କାମରେ, କିନ୍ତୁ ସେଠାକାର ମଣିଷ ଦେଖି ଆଖି ଖୋଲିଗଲା । ମଣିଷକୁ ସେଠି ଏକାବେଳେକେ ନୂଆ ଭାବରେ ଦେଖିବାକୁ ପାଇଲି । ଛୋଟିଆ ଗାଆଁଟିର ଛୋଟିଆ ଆକାଶଟି ଦେଖି ଦେଖି ଏଠି ଚାରିଦିନ କଟିଲା । ଦୁଇ ପାଖରେ ଅତି ପାଖରେ ଉଚ୍ଚ ଉଚ୍ଚ ପର୍ବତ ଦୁଇଟା । ଦୁଇ ପର୍ବତର ମଝି ସନ୍ଧିକୁ ଫଟାଇ ଯେପରି ଗାଆଁଟି ନିଜର ପ୍ରାଣବିଜୟ ଘୋଷଣା କରି ଦେଇଚି ।

 

ସକାଳେ ବା ସଞ୍ଜରେ ମନକୁ ପ୍ରସାରି ଦେବାଭଳି ଖୋଲା ଜାଗା ଏଠି ନାହିଁ । ଯୁଆଡ଼େ ଚାହିଁବ, କେବଳ ପାହାଡ଼ ଓ ଅରଣ୍ୟ ଆଖିର ଗତିକୁ ଅଟକାଇ ରଖୁଚି । ଆରବ ଓ ମିଶରର ମରୁଭୂମିରେ ହିଁ ଦିନେ ମଣିଷ ନିଜର ଭାବନାକୁ ଦୂର ଦୂରାନ୍ତକୁ ନେଇ ପାରିଥିଲା । ଆକାଶ ଯେଉଁଠି ଖୋଲା, ଦୃଷ୍ଟି ଯେଉଁଠି ଅପ୍ରତିବନ୍ଧ, ମନ ପୂରିଉଠେ କେବଳ ସେଇଠି । ମାତ୍ର ନାନା ବସ୍ତୁ ଭିତରେ ଆକାଶର ବିସ୍ତାର ଯେଉଁଠି ସଂକୀର୍ଣ୍ଣ ହୋଇଯାଇଚି, ମନଟା ସେଠି ଗହନ ଗହଳି ଭିତରେ ରୁଦ୍ଧ ହୋଇ ଶୂନ୍ୟ ପଡ଼ିରହେ ।

 

ଏଇ ଚାରିଦିନର ରହଣି ଭିତରେ ଦଶହରାଟା ଏଇଠି କଟାଇଲି । ଦଶମୀଦିନ ସନ୍ଧ୍ୟାବେଳେ ପୋଲିସ ଥାନାରେ ବନ୍ଧୁକ ଓ ଖଣ୍ଡାର ପୂଜା ବସିଲା । ମାଗଣା ବୋଦା ଦୁଇଟା କୁଆଡ଼ୁ ଅଣାହୋଇ ପୂଜାଘର ଦୁଆରେ ବଳି ପଡ଼ିଲା । ରାତିରେ ଭୋଜୀଲାଗି ସବୁ ଆୟୋଜନ ହୋଇ ଗାଆଁଯାକଙ୍କୁ ଖାଇବାକୁ ଦିଆଗଲା ।

 

ସେଇଦିନ ସଞ୍ଜବେଳକୁ ଖଣ୍ଡା, ତରଓ୍ୟାଲ ଓ ତାଲ ଧରି ଗାଆଁ ଲୋକଙ୍କର ଗୋଟିଏ ଶୋଭାଯାତ୍ରା ବାହାରିଲା । ଢୋଲ ମାଡ଼ରେ ଦାଣ୍ଡ କମ୍ପୁଥାଏ । ଗାଆଁର ଯେତେ ପିଲା, ଟୋକା ଥିଲେ ସମସ୍ତେ ଦନ୍ଥରା ଖଣ୍ଡା ଖଣ୍ଡେ ଲେଖାଏଁ ଟେକି ଶୋଭାଯାତ୍ରାରେ ଚାଲିଥାନ୍ତି । ପେଟରେ ମେଲେରିଆର ସଞ୍ଚିତ ପ୍ଳୀହା, ମୁହଁରେ ଅଲକ୍ଷ୍ମୀ ପ୍ରସାଦରୁ ଶୋଥ ବେମାରି । ପିଚାରେ ମସୀଆ ଚିରା କଣ୍ଟ୍ରୋଲ କପଡ଼ା—ପେଟ୍ରୋମାକ୍‌ସ ଆଲୁଅ ବିଞ୍ଚିହୋଇ ପଡ଼ି ଅଭିଯାନଟି ବେଶ ମଜାର ହୋଇଚି । ଶୋଭାଯାତ୍ରାରେ କେବଳ ଗାଆଁବାଲା ନାହାନ୍ତି । ଆଗେ ଆଗେ ଡାକ୍ତର ବାବୁ, ମାଜିଷ୍ଟ୍ରେଟ, ତା’ପରେ ପୋଲିସ ସବ୍‌ଇନିସ୍‌ପେକ୍‌ଟର—ତାଙ୍କ ପଛକୁ କେତେ ଜଣ ଖାକିପିନ୍ଧା କନେଷ୍ଟବଲ୍‌ ବନ୍ଧୁକ କାନ୍ଧେଇ ଚାଲିଛନ୍ତି । ବାଜା ଶଦ୍ଦରେ ଦି’ପାଖରେ ପର୍ବତ ଯେପରି ନୀରବ ରାତିଟିକୁ କମ୍ପାଇ ଦେଉଥାଏ । ଗାଆଁମୁଣ୍ଡ ତେନ୍ତୁଳୀଗଛ ପାଖରେ ଶୋଭାଯାତ୍ରା ଥମିଲା—ଠାକୁରାଣୀଙ୍କ ପୂଜାରୀ ଶହେ ଆଠ ବେଲ ପତୁରୀରେ ଶହେ ଆଠ ଦେବତାଙ୍କ ପ୍ରସାଦ ବାଢ଼ିଲା, ତା’ପରେ ଛେଳି ଅଭାବେ ପାରାଟିଏ କଟା ହୋଇ ସେଇ ରକ୍ତଟୋପା ସବୁ ହତିଆରରେ ଲଗାଇ ଦିଆଗଲା । କେତେ କିଏ ଭୋଗ ସାଙ୍ଗରେ ମଧ୍ୟ ରକ୍ତ ମିଶାଇ ଘରକୁ ନେଇ ଗଲେ । ଘରେ ନେଇ ରଖିଲେ କୁଆଡ଼େ ଲକ୍ଷ୍ମୀ ବଢ଼ନ୍ତି । ତା’ପରେ ମାଜିଷ୍ଟ୍ରେଟ ବାବୁ କହିଲେ ଖଣ୍ଡା, ତରୁଆଲର ଖେଳ ଦେଖିବେ । ପାତ୍ରେ ଖେଳ ଲାଗି ୟାକୁ ତାକୁ ହକାରି ଦୌଡ଼ିଲେ । ବଡ଼ ଲାଇଟର ଆଲୁଅରେ ଖଣ୍ଡା ବୁଲାଇ ଖେଳ ଦେଖାଇବାକୁ ହଠାତ୍‌ ଯେପରି ସମସ୍ତଙ୍କର ହାଡ଼ୁଆ ମୁହଁ ତଳେ ମାଂସଳ ପ୍ରାଣ ଚମକି ଗଲା । ଗୋଟିକ ପରେ ଗୋଟିଏ କରି କିଏ ଖଣ୍ଡା ବୁଲାଇଲା, କିଏ ଦୁଇଟା ଖଣ୍ଡା ଧରି କେତେ ରକମର ପେଞ୍ଚ ଦେଖାଇଲା—କିଏ ନାନା କଳ, ନାନା କୌଶଳରେ ସାଧନ ଭାଙ୍ଗିଲା ।

 

ଗଞ୍ଜାମ ପ୍ରକୃତରେ ବୀରର ରାଜ୍ୟ । ଆଗ କାଳରେ ପାଇକ ହେବା, ଲଢ଼ାଇକୁ ଯିବା ଯେପରି ଏମାନଙ୍କର ମଉରସୀ କାମ ଥିଲା । ଏବେ ବି ଲୋକଙ୍କ ନାଁ ପଛରେ ସେଇ ବୀରତ୍ୱ ସୂଚକ ବଂଶ ଉପାଧି ଦେଖିବାକୁ ମିଳେ । ପାଇକ, ବୀର, ବଳୀୟାରସିଂହ ଓ ଶତ୍ରୁଶଲ୍ୟ ଏଇପରି କେତୋଟି ଉପାଧି । ସବୁରି ଘରେ ପ୍ରାୟ ଢାଲ, ଖଣ୍ଡା ଓ ବର୍ଚ୍ଛା ରହିଚି ।

 

ଉଦୟଗିରିରେ ଚାରିଦିନ ରହି ରାମଗିରି ଯିବାକୁ ହେବ । ଏଠୁ ରାମଗିରି ଚଉଦ ମାଇଲ ବାଟ—ପଦ୍ମପୁର ବାଟେ ବିଲପଦର ପାରିହୋଇ ଛେଳିଗଡ଼-ରାମଗିରି ରାସ୍ତାକୁ ଧରିବାକୁ ହୁଏ । ସେଦିନ ଛଅଜଣ କୁଲିଙ୍କ କାନ୍ଧରେ ବୋଝ ଲଦାଇ ଆମେ ପର୍ବତ ରାସ୍ତାରେ ବାହାରି ପଡ଼ିଲୁଁ-। ଶବର କୁଲିଙ୍କର ଯାତ୍ରା ଆୟୋଜନ ବି କିଛି କମ ନୁହେଁ । ପାତ୍ରେ ଯେଉଁ ଗାଆଁକୁ ପେଷଣିଆ ପଠାଇଥିଲେ ସେଇ ଗାଆଁରୁ ସବୁ ମରଦ ଉଠି ଆସିଲାପରି ମନେ ହେଉଥାଏ । କେତୋଟି ଅଧାବୟସପିଲା ମଧ୍ୟ ଆସିଚନ୍ତି ସମସ୍ତଙ୍କର ଭାତିଆ ଓ ତଲାରୀ ନେଇ । ରାମଗିରିରେ ବାବୁଙ୍କୁ ପହୁଞ୍ଚାଇ ଦେଇ ଯାହା ନଅ ଦଶ ସୁକା ବକ୍‌ସିସ ପାଇବେ, ସେଇଥିରେ କୋଡ଼ିଏ ଜଣ ଯାକ ବାଟରେ କୁକୁଡ଼ା ମାରି ଖାଇବେ । ବାବୁଙ୍କର ବୋଝ ବହିବାର କଷ୍ଟଟା ଏଇ କୁକୁଡ଼ା କଟାର ମଉଜରେ ତଳକୁ ଦବିଯିବ ।

 

ରାସ୍ତାର ଦୁଇପାଖରେ ପାହାଡ଼ ଓ ଶାଳବନ । ସକାଳୁଆ ସୂର୍ଯ୍ୟକିରଣରେ ପତର ଗୁଡ଼ାକ ହଠାତ୍ ଯେପରି ସ୍ପନ୍ଦନମୁଖର ହୋଇଗଲା ପରି ଲାଗୁଚି । ପଦ୍ମପୁରଠି ପହଞ୍ଚିଲାବେଳକୁ ଅଧାଅଧି ଖରାବେଳ ହୋଇଯାଇଚି । ତା’ରି ପରେ ପରେ ଅସଲ ରାସ୍ତା ଧରି ରଣ୍ଡୀବା ଘାଟି ଧରି ଉଠିବା ଆରମ୍ଭ ହେଲା । ନାନା କ’ଣ ମୋଡ଼ ପାରିହୋଇ ଧୀରେ ଧୀରେ ଆମେ ଉପରକୁ ଉଠିଲୁ । ଅତିକାୟ ପର୍ବତର ବିଶାଳ ମାଂସପେଶୀ ପରି ରାସ୍ତା ଦୁଇପାଖରେ ପଥରଗୁଡ଼ିକ ଫୁଲି ଫୁଲି ଭୂଇଁ ଭେଦି ରହିଚି । ହଠାତ୍‌ ଗୋଟିଏ ଜାଗାରେ ପହଞ୍ଚିଲାବେଳକୁ ଆମ ଶବର କୁଲିଙ୍କ ଭିତରୁ ଜଣେ ରାସ୍ତାକଡ଼ରେ ଶୋଇ ପଡ଼ିଥିବାର ଦେଖିଲୁ । ତା’ର ଦେହ ତାତିରେ ଖଇ ଫୁଟୁଚି, ମୁଣ୍ଡ ବଥାରେ କପାଳର ସିଜା ଚମଡ଼ା ଉପରେ ନୁଖୁରା ବାଳଗୁଡ଼ାକ ଗୋଟା ଗୋଟା ଠିଆ ହୋଇ ରହିଚି । ଜିନିଷ ପତ୍ରର ବାହୁଙ୍ଗୀଟା ପକାଇ ଦେଇ ଶବର ମରଦଟା ରାସ୍ତା କଡ଼ରେ ପଡ଼ି ଯାଇଚି । ଟାଣୁଆ ଖରାରେ ତାତିଲା ପଥର ଯେପରି ତାକୁ କିଛି ଲାଗୁନାହିଁ । ପ୍ରଥମେ ତାକୁ ଏପରି ଅବସ୍ଥାରେ ଦେଖି ଖୁବ୍‌ ଦୟା ହେଲା । ତା’ର ବସ୍ତିବାଲା ସାଥି କୁଲିମାନେ ତାକୁ ଏକା ପକାଇ ଦେଇ ଅନେକ ଆଗକୁ ବାହାରି ଗଲେଣି । ଛାଇରେ ନ ଶୋଇ ସେ ଖରାତାତିରେ ପଥର ଉପରେ ଶୋଇବାକୁ ପସନ୍ଦ କଲା କାହିଁକି, ତା’ର ସାଥୀ ଭାଇମାନେ ତାକୁ ଏପରି ଅବସ୍ଥାରେ ଛାଡ଼ି ଆଗେଇଗଲେ କାହିଁକି, ଏପରି ନାନା ପ୍ରଶ୍ନ ମନକୁ ବିଚଳିତ କରିଦେଲା । ଆତ୍ମସମ୍ମାନ ଯାହାର ନାହିଁ, ପରକୁ ମଧ୍ୟ ସେ ସମ୍ମାନ ଦେଇ ଜାଣେ ନାହିଁ । ଖଟି, ମୋଟିଆ ବୋହି, ଖାଇ ହଗି ଯାହାର ଦିନ କଟେ, ବାହାହୋଇ ପୁଅଝିଅ କରି ଯାହାର ବୟସ ସନ୍ତୁଷ୍ଟ ହୋଇଯାଏ, ମଦ ଖାଇ ମାଦଳ ବଜାଇ ଯାହାର ଭଙ୍ଗା କୁଡ଼ିଆ ଓ ଶୂନ୍ୟ ଆକାଶ ସାର୍ଥକ ହୁଏ, ତା’ଆଖିରେ ଜଗତଟାଯାକ ଖାଲି ବୋଝବୁହାର ଦଳ । ଆପଣା ଅଗ୍ନି—କଣାକୁ ଯେ ଭୁଲିଚି, ପରକୁ ବି ସେ ସେମିତି ଅଲକ୍ଷ୍ୟ ଅବାଇସ କରି ଚିହ୍ନିଚି । ତା’ନ ହୋଇଥିଲେ ମଦ ମାଦଳର ମତୁଆଲା ସଭାରେ, ବାବୁର ବୋଝ ମୁଣ୍ଡାଇଲାବେଳେ ନିତି ଯେଉଁମାନଙ୍କର ଦିହ ଘଷାଘଷି ହେଉଚି, ଦିହ—ଅସୁଖରେ ସେମାନେ ପରସ୍ପରକୁ ଏପରି ଅଥାଇତି କରି ଛାଡ଼ି ଚାଲିଯାଆନ୍ତେ କିପରି ?

 

ରଣ୍ଡୀବା ଘାଟି ଉଠି ଉଠି ଆଣ୍ଠୁ ଭିତରେ କିଏ କାମୁଡ଼ି ଧରିଲା ପରି ଲାଗୁଥାଏ । ଶବର ବୋଝିଆଏ ଘଡ଼ିକେ ପହଡ଼କେ ବସୁଥାନ୍ତି, ପୁଣି ବାଟ ଚାଲୁଥାନ୍ତି । ରଣ୍ଡୀବା ବୋଲି ଛୋଟିଆ ଗାଆଁଟିଏ ଅଛି—ମଇଁଷି ଆଉ ଛେଳି ହେଉଚି ଏଠିକା ଲୋକଙ୍କର ପ୍ରଧାନ ସମ୍ପତ୍ତି । ଗାଆଁ, ମୁଣ୍ଡରେ ଉଚ୍ଚ ପ୍ରାଥମିକ ସ୍କୁଲଟିଏ ଅଛି । ଏଣେ ସାଧାରଣ ଚାଷୀମାନଙ୍କର ସାଧାରଣତଃ ଦୁଇଟା ଘର । ବଗଡ଼ ଉପରେ ମାଣ୍ଡିଆ ଖେତ ଆଣ୍ଠୁଏ ହୋଇଗଲେ କୁଟୁମ୍ବଯାକ ସମସ୍ତେ ଅତି ଦରକାରୀ ଆସବାବ ନେଇ ପାହାଡ଼କୁ ଉଠିଯାଆନ୍ତି । ଖେତ ପାଖରେ ପଲା ମାରି ଦିନରେ ଚଢ଼େଇ ହୁରୁଡ଼ା ହୁଏ । ତା’ପରେ ସୁନା ସ୍ୱପ୍ନର ଫସଲ ଭାର ନେଇ ସମସ୍ତେ ପୁଣି ପୁରୁଣା ଘରକୁ ଓହ୍ଲେଇ ଆସନ୍ତି । ସେଇ ଚାରିମାସ ବେଶ୍ ମଉଜ ହୁଏ, ନାଚ ଗୀତର ଧୁମ୍‌ ଉଠେ ଏଇ ସମୟଟା । ମାଉଁସ କାଟି ନୂଆଖିଆ ହୁଏ ଏଇ ଫସଲ କଟାର ପରେ ପରେ ।

 

ମେଘୁଆ ଆକାଶ ତଳେ ଶ୍ୟାମଳ ଶାଖା-ବୀଥିର ନିସ୍ତବ୍‌ଧ ତପସ୍ୟା ଠେଲି ଆମେ ବେଶ୍‌ ବାଟ ଚାଲି ଯାଉଥାଉଁ । ପ୍ରାୟ ଗୋଟାଏ ବେଳକୁ ରାମଗିରିରେ ପହଞ୍ଚିଲୁ । ରୋଷେଇ ହୋଇ ଖାଉ ଖାଉ ସେ ଦିନ ସଞ୍ଜ ବୁଡ଼ିଗଲା । ପଶ୍ଚିମର ପର୍ବତ ଧାଡ଼ିରେ ନାଲି ମନ୍ଦାରର ପାଖୁଡ଼ା ସଜାଡ଼ି ସୂର୍ଯ୍ୟ ଅସ୍ତ ହୋଇଗଲେ । ଏତେ ଦିନ ପରେ ମନ ଓ ଆଖି ଲାଗି ଟିକିଏ ବ୍ୟାପ୍ତି ମିଳିଲା । ଉଦୟଗିରି ଠାରୁ ରାମଗିରିର ଆକାଶ ଅନେକ ବଡ଼—ଏଠି ସକାଳ ସଞ୍ଜ ବେଶ୍‌ ଅନୁଭବ କରି ହୁଏ ।

 

ପରବର୍ତ୍ତୀ ଦୁଇ ଦିନଯାକ ବେଜୁନାଟ ଓ ଯାତ୍ରା ଦେଖି ସମୟ କଟିଗଲା । ନାନା କନ୍ଦରାର ଶହ ଶହ ଲୋକଙ୍କର ଭିଡ଼ରେ ରାମଗିରି ଗାଆଁଟା ଚହଲି ଉଠୁଥିଲା । ତା’ପରଦିନ କୁମାରପୂର୍ଣ୍ଣିମା । ସେଦିନ ଏଆଡ଼େ ଗୋଟିଏ ବଡ଼ ପରବ । ପିଠାପଣା କରି ଖାଇବା ପର୍ବ ହୋଇଥିଲେ ତ ବେଶ୍‌ ଆନନ୍ଦର କଥା ହୋଇଥାନ୍ତା । ପର୍ବଟାର ଜମାଣବିଷୟ ହେଉଚି ଜୁଆଖେଳ-। ବାଜିରଖି ତାସ୍‌ ଖେଳି ସେଦିନ ଗାଁର ପ୍ରାୟ ସବୁ ମରଦ ଜୁଆ ଖେଳନ୍ତି । ସକାଳୁ ଆଠ ବରଷର ପିଲା ଭୋବନି ଆସିଥାଏ ଆମ ବସାକୁ । ଦେଖିଲି ତା’ର ପକେଟରେ ବିଡ଼ି ଚାରିଟା, ଆଉ ପଇସା ଛ’ଅଣା । ପାଠ ହେଲା ନାହିଁ ବୋଲି ଚାହାଳୀରୁ ଉଠି ଆସିଛି । ପଇସା ଆଣି ଥାଏ ପୂର୍ଣ୍ଣମୀ ଜୁଆରେ ଖରଚ କରିବାକୁ । ମୋର ନୀତି ଶିକ୍ଷା ଶୁଣାଇ ତାକୁ ଜୁଆଖେଳରୁ ନିରସ୍ତ କରିବାକୁ କାହିଁକି ଭଲ ଲାଗିଲା ନାହିଁ । ସରାଗ ଦେଇ ଜୁଆଖେଳ ବିଷୟରେ ନାନା କଥା ପଚାରିଲି । ସେ କହିଲା ପଇସା ଆଣିଚି ବାପାଠାରୁ । ବାପା ନାହିଁ କରିଥିଲେ ବୋଉ ଦେଇଥାନ୍ତା । ବୋଉ ମନା କରିଥିଲେ ଗୁମାନ କରି ଆଣିଥାନ୍ତା । ଅବଶ୍ୟ ପୂର୍ଣ୍ଣମୀ ଜୁଆ ଲାଗି ଗୁମାନ କରିବାକୁ ଦରକାର ପଡ଼େ ନାହିଁ । ପାତ୍ରେ ତ ଆସି ଆଣ୍ଟରେ କହିଲେ ଯେ ସେଇଦିନ ସକାଳୁ ପହରକଯାଏ ବୈକୁଣ୍ଠରେ ଜୁଆଖେଳ ଲାଗେ । ଭଗବାନ, ଲକ୍ଷ୍ମୀ, ସରସ୍ୱତୀ ଆଉ ନାରଦଙ୍କୁ ଘେନି ଚଉଛକ ମାଡ଼ି ଖେଳ ଖେଳନ୍ତି । ସେଦିନ ଦି’ଅଣା ହେଲେ ବି ଖେଳିବାକୁ ହେବ । ଭାରି ଭାରି ମଜାକଥା ଏଇ ଜୁଆଖେଳ ବିଷୟରେ ଶୁଣିବାକୁ ପାଇଲି । ସିଆଡ଼କା ଅନେକ ଲୋକ କୁଆଡ଼େ ଜୁଆଖେଳକୁ ଜୀବନର ଏକମାତ୍ର ବେଉସା କରିଥାନ୍ତି—ଜୁଆଖେଳି ଗାଁକୁ ଗାଁଆ ବୁଲନ୍ତି । ପାତ୍ରେ ଭାରି ଦମ୍ଭରେ କହୁଥାନ୍ତି, ଅଣା ଅଧୁଲି କି ଛାର କଥାଟାଏ, ତାଙ୍କର ପଣ ଅଜାମାନେ କୁଆଡ଼େ ଗୋରୁ ମଇଁଷି ବାଜି ରଖି ଖେଳିଚନ୍ତି । ମହାଭାରତରେ ତ ପୁଣି ପଶାଖେଳ ଅଛି, ଦ୍ରୌପଦୀଙ୍କୁ ପଣରେ ହାରିବା କଥା କ’ଣ ମିଛରେ ଲେଖା ହୁଅନ୍ତା ? ସତ କଥା ତ, ମଣିଷ ଯେମିତି, ତାର ଧର୍ମରାଳ ସେମିତି । ପଶାଖେଳି ବସିଲେ ଦୁହେଁ ଭୋଳ ହୋଇ ପାରନ୍ତି । ଜଣେ ଆପଣା ପଇସା ହାରେ, ଜଣେ ରାଜ୍ୟ ଆଉ ରାଣୀକୁ ହାରେ ।

 

ଦକ୍ଷିଣ ପାଖକୁ ଚାହିଁଲେ ଯେଉଁ ଲଙ୍ଗଳା ମୁଣ୍ଡିଆଟା ଦିଶୁଚି, ତା’ସେ ପାଖ ଗଡ଼ନ୍ତିରେ ଜାମୁଡ଼ାଳ ଶବର ବସ୍ତି । ଆଖ ପାଖର ଗାଁମାନଙ୍କର ନାଁ ହେଉଛି ଲୋହଭା ଆଉ ସୁବଳଦା । ସେଠି ସବୁ କୁଆଡ଼େ ପାହାଡ଼ ପାହାଡ଼ କରି କମଳାଲେମ୍ବୁର ବଗିଚା ଅଛି । ରାମଗିରି ଅଞ୍ଚଳରେ ବେଶ୍‌ ଶୀତ ହେଉଥିବାରୁ ଓଡ଼ିଶାରେ ସବୁଠୁଁ ଭଲ କମଳା ଏଠି ହୁଏ । କମଳାଲେମ୍ବୁ ବିକ୍ରୀ କରି ଅନେକ ଲୋକ ଚାରିମାସଯାକ ଚଳିଯାଆନ୍ତି । ସୋମବାର ହାଟକୁ ଭାର ଭାର କମଳା ବୁହାହୋଇ ଆସେ, ସେଇଠୁ ସହରର ବେପାରୀମାନେ ଗାଡ଼ି କରି ବ୍ରହ୍ମପୁର ନେଇ ଆସନ୍ତି । ସୋମବାର ହାଟ ବାଇଶି ମାଇଲ ଦୂରରେ ପର୍ବତ ତଳେ ସୁରଙ୍ଗୀରେ ବସେ । ଏଠି ହାଟ ଗୁଡ଼ାକର ନାଁ ଜାଗା ଅନୁସାରେ ନ ହୋଇ ବାର ଅନୁସାରେ ଅଧିକ ପରିଚିତ । ଦୁର୍ଗମ ଓହ୍ଲାଣି ରାସ୍ତାତକ ଶବର ନିଜେ କମଳା ଭାର କରି ହାଟକୁ ନେଇ ଆସେ । ପଇସା, ଅଧଲାଏ କରି କମଳା ବିକି ସେ ବାଟରେ ମଦ ଖାଇଦେଇଯାଏ । ଆଉ ସେ କମଳା ବ୍ରହ୍ମପୁର ବା କଟକରେ ଟଙ୍କାରେ ଚାରିଟା ପାଞ୍ଚଟା କରି ବିକ୍ରି ହୁଏ । ସବୁଠାରୁ କୌତୁହଳର କଥା ହେଉଚି, ବଗିଚା ବଗିଚା କମଳା ଯାହାର ପାଚି ସଢ଼ିଯାଏ, ପୁଲିସ୍‌, ଡାକ୍ତର, ମାଜିଷ୍ଟ୍ରେଟ ବାବୁଙ୍କ ବୋଝ ବୋଝ କମଳା ବୋହି ଦେଇ ଯାହାର ମନବୋଧ ହୁଏ ନାହିଁ, ସେ ନିଜେ ଗୋଟାଏ ହେଲେ କମଳା ଖାଇପାରେ ନାହିଁ । ଶୀତ ପଡ଼ିଲେ କାର୍ତ୍ତିକ ମାସରେ କମଳା ନାଲି ପଡ଼େ, କିନ୍ତୁ ସେତେବେଳେ କମଳା ଖାଇବା ଧର୍ମର ମନା । ନୁଆଖିଆ ନ ଗଲେ କେହି ନୁଆଫଳ ଚାଖିପାରିବେ ନାହିଁ । ମାଣ୍ଡିଆ ପାଚିବ, କଟା ହେବ, ଘରକୁ ଆସିବ । ମଇଁଷି ବଳି ପଡ଼ିବ, ମାଦଳ ବାଜିବ, ସମସ୍ତେ ନାଚିବେ—ତେବେ ଯାଇ ନୁଆଖିଆ । ନୁଆଖିଆ ସରିଲାବେଳକୁ କମଳା ବି ସରିଥିବ । ଅଦ୍ଭୁତ ଧର୍ମ ବିଶ୍ୱାସ, ଗୋଟାଏ ଦିନର ଗୁରୁତ୍ୱକୁ ଯେପରି ମଣିଷ ବରଷର ପରି ମାନେ । ସେଇ ବିଶ୍ୱାସରେ ସେ ଲୋଭକୁ ଜୟ କରେ ।

 

ସେଦିନ ସୁବଳଦାର ଦି’ଜଣ ଶବର କମଳା ଚାରିପୁଞ୍ଜା ନେଇ ଆସିଥାନ୍ତି । ମଦ ଖାଇ ଆଖି ଟଳ ଟଳ ହେଉଚି । ମାଟି ଉପରେ ପାଦର ଟିପ ଠିକ୍‌ ଲାଗୁନାହିଁ । ତଥାପି ଶ୍ରଦ୍ଧାର ଅନ୍ତନାହିଁ-। ଯେ ଆସିଚନ୍ତି ଷୋହଳଟା କମଳା ଦେଇ ଡାକ୍ତରଙ୍କୁ ସଙ୍ଖୋଳି ଯିବେ । ପିଣ୍ଡାରେ ମୁଁ ବସିଥାଏ-। ଘର ଭିତରେ କମଳା ଦେଇସାରି ମୋତେ ଦିହେଁ ଓଳଗି ହେଲେ । ସତେ ଯେମିତି ଅନେକ ଦିନର ଚିହ୍ନା । ଜୀବନରେ ଖୁବ୍‌ ନିଜର ବୋଲି ଯାହାର ଯେତେ କମ ଥାଏ, ସେ ସେତେ ଶୀଘ୍ର ଜଗତର ସବୁକୁ ଆପଣାର କରିନିଏ । ରାମଗିରି ଶବରର ଘର ଅଧେ ଗାଆଁରେ, ଆଉ ଅଧେ ବଗଡ଼ାରେ-। ମାଣ୍ଡିଆ ବିଲ, ମଦ ଓ ମାଦଳ ନାଚ ଛଡ଼ା ଆଉ ବେଶୀ ତାର ଜଣାଶୁଣା କିଛି ନାହିଁ । ସେଥିଲାଗି ଧୋବାପିନ୍ଧା କଟକ ବା ବ୍ରହ୍ମପୁର ବାବୁଙ୍କୁ ପାଇଲେ ସେ ପହିଲୁ, ‘ତୁ’ ବୋଲି ଡାକିବାକୁ ସଂକୋଚ କରେ ନାହିଁ । ଜଙ୍ଗଲୀ ଲୋକମାନଙ୍କର ଏଇ ତୁ ଡାକଟା ଗୋଟିଏ ବିଶେଷତ୍ୱ-। ନାନା ପ୍ରସଙ୍ଗ ପରେ ମୁଁ କହିଲି ସରକାର କମଳା ବେପାରକୁ କଣ୍ଟ୍ରୋଲ କରି ଦେଉଚନ୍ତି, ଏଣିକି ବେପାରୀମାନେ ଠକି ନେଇ ପାରିବେ ନାହିଁ—ଶବରମାନେ ଉଚିତ୍‌ ଦାମ ପାଇବେ-। ମଦୁଆ ଦି’ଜଣଙ୍କ ଭିତରୁ ଜଣେ ଅତି ଉଦାର କଣ୍ଠମୁଦ୍ରାରେ କହି ଉଠିଲା, ଆହା ମିଛୁଟାରେ ସିନା ତାଙ୍କେ କଷ୍ଟ ପାଇବେ-। କଣ୍ଟ୍ରୋଲ ହେଲେ ବେପାରୀମାନଙ୍କୁ ବେଶୀ ଦାମ ଦେଇ କମଳା କିଣିବାକୁ ହେବ-। ଏକଥା ତାକୁ ଭଲ ଲାଗିଲା ନାହିଁ । ମୁଁ ଅର୍ଥଶିକ୍ଷିତ ଉପକାରୀ ପରି କହିଲି, ସେମାନେ ଆଜିଯାଏ ତୁମ୍ଭମାନଙ୍କୁ ଠକିନେଉଥିଲେ, ଏଣିକି ଆଉ ତା’ହୋଇ ପାରିବନାହିଁ । ଶବରଟି ମଥା ଦୋହଲାଇ ଉତ୍ତର ଦେଲା, କି ଠକି ନେବେ ଆଜ୍ଞା । ବେଶୀ ପଇସା ନେଇ ସତେ ଆମେ କୋଠା କରିବୁ-। ଦିଅଣା ପାଉଚୁ, ମଦ ଖାଉଚୁ; ଦିଟଙ୍କା ପାଇଲେ ବି ସେଇ ମଦ ଖାଇବୁ । ସବୁଭୁଲା ମଣିଷର ବେଶ ସହଜ କଥା ଗୁଡ଼ିକୁ ସଭ୍ୟ ମୁଣ୍ଡର ଯୁକ୍ତିଦେଇ ବୁଝି ପାରିଲି ନାହିଁ । ସତ ମନଟା ଯେପରି କି କହି ପକାଇଲା, ଏଇମାନେ ବିଶ୍ୱାସର କୁହୁଡ଼ି ଭିତରେ ଅଛନ୍ତି ବୋଲି ଆମର ବିପଣୀ ଚାଲିଛି-। ଦଶ ଜଣ ଜଳକା ହୋଇ ବସି ନଥିଲେ ଜଣେ ମହାପାତ୍ର ହୋଇ ଥାଆନ୍ତା କିପରି-?

 

ରାମଗରିର ପାଞ୍ଚଦିନ ଭିତରେ ସବୁଠାରୁ ଯାହା ସହିତ ମନେ ମନେ ବାନ୍ଧି ହୋଇ ଯାଇଥିଲି ସେ ହେଉଚି ନନ୍ଦ । ନନ୍ଦ ପାତ୍ର ବଂଶର ପିଲା, ବାପା ବୁଢ଼ା ହୋଇ ଯିବାରୁ ମଉରସୀ ପାଇକ କାମ ତାକୁ ତୁଲାଇବାକୁ ହୁଏ । ଉଦୟଗିରିଠାରୁ ଆମକୁ ଆଣିବାକୁ ଏଇ ନନ୍ଦ ଯାଇଥିଲା ପାତ୍ରଙ୍କର ପେଷଣିଆ ହୋଇ । ସେଦିନ ତାକୁ ଦେଖିଥିଲି ତାର ନିଦ-ଅଚେତ ଅବସ୍ଥାରେ । ପନ୍ଦର ବରଷର ରାଜା ମୁହଁଟା ତାର ଶୋଇକରି ବି ଯେପରି ହସୁଥାଏ । ପାରିବାକୁ ଖଣ୍ଡେ ଅଖା, ଶୀତ କାଟିବାକୁ ଦସୀଆ ଚାଦର ଖଣ୍ଡେ ତଥାପି ସେ ଯେପରି ହସ ହସ ହୋଇ ନିଜକୁ ନିଜର କରି ନେଇଥାଏ । ଏଇ ପିଲାବେଳୁ ସେ ଅନେକ ଜୟ କଲାଣି । ଶୀତ, ଭୋକ, ଶୋଷ ଓ ବାଟଚଲାର ଦୌରାତ୍ମ୍ୟକୁ ସେ ସାପ କାମୁଡ଼ା ଚମପରି ଜୟ କରି ନେଇଚି ।

 

ସେ ଦିନ ରାତିରେ ବେଜୁନାଟରୁ ଫେରୁଥିଲାବେଳେ ନନ୍ଦ ସହିତ ବେଶ୍‌ ପରିଚୟ ହୋଇଗଲା । ରାମଗିରି ପୋଲିସ୍‌ ଥାନାରେ ସେ ରୋଷେଇ କରି ମାସକୁ ଦେଢ଼ ଟଙ୍କା ପାଏ । ତା’ଛଡ଼ା ପାଇକଗିରି ଆଡ଼ୁ କିଛି ଜମି ବି ରହିଚି । ନିଜକୁ ଗରିବ ବୋଲି ନ ଭାବିବାର ବଡ଼ ମନ ତା’ଠି ଦେଖି ମୁଁ ସେଦିନ ଅବାକ୍‌ ହୋଇଗଲି । ମଣିଷ କୋଉଠି ସୁନା ଚରୁଚି, କୋଉଠି କ୍ଷୀର ପହଁରୁଚି, କୋଉଠି ହାତୀ ଚଢ଼ୁଚି, ତା’ର ଖବର ରଖିବା ତ ଦୂରର କଥା, ଦି’ଅକ୍ଷର ପାଠ ଜାଣିବାଟାକୁ ମଧ୍ୟ ନନ୍ଦ ଧନୀ ହେବାର ପ୍ରମାଣ ପତ୍ର ଭିତରେ ଗଣେ ନାହିଁ । କାଙ୍ଗୁ ମାଣ୍ଡିଆ ହୋଇ ବରଷକ ଯାଉଚି, ପୋଲିସ୍‌ ଥାନାର ନଗଦ ଟଙ୍କା କେଇଟାରେ ଦୋକାନ ସଉଦା ଚଳୁଚି, ରାମଗିରି ଗାଆଁରେ ସେଇତକ ମିଳୁଚି କେତେ ଜଣଙ୍କୁ ? ସେଥିଲାଗି ନିଜ ଜୀବନରେ ଆହୁରି ଅନେକ କିଛି ବାକି ରହିଯାଇଚି ବୋଲି ଆମ ଦେଶର ପନ୍ଦର ବର୍ଷର ଟୋକା ଭିତରେ ଟିକିଏ ହେଲେ ଗ୍ଳାନି ଦେଖିଲି ନାହିଁ ।

 

‘ନନ୍ଦୁ ତୁ ଅକ୍ଷର ଶିଖିଚୁ’ ? ପଚାରିଲି । ସେ କହିଲା, ପିଲାବେଳେ ଚାହାଳୀରେ ବସିଥିଲା, ବାପ ବୁଢ଼ା ହୋଇଯିବାରୁ ପାଠଶାଠ ଛାଡ଼ି ଦେଲା । ସେ ଆଡ଼କୁ ଖୁବ୍‌ ବେଶୀ ଆଗ୍ରହ ବି ନ ଥିଲା । ଭୋବନୀ ପଡ଼ି ନାହିଁ, ନିଜେ ପାତ୍ରେ ଖାଲି ଅକ୍ଷର ଚିହ୍ନି ବାଟି ବାଟି ଜମି ଚଷଉଛନ୍ତି, ସେ ପାଠ ପଢ଼ି କ’ଣ କରି ଥାଆନ୍ତା ? କହିଲା, ଆଉ ରାମଗିରି ଇସ୍କୁଲରେ କି ପାଠ ପଢ଼ିଥାନ୍ତି ? ମାଷ୍ଟରର ମାଣ୍ଡିଆ କଟା ହେଲେ ଦଶଦିନ ଚାହାଳୀ ବନ୍ଦ ! ଏଇ ପାଠପଢ଼ି ସେ ଡାକ୍ତର ହୋଇଥାନ୍ତା ନା ପୁଲିସ୍‌ରେ ଭର୍ତ୍ତି ହୋଇଥାନ୍ତା ?

 

ସେଇଥିପାଇଁ ସେ ବାପର ପାଇକ କାମରେ ବେଶ୍‌ ଆନନ୍ଦ ପାଉଚି । ଉପରେ କାମ ପରି ଗଣ୍ଡାଏ ଚାଉଳ ଫୁଟାଇ ଦେଇ ଥାନାରୁ ବି କିଛି ପାଉଚି । ଏଇ ତ ବେଶ୍‌ ! ପଚାରି ବୁଝିଲି ତା’ର ବାହାଘର ଏ ପର୍ଯ୍ୟନ୍ତ ହୋଇନାହିଁ । ଉଦୟଗିରି ଯାଇ ବାହାଘର ବୋଷୟରେ ବେଶ୍‌ ମାମୁଲୀ ଧାରଣା ହୋଇ ଯାଇଥିଲା । ଗାଁ ଗାଁ କେ ତେର ବରଷିଆ ପିଲା ଅନେକ ମିଳିବେ ଯେଉଁମାନେ ବାହା ହୋଇ ସାରିଲେଣି । ଉଦୟଗିରି ମାଇନର ସ୍କୁଲରେ ଅବିହାଡ଼ି ପିଲା ଖୁବ୍‌ କମ୍‌-। ବାପ ମା’ ଇଚ୍ଛା କଲେ ପୁଅକୁ ସ୍କୁଲକୁ ପଠାନ୍ତି, ଇଛା କଲେ ମଧ୍ୟ ଇସ୍କୁଲରୁ ଉଠାଇ ଆଣନ୍ତି-। କିନ୍ତୁ ଏଠି ଆହୁରି ପାଦେ ଅଧିକ । ବାପ ମା ହଠାତ୍‌ ଇଚ୍ଛା କରି ବସିଲେ ବାର ବରଷର ପୁଅକୁ ବାହା ହବାକୁ ପଡ଼େ । ଖାଇବା, ଖେଳିବା, ମାଣ୍ଡିଆ ଜଗିବା ପରି ବାହା ହେବାଟା ବି ସେମାନଙ୍କ ଆଖିରେ ଅତି ମାମୁଲୀ କଥା ।

 

ନନ୍ଦ ବାହା ହୋଇନାହିଁ, ନନ୍ଦ ବିଡ଼ି ଖାଏ ନାହିଁ । ଏ ସବୁକୁ ସେ ନାପସନ୍ଦ କରେ । ଏଇସବୁ ବିଶେଷ ଗୁଣ ମୋତେ ତା’ ଆଡ଼କୁ ବେଶୀ ବେଶୀ ଟାଣି ନେଇଥାଏ । ପୋଲିସ୍‌ ଥାନାର ରୋଷେଇ ଘର ପିଣ୍ଡାରେ ସେ କେତେ କ’ଣ ଠୁକର ଠାକର କରେ, ପିଲାଏ ହତା ଭିତରେ ପଶିଲେ ପୋଲିସ୍‌ ପକ୍ଷର ହୋଇ ହାକିମୀ ଦେଖାଏ; ଆଉ ବେଳେ ବେଳେ ମୁଁ ବାହାରକୁ ଆସିଲେ ସେଇଠୁ ହାତ ଟେକି ନମସ୍କାର କରେ । ସବୁବେଳେ ମୁହଁ ଉପରେ ସେଇ ଉଚ୍ଛଳ ହସ, ଭୁଲିଥିବାର ସେଇ ସରଳ ପାଗଳାମୀ । ସକାଳେ ସଞ୍ଜରେ ସେ ଡାକ୍ତରଖାନା କୁଅରୁ ପାଣି ଭାର କରି ବୋହି ନେଇଯାଏ, ମୁଁ ଘର ଭିତରେ ଥିଲେ ଆମ ବସାର ବାସନ ମଜା ଚାକର କରଣ ପାଖରେ ଦି’ପଦ ତୁଣ୍ଡ ବଜେଇ ଦେଇଯାଏ ।

 

ସେଦିନ କରଣଠାରୁ ଶୁଣିଲି ନନ୍ଦ ତଳସାହୀ ନାଟରେ ମିଶିଛି । ଗାଆଁରେ ନାଟ ହେଲେ ସେ ହାଡ଼ିଆଣୀ ବେଶ ବାନ୍ଧେ । ତା’ଠାରୁ ଅନେକ ଗୀତ ମିଳିବ । ଏଇ ଆଶାରେ ଦିନେ ତାକୁ ଡାକିଲି । ଗୀତ ଲେଖା ସରିବା ପରେ ନାନା କଥାବାର୍ତ୍ତା ହେଲା । ମୁଁ କହିଲି, ନନ୍ଦ, ଆମ ଆଡ଼େ ଚାଲ, ବେଶୀ ରୋଜଗାର କରିବୁ, ବେଶୀ ଖୁସୀରେ ରହିବୁ । କହିଲା, ନା, ମୁଁ ଚାଲିଗଲେ ଆମ ପାଇକ ପଣ ତୁଲେଇବ କିଏ ?

 

ଶେଷଦିନ ବେଳ ଦଶଟାରେ ଯେତେବେଳେ ରାମଗିରି ଛାଡ଼ି ବାହାରି ପଡ଼ିଲି କେତେ ରକମର କେତେ ଚିହ୍ନା ଲୋକ ମତେ ବଳେଇ ଦବାକୁ ଆସିଲେ । ଥାନା ପିଣ୍ଡାକୁ ଚାହିଁ ଦେଖିଲି ନନ୍ଦ ଚାଳକୁ ଧରି ସେଇପରି ଠିଆ ହୋଇଥାଏ । ତା’ର ମଇଳା ଲୁଗା ଓ ଗେଞ୍ଜି ତଳେ ନିର୍ମଳ ଅନ୍ତରର ନତି ଟିକକ ଯେପରି ବିଦାୟ ଭିଡ଼ର ଉଢ଼ୁଆଳରେ ରହି ମୋ ଉପରକୁ ସବୁଠାରୁ ବେଶୀ ମମତାର ଆଘାତ ମାରୁଥାଏ । ସେଇ କରୁଣ ମୁହୂର୍ତ୍ତରେ ମଧ୍ୟ ଦେଖିଲି ସେ ସେହିପରି ହସୁଚି, ଠିକ୍‌ ଯେପରି ପ୍ରଥମେ ଦେଖିଥିଲି । ଏଇ ଦୁରୁହ ହସଟା ଯେପରି ମୋତେ ସବୁ ଅନ୍ତରାଳ କରି ରଖିଲା, ମୁଁ ତା’ର କିଛି ଜାଣି ପାରିଲି ନାହିଁ । ଅଥଚ ଟାଣି ହୋଇ ଆପେ ଟଳି ପଡ଼ିଲି । ତା’ର ଦିନ ଗଞ୍ଜଣା, ତା’ର ପଖାଳ ପାଟଣା ଏସବୁ ଭାବି ବିଷଣ୍ଣ ବା ସମଦୁଃଖୀ ହେବାର ଅବସରହିଁ ମୁଁ ପାଇଲି ନାହିଁ ।

 

ନନ୍ଦ ଭିତରେ ମୁଁ ଯେଉଁ ପ୍ରସନ୍ନ କିଶୋରର ନିମୀଳିତ ସମ୍ଭାବନା ଟିକକ ଦେଖି ଆସିଲି, ଆଜିଯାଏ ମଧ୍ୟ ତାହା ମୋତେ ବିଚଳିତ କରୁଚି । ରାତି ଅନ୍ଧାରରେ ମଧ୍ୟ ଯେପରି ତା’ଅନ୍ତର ଭିତରେ କେଉଁ ମହାନନ୍ଦରେ ଉଜ୍ଜ୍ୱଳ ତାରା ଜଳୁଥିଲା । ଯେଉଁଠି ସକାଳ ହେବାର ଆଶା ବି ନାହିଁ, ସେଇ ମୁଦା ଦେଉଳର ଭଙ୍ଗା ଦୁଆର ଉପରେ ଯେପରି କେଉଁ ଉଦୟ ଯୁଗର ପକ୍ଷୀ-ଡାକ ମୁଁ ଶୁଣି ଆସିଲି । ନନ୍ଦ ମୁର୍ଖ, ନନ୍ଦ ଗରିବ, ନନ୍ଦ ଶହ ଶହ ଓଡ଼ିଆଙ୍କ ପରି ମାନ୍ଦ୍ରାଜରୁ ଆଜିକୁ ଚଉଦ ବରଷ ହେଲା ଓଡ଼ିଶାରେ ସାମିଲ ହୋଇଛି । କିନ୍ତୁ ସବୁ ଭୁଲି ଗୋଟାଏ କଥା ଖାଲି ଭାବିଲି, ସେ ଏଇ ରସାଳ ମାଟିର ବଳିଷ୍ଠ ପ୍ରତିରେଖ, ସରକାରର କୁହୁଡ଼ି ଓ ସୁଧୀସଭାର କାଉଁରୀ ମଧ୍ୟ ଯେଉଁ ମାଟିର ଛଳ ଛଳ ହସକୁ ଦବାଇ ପାରି ନାହିଁ, ଏଇ ହସହିଁ ଯୁଗ ଜିତିବ, ଏଇ ହସହିଁ ପ୍ରତିଶୋଧ ନେବ, ଠିକ୍‌ ସେ ଯୁଗର ପ୍ରହଲ୍ଲାଦ ପରି । ଠିକ୍‌ ଦି’ନେ ତା’ରି କଥାରେ ପାହାଡ଼ କନ୍ଦିରେ ଠାକୁର ବାହାରିବ ନୃସିଂହର ସର୍ବସଂହ ଅବତାର ନେଇ । ଠିକ୍‌ ତା’ରି କଥାରେ ତା’ରି ଓଳି ତଳେ, ତା’ର ଚାହାଳୀଘରେ ଦିଲ୍ଲୀ ଦରବାର ତୋଳା ହେବ, ଠିକ୍‌ ଦିନେ ତା’ରି ହସରେ ହିଁ ଯୁଗର ସମ୍ପତ୍ତି ଗଢ଼ା ହେବ ।

 

ସେଦିନ ନନ୍ଦ ଓ ସମସ୍ତଙ୍କ ପାଖରୁ ବିଦାୟ ନେଇ ଫେରିବା ଯାତ୍ରୀ ମୁଁ ଗୋଟିଏ ଗୋଟିଏ ପାଦ ପକାଇ ବାହାରି ଆସିଲି । ମୋ ସହିତ ଦଶଜଣ ଶଉରା ଦୁଇଟା କମଳା ଭାରକୁ ଅଦଳ ବଦଳ କରି ନେଇ ଚାଲିଥାନ୍ତି । ସାଥିରେ ଦି’ଜଣ ପିଲା ଭାତିଆ ଧରିଥାନ୍ତି । ରାମଗିରିକୁ ପଛରେ ପକାଇ ମୁଁ ବାଟ ଚାଲିଲି । ଗୋଟିକ ପରେ ଗୋଟିଏ ଚିହ୍ନା ପାହାଡ଼, କେତେ ଗଛ ବୃକ୍ଷ ଓ ମୁଣ୍ଡିଆ ପଛରେ ଧୀରେ ଧୀରେ ଅଦୃଶ୍ୟ ହୋଇଗଲା । ପ୍ରାୟ ଚାରିକୋଶ ବାଟ ଗଲାପରେ ରାଇସିଂ ଘାଟି ପଡ଼ିଲା । ପାହାଡ଼ ଉପରେ ଛିଡ଼ା ହୋଇ ଚାରିଆଡ଼ର ଦେଖିଥିବା ଦୃଶ୍ୟ ମୁଁ ଭୁଲି ପାରିବି ନାହିଁ । ଅନେକ ଦୂର ପର୍ଯ୍ୟନ୍ତ ଖୋଲା ଆକାଶ ତଳେ କେତେ ଆଡ଼ର ଧୂସର ପ୍ରାନ୍ତର ଓ ପାହାଡ଼ ସତେ ଅବା ଝୁଲି ପଡ଼ିଥାଏ ।

 

ଦୂରର ଚାଷ ଜମି ଗୁଡ଼ିକ ଛକିକଟା ସତରଞ୍ଜି ପରି ଦେଖାଯାଉ ଥାଏ । ମୁଣ୍ଡିଆ ଉପରେ ଦଳଟାଯାକ ଫୁର୍ସତ ମାରି ବସିଲୁ । ରାମଗିରି ପାତ୍ର ଶ୍ରଦ୍ଧାରେ ଉପହାର ଦେଇଥିବା ସିଗାରେଟ୍‌ ଗୁଡ଼ାକ ଶବରମାନଙ୍କୁ ବାଣ୍ଟିଦେଲି । ସେମାନେ ଅତି ଆନନ୍ଦରେ ଧୁଆଁ ଟାଣି ଟାଣି ଶକ୍ତି ସଂଚୟ କରିନେଲେ । ସେମାନଙ୍କର କଳା ପ୍ରସନ୍ନ ମୁଖ ସେଦିନ ଚତୁଃପାର୍ଶ୍ୱର ପ୍ରକୃତିଠାରୁ ମୋତେ ଆହୁରି ଆନନ୍ଦ ଦେଇଥିଲା । ଗଇଁଠାବଳା ପେଶୀ ତଳେ କେତେ ପ୍ରାଣ ସେ କନା ଦେହରେ ପ୍ରଚ୍ଛନ୍ନ ହୋଇ ରହିଥିଲା । ବହଲ ଓଠ ତଳେ ସେମାନଙ୍କର ହସ ଦେଖି ସେଦିନ ଭୀରୁ ହୃଦୟ ହଠାତ୍‌ ଥରି ଉଠିଲା ।

 

ମୁଁ ବର୍ଣ୍ଣରେ ଧଳା, ଧଳା ମଧ୍ୟ ପିନ୍ଧିଛି । ସେମାନଙ୍କର ସବୁ କଳା, କଳା ବନସ୍ତରେ ବାସ ବାନ୍ଧି ପଡ଼ିଛନ୍ତି । ସୋମବାର ହାଟ ହେଉଚି ସେମାନଙ୍କର ଦୂର ବିଦେଶ । କମଳା ଭାରେ ହେଉଚି ସେମାନଙ୍କର ସବୁଠାରୁ ବେଶୀ ମୂଲ୍ୟବାନ୍‌ ପଣ୍ୟ । ଇତିହାସରେ ପଢ଼ିଛି, ଏଇମାନେ କୁଆଡ଼େ ଏ ଦେଶ ଜଙ୍ଗଲର ପ୍ରଥମ ବାସିନ୍ଦା । ସଭ୍ୟ ଆର୍ଯ୍ୟମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଲାଗି ଏମାନଙ୍କୁ ଗୋହିରା କୋରଡ଼କୁ ପଳାଇବାକୁ ହୋଇଥିଲା । ସେହି ଦିନଠାରୁ ସେଇମାନେ ସେଇଠି ଅଛନ୍ତି । ରେଲ, ମଟର ଓ ପାର୍କର ଜୀବନ-ପ୍ରଳାପଠାରୁ ଅନେକ ଦୂରରେ । ସେଇଠି ସେମାନଙ୍କର ବରଷ ସାରା ନାଚ ହୁଏ, ଗୀତ ହୁଏ, ହାଣ୍ଡିଆ ସରେ; ସେଇଠି ସେମାନେ ରାଜ୍ୟର ଅଧୀଶ୍ୱର । ହୁଏତ ସଭ୍ୟ ଆର୍ଯ୍ୟର ବଂଶଧର ବୋଲି କହିବାର ଗର୍ବ ମୋର ପୂରାପୂରି ରହିଛି । କେତେ ହଜାର ବର୍ଷ ତଳର ସୁଗଠିତ ଶାସନ ଆଜିଯାଏ ବି ଭାଙ୍ଗି ନାହିଁ । ଦିଲ୍ଲୀ ସିଂହାସନରେ କେତେ ରାଜା ଯାଇ ଆହୁରି କେତେ ରାଜା ବସିଥିଲେ ମଧ୍ୟ ସମାଜରେ ମୋର ଶାସନ ଆଜିଯାଏ ଅକ୍ଷୁଣ୍ଣ ରହିଛି । ସିଆଡ଼େ ତୋପ ବାରୁଦରେ ଯୁଦ୍ଧ, ବିରାଦରୀ ଲାଗିଥିଲେ ମଧ୍ୟ ମୋର ଆୟତନରେ ମୁଁ ଏପର୍ଯ୍ୟନ୍ତ ବାଘର ଜୀବିକା କରି ଆସିଛି । ଚିରଦିନ ମୁଁ ତା’ଠାରୁ ବେଠି ଆଦାୟ କରିଛି, ଚିରଦିନ ତାକୁ ସଢ଼ାସଲପର ପାଣି ପିଆଇ ମୁଁ ସବୁ ଧାନର ମାଲିକ ହୋଇଛି । ଆଜି ମଧ୍ୟ ମୋର ଦମ୍ଭ ଯାଇ ନାହିଁ । ଦିଲ୍ଲୀ କୋଠାରେ ନୂଆ ପତକା ଉଡ଼ିଲେ ମଧ୍ୟ ମୋର ହସ୍ତମୁଦିରେ କେହି କୌଣସି ଆଞ୍ଚ ଲଗାଇ ପାରିବ ନାହିଁ, ମୋର ଖବରକାଗଜ ଜରିଆରେ ଏତକ ଅଧିକାର ମୁଁ ଅନେକ ଦିନରୁ ବୀମା କରି ଆଣିଛି ।

 

ତଥାପି ସେଦିନ ସେହି କଳାମଣିଷର ହସ ଦେଖି ଭିତରର କେଉଁ ଭୀରୁ ଶିହରି ଉଠିଲା-। ତାର ଆଖି ଓ ଓଠର ପ୍ରସନ୍ନ ସଞ୍ଚାଳନ ଭିତରେ ମୁଁ ଯେପରି ମାଟିର ଜୀବନ୍ତ ରୂପ ଦେଖି ପାରିଥିଲି । ନିର୍ଜୀବ ମାଟିପରି ମାଟି ଉପରେ ଥିବା ଯେଉଁ ଜୀବନ୍ତ ମଣିଷଗୁଡ଼ାଙ୍କୁ ମୁଁ ଆପଣାର ସମ୍ପତ୍ତି ବୋଲି ମାନି ଆସିଥିଲେ, ତାଙ୍କର ହସ ମୋତେ ସଚକିତ କରିଦେଲା । ଦିନେ ଏହି ପାହାଡ଼ର ନିଦ ଭାଙ୍ଗିବ, ପାର୍ବତୀର ଏହି ଗଣମାନେ ସେଦିନ କଡ଼ ଲେଉଟାଇ ଉଠିବେ । ସେଦିନ ଆଉ ତାଙ୍କର କାନ୍ଧରେ ବସି ମୋର ଏ ଦେଶ–ଭ୍ରମଣ ଓ ପ୍ରକୃତି–ରମଣ ଚଳି ପାରିବ ନାହିଁ-। ବନ୍ଧ୍ୟାମାଟି ସେଦିନ ଶକ୍ତିରୂପିଣୀ ହୋଇ ଆପଣା ଭିତରୁ ଚେତନାମୟ ଶିବିର ସୃଷ୍ଟି କରିବ-। ଦୁଇର ମିଳନରେ ସେଦିନ ନୂଆ ସୃଷ୍ଟିର ପ୍ରଥମ ସ୍ପନ୍ଦନ ବିଘୋଷିତ ହୋଇ ଉଠିବ ।

 

ଘଡ଼ିଏ ଫୁର୍ସତ ନେଇ ଆମେ ସମସ୍ତେ ଘାଟି ଖସିବାକୁ ଲାଗିଲୁ । ଆମେ ଯେତିକି ଖସୁଥାଉ ଚାରିପାଖର ପୃଥିବୀ ସେତିକି ଉପରକୁ ଉଠୁଥାଏ । ଉପରୁ ଦେଖିଲାବେଳେ ଯେଉଁ ମୁଣ୍ଡିଆ ସବୁ ଆପଣାର ପତ୍ରଳ ତରଙ୍ଗ ବିସ୍ତାର ଛୋଟ ହ୍ରଦଟି ପରି ଶାନ୍ତ ହୋଇ ପଡ଼ିଥିଲେ, ସେମାନଙ୍କର ଘନ ଗହଳ ବିସ୍ତୃତ କାୟା ଧୀରେ ଧୀରେ ପାଖକୁ ଚାଲି ଆସୁଥାଏ । ନାନା ମୋଡ଼ ବାଙ୍କ ଦେଇ ରାସ୍ତା ତଳକୁ ଖସୁଥାଏ, ଜୋତା ସହିତ ମୋର ପାଦ କେଉଁଠି ଯେ ପଡ଼ୁଥାଏ, ତାହାକୁ ଆୟତ୍ତରେ ରଖିବା ସମ୍ଭବ ହେଉ ନଥାଏ । ତେର ବରଷର ଦିଟା ଗଜା ଟୋକା ଗୋଟାଏ କମଳାବୋଝ କାନ୍ଧକରି ମୋରି ଆଗେ ଆଗେ ଚାଲିଥାନ୍ତି । ସେମାନଙ୍କର କୋମଳ କଳା ପିଠି ଉପରେ ଝାଳଧାରର ବକ୍ର କ୍ରନ୍ଦନ ଦେଖି ଅନେକ କଥା ମନେ ପଡ଼ିଗଲା । ପାତ୍ରର ପେଷଣିଆ, ଜାଗିରି ଧରା ବେଠି, ପାହାଡ଼ର ବଗଡ଼, ଭାତିଆ ଓ ସବାଶେଷରେ ସେହି ଅଦ୍ଭୁତ ଜୀବନର ପ୍ରତିନିଧି ସ୍ୱରୁପ କୌପୁନୀ ପିନ୍ଧା ସାଥୀମାନଙ୍କ କଥା ସବୁ ମନରେ ଭାସି ଉଠିଲା । ମୁଁ ସବୁ ବୁଝେ, ତଥାପି ନବୁଝିଲା ପରି ସବୁ କହିଯାଏ । ମାନ୍ଦ୍ରାଜରୁ ମୁଇଁ ଏମାନଙ୍କୁ ଓଡ଼ିଶାକୁ ଆଣିଛି, ଅଛୁଆଁ ରଖି ବିଦେଶୀ ହାତରେ ମୁଇଁ ଏମାନଙ୍କୁ ଖ୍ରୀଷ୍ଟିଆନ କରାଇଛି ? ଏମାନଙ୍କ ଉପରେ ହାକିମ ହେବାଲାଗି ମୁଇଁ ମୋର ଭାଇ ଦାଦିଙ୍କୁ ଧରି କଟକରୁ ଏଠି ପହଞ୍ଚିଛି । ସବୁ ଜାଣେ ମୁଁ ତଥାପି ମୁଁ, ପ୍ରଦେଶ ଲାଗି ସହର କୋଠାରେ ହାତ କଚାଡ଼େ । ବଡ଼ନେତାଙ୍କ ପାଖକୁ ବିଚ୍ଛିନ୍ନ ଉତ୍କଳର ଲମ୍ବା ସିରସ୍ତା ନେଇଯାଏ, ତଥାପି ମୁଁ ନିର୍ଲଜ୍ଜ ପରି ହିନ୍ଦୁ ହେବାର ବଡ଼େଇ କରେ, ତଥାପି ମୁଁ ବେଶୀ ରୋଜଗାରର ଲୋଭ ଦେଖାଇ ମୋର ଭାଇ ଦାଦିଙ୍କୁ ଗଞ୍ଜାମ, କୋରାପୁଟ ପଠାଇ ଦିଏ । ଏମାନଙ୍କୁ ମୁଁ ମଣିଷ ବୋଲି ଜାଣେ, କିନ୍ତୁ ମଣିଷର ବ୍ୟବହାର ଦେଇ ପାରେ ନାହିଁ ।

 

ରାଇସିଂ ଘାଟି ଓହ୍ଲାଇ ଓହ୍ଲାଇ ଗୋଡ଼ ଧରି ପକାଇଲା । ଝାଳ ପୋଛି ପୋଛି ପଶୁପରି ଗଡ଼ାଇ ଗଡ଼ାଇ ଶେଷରେ ତଳେ ଆସି ପହଞ୍ଚିଲି । ସେତେବେଳକୁ ଖରା ନଇଁ ଆସିଲାଣି । ପର୍ବତ ଉପରେ ଥିଲାତକ ସମୟ ଓ ପୃଥିବୀର ଠିକ୍‌ ଅନ୍ଦାଜ କରି ହୁଏ ନାହିଁ । ଯାହାହେଉ ଏଥର କୌଣସି ଛାଇଜାଗା ଦେଖି ଦିନର ଖିଆ ପିଆ ଶେଷ କରିବାକୁ ହେବ । ଶବରମାନେ ମଧ୍ୟ ଭାତିଆ ଫିଟାଇ ରୋଷେଇ କରିବେ । କିଛି ଦୂର ଗଲା ପରେ ଗୋଟାଏ ନଈ ପଡ଼ିଲା । ଆଣ୍ଠୁଏ ପାଣି ଥିଲେ କ’ଣ ହେବ, ବେଶ ସୁଅ ଚାଲିଛି । ତାରି କଣ୍ଡିଆ ଉପରେ ସେମାନେ ଚୁଲି ଲଗାଇ ରୋଷେଇ ବସାଇ ଦେଲେ । ପ୍ରଥମେ ମୁହଁ ପଖଳା ଲାଗି ବୁଢ଼ା କାକୁଡ଼ି ଭାଙ୍ଗି ଖାଇବାକୁ ବସିଗଲେ । ତା’ପରେ ଜଣକୁ ରୋଷେଇ ପାଖରେ ବସାଇ ଦେଇ ସମସ୍ତେ ନଈକୁ ଗଲେ ଗାଧୋଇବାକୁ । ଖଣ୍ଡେ ବୋଲି କଉପୁନୀ ମରା ହୋଇଥିବା ଲୁଗାକୁ କୂଳରେ ରଖିଦେଇ ସବୁ ବିବସନ କଳା ଦେହ ଗୁଡ଼ିକ ଏକାବେଳେକେ ପାଣି ଭିତରକୁ ଡେଇଁ ପଡ଼ିଲେ । ସଂସାରର ମଣିଷ ଦିନକୁ ଦିନ ଯେତିକି ବେଶୀ ବେଶୀ ଜାଣୁଛି, ନିଜକୁ ସେତିକି ବେଶୀ ସେ ଲୁଚାଇ ଚାଲିଛି । ସରୋବରର ସ୍ୱାଧୀନ ସ୍ନାନ ବର୍ତ୍ତମାନ ଗାଧୋଇବା ଘର ଭିତରେ ଆସି ପହଞ୍ଚିଲାଣି । କିଶୋର ପୁଅ ଖାଲି ଦେହରେ ଆପଣା ବୋଉ ପାଖରେ ବସିବାକୁ ଲଜ୍ଜା ଅନୁଭବ କରୁଛି, ବୋଉ ମଧ୍ୟ ପିଲା ଦିନରୁ ତାକୁ ସେଇମିତି କାଇଦାରେ ତିଆରି କରୁଛି । ନିଜକୁ ଲୁଚାଇବାର ପାଠ ପଢ଼ି ଆମ ଗରମ ଦେଶରେ ମଣିଷ ମଧ୍ୟ ଅଙ୍ଗ ଘୋଡ଼ାଇବାର କେତେ କାଇଦା ବାହାର କରି ସାରିଲାଣି । ଏହି କାଇଦା କଟକଣାର ଅଣନିଶ୍ୱାସ ଭିଡ଼ ଭିତରୁ ବାହାରି ସୁସ୍ଥ ସବଳ ମଣିଷକୁ ତାର ସ୍ୱାଭାବିକ ରୂପରେ ଦେଖିଲେ ହଠାତ୍‌ ମନ ହାଲୁକା ହୋଇଯାଏ । ପ୍ରତ୍ୟେକ ରୋମମୂଳ ଯେପରି ଏକ ସ୍ୱାଭାବିକ ଆଶ୍ୱସ୍ତିରେ ସ୍ୱର୍ଗର ସାବଲୀଳ ରାଜ୍ୟଯାଏ ଲମ୍ବି ଚାଲିଯାଏ । ସଭ୍ୟ ସମାଜର ମୁଁ ଏହି ସାତ ଚାଖଣ୍ଡକୁ ଘୋଡ଼ାଇ କେତେ ରଙ୍ଗର କେତେ ପରିଚ୍ଛଦ ସୃଷ୍ଟି କରୁଛି, ବିଜ୍ଞାନୀ ପଣ୍ଡିତ ଲାଗି କେତେ ନୂଆ ରୋଗ ଓ ନୂଆ ଔଷଧ ବାହାର କରିବାର ରସଦ ମିଳୁଛି । ଅଥଚ ବଣର ନଗ୍ନ ସୁନ୍ଦର ହରିଣ ପରି ନଦୀକୁ ଝାମ୍ପ ଦେଇ ଯେତେବେଳେ ଆଉ ଗୋଟିଏ ମଣିଷ ସମସ୍ତ ସମସ୍ୟା ଓ ବିକାରର ସମାଧାନ କରୁଛି, ସେତିକିବେଳେ ମୋର ସଭ୍ୟ ମନଟା ଆପଣା ଲଜ୍ଜାରେ ନତ ହୋଇଯାଉଛି । ଅତି ସ୍ୱାଭାବିକ ଅଙ୍ଗଚର୍ଯ୍ୟାକୁ ଆମେ ନାନା ବିକୃତି ବିଳାସର ଶୋଭାବରଣରେ ପରିଚ୍ଛନ୍ନ କରି ରଖି କେବଳ ନିଜ ମନକୁ ହିଁ ଗ୍ରନ୍ଥିଗ୍ରସ୍ଥ କରି ଦେଇଛୁ । ଜ୍ଞାନ ଫଳ ଖାଇବାର ଅଜୀର୍ଣ୍ଣତା ଆମକୁ ବେଶ ମଳୁ କରି ରଖିଛି ।

 

ଗାଧୁଆ ସରିଲା ବେଳକୁ ଚୁଲି ଉପରେ ଚାଉଳ ବି ଫୁଟି ଯାଇଥିଲା । ଶାଳ ପତରର ଖଲି ଉପରେ ସେମାନଙ୍କର ଖିଆ ଆରମ୍ଭ ହେଲା । ଦହଡ଼ ପେଜମିଶା ଭାତକୁ ଲୁଣ ଲଙ୍କା ଲଗାଇ ସେମାନେ ବେଶ ନିର୍ବିକାରରେ ଖାଇବାକୁ ଆରମ୍ଭ କଲେ । କଲିକତାର ହୋଟେଲ ରାଜଧାନୀର ହାକିମଖାନାର ବବୁର୍ଚି—ବ୍ୟବସ୍ଥା ଯେ ନ ଜାଣେ ତାର ବିକାର କାହିଁକି ହେବ ? ଏଇ ହାତ ମୁଠାରେ ମୁଠାଏ ଭାତ ପାଟିପାଖକୁ ଯିବାକୁ ପୃଥିବୀରେ ଯେ ସବୁ ବ୍ୟବଧାନ ରହିଛି, ଏ ଭୋଳା ପର୍ବତର ଭୋଳାନାଥଙ୍କୁ ସେ ଖବର କିଏ ଦେଇ ପାରିବ ? ସବୁ ବାବୁର କବାଟ ଯେ ତା’ଲାଗି କିଳା ହୋଇଛି ।

 

ଆଉ ଜଣେ ବାଟୋଇ ଦୁଇଜଣ ସ୍ତ୍ରୀ ଲୋକଙ୍କ ସଙ୍ଗରେ ସେଠି ଆସି ପହଞ୍ଚିଲା । ସେମାନେ ମଧ୍ୟ ଶବର । ସ୍ତ୍ରୀ ଲୋକଙ୍କ ମୁଣ୍ଡରେ ଦିଇଟା ମଦ ମାଠିଆ । ତିନିଜଣିଆ ପରିବାରଟି ଜୁଆଁଇ ଘରକୁ ମଦ କଣ୍ଟ ନେଇ ଯାଉଥାଏ । ମଦ ଦେଖି ଶବର ସାଥିମାନଙ୍କ ଆଖି ପ୍ରସନ୍ନ ହୋଇ ଉଠିଲା । ସାତ ଅଣାର ମଦ ସେଇଠି ଭାତ ଖାଇବା ପରେ ପରେ ସରିଗଲା । ଦଶ ବରଷର ପିଲା ଜଣେ ମଧ୍ୟ ବାଦ ପଡ଼ିଲା ନାହିଁ ।

 

ଯେଉଁ ପାହାଡ଼ ଘାଟି ଓହ୍ଲାଇ ଆସିଥିଲି, ସେଇ ଆଡ଼କୁ ଅନାଉ ଅନାଉ ମୁଁ ଚକାମନକୁ ଡାକିଲି । ଚକାମନ ରାମଗିରି ପାତ୍ରଙ୍କର ପାଇକ, ମୋର ଭଲ ମନ୍ଦ ଲାଗି ସୁରଙ୍ଗୀ ପର୍ଯ୍ୟନ୍ତ ବଳେଇ ଦେବାକୁ ଆସିଥାଏ । ସେ ରାମଗିରିଠାରୁ କଣ ସବୁ ଖାଇବା ସାମଗ୍ରୀ ବାନ୍ଧି ଆଣିଥିଲା, ଦୁଇଜଣଯାକ ଖାଇଲୁ । ମଦ ପଡ଼ି ଭାରୁଆମାନଙ୍କର ଅନ୍ତର–ଶିରା ପୁଣି ସତେଜ ଓ କର୍ମୋନ୍ମୁଖ ହୋଇଉଠିଲା । ବେଳ କେତେ ଗୁଡ଼ାଏ ଗଡ଼ି ଗଲାଣି । ଅବଶ୍ୟ ଜହ୍ନ ରାତି ବୋଲି ସଞ୍ଜଲାଗି କୌଣସି ଭାବନା ନଥାଏ । ଏଇଟା ପୁଣୀ ସାଥୀମାନଙ୍କର ଚିହ୍ନାବାଟ, କମଳାଭାର ନେଇ କେତେଥର ଏଇବାଟରେ ସେମାନେ ସୋମବାର ହାଟକୁ ଆସିଛନ୍ତି ।

 

ପାହଡ଼ ଛାଡ଼ି ସମତଳରେ ବାଟ ଚାଲିବାକୁ ହେଲା । ଦି’ପାଖରେ ପର୍ବତମାନ କଟାଇ ବିଲମଝି ବାଟଟି ବେଶ୍‌ ସ୍ପଷ୍ଟ ହୋଇ ବାରି ହୋଇ ଯାଉଥାଏ । ସେଦିନ ସୋମବାର—ହାଟରୁ ଫେରନ୍ତା ଲୋକମାନେ ଦଳ ଦଳ ହୋଇ ଫେରୁଥାନ୍ତି । ହୁଏତ ରାମଗିରି ତାଲୁକାରୁ କମଳା ନେଇ ଯାଇଥିଲେ । ଫେରିଲାବେଳେ ଟୋକେଇ ଭିତରେ ଲୁଣ, ଶୁଖୁଆ ଆଉ ଦକ୍ଷିଣୀ ଲଙ୍କାମରିଚ । କିଏ ହୁଏତ ଝୁଅକୁ ସଂଙ୍ଖୋଳିବା ଲାଗି କସ୍ତା ଖଣ୍ଡେ ମୋଡ଼ିମାଡ଼ି ଟୋକେଇରେ ପକାଇଛି ।

 

ସେତେବେଳେ ବି ମୁଁ ସେଇ ରାମଗିରି ଉଦୟଗିରି କଥା ଭାବୁଥାଏଁ । ସାତଦିନ ଗୋଟାଏ ଦୁର୍ଗ ଭିତରେ ପଶି ଯେପରି ଆଜି ବାହାର କରି ଯାଉଚି । ସୁରଙ୍ଗୀରେ ମଟର ଦେଖିବ, ଇଚ୍ଛାପୁରରେ ରେଳଗାଡ଼ି ଚଢ଼ିବ । ବନ୍ଧାମନର ଲଗାମ ଫିଟି ଯେପରି କେତେ କୁଆଡ଼େ ଖେଳାଇ ହୋଇଗଲା । ହଁ, ପ୍ରକୃତରେ ଗୋଟାଏ ଦୁର୍ଗ । ଏଇ ପାହାଡ଼ ଅରଣ୍ୟ, ରାମଗିରିର ପୋଲିସ୍ ଓ ପାତ୍ର ଏହାକୁ ଗୋଟିଏ ଦୁର୍ଗ କରି ହିଁ ରଖିଛନ୍ତି । ରେଳ ଲାଇନ ହୋଇ କଟକ ସଙ୍ଗେ କଲିକତା ମିଶୁଛି, ପବନମାର୍ଗରେ ରାସ୍ତା ପଡ଼ି ଭୁବନେଶ୍ୱରର ଆଖି ଦିଲ୍ଲୀ କୋଠିଯାଏ ଚମକି ଯାଉଛି । ଟଙ୍କାର କୋଇଲି ସୂତା ଉପରେ ବସି ସଭ୍ୟ ମଣିଷ ସାରା ଦୁନିଆକୁ ଗଅଣ୍ଠେଇବାର କଳ୍ପନା କରୁଛି-। କିନ୍ତୁ କାହିଁ ? ଏଣେ ଯେ ମହାନଦୀ ଏ ପାରିଟା ଧୂଳିମାଟି, ମଇଳା ମେଲେରିଆରେ ମରୁଛି, ଆରପାରି ଉପରେ ତାର ଜୀବାଣୁ ମିଶା ଶ୍ଳେଷ–ଶ୍ୱାସ ଯାଇ ପଡ଼ୁଛି । କଟକରେ ରାଜଧାନୀ ବସିଛି, ସେଇଠି କଲମ ଚଳାହୋଇ ଏ ଦୂର ପର୍ବତର ହାତୀକୁ ମଣ କରାଯାଉଛି—ପାତ୍ର ଓ ପେଷାଣିଆମାନଙ୍କୁ ନେଇ ବେଶ୍‌ ଖେଦାର ମଉଜ ଚାଲିଛି ଏଠି ।

 

ବାଟ ଚାଲି ଚାଲି ସନ୍ଧ୍ୟା ହେଲା, ତଥାପି ବାଟ ସରିଲା ନାହିଁ । ଏଇ କେତେ ଦିନର ପରିଚିତ ଲଡ଼କର ଶଦ୍ଦ ଶୂଣି ଗୋରୁ ବାହୁଡ଼ାର ଗନ୍ଧରେ ମନ ପୂରି ଉଠିଲା । କେତେ ଗାଆଁ ଦାଣ୍ଡରୁ ପାଣି ମାଗି ପିଇ ଆମେ ଚାଲିଥାଉ । ଶୁକ୍ଳପକ୍ଷର ଜହ୍ନ ଉଠିଲା । ପାହାଡ଼ ସନ୍ୟାସୀର ଧୂସର ତପସ୍ୟା ଆରମ୍ଭ ହେଲା, ଆପଣା କୋଳର ଜୀବ ଜନ୍ତୁଙ୍କ ପରି ସେ ବି ମନ୍ତ୍ରମୌନ ପରି ପାଣ୍ଡୁର ଚନ୍ଦ୍ରକଣାରେ ବୁଡ଼ି ରହିଲା । ଅଦୂରର ଗାଆଁଗଣ୍ଡାରୁ କେତେ ରକମର କେତେ ଗୀତ ଭାସି ଆସୁଥାଏ ।

 

ସୁରଙ୍ଗୀରେ ପହଞ୍ଚିଲା ବେଳକୁ ରାତି ଘଡ଼ିଏ ହୋଇଗଲାଣି । ବାଇଶ ମାଇଲ ପଥଯାତ୍ରାର ଅଧିଷ୍ଠିତ ଦେବତାକୁ ଧନ୍ୟବାଦ ଦେଲି । ମଟର ସକାଳେ, ତେଣୁ ଯେ କୌଣସି ପ୍ରକାରେ ରାତିଲାଗି ରାହା ଖୋଜିବାକୁ ହେବ । ପ୍ରଥମରେ ଜଣେ ଅଯାଚିତ ଆତିଥ୍ୟ ଦେଖାଇ ଡାକ୍ତର ବାବୁଙ୍କ ଘରକୁ ଡାକି ନେଉଥିଲା । ତା’ର ଅତି ଆଦର ଦେଖି ମନରେ ସନ୍ଦେହ ହେଲା । ବୁଝୁ ବୁଝୁ କଣ ନା ଏ ଉଦାରତା ତା’ର ନିଜର ନୁହେଁ, ତା’ର ମଦ ବାଉଳା ମନର । ଶେଷରେ ସ୍ଥାନୀୟ ସ୍କୁଲ ଘରେ ଆଶ୍ରୟ ପାଇ ରହିଲି ।

 

ବାଇଶ ମାଇଲ ବାଟ ଚାଲି ଚାଲି ଶବରମାନେ ଏପରି ଥକି ଯାଇଥିଲେ ଯେ ରୋଷେଇବାସ କରି ଖାଇବା ଲାଗି ଆଉ ସେମାନଙ୍କର ମନେ ପଡ଼ିଲା ନାହିଁ । ମୁଁ ସେମାନଙ୍କୁ ଯେତେ କହିଲି, ବୁଝାଇଲି କୌଣସି ମତେ କେହି ରାଜି ହେଲେ ନାହିଁ । ଆଖରକୁ କଞ୍ଚା ଚୁଡ଼ା ଓ ବୁଟଭଜା ଚୋବାଇ ସ୍କୁଲ ପିଣ୍ଡାରେ ସମସ୍ତେ ଶୋଇ ପଡ଼ିଲେ ।

 

ସକାଳ ଚାରିଟାବେଳେ ପୁଣି ସମସ୍ତଙ୍କୁ ଉଠିବାକୁ ପଡ଼ିଲା । କୋଇଲା ମଟର ସେତେବେଳକୁ ସଜ ହୋଇ ବସିଲାଣି । ମୋର ଜିନିଷପତ୍ର ମଟର ଉପରେ ଲଦି ଦେଇ କାଲିକାର ସାଥୀମାନେ ଚାରିଅଣା ଲେଖାଏଁ ବକ୍‌ସିସ୍‌ ମାଗିଲେ । ବାଇଶି ମାଇଲ ରାସ୍ତାର କୁଲିଗିରି କରିବାର ମଜୁରୀ ହେଉଛି ଚାରିଅଣା । ଫେରିଲା ବାଟରେ ହୁଏତ କୋଉଁଠି କୁକୁଡ଼ା କଟା ହୋଇ ସେତକ ବି ଉଡ଼ିଯିବ ।

 

‘ବାବୁ, ତୁ ଆସିବୁ ନା ?’ —ସେମାନଙ୍କର ନମସ୍କାର ନେଉ ନେଉ ମଟରକୁ ଉଠିଲି । ଚକାମନ ସାଙ୍ଗରେ ସେମାନେ ପଛରେ ରହିଗଲେ । ମଟର ଛାଡ଼ି ଦେଲା ।

 

ବାଁ ପାଖରେ ମେଘମାଳା ଦନ୍ଥଡ଼ା ପର୍ବତମାନ ସୃଷ୍ଟି କରି ପଶ୍ଚିମ ଦିଗର ଅସ୍ତମିତ ଚନ୍ଦ୍ରକୁ କୋଳକୁ ଟାଣି ନେଉଥାଏ । ଏ ପାଖରେ ପ୍ରସନ୍ନ ଉଦୟର ପୂର୍ବରାଗ ଫୁଟି ଉଠିଲାଣି । ରାତିର ରାସ୍ତା କଟାଇ ମଟର ପବନ ବେଗରେ ଚାଲିଥାଏ ।

 

ଷୋଳ ମାଇଲ କଟାଇ ମଟର ଇଚ୍ଛାପୁରରେ ପହଞ୍ଚିଲା ବେଳକୁ ସୂର୍ଯ୍ୟ ଉଠି ସାରିଥାଏ-। ତର ତର ହୋଇ ଷ୍ଟେସନକୁ ଚାଲିଗଲି । ସେଠୁ ଗାଡ଼ି ଧରି କଟକ ଆସିବାକୁ ବେଶୀ ସମୟ ଲାଗିଲା ନାହିଁ । ରେଳରେ ଉଠିଲାବେଳକୁ ମନେ ପଡ଼ିଗଲା, କାଲି ଠିକ ଏତିକିବେଳେ ରାମଗିରିଠୁଁ ବିଦାୟ ନେବାକୁ ସଜ ହେଉଥିଲି ।

☆☆☆

 

–ତିନି–

 

ଉଦୟଗିରି ଯାଇ ସେଠାକାର ଶବର ଜାତି ଦେଖି ଯେତେ ଆଶ୍ଚର୍ଯ୍ୟ ହୋଇଯାଇନାହିଁ, ତା’ଠାରୁ ବେଶୀ ଆଶ୍ଚର୍ଯ୍ୟ ହୋଇଛି ସେଠାରେ ଥିବା ସରକାରୀ କର୍ମଚାରୀମାନଙ୍କର ବିଚିତ୍ର ଖାମଖିଆଲି ଦେଖି । ଇତିହାସରେ ପଢ଼ିଛି ମୋଗଲ ବାଦସାହାମାନଙ୍କର ନବାବୀ ଅମଳରେ ଦିଲ୍ଲୀଠାରୁ ଦୂରରେ ଥିବା ପ୍ରଦେଶମାନଙ୍କରେ ବେଶ୍‌ ମନୁଆ ଶାସନ ଚଳୁଥିଲା । ସୁବେଦାରମାନେ ଫି ବରଷ ଦିଲ୍ଲୀକୁ ଖଜଣାଟି ପଠାଇଦେଇ ବାରମାସ ସ୍ତ୍ରୀ ପୁରୁଷ ଚରାଉଥିଲେ । ଉଦୟଗିରିର ଶାସନ କାଇଦା ଦେଖି ଠିକ୍‌ ସେଇ ଯୁଗ କଥା ମନେ ପଡ଼ିଗଲା । ଉଦୟଗିରି ଚଉଦ ବର୍ଷ ହେଲା ଓଡ଼ିଶାକୁ ଆସିଲାଣି, ଶହେ ବର୍ଷ ଭିତରେ କେତେ ମାଲିକ ଯାଇ କେତେ ମାଲିକ ଆସିଲେଣି, କିନ୍ତୁ ଦୂରବାଟ ଉଦୟଗିରିରେ ସଭ୍ୟ ମଣିଷର ସେଇ ପୁରୁଣା ଶାସନ ଚାଲିଛି ।

 

ଚୌରାଳିଶି ମସିହାରେ ବିଷମ କଟକ ଯାଇ ଏହି ଶାସନର ନମୁନା ଦେଖି ଆସିଥିଲି । ସେତେବେଳେ ହାକିମଙ୍କର ସରଗରମ ବଜାର, ଯୁଦ୍ଧ ପୁଷ୍ପକରେ ବେଶ୍‌ ଉପାର୍ଜନ-ଯାତ୍ରା ଚାଲିଥିଲା-। ମାଜିଷ୍ଟ୍ରେଟ ଡୁଙ୍ଗୁରା ଦେଇ ପନ୍ଦରଟା ଗାଆଁରୁ ମଣିଷ ଠୁଳ କରାଇ ଡାକବଙ୍ଗଳାରେ ବସି ଯୁଦ୍ଧ ଚାନ୍ଦା ଆଦାୟ କରୁଥିଲେ । ହାକିମଙ୍କ ପେଟୀରେ ଲଙ୍କା ହଳଦିଠାରୁ ଆରମ୍ଭ କରି ଲୁଗା ଓ ଚାଉଳ ପର୍ଯ୍ୟନ୍ତ ସାମଗ୍ରୀମାନ କଟକ ରପ୍ତାନୀ ହେଉଥିଲା । ଉଦୟଗିରି ବିଷମ କଟକରୁ ବଳେ-। ବଡ଼ ଖେମୁଣ୍ଡୀ ରାଜାଙ୍କର ଅଧାଛାୟାରେ ଓ ମୋଗଲବନ୍ଦୀ ଶାସନର ଅଧା ହିପାଜତରେ ରହି ଦି’ନାଆ ଭିତରେ ବୁଡ଼ୁଚି ଉଠୁଚି ଏହି ଉଦୟଗିରି । ବିଷମ କଟକ ତ ରେଳ ଲାଇନ ପାଖରୁ ପ୍ରହରକର ବାଟ । କିନ୍ତୁ ମଟର ମୁଣ୍ଡରୁ ଷୋଳ କୋଶ ବାଟରେ ରହି ଉଦୟଗିରିରେ ଅନ୍ଧାର ବେଶ ଆପଣା ଶାସନ ଜମାଇ ବସିଛି । ସେଠି ଭାନୁମତୀର ଯାଦୁଖେଳ ଚାଲିଛି ।

 

ବଡ଼ ବଡ଼ ଦେଶ ଓ ନାମକରା ଭାଷାର ଲେଖକମାନେ ପ୍ଲଟ୍‌ ଖୋଜିବାକୁ କ୍ଲବ୍‌କୁ ଯାଆନ୍ତି; ଦେଶ ଭ୍ରମଣ ଯାଆନ୍ତି । ମନ ଭିତରୁ ସମସ୍ୟାର ସଞ୍ଚା ସଜାଡ଼ି ମନଗଢ଼ା ପ୍ଲଟ୍‌ର ଗିଲିଟି ବାସନରେ ତାକୁ ବାଢ଼ି ଦେଇ ଜଗତର ଅନେକ କବି ଓ ଲେଖକ ଇନାମ୍‌ ପାଇଛନ୍ତି । ଆଜିର ଉପନ୍ୟାସ–ଯୁଗରେ ଯିଏ ଯେତେ ବଡ଼ ସମସ୍ୟାର କୁହୁଡ଼ି ସୃଷ୍ଟି କରି ପାରିଲା, ସେ ସେତିକି ବେଶୀ ଶ୍ରଦ୍ଧାର ପାତ୍ର ହେଉଛି । କିନ୍ତୁ ଉଦୟଗିରିରେ ଯାହା ଦେଖିଲି ସେ ସବୁ ବର୍ଣ୍ଣନା କରି ବସିଲେ ଯେ କୌଣସି ନାମଜାଦା ଉପନ୍ୟାସକୁ ତାହା ଟପି ଚାଲିଯିବ । ଏଠି ପ୍ରତ୍ୟେକ ହାକିମ ହରି ମିଶ୍ର, ସବୁରି ଘରେ ଛକଡ଼ି ଆଉ ବରଜୁ, ସମସ୍ତଙ୍କର ବାଘ ଛେଳି ଜୀବନକୁ ମିଳାଇ ଦେଇ ପ୍ରବଞ୍ଚନାର ବୈଚିତ୍ର୍ୟ ଖେଳି ବସିଚି ଏ ଯୁଗର ଶାସନ–ବିଧାତା,–ଏଯୁଗର ସଭ୍ୟ ମାଲିକ । ପ୍ରତ୍ୟେକ ଦିନ ଏଠି କେତେ ଉପନ୍ୟାସ ଲେଖା ହେଉଛି, କେତେ ଆଖିର ଲୁହ ଓ କପଟ ହସ କେଉଁ ଶକ୍ତ ଦେବତାର ଅଭିଶପ୍ତ ନିଶ୍ୱାସ ତଳେ ଏକାଠି ହେଉଚି—କ୍ଳବ୍‌-ମଣିଷର ଆଖି କିନ୍ତୁ ଏଣେ ପଡ଼ୁ ନାହିଁ । ସମାଜର ଚିତ୍ର ବୁଝାଇବାକୁ ଗଣିତ ମାଷ୍ଟର ଚକ୍‌ ଖଡ଼ିର ରେଖା ଚିତ୍ର କାଟିଲା ପରି କେତେ ଲେଖକ କେତେ ରକମର ବନ୍ଧ ବସାଉଛନ୍ତି । କିନ୍ତୁ ଯେଉଁଠି ଦୃଷ୍ଟି ଆଗରେ ଜୀବନରେ ଉପନ୍ୟାସ ଫୁତ୍କାର କରି ଚାଲିଛି, ସେଠିକି ବୁଝିବାକୁ ଆସୁଛି କିଏ ?

 

ଉଦୟଗିରିର ସମଗ୍ର କାହାଣୀଟି ଏତେ ବିଚିତ୍ର ଯେ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଳଖ ରାସ୍ତା କାଟିପାରିବା ବଡ଼ କଷ୍ଟକର ବ୍ୟାପାର । ଟିକିଏ ମଣିଷ ଚକ୍ଷୁରେ ଦେଖିଲେ ଏଠାକାର ଉପନ୍ୟାସ ଅତି ସ୍ପଷ୍ଟ ହୋଇଯିବ ।

 

Unknown

ପେଟକୁ ଭାତ ନ ଦେଇ ମଥାରେ ଶିକ୍ଷା ଦେଇଥିଲେ ମଣିଷ ନିଶ୍ଚୟ ଯେ କୌଣସି ଉପାୟରେ ପେଟର ସଂସ୍ଥାନ କରି ପାରୁଥାନ୍ତା । କିନ୍ତୁ ମଗଜ ଓ ଅନ୍ତରର ସମ୍ମାନ ବୋଧରେ ଦରିଦ୍ର ରହିଥିବାରୁ ଏଯୁଗର ମଣିଷ ଯେ କୌଣସି ହେୟ ପରିସର ଭିତରେ ଜଡ଼ସଡ଼ କୀଟପରି ଜୀଇ ରହିବାକୁ ଏତେ ଟିକିଏ ଅପମାନିତ ମନେ କରୁନାହିଁ । ଉଦୟଗିରିରେ ବଡ଼ଠାରୁ ଛୋଟଯାଏ ସମସ୍ତେ ହାକିମଙ୍କୁ ଆଜ୍ଞା କହନ୍ତି, ପାତ୍ରଙ୍କୁ ଆଜ୍ଞା କହନ୍ତି, ଉଦୟଗିରି ଇଲାକାର କେତେ ନନ୍ଦ ଦେଢ଼ଟଙ୍କିଆ ଚାକିରି କରି ମନର ପ୍ରଫୁଲ୍ଲତା ଟିକକ ବିକ୍ରୀ କରି ଦିଅନ୍ତି । ହୁଏତ ଶହେ ବର୍ଷ ତଳେ ଏଇ ଗଛରେ ଫଳ ଧରୁଥିଲା, ଏଇ ବଗଡ଼ରେ ମାଣ୍ଡିଆ ଫଳୁ ଥିଲା, ଏଇ ଜଙ୍ଗଲ ନାଳୀରେ ପାଣିର ସୁଅ ବହି ଚାଲିଥିଲା । ସେତେବେଳେ ଚମ୍ପାଘାଟୀ ଏ ପାଖରୁ କାହାରି ମନ ଡେଇଁ ପାରି ନ ଥିଲା । ହୁଏତ ଖାଇପିଇ ଖୁସି ହୋଇ ସମସ୍ତେ ଖୁସିରେ ଥିଲେ । କିନ୍ତୁ ସହରର ଘଣ୍ଟାପାଟୁଆ ଶାସନ ସେଠି ଯାଇ ପହଞ୍ଚିବା ଦିନଠାରୁ ପାଦୁକ ପାଇଲା ପରି ସେ ସ୍ଥାନର ପ୍ରାଣ ରସ ଟିକକ କିଏ ଯେପରି ଚାଟି ଦେଇ ଆସୁଛି । ଶସ୍ତା ଚାକିରିର ସହଜ ଉପାୟ ଶିଖି ସୁଖୀ ଚାଷୀ ହାକିମର ତିନି ଟଙ୍କିଆ ପିଆଦା ହୋଇଚି, ପାତ୍ରଙ୍କର ପାଇକ ବା ପେଷଣିଆ ହୋଇଛି ।

 

ଏଇ ଇଲାକାରେ ପୋଲିସ ହେଉଛି ରଜା । ରଜାଙ୍କ ଚାରି ପାଖରେ ସ୍କୁଲମାଷ୍ଟର ଓ ଅନ୍ୟାନ୍ୟ ହାକିମମାନେ ପରିଷଦ ପରି ଘେରି ଦହକ ଅଙ୍ଗାରର ବେଶ୍‌ ଗ୍ରହ-ମଣ୍ଡଳ ସୃଷ୍ଟି କରିଛନ୍ତି-। ବିଷମ କଟକରେ ଦେଖି ଆସିଥିଲି, ଲାଇଟ ଜଳାହୋଇ ସେଠି ପୁଲିସ ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ଜୁଆ ଖେଳି ରାତି କଟାଇ ଦିଅନ୍ତି । ଏଠାକାର ପୋଲିସ ମଧ୍ୟ କୌଣସି ଗୁଣରେ ଊଣା ନୁହନ୍ତି । ଦାରୋଗାମାନଙ୍କର ଭକ୍ତି ଥାଉ ନଥାଉ ପଛକେ ବନ୍ଧୁକ ସଜ ପୂଜା ହେବ ବୋଲି ଗାଁ ଗାଁ ବୁଲି ଛେଳି ଓ ଟଙ୍କା ଅସୁଲ ହୁଏ । ପାତ୍ରେ ନିଜେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ଦପ୍ତର ଖୋଲି ଦିଅନ୍ତି-। ଦୁଇଟା ତିନିଟା ଛେଳି ବଳି ପକାଇ ଦେଇ ବାକିତକ ଅଲେଖା ବହିରେ ହିସାବ ହୋଇ ପାହିଆ ମୁତାବକ ସମସ୍ତେ ଦଶଅଣା ଛଅଅଣା କରି ବାଣ୍ଟି ନିଅନ୍ତି ।

 

ରାମଗିରିରେ ଜଣେ ପୋଳିସ ହାକିମଙ୍କର ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲି । ନଅ ମାସ କାଳ ମାଳ ଭିତରେ ରହିଲାପରେ ଅମଣିଆ ବଳଦପରି ସେ ନିଜର ସମସ୍ତ ସାଧୁମନ ହରାଇ ସାରିଥିଲେ, କଥାକେ କଥାକେ ତାଙ୍କ ମୁହଁରୁ ଅଶ୍ଳୀଳ ଉଡୁମ୍ୱର କଥା ବାହାରି ଯାଉଥିଲା । କୋଉ ଗାଆଁରେ ତଦାରଖ କରିବାକୁ ଯାଇ ସେ କେତେ ପ୍ରକାରେ ନିତମ୍ୱ—ଚାଲି ଦେଖିଥିଲେ କୋଉ ଇଲାକାର ପାତ୍ରଙ୍କ ଝିଅ କେତେ ସୁନ୍ଦର, ତାଙ୍କ ମୁହଁରୁ କେବଳ ସେହି ସବୁ ଖବର ବେଶ ମିଳୁଥିଲା । ପଚାରି ବୁଝିଲି, ଏଠିକାର ହାକିମମାନେ କୁଆଡ଼େ ଅଧିକାଂଶ ଏମିତି । ଲୋକମାନେ ଏତେ ଅଭଦ୍ର ଓ ଅବାଗିଆ ଯେ ଲୋକମାନଙ୍କୁ ସାବାଡ଼ କରିବା ଲାଗି କୁଆଡ଼େ ଏହିପରି ଅଭଦ୍ର ହେବାକୁ ପଡ଼େ । ପୁଣି କୈଫିୟତ ପାଇଲି, ଏହିସବୁ ହସ କଥାରେ ଲୋକଙ୍କୁ ମଜାଇ ନ ରଖିଲେ ସେଠି କୁଆଡ଼େ ଦଣ୍ଡେ ନିରାପଦ ହୋଇ ରହିହେବ ନାହିଁ ।

 

ପୋଲିସ ବାବୁଙ୍କର ସବୁଠାରେ ଭଲ ପରିଚୟ ମିଳିଥିଲା ରାମଗିରିର ବେଜୁ ଯାତ୍ରାରେ-। ବେଜୁକୁ ଘେରି କେତେ ପାହାଡ଼ ସେ ପାଖରୁ କେତେ ମଣିଷ ଆସି ଜମାହୋଇ ଯାତ୍ରା ଦେଖୁଥାନ୍ତି-। ମଝିରେ ଚାରୋଟି ଚଉକୀରେ ହାକିମମାନଙ୍କ ଲାଗି ଜାଗା ଛାଡ଼ି ଦିଆ ହୋଇଥାଏ । ସମ୍ମାନର କାଠ ଆସନରେ ବସି ପୋଲିସ ବାବୁ ସତେ ଅବା ଉତଫୁଲ୍ଲ ହୋଇ ଉଠୁଥାନ୍ତି । କୋଉଠି କୋଉ ସାହୀର କୋଉ ମାଇପେ ବସିଛନ୍ତି; ଜୋ’ହୁକୁମ ଗାଆଁ ଟୋକାଙ୍କୁ ଡାକି ସେ ସେଇକଥା ଚିହ୍ନାଉଥାନ୍ତି । ଚଉକୀ ପଛ ପଟେ ପାଣ ଶବର ଦେଖଣାହାରୀଙ୍କର ପଟାଳୀ ଲାଗି ରହିଥାଏ-। ମଝିରେ ମଝିରେ ଶବର ସ୍ତ୍ରୀ ଲୋକମାନଙ୍କୁ ଖଣ୍ଡିଆ ସିଗାରେଟ ଯାଚି ରହସ୍ୟ କରିବାରେ ପୋଲିସବାବୁ ବେଶ ଆନନ୍ଦ ପାଇଥାନ୍ତି ।

 

ହୁଏତ ଏ ସବୁ ଅଶ୍ଳୀଳ ବର୍ଣ୍ଣନା ଶୃଦ୍ଧ ସାହିତ୍ୟରେ ପଡ଼ି ନ ପାରେ । କିନ୍ତୁ ସତ୍ୟ ଜୀବନରେ ନିରପେକ୍ଷ ବର୍ଣ୍ଣନା ଯେ ଶ୍ରେଷ୍ଠ ସାହିତ୍ୟର ପଦବାଚ୍ୟ, ଏଥିରେ ନିଶ୍ଚୟ କାହାର ଆପତ୍ତି ରହିବ ନାହିଁ । ବିଳାସୀ ସମାଜରେ ପ୍ରେମଗତ ନାନା ଉଦ୍‍ବୃତ୍ତ ଉପସର୍ଗମାନଙ୍କର ବିଷୟବସ୍ତୁ ନେଇ ଆଜିକାଲି ସାହିତ୍ୟ ନାଁ’କମାଉଛି । କିନ୍ତୁ ନଗ୍ନ ନିପୀଡ଼ିତ ଜୀବନର ଏ ଅନ୍ତରଙ୍ଗ ବର୍ଣ୍ଣନା ହୁଏତ ଶୁଦ୍ଧ ସାହିତ୍ୟ ରସିକର ଉପଭୋଗ୍ୟ ନ ହୋଇପାରେ, କିନ୍ତୁ ସଭ୍ୟ ଜୀବନରେ ସୃତଳ ସ୍ତରର ସମ୍ୟକ ପରିଚୟ ଏଇଥିରୁ ହିଁ ମିଳୁଛି । ଆପଣାର ସମ୍ମାନ ହରାଇ ବସି ସଭ୍ୟ ମଣିଷ ଅପରକୁ ସମ୍ମାନ ଦେଖାଇବାର ଶୁଚି ଟିକକ ବିସ୍ମରି ବସିଛି । ସେଇଥିଲାଗି ଆପଣା ଗରୁ ଜୀବନର ସୁଯୋଗ ନେଇ ସେ ଲଘୁଜନମାନଙ୍କୁ ଆମୋଦ ଫୁତ୍କାରରେ ଉଡ଼ାଇ ଦେବାକୁ ଏତେ ଟିକିଏ ଲଜ୍ଜା ଅନୁଭବ କରୁନାହିଁ । ବିଗଳିତ-ଯୌବନା ଶବର ରମଣୀକୁ ଦେଖି ପୋଲିସବାବୁ ସିଗାରେଟ୍ ଯାଚୁଛନ୍ତି । ପାଖରେ ଥିବା ଆଉ ପାଞ୍ଚଜଣ ହସୁଛନ୍ତି, ଅଶ୍ଳୀଳତା ବୋଲି ଜାଣିଲେ ମଧ୍ୟ ରମଣୀର ସମ୍ମାନ ଫେରାଇ ଦେବାର ସାହସ କାହାରି ଭିତରେ ନାହିଁ । ସମସ୍ତେ ମିଶି ଅସମ୍ମାନିତ ସମର୍ଥନର ବେଶ୍ ରଙ୍ଗସଭା ଜମାଇ ଦେଇଛନ୍ତି; ଆପଣାର ଅପମାନକୁ ଚୂନ ଧଉଳାଇ ଦେଇ ସମସ୍ତେ ହସି, ହସି ସବୁ ସହୁଛନ୍ତି, ନଗ୍ନ ସମାଜର ଏହି ନିତ୍ୟ କାହାଣୀଠାରୁ କେଉଁ ଉପନ୍ୟାସ ବେଶୀ ଚିତ୍ତାକର୍ଷକ ହୋଇପାରେ ? ମଣିଷ ତା’ର ଗ୍ଳାନି ଠିକ୍ ବୁଝି ପାରୁଛି । ତଥାପି ତା’ଭିତରେ ରଡ଼ ନିଆଁରେ ଇନ୍ଧନ ପଡ଼ିପାରୁ ନାହିଁ । ଯେତେ ଅଶ୍ଳୀଳ ହେଲେ ମଧ୍ୟ ଏହାହିଁ ଏ ଯୁଗର ସବୁଠାରୁ ବଡ଼ ଉପନ୍ୟାସ ନୁହେଁ କି ?

☆☆☆

 

–ଚାରି–

 

ଏତେ ବଡ଼ ତାଲୁକାରେ ଗୋଟିଏ ବୋଲି ହାଇସ୍କୁଲ ଉଦୟଗିରିରେ । ସେଥିରେ ପୁଣି ଚାରିଟି ଶ୍ରେଣୀ ଲାଗି ତିନିଜଣ ଶିକ୍ଷକ । ତେଣୁ ସବୁବେଳେ ଗୋଟାଏ ଶ୍ରେଣୀ ବେଶ୍ ଛୁଟୀ ପାଇ ବୁଲେ ।

 

ସ୍କୁଲର ଛାତ୍ର ସଂଖ୍ୟା ମନ୍ଦ ନୁହେଁ । ତାଲୁକାଯାକ ଯେତେ ଯୁଆଡ଼ ପିଲା ବଡ଼ ପାଠ ପଢ଼ିବାକୁ ଏଇଠି ଜମା ହୁଅନ୍ତି । ହେଡ଼ମାଷ୍ଟର ଦକ୍ଷିଣୀ ଓଡ଼ିଆ, ପୁରୁଣା କାଳର ବି.ଏ. ପାସ୍ କରିଛନ୍ତି । ସ୍କୁଲ ପିଲାଙ୍କର ସମ୍ପର୍କରେ ଆସିବା ପୂର୍ବରୁ ଏଇ ହେଡ଼ମାଷ୍ଟ୍ରଙ୍କର ପରିଚୟ ମିଳିଲା ପୋଲିସ୍ ଥାନାର ପୂଜା ଭୋଜି ଦିନ । ସେଦିନ ଥାନାର ବନ୍ଧୁକ ସଜ ବସିଥାଏ, ଖରାବେଳେ ଦୁଇଟା ବୋଦା ବଳି ପଡ଼ିଥାଏ । ରାତିରେ ଗାଆଁ ଗୋଟାକର ନିମନ୍ତ୍ରଣ ଥାନାରେ । ହଠାତ୍ ସଞ୍ଜବେଳେ ଦକ୍ଷିଣୀ ମୋଟା ପ୍ୟାଣ୍ଟ ପିନ୍ଧା ଜଣେ ଭଦ୍ରଲୋକ ଯାଇ ଆମ ବସାରେ ହାଜର । ପରିଚୟ ହୋଇଗଲେ, ସେ ହେଉଛନ୍ତି ଉଦୟଗିରି ହାଇସ୍କୁଲର ହେଡ଼ମାଷ୍ଟର । ଗୋଡ଼ଠାରୁ ମୁଣ୍ଡଯାଏ ନିରୀଖି ଦେଖିଲି, ଏତେ ଟିକିଏ ହେଲେ କୋଉଠି ମାଷ୍ଟରୀ ଚେହେରା ନାହିଁ । ହୁଗୁଳା ପ୍ୟାଣ୍ଟ ଉପରେ ହୁଗୁଳା ଯାମା କେବଳ ହୁଗୁଳା ମନର ପରିଚୟ ଦେଉଛି । ମୋଟା ମୋଟା ନିଶ ଦୁଇଟା ମୁହଁର ଗମ୍ଭୀରତାକୁ ଆହୁରି ବିକୃତ କରି ପକାଇଛି । ତା’ପରେ ପୁଣି ଅବିରତ ସିଗାରେଟ୍‌ ଟାଣିବାରେ ଲାଗିଛନ୍ତି । ଶୁଣିଲି, ସିଗାରେଟ୍ ନ ଥିଲେ ବା ପାଣ୍ଠି କମ୍ ଥିଲେ ବିଡ଼ିରେ ବି ତାଙ୍କର ବେଶ୍ ଚଳିଯାଏ । ପୋଷାକୀ ଆବହାଓ୍ୱାଟା ଦେଖି ତାଙ୍କ ସହିତ ଆହୁରି ଘନିଷ୍ଠ ପରିଚୟ କରିନେବାକୁ ବଡ଼ କୌତୁକ ଲାଗୁଥାଏ । ନାନା ଆଡ଼ର ଗୁଲିଖଟି ଗପମାନ କହି ସେ ନିଜର ଅସଜଡ଼ା ମନର ବେଶ୍ ପରିଚୟ ଦେଉଥାନ୍ତି । ଅନେକ ପରିଚୟ ହୋଇଗଲା । ପାରଳାଖେମୁଣ୍ଡୀ ଚାରୁ ଓ ଚଟଣୀଠାରୁ ଆରମ୍ଭ କରି ରାମଗିରିର ପାଣ ଶବର ଲଢ଼େଇ ଯାଏ ସବୁ ଶୁଣିଲି । କିନ୍ତୁ ସେ ଯେ ଜଣେ ଶିକ୍ଷକ, ଗୋଟାଏ ହାଇସ୍କୁଲର ପ୍ରଧାନ ଶିକ୍ଷକ, ତା’ର ଏତେ ଟିକିଏ ସୂଚନା ମିଳିଲା ନାହିଁ ।

 

ସଞ୍ଜ ହେଲା; ରାତି ପ୍ରାୟ ଆଠଟାବେଳକୁ ଗାଁଆଲୋକେ ଡକାଡକି ହୋଇ ଥାନାକୁ ଆସିଲେ । ରୋଷେଇ ସରିଲାଣି, ପତର ପକାପକି ଚାଲିଥାଏ । ହଠାତ୍ ଦେଖିଲି, ହେଡ଼ମାଷ୍ଟର ବାବୁଙ୍କର ଆଜି ଭାରି ଉତ୍ସାହ । କାମ କିଛି ନ କରନ୍ତୁ ପଛକେ ତାଙ୍କର ପାଟି ଆଜି ସବୁଠିଁ ଶୁଣିବାକୁ ମିଳୁଛି । ଯେଉଁଠି ଯିଏ ଯେଉଁ ପ୍ରସଙ୍ଗରେ ଦୁଇ ପଦ କଥା କହୁଛି, ବିଜୁଳି ପରି ଛୁଟିଯାଇ ସେ ତାର ଜବାବ ଦେଇ ଆସୁଛନ୍ତି । କଥାରେ କୌଣସି ବାଇଶ ନାହିଁ, ସବୁ ସ୍ୱରର ସବୁ ସ୍ତରର ଶ୍ଳୀଳ ଅଶ୍ଳୀଳ କଥା ଆଜି ତାଙ୍କ ମୁହଁରୁ ଅଜାଡ଼ି ହୋଇ ପଡ଼ୁଛି । ସମସ୍ତେ ଖାଇ ବସିଲା ପରେ ତାଙ୍କର ଉତ୍ସାହ ଆହୁରି ବଢ଼ିଗଲା । ବାଆଁ ହାତରେ ସିଗାରେଟ୍ ଟାଣି ଟାଣି ଡାହାଣ ହାତରେ ବେଶ୍ ଖିଆ ଚାଲିଥାଏ, ଏଣେ ନାନା ଦିନର ନାନା ମଧୁର ସ୍ମୃତିର ମଧୁର ବୟାନ ମଧ୍ୟ ଚାଳିଥାଏ । ଭୋଜି ପଙ୍ଗତରେ ପାତ୍ରଙ୍କଠାରୁ ଆରମ୍ଭକରି ଗାଁ ଚଉକିଆ ପର୍ଯ୍ୟନ୍ତ ସମସ୍ତେ ବସିଥାନ୍ତି । ବାପପୁଅ, ଦାଦିପୁତୁରା ପାଖକୁ ପାଖ ବସିଥାନ୍ତି, ହେଡ଼ମାଷ୍ଟରଙ୍କର କଥା ବରଷାରେ ସମସ୍ତଙ୍କର ମୁହଁ ତଳକୁ ହୋଇ ଯାଉଥାଏ । ତଥାପି ଜଣେ କାହାରି ମୁହଁରୁ କୌଣସି କଥା ବାହାରୁ ନ ଥାଏ । କାତର କାବୁ ମଣିଷର ଏହି ସହିବା ଗୁଣଟା ଉଦୟଗିରିରେ ସବୁଠାରୁ ବେଶୀ ଦେଖି ଆସିଛି । ଏଠି ମଣିଷ ପେଟର ଅପମାନ ହୁଏ, ଶରୀରର ଅପମାନ ହୁଏ, ସମ୍ମାନର ଅପମାନ ହୁଏ । ଧଳାକୁରୁତାପିନ୍ଧା ଲୋକେ ଦୂର ଦୂରାନ୍ତରୁ ଆସି ଏଠି ବେଶ୍ କେତେଦିନ ମୁହଁ ଖୋଲା କରି ଦେଇଯାଆନ୍ତି; ତଥାପି ଥୋବରା ପାହାଡ଼ ଗୁଡ଼ାକ ପରି ମଣିଷର ଏତେ ଟିକିଏ ବି ନିଦ ଭାଙ୍ଗେ ନାହିଁ । ତା’ର ଚମ ତଳର ସମ୍ମାନ ତାକୁ ଛୁଞ୍ଚି ଫୋଡ଼ି ଅସ୍ଥିର କରି ଦିଏନି । ଗତ ଶତାବ୍ଦୀର କାର୍ଲ ମାର୍କସ୍‌ଙ୍କୁ ଏଥିଲାଗି ନମସ୍କାର କରିବାକୁ ଇଚ୍ଛା ହୁଏ । ପେଟ ନ ପୂରିଲେ ମନର ସମ୍ମାନିତ ଶକ୍ତି ମଧ୍ୟ ଦୁର୍ବଳ ଉଲଗ୍ନ ହୋଇ ସମସ୍ତଙ୍କର ଶିକାର ହୋଇ ପଡ଼େ । ଶରୀର ଉପରେ ଅଶରୀରୀ, ଅଶରୀରୀ ଆତ୍ମା ଉପରେ ଭଗବାନ, ଯିଏ ଯେଉଁ ବୈକୁଣ୍ଠରେ ଥାନ୍ତୁ ପଛକେ, ଶରୀରର ବାଡ଼ ନ ଡେଇଁଲେ ଉପରକୁ ଡେଇଁ ପଡ଼ିବା ଅସମ୍ଭବ । ତାକୁ କଦାପି ଜୀବନ ବିକାଶର ସ୍ୱାଭାବିକ ଧାରା ବୋଲି କୁହାଯାଇ ପାରିବ ନାହିଁ । ଅନ୍ତରର ଦେଉଳ ପୂର୍ଣ୍ଣ କରିବାକୁ ହେଲେ, ପହିଲେ ପେଟ ମାଣକ ପୂର୍ଣ୍ଣ କରିବାକୁ ହେବ । ପେଟ ଛଡ଼ା କାଙ୍ଗାଳରେ ଅନ୍ୟ ଭଗବାନ ନାହାନ୍ତି । ଏଣେ ପେଟକୁ ଅପୂରା ରଖି ଯେତେ ଧର୍ମର ଗୁଳି ଖୁଆଇ ସୁଶାସନର କଞ୍ଚାପାଣି ପିଆାଇଥିଲେ ମଧ୍ୟ ମଣିଷର ମନ ସେହିପରି ବିକଳ କାତର ହୋଇ ପଡ଼ିଥିବ ।

 

ଖିଆପିଆ ସରିଲା, ଯେଝା ଘରକୁ ଯିଏ ଗଲେ । ଏଥର ହେଡ଼ ମାଷ୍ଟର ବାବୁଙ୍କୁ ସମ୍ଭାଳେ କିଏ ? ସେ ଥାନା ଛାଡ଼ି କୁଆଡ଼େ ଯିବାକୁ ନାରାଜ । ବେଳକୁ ବେଳ ପାଟିର ସତେଜତା ବଢ଼ୁଛି । ମନକୁ ଯାହା ଆସୁଛି ସେ ବକି ବକି ଚାଲିଛନ୍ତି । ରାତି ସେତେବେଳକୁ ଅନେକ ବେଶୀ ହୋଇଗଲାଣି । ଶେଷକୁ ଯେ କୌଣସି ପ୍ରକାରେ ଘୋଷାରି ଓଟାରି ଚାରି ଜଣ ମଣିଷ ତାଙ୍କୁ ନିଜ ଘରେ ଛାଡ଼ିଦେଇ ଆସିଲେ ।

 

ବେଶ ବୁଝି ପାରିଲି । ହେଡ଼ ମାଷ୍ଟରଙ୍କର ମଦ ଅଭ୍ୟାସ ଅଛି । ପଇସା ପାଏନାହିଁ ବୋଲି ସେ ଦେଶୀ ତାଡ଼ି ପିଅନ୍ତି । ସେଥିଲାଗି ଦିନରେ ବେଶ ଭଦ୍ରଲୋକ ଓ ଭଲଲୋକ ଥିଲେ ମଧ୍ୟ ରାତିକୁ ତାଙ୍କର ଭିତର ରୂପଟା ପ୍ରକାଶ ପାଏ । ସେ ଏଠି ଅନେକ ବରଷ ହେଲା ଚାକିରି କଲେଣି । ତେଣୁ ଆଖ ପାଖ ଅନେକ ଗାଉଁଲୀ ଲୋକଙ୍କ ସହିତ ତାଙ୍କର ବେଶ ପରିଚୟ ଅଛି । ଗାଆଁ ଗଣ୍ଡାରୁ ଯେତେ ପିଲା ଉଦୟଗିରି ପଢ଼ିବାକୁ ଆସନ୍ତି, ସେହିମାନେ ମଦ ସରବରାହ କରି ହେଡ଼ ମାଷ୍ଟରଙ୍କୁ ଆଣି ଦିଅନ୍ତି । ଅଭିଭାବକମାନଙ୍କ ସହିତ ଶିକ୍ଷକଙ୍କର ଏହି ସମ୍ୱନ୍ଧଟି ବେଶ ମଜା ଲାଗିଲା । ପୁଣି ଶୁଣିଲି ରାତିରେ ପିଲାଙ୍କୁ ପଢ଼ାଉ ପଢ଼ାଉ ଦରକାର ପଡ଼ିଲେ ପଢ଼ୁଆ ପିଲା ଲଣ୍ଠନ ଟେକି ଧରନ୍ତି, ହେଡ଼ ମାଷ୍ଟର ଗିଲାସରେ ତାଡ଼ି ଢାଳି ପିଅନ୍ତି ।

 

ଶିକ୍ଷକ ମହାଶୟଙ୍କର ଏହି ବୀଭତ୍ସରୂପର ଆଉ ଗୋଟାଏ ପାଖରେ ତାଙ୍କର ପରିବାର-। ନଷ୍ଟ ମଣିଷର ସମସ୍ତ ନୃଶଂସ ଅଭିଶାପ ଯେପରି କେବଳ ସେହି ଅଭାଗିନୀ ଉପରେ ଯାଇ ପଡ଼ିଛି, ଯେ ଅଜ୍ଞାତରେ ମଦୁଆ ମଣିଷ ଜଣକୁ ନିଜ ସ୍ୱାମୀ ବୋଲି ଗ୍ରହଣ କରିଛି । ଘରକୁ ଗୋଟିଏ ହେଲେ ପଇସା ଯାଏ ନାହିଁ, ଦରମାତକ ରାସ୍ତାକଡ଼ ଦୋକାନରେ ଦିଆହୁଏ ବା ଧୂଆଁ ଟଣା ହୁଏ-। ତା ଉପରେ ପୁଣି ମଝିରେ ମଝିରେ ତାଙ୍କୁ ମାଡ଼ ଖାଇବାକୁ ହୁଏ ।

 

ସ୍କୁଲ ପିଲାଙ୍କ ଭିତରୁ ଅନେକ ବାହାହୋଇ ପଡ଼ିଛନ୍ତି । ଉଦୟଗିରିର ବାହାଘର ବଳଦ କିଣାପରି ଅତି ସହଜ । ବାପ ମା ଇଚ୍ଛାକଲେ ଘରକୁ ବହୁ ନେଇ ଆସନ୍ତି । ଅବାଡ଼ୁଅ ଛାତ୍ରଙ୍କୁ ମଦୁଆ ମାଷ୍ଟର, କିଏ କାହାଠାରୁ ଆଦର୍ଶ ଓ ପ୍ରେରଣା ଗ୍ରହଣ କରୁଥିବ, ତାହା କେବଳ ସେହି ଭଗବାନଙ୍କୁ ଜଣା । ଏ ଦେଶରେ ଦେବତା ଘରମାନ ଅଛୁଆଁ ଲୋକ ପାଇଁ ମନା ଅଛି । ସଂସାରର ଶିଶୁ ଦେବତା ଯେଉଁ ବାଣୀ ମନ୍ଦିରରେ ଜୀବନ ପାଣିରେ ପୂଜା ପାଇବା କଥା, ସେ ମନ୍ଦିରରେ ଏପରି ଅଦୃଶ୍ୟ ଶିକ୍ଷକଙ୍କର ଅନଧିକାର ଚର୍ଚ୍ଚା କେତେଦିନ ଯାଏ ଚାଲିଥିବ ? ମଦ ଖାଇବା ଲାଗି ଟଙ୍କା ଦରକାର, ତେବେ ସେମାନେ ଅନ୍ୟତ୍ର ଯାଇ ଲକ୍ଷ୍ମୀ ଖୋଜି ବୁଲୁ ନାହାନ୍ତି କାହିଁକି ? ଟଙ୍କା ଲୋଭୀର ପକେଟ ଭରାଇବା ଲାଗି କେତେ ଉଡ଼ାଜାହାଜ ପଡ଼ିଆ ତିଆରି ହେଉଛି; ଜଙ୍ଗଲ ସଫା ହୋଇ କେତେ ତିନିତାଲା ଘର ତିଆରି ହେଉଛି; କେତେ ତେଲ କଳ, ରଙ୍ଗ କମ୍ପାନୀ ଓ ସିନେମା ମାମଲତି ଖୋଲୁଛି । ସେଠି ଯାଇ ପଶୁଥିଲେ ତ ସେମାନଙ୍କର ଆଶା ପୂରୁଥାନ୍ତା, ଜୀଅନ୍ତା ଦେଶଟା ମଧ୍ୟ ସେମାନଙ୍କର ଦୌରାତ୍ମ୍ୟରୁ ରକ୍ଷା ପାଉଥାନ୍ତା । ଦେଶର ସ୍କୁଲ, ଦେଶର ଡାକ୍ତରଖାନା,—ଏ ସବୁ ଦେଶର ଫୁଳ ବଗିଚା; ଏଠି ମାଟି ନେଇ କାରିଗର ଜୀବନ ଗଢ଼େ । ମାଳୀର ହାତ ନ ହେଲେ ଏ ବଗିଚା ଉଦେଇ ପାରିବ ନାହିଁ । ଯାହାର ମଦ ଦରକାର, ଯାହାର କୋଠା ଦରକାର ସେ ପଛକେ ଯାଉ ବେପାର କରୁ କି ବଣିଆ ହେଉ । କିନ୍ତୁ ଭବିଷ୍ୟତରେ ଫୁଲ ବଗିଚାରେ ତା’ର ଦନ୍ଥରା ଦାନ୍ତ ବସାଇଲେ ଭଗବାନ ମଧ୍ୟ ସହ୍ୟ କରି ପାରିବେ ନାହିଁ ।

 

ଜଣେ ମାଷ୍ଟର ମଦ ନେଇ ଭୋଳ, ଆଉ ଜଣେ ନେଇ । ପ୍ରଥମେ ଯେଉଁ ଦିନ ଉଦୟଗିରିରେ ପହଞ୍ଚିଲି, ସେ ଦିନ ସନ୍ଧ୍ୟାବେଳେ ହଠାତ୍ ଦେଖିଲି ନିତାଇ ଗୌର ଫଟୋକୁ କୋଳରେ ଧରି ଗୋଟିଏ ଛୋଟିଆ ଶୋଭାଯାତ୍ରା । ଗାଆଁ ଦାଣ୍ଡ ମାନଙ୍କରେ ବୁଲି ଆସିଲା । ତା’ଆର ଦିନ ସନ୍ଧ୍ୟା ବୁଡ଼ିଲା ପରେ ମଧ୍ୟ ସେହି ଦୃଶ୍ୟ ଦେଖିବାକୁ ମିଳିଲା । ପ୍ରଥମେ ପ୍ରଥମେ ଦେଖିବାକୁ ବେଶ୍ କଉତୁକ ଲାଗିଲା, ବିଶେଷତଃ ଦକ୍ଷିଣୀ ଓଡ଼ିଆ ମୁହଁରେ ବଙ୍ଗଳା କୀର୍ତ୍ତନ ପଦଗୁଡ଼ାକ ଶୁଣି ପହିଲେ ହସ ସମ୍ଭାଳି ପାରିଲି ନାହିଁ । ବହିରେ ପଢ଼ିଛି ଚୈତନ୍ୟ ଜନ୍ମ ଗ୍ରହଣ କରିଥିଲେ ବଙ୍ଗଦେଶର ନଦୀୟା ନଗରରେ । ତାଙ୍କର ମତ୍ତ-ଭୋଳ ଭକ୍ତି ସ୍ରୋତରେ ବଙ୍ଗଳା ଭାଷା ସୁଦ୍ଧା ଦକ୍ଷିଣ ଓଡ଼ିଶାର ଏ ଜଙ୍ଗଲ ଭେଦି ବୋହି ଆସିଛି । ଖ୍ରୀଷ୍ଟିଆନ୍ ପାର୍ଦ୍ରୀମାନେ ପ୍ରଥମେ ଏ ଦେଶରେ ଲଣ୍ଡନର ନର ଓ ନାରାୟଣଙ୍କର ଭେକ ଓ ଟେକର ପୂଜା ଶିଖାଇ ଦିଲ୍ଲୀ ଶାସନର ଚେର ମଡ଼ାଇ ଦେଇଥିଲେ । ହୁଏତ ସେମାନଙ୍କର ଧର୍ମରୁ ଖୋଳପା ଝଡ଼ି ବିଦେଶୀ ବେଶଭୂଶାର ଢେର ସଂକ୍ରାମଣ ଏ ଦେଶରେ ହୋଇଛି, କିନ୍ତୁ ଗୋଟାଏ କ୍ଷେତ୍ରରେ ସେମାନେ ଚିରଦିନ ପୂଜ୍ୟ ଓ ‘ନମସ୍ୟ’ । ନାନା ଅନୁନ୍ନତ ଭାଷାର ଲିପି ଓ ଚଳଣିର ସଂସ୍କାର କରାଇ ସେମାନେ ଦେଶର ସାମାଜିକ ଇତିହାସରେ ଚିରଦିନ ଅଗ୍ରଣୀର ସମ୍ମାନିତ ଆସନ ଅଳଂକୃତ କରିଥିବେ । କିନ୍ତୁ ବୈଷ୍ଣବ ଦୀକ୍ଷାର ପ୍ରଚାର-ଧର୍ମ ଆହୁରି ପାଦେ ଆଗକୁ ଚାଲିଯାଇଛି । ଯେଉଁ ଦେଶକୁ ଯାଇଛି, ସେ ଦେଶରେ ଆପଣା ଭୂଷଣମାନ ଠେଲି ଆସ୍ଥାନ ମାଡ଼ି ବସିଛି ଏହି ଭକ୍ତି ଧର୍ମର ଦୌରାତ୍ମ୍ୟ । ସେଇଥିଲାଗି ଓଡ଼ିଆ ଜଣାଣ, ସ୍ତୁତିମାନ ଭୁଲି ବି ଓଡ଼ିଶାର ଗ୍ରାମେ ଗ୍ରାମେ ବଙ୍ଗଳା କୀର୍ତ୍ତନ ଓ ଭଜନର ବିକୃତ ବିଳାସ ଚାଲିଛି; ଭକ୍ତିର ଅହିଂସ ମଗର ବେଶ୍ ଧୀରେ ଧୀରେ ଜାତିର ହାଡ଼ ତାଡ଼ି ତାଡ଼ି ଚାଲିଛି । ଏ ଦେଶରେ ଅନେକ ବୈଷ୍ଣବ ଅଛନ୍ତି । ଏ ଦେଶର ଅନେକ ଜମିବାଡ଼ି ଖଞ୍ଜା ହୋଇ ସେମାନଙ୍କର ଶହେ ଆଠ ଉପଚାର ଆହ୍ନିକ ଚାଲିଛି । ଏଦେଶର ଭାଷା ଏ ଦେଶର ଭାବଭୂମି ଓ ଏ ଦେଶର ପ୍ରାଣର ନିଜତ୍ୱ ଆଡ଼କୁ ଦେଖିବାକୁ ସେମାନେ ଏକାବେଳେକେ ଆଖି ବୁଜି ପକାଇଛନ୍ତି ।

 

ଉଦୟଗିରିରେ ରେଲ ନାହିଁ, ମଟର ନାହିଁ, ତଥାପି ଷୋଳ କୋଶର ଜଙ୍ଗଲ ଭେଦି ସେଠି ବୈଷ୍ଣବ ଧର୍ମର ଉଡ଼ା ମାରୀଚ ଯାଇ ପ୍ରବେଶ କରିଛି । ହାଇସ୍କୁଲର ଜଣେ ଶିକ୍ଷକଙ୍କୁ କେନ୍ଦ୍ର କରି ଏହି ବୈଷ୍ଣବ କୀର୍ତ୍ତନ ବେଶ୍ ଉଧେଇ ଉଧେଇ ଚାଲିଛି । ଦିନରେ ଯେଉଁମାନଙ୍କ ସହିତ ଛାତ୍ରର ସମ୍ୱନ୍ଧ ଥାଏ, ସେହିମାନେ ରାତିରେ ନିତାଇ ଗୌରଙ୍କର ଫଟୋ ପାଖକୁ ଆସି ଭକ୍ତିର ସମ୍ୱନ୍ଧ କରି ନିଅନ୍ତି । ଶୁଣି ପାରିଲି, ଏଇ କେତେଦିନ ହେଲା ଉଦୟଗିରି ବେଶ୍ କୀର୍ତ୍ତନରେ ମାତିଛି-। ଶିକ୍ଷକ ମହାଶୟଙ୍କର ଏ ଦିଗରେ ଭାରି ଉତ୍ସାହ, ପ୍ରାୟ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ଖଣ୍ଡେ ଖଣ୍ଡେ ଚୈତନ୍ୟ ଚରିତାମୃତ ପଢ଼ିବାକୁ ଦେଇ ଆସିଛନ୍ତି । କେବଳ ବୈଷ୍ଣବ ପଥରେ ଗଲେ ମଣିଷକୁ ଆଉ କିଛି କରିବାକୁ ପଡ଼ିବନି; ଚରମ ଶାନ୍ତି ଓ ପରମ ମୁକ୍ତି କେବଳ ଏହି ମାର୍ଗରେ ମିଳି ପାରିବ; ଏହାହିଁ ହେଉଛି ଶିକ୍ଷକ ମହାଶୟଙ୍କର ମୃଗ୍‌ଧ ଦର୍ଶନର ଇତି କଥା । ପଦେ କଥା ଏଯୁଗରେ ବେଶ୍ କାଟୁ କରିପାରେ । ଖଣ୍ଡେ କାଠି ମାଡ଼ିଦେଲେ ପଣସର ନାଡ଼କୁ ଆବୋରି ରହିଥିବା ମାଛିପଲ ଯେପରି ଏକାବେଳକେ ଭଣ ଭଣ କରି ଉଠନ୍ତି, ଏଯୁଗର ମାଛି ମଣିଷ ସେମିତି ପଦେ କଥା ପଛରେ ଧାଏଁ, ପଦେ ଗୀତରେ ବାଉଳା ହୋଇଯାଏ, ପଦେ ନିଆଁମନ୍ତ୍ର ଶୁଣି ସେ ବେଶ୍ ପାଗଳ ହୋଇପାରେ । ଜୀବନ ବଞ୍ଚିବାର ଆପଣା ନିର୍ବାଚିତ ପଥ ଯେଉଁଠି ନାହିଁ, କେବଳ ସେଇଠି ମଣିଷ ଅତି ସହଜରେ କୋଠାରେ, କଥାରେ ଓ କୀର୍ତ୍ତନ କବିତାରେ ଭୋଳ ହୋଇଯାଏ । ଥରେ ହରିନାମ ଶୁଣିଲେ ଏହିପରି ମଣିଷହିଁ ଘଡ଼ିଏ କାଳ ଗୋଡ଼ ତଳେ ପଡ଼ି ପଡ଼ି ରହେ ।

 

ଉଦୟଗିରିରେ କିଏ ସ୍କୁଲରେ ପାଠ ପଢ଼େ, କିଏ ଡାକ୍ତରଖାନାରେ ବାହାର କାମ କରେ, କିଏ ଥାନାବାବୁଙ୍କର ରୋଷେଇ କରିଦିଏ, କିନ୍ତୁ ସଞ୍ଜହେଲେ ସମସ୍ତେ ଯାଇ ଚୈତନ୍ୟ ଆଖଡ଼ାରେ । ସେଠି ବୟସର ଭେଦ ନାହିଁ, ବାପ ପୁଅର ଭେଦ ନାହିଁ, ଭାଇ ଭଉଣୀର ଭେଦ ନାହିଁ, ଆଠ ବରଷର ଗାଈ ଜଗୁଆଳ ପିଲାଠାରୁ ଆରମ୍ଭ କରି ଅଠତିରିଶ ବର୍ଷର ଶିକ୍ଷକ ମହାଶୟଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ମନରେ ଭଗବାନଙ୍କର ପରିକର ସାଜି ସେଠାକୁ ନାଚିବାକୁ ଯାନ୍ତି । ଏଇ କେତେଦିନ ହେଲା ଶିକ୍ଷକ ଜଣକ ନାନା ଚମତ୍କାର କଥା ଦେଖାଇ ଭକ୍ତମାନଙ୍କୁ ମୁଗ୍‍ଧ କରି ଆଣିଛନ୍ତି । ଛୋଟ ଛୋଟ ପିଲାମାନଙ୍କୁ ହରେକୃଷ୍ଣ ହରେରାମର ଧୁନି ବୋଳାଇ ବୋଳାଇ ସେମାନଙ୍କୁ କୁଆଡ଼େ ସେ ନିର୍ବିକଳ୍ପ ନିଶ୍ଚଳ କରିପକାନ୍ତି । ଅଙ୍ଗ ପ୍ରତ୍ୟଙ୍ଗ ସମସ୍ତ ନାଚିବା ଭଂଗୀରେ ସ୍ଥିର ହୋଇଯାଏ, ସମସ୍ତ ଚାଳନା ବନ୍ଦକରି ଜିଭ ସ୍ଥିର ହୋଇଯାଏ । ଆଖିରେ ଆଉ ପଲକ ପଡ଼େନାହିଁ । ତା’ପରେ ଘଡ଼ିକି ଲାଗି ପିଲାମାନେ ଅଚେତା ହୋଇ ପଡ଼ିରହନ୍ତି । ଏଇଥିରୁ ସମସ୍ତଙ୍କର ବିଶ୍ୱାସ ଯେ ଶିକ୍ଷକଙ୍କ ଭିତରେ ନିଶ୍ଚୟ ଭଗବାନଙ୍କର କଳା ରହିଛି । ନହେଲେ ଛୋଟ ଛୋଟ ଅଜ୍ଞାନ ପିଲାଙ୍କୁ ସେ ନିଶ୍ଚଳ ସମାଧିରେ ଠିଆ କରାଇ ଦେଉଛନ୍ତି କିପରି ?

 

ଭୁଲାଇବାକୁ ବା ଭୋଳକରିବାକୁ କଦାପି କେଉଁ ଯୁଗରେ ବି ଭଗବାନଙ୍କର ଆବିର୍ଭାବ ହୋଇନାହିଁ । ଭଗବାନ ଯୁଗ ଯୁଗ ଧରି ଆପଣା ମହତ୍ତ୍ୱ ବିଷୟରେ କେବଳ ମଣିଷକୁ ଚେତେଇ ଦେଇ ଯାଉଛନ୍ତି । ଭୋଳ ହୋଇଛି କେବଳ ସେ ନିଜେ ଆପଣା ଅଧଚିହ୍ନା ମନର ଆଚ୍ଛନ୍ନ ଆବେଗ ନେଇ । ଭଗବାନଙ୍କର ଭକ୍ତ ସାଜି ଏଇ ମଣିଷ କେତେ ମାତିଛି, ଗାଇଛି, ପୁରାଣ ପୋଥିର ଦୃଷ୍ଟାନ୍ତମାନ ନେଇ ସେ କେତେ ଚାହିଛି ଆପଣାକୁ ଅଜାମ୍ୱିଳ ପରି ଭୋଳ କରିଦେବାକୁ; ଦଧିଭାଣ୍ଡ ଭାଜି ଦାଣ୍ଡ ଧୂଳିରେ ସେ କେତେ ଗଡ଼ିଛି । କିନ୍ତୁ ତଥାପି ଧର୍ମର ଅଧିଷ୍ଠାନ ହୋଇନାହିଁ । ଯେଉଁ ମହାପୁରୁଷ ପ୍ରଥମେ ଏ ଜଗତକୁ ବୈଷ୍ଣବ ଧର୍ମର ପ୍ରେମବାଣୀ ବହନ କରି ଆଣିଥିଲେ, ହୁଏତ ଦିବ୍ୟ ଶରୀରରେ ବଞ୍ଚିଥିଲେ ସେ ଆପଣା ଧର୍ମର ବର୍ତ୍ତମାନ ଦଶା ଦେଖି ଅବସନ୍ନ ଦୀର୍ଘଶ୍ୱାସ ପକାଇଥାନ୍ତେ ।

 

ଧର୍ମ ସମସ୍ତ ଜୀବନର, ଜୀବନର ପତ୍ରଳ ଶାଖାକୁ ଧନ୍ୟ କରି ଚେତ୍ ବିକାଶର ଯେଉଁ କୁସୁମଟି ଆପେ ପ୍ରସ୍ଫୁଟିତ ହୋଇଉଠେ ସେହି ହେଉଛି ଧର୍ମ । ଦରମଲା ଦନ୍ଥଡ଼ା ମୁଣ୍ଡା କାଠର ନିର୍ଜୀବତା ଘୋଷଣା କରି ଫୁଟି ଉଠୁଥିବା ଛତୁ ସହିତ ଧର୍ମର ତୁଳନା କରି ହେବନାହିଁ । ସମସ୍ତ ଧ୍ୟାନ ପାତ୍ର ଗୋଟିଏ ଦିଗକୁ ଉନ୍କୁଖ କରି ଯେତେବେଳେ ମଣିଷ ଆପଣାର ସୁବିଜ୍ଞ ଆତ୍ମସମର୍ପଣ କରି ଦେଇ ପାରେ, ସେତିକିବେଳେ ତା’ର ଅନ୍ତରକବାଟ ଖୋଳେ, ସେତିକିବେଳେ ତା’ର ଅନ୍ତରରେ ଧର୍ମର ଉଦୟ ହୁଏ । ସବୁ ଦେଶରେ, ସବୁ ସମାଜରେ ଯେତେ ଯିଏ ମନୀଷୀ ମହାପୁରୁଷ ଆସିଛନ୍ତି, ସେମାନେ ସମସ୍ତେ ଏଇ ସୁବିଜ୍ଞ ଆତ୍ମସମର୍ପଣର ଆହ୍ୱାନ ଦେଇ ଯାଇଚନ୍ତି-। ବିକାର ରୋଗୀ ଜୀବନ ଜ୍ୱାଳାରେ ଅସ୍ଥିର ହୋଇ ମରଣ ଗ୍ରାସରେ ଆପଣାକୁ ସମର୍ପଣ କରିଦେଲା ପରି ଅଜ୍ଞଭାବେ ଉଜାଡ଼ି ଦେବାର ଦୁର୍ବଳ ଅସ୍ଥିରତାକୁ ସେମାନେ ଚିରକାଳ ନିନ୍ଦା କରି ଆସିଛନ୍ତି । କେବଳ ରାଜନୀତି, କେବଳ ଶିକ୍ଷା, କେବଳ ସଂସାର ଜ୍ଞାନକୁ ସେମାନେ ଅସମ୍ଭବ ବୋଲି ଘୋଷଣା କରିଛନ୍ତି । ନାନା ପୃଥକ ଘଣ୍ଟାରେ ବିଭକ୍ତ ହୋଇଥିବା ଜୀବନ ଚର୍ଯ୍ୟାକୁ ସ୍ୱାଭାବିକ ଜୀବନ କହି ହେବ ନାହିଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାରେ ସେଇ ଦୋଷଟାହିଁ ମଣିଷର ସର୍ବନାଶ କରିଛି । ସଭ୍ୟ ମଣିଷ ହୁଏତ ଆଜି ପାର୍ଲିମେଣ୍ଟରେ ରାଜନୀତି କରୁଛି, କ୍ଳବ ଘରେ ବସି ମଦ ପିଉଛି, ନେତା ହୋଇ ଦେଶବାସୀଙ୍କୁ ଉପଦେଶ ଦେଉଛି, ଏଣେ ଆପଣା ବ୍ୟକ୍ତିଜୀବନର ଉଢ଼ୁଆଳ ଛାଇ ଭିତରେ ତା’ର ସ୍ୱାର୍ଥୀ ଦୈତ୍ୟଟା ତାକୁ ଭୁବନଛଡ଼ା କରି ଉଡ଼ାଇ ନେଇଛି । ତାହା କିନ୍ତୁ ଧର୍ମ ନୁହେଁ—ସମାଜର ଯାବତୀୟ ବ୍ୟଭିଚାରରେ, ସନ୍ତର୍ପଣରେ ସହଯୋଗ କରି ଘଡ଼ିଏ ଭଗବାନଙ୍କ ପାଖରେ ବସି ଭୋଳ ହେଲେ ହୃଦୟ ଦୁଆର କଦାପି ଖୋଲି ପାରିବ ନାହିଁ ।

 

ଗାନ୍ଧୀର ରାଜନୀତି, ସେକ୍ରେଟିସ୍‌ଙ୍କର ପୌରଚେତନା ବା କନ୍‌ଫୁସିଅସ୍‌ଙ୍କର ସଂସାରଜ୍ଞାନ ସେମାନଙ୍କର ଧର୍ମଠାରୁ ପୃଥକ କୌଣସି ପଦାର୍ଥ ନ ଥିଲା । ସେମାନେ ସମଗ୍ର ଜୀବନର ପୂଜାରୀ ଥିଲେ, ସେଥିଲାଗି ସମଗ୍ର ମଣିଷର ଉପଚାର ବାଢ଼ିବାର ପ୍ରସାରୀ ପ୍ରେମଦୃଷ୍ଟି ରଖି ପାରିଥିଲେ କେବଳ ସେହିମାନେ । ବାସ୍ତବ ଓ ଅତିବାସ୍ତବ ଉଭୟ ଜୀବନରେ ମଣିଷ ଆପଣାର ସମସ୍ତ ଆବେଗ ଓ ଆକାଙକ୍ଷାକୁ ଏକୋଦ୍ଦିଷ୍ଟ କରି ଗୋଟିଏ କୁସୁମପରି ନିଜକୁ ପ୍ରକାଶିତ କରୁ, ଏହାହିଁ ଜଗତର ସବୁ ମହାତ୍ମାଙ୍କର ସାର କଥା । ସୁତାକଟାଠାରୁ ଆରମ୍ଭ କରି ସିମଳା କଥାଚକଟା ଯାଏ ମହାତ୍ମାଗାନ୍ଧୀଙ୍କର ପ୍ରତ୍ୟେକ କାର୍ଯ୍ୟର ମର୍ମରେ ଏହି ଏକ ଧର୍ମହିଁ ଭେଦ ରହିଥିଲା । ମଣିଷର ସ୍ୱପ୍ନଠାରୁ ତା’ର କାର୍ଯ୍ୟ ଭିନ୍ନ ନୁହେଁ, ମଣିଷର ସାମର୍ଥ୍ୟଠାରୁ ତାର ଆଶା ଭିନ୍ନ ନୁହେଁ, ମଣିଷର ଭଗବାନଠାରୁ ସେ ନିଜେ ଭିନ୍ନ ନୁହେଁ, ଏହି ସମବୋଧ ବା ସମ୍ମାନ ବୋଧ ଯେତେବେଳେ ଆସିବ, ଯେତେବେଳେ ଯଥାର୍ଥ ଧର୍ମର ସଂସ୍ଥାପନା ହେବ, ଭିତର ବାହାର ବ୍ୟକ୍ତି ଓ ସମୂହ ଭିତରେ ସେତେବେଳେ କିଛି ଭେଦ ରହିବ ନାହିଁ । ସେତେବେଳେ ମଣିଷ ଜୀବନର ପ୍ରତ୍ୟେକଟି ଦିଗ ଫୁଟନ୍ତା ଗଛପରି ସୁରଙ୍ଗ ଓ ସୁନ୍ଦର ହୋଇ ଉଠିବ ।

 

ବୁଦ୍ଧ କହ, ମହମ୍ମଦ କହ, ଚୈତନ୍ୟ କହ, ସମସ୍ତେ ଏହାହିଁ ଚାହିଁଥିଲେ । ମଣିଷର ଆପଣା ଜ୍ୟୋତି ସହିତ ପରିଚୟ କରାଇ ଦେଇ ତା’ର ସମ୍ମାନିତ ସେହି ଆଲୋକ ପାତ୍ରକୁ ଜ୍ୟୋତିର୍ମୟ ଲୋକ ଆଡ଼କୁ ମୁହାଁଇ ଧରାଇ ଦେବା ସବୁ ଧର୍ମଦ୍ରଷ୍ଟାମାନଙ୍କର ଉଦ୍ଦେଶ୍ୟ ଥିଲା । ଜୀବନକୁ ଭାଗ ଭାଗରେ ବିଭକ୍ତ କରି ପକାଇଲେ ସ୍ୱଭାବ ସୁନ୍ଦର ଭାବେ ଆପଣାର ଉଦୟ ସମ୍ଭବ ହୋଇପାରିବ ନାହିଁ,—ଏହି ପ୍ରଥମ ବିଦ୍ରୋହରେହିଁ ପ୍ରତ୍ୟେକ ଧର୍ମର ଆବିର୍ଭାବ ହୋଇଥିଲା ।

 

ବୁଦ୍ଧ ଗଲେଣି, ମହମ୍ମଦ ଗଲେଣି; ଦି’ବରଷ ତଳେ ଚମ ଶରୀରର ଗାନ୍ଧୀ ମଧ୍ୟ ଢଳି ପଡ଼ିଗଲେଣି; କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ସେହି ସମଗ୍ର ଜୀବନର ସ୍ୱପ୍ନ ସଫଳ ହୋଇପାରି ନାହିଁ । ସାମାଜିକ ଜୀବନରେ ନାନା ଦୁର୍ଗନ୍ଧ ଦୁଷ୍ଟତାର ଖତଗଦା ଭିତରେ ଜୀବନ ନିତି ହାହାକାର କରି ଉଠୁଛି । ବ୍ୟକ୍ତିଗତ ଜୀବନ କ୍ଷେତ୍ରରେ ସହସ୍ର ପ୍ରକାରର ଫାଶ ପଡ଼ି ନାନା ସ୍ୱାର୍ଥର ନାନା ଅଭିସନ୍ଧି ଭିତରେ ଜୀବନର ସ୍ୱାଭାବିକ ରୂପଟିକୁ ପଚାଇ ସଢ଼ାଇ ଦେଉଛି, ନାନା ଭୟର ବିପର୍ଯ୍ୟୟ ମଧ୍ୟରେ ପଡ଼ି ମଣିଷ ପୋକପରି ପରାଧୀନ ଓ ପରିତୃଷ୍ଟ ହୋଇ ରହିବାକୁ ଅସହ୍ୟ ବୋଧ କରୁନାହିଁ, ତଥାପି ଯୁଗର ମନ୍ଦିରରେ ନିତି ଘଣ୍ଟା ମାଦଳ ବାଜୁଛି, ଏ ଯୁଗର ମସ୍‌ଜିଦ୍‌ରେ ବଧିର ଭଗବାନ ଉଦ୍ଦେଶ୍ୟରେ ନିତି ଆଜାନ୍ ଚିତ୍କାର ହେଉଛି, ନିତି ମାଳା ଧୂପ ଓ ପୋଷାକ ଭୋକରେ ବିକୃତ ଧର୍ମପତ୍ରର ପୃଷ୍ଠା ଓଲଟା ହୋଇ ଯାଉଛି । ଦେବତାର ପରିଚୟ ଲାଗି ଆଗେ ଆପଣା ଜୀବନକୁ ଦେବାଳୟ ପରି ଗଢ଼ିବାକୁ ହେବ; ସମସ୍ତ ଭୟ, ସମସ୍ତ ତ୍ରାସ ଦୂର କରିପାରିଲେ ଯାଇ ମଣିଷ ଭଗବାନଙ୍କୁ ଯଥାର୍ଥ ଭୟ କରି ଶିଖିବ; କେବଳ ସେତିକିବେଳେ ତା’ର ସମ୍ମାନିତ ସମର୍ପଣ ତାକୁ ବରାଭୟର ଅଧିକାରୀ କରିଦେଇ ପାରିବ । ଏ ଯୁଗର ତଳିଆ ମଣିଷକୁ ଚାରିଆଡ଼ୁ ନାନାପ୍ରକାରେ ଆବୃତ କରି ରଖାଯାଇଛି । ନିକୃଷ୍ଟ ପୋକର ମଧ୍ୟ ଯେଉଁ ଅନ୍ନମୟ ଉପଭୋଗର ସ୍ୱାଧୀନତା ଟିକକ ରହିଛି, ବର୍ତ୍ତମାନ ଜଗତର ଅଧେ ମଣିଷ ସେତିକିରୁ ବଞ୍ଚିତ ହୋଇ ପଡ଼ିଛନ୍ତି । ସେମାନଙ୍କର ମନର ସମସ୍ତ ଉଦ୍ୟମ ଓ ଉଦ୍‌ଯୋଗ କୋଉକାଳରୁ ନିଶ୍ଚିହ୍ନ ହୋଇଗଲାଣି । ଏହିପରି ଗୋଟିଏ ମଣିଷ ପଲକୁ ଆଜି ଯେତେବେଳେ ସଭ୍ୟ ମଣିଷ ଶିକ୍ଷକ ସାଜି ଧର୍ମ ଓ ଆଧ୍ୟାତ୍ମିକତାର ପ୍ରଳାପ-ପାଚନ ପିଆଇବାକୁ ଆସୁଛି ସେତେବେଳେ ନିଶ୍ଚୟ ମଣିଷ ଭିତରର ଭଗବାନ ଅପମାନ ଓ ଅବସାଦରେ ଆର୍ତ୍ତନାଦ କରି ଉଠୁଥିବ । ଦିନଯାକ କିଏ ବାବୁ ଘରେ ରୋଷେଇ କରୁଛି, କିଏ ଚନ୍ଦ୍ରଗିରି ହାଟରୁ ବୋଝ ବୋହି ବୋହି ମରୁଛି, ଆଉ ରାତିରେ ଘଡ଼ିକ ଲାଗି କୀର୍ତ୍ତନପାଗଳ କରି ବୈଷ୍ଣବ ଧର୍ମର କି ପ୍ରଚାର ଯେ ହୋଇପାରିବ, ନିଜେ ଚୈତନ୍ୟ ବଞ୍ଚିଥିଲେ ହୁଏତ ତା’ର କୈଫିୟତ୍ ଦେଇପାରି ଥାଆନ୍ତେ ।

 

ଉଦୟଗିରିର ସୁକୁମାର ପିଲାମାନଙ୍କୁ ଶିକ୍ଷକ କହୁଛନ୍ତି ପାଠ ପଢ଼ି କ’ଣ ହେବ, ନାମ ନେଲେ ନଦୀୟାଚାନ୍ଦ କୁଆଡ଼େ ନିସ୍ତାର କରିଦେବେ । କିଶୋର ବୟସରୁ ଯେ ନିସ୍ତାରର ଚିନ୍ତା କରି ବସିଲାଣି, ତା’ର ଜନ୍ମ ନ ହୋଇଥିଲେ ମଧ୍ୟ ଚଳିଥାନ୍ତା । ସ୍ରଷ୍ଟାର ବିଶେଷ ବିଶେଷ ସ୍ୱପ୍ନ ପ୍ରୟାସକୁ ପ୍ରକାଶର ପ୍ରଣତି ଜଣାଇ ସଂସାରରେ ଗୋଟିଏ ଗୋଟଏ କରି ଫୁଲ ଫୁଟିଛି; କେଉଁଠି ଗୋଟିଏ ଫୁଲ ଫୁଟି ପାରୁନଥିଲେ ହୁଏତ ତାଙ୍କର ପ୍ରକାଶ ଅପୂର୍ଣ୍ଣ ରହି ଯାଉଥାନ୍ତା । ପ୍ରତ୍ୟେକ ମଣିଷ ଜୀବନରେ ମଧ୍ୟ ଠିକ୍ ସେହି କଥା । ଚମ ଆଖିରେ ଚିନ୍ମୟ ସ୍ୱପ୍ନ ଧରି ପ୍ରତ୍ୟେକ ଶିଶୁ ସଂସାରରେ ଜନ୍ମ ଲାଭ କରୁଛି, ଆପେ ଫୁଟି ଉଠି ତାକୁ ସ୍ରଷ୍ଟାର ଉଦ୍ଦେଶ୍ୟ ପୂରଣ କରିବାକୁହିଁ ହେବ । ଫୁଲର ଧର୍ମ କେବଳ ଫୁଟିପାରିଲେହିଁ ସମ୍ପୂର୍ଣ୍ଣ ହୋଇପାରିବ; ହୁଏତ ଯେଉଁଦିନ ଫୁଲରୁ ଫଳ ହୋଇ ଫଳ ପାଚିବ, ସେଦିନ ସେ ଆପେ ଆପେ ଝଡ଼ି ପଡ଼ିବ । କିନ୍ତୁ ପାଖୁଡ଼ା ମେଲିବାର ପର୍ଯ୍ୟାୟବେଳେ ହଠାତ୍ ଫଳ ଝଡ଼ାଇବାର ଏ ବାଧ୍ୟତାମୂଳକ ବୈରାଗ୍ୟ କାହିଁକି ? ଚୈତନ୍ୟ ମହାପ୍ରଭୁ ଅନେକଙ୍କ ଭିତରେ ଧର୍ମ ପ୍ରଚାର କରିଛନ୍ତି, ନାନା ଦେଶରେ ଦୀକ୍ଷା ଦେଇ ବୁଲିଛନ୍ତି, କିନ୍ତୁ ଚଉଦ ପନ୍ଦର ବରଷର କୌଣସି ସୁକୁମାର ସ୍ୱପ୍ନ-ସଚଳ କିଶୋରକୁ ଆପଣାର ଜୀବନବାର୍ତ୍ତା ଭୁଲି କୀର୍ତ୍ତନ–ପାଗଳ ହେବାକୁ ଯେ କେଉଁଠି ସେ ସତ୍–ପରାମର୍ଶ ଦେଇଛନ୍ତି, ସେ କଥା ବୈଷ୍ଣବ ଧର୍ମର କୌଣସି ଶାସ୍ତ୍ରରେ ନାହିଁ । ଯୁଗର ଅଜ୍ଞତାର ସୁଯୋଗ ନେଇ ଭକ୍ତ ତା’ର ପ୍ରଚୁର ଧର୍ମଧାରଣା ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଛି । ସେଥିଲାଗି କିଶୋର ବାଳକକୁ ସୁଯଥାର୍ଥ ବିକାଶ ଓ ବୋଧର ଅନୁପ୍ରେରଣା ଦେବା ଆଗରୁ ଖଣ୍ଡିତ ଉକ୍ତିର ଖୁଣ ମନ ଶିକ୍ଷକ ସାଜି ଦେଶର ସମ୍ଭାବ୍ୟ ସମ୍ପଦକୁ ବିସ୍ତୃତ କରି ଦେବାରେ ଲାଗିଛି, ଧର୍ମ ନାମରେ ଆଚ୍ଛନ୍ନ ମଣିଷ ତାକୁ ବେଶ୍ ସହ୍ୟ କରି ଚାଲିଛି ।

 

ଉଦୟଗିରିର ଏହି ସ୍କୁଲକୁ ବରଷକେ ଦି’ବରଷକେ ଅନେକ ସରକାରୀ ପରିଦର୍ଶକ ଆସିଛନ୍ତି, ସମସ୍ତେ କାଗଜ କଲମରେ ସମର୍ଥନ ଗାର କାଟି ଏ ସ୍ଥାନର ଶିକ୍ଷା ଠିକ୍ ଭାବେ ଚାଲିଛି ବୋଲି ରାୟ ଦେଇ ଯାଇଛନ୍ତି ।

☆☆☆

 

–ପାଞ୍ଚ–

 

ବୀରଭୂମି ଜିଲାର ସାନ୍ତାଳ ଝୁଅମାନେ ବାଁଧନା ପର୍ବରେ ନାଚି ନାଚି ଗୋଟିଏ ଗୀତ ଗାଆନ୍ତି । ତାହାର ସରଳ ଅର୍ଥ ହେଉଚି—‘ଏ ଜୀବନ ଆଉ ମାଟିର ଦେହ ଥରେ ସରିଗଲେ ଆଉ ଥରକୁ ମିଳେ ନାହିଁ । ନିଆଁରେ ପୋଡ଼ି ସବୁ ଭସ୍ମ ହୋଇଯାଏ । ଆମର ପର୍ବସବୁ ବାରମାସ ଅନ୍ତେ ବରଷକୁ ବରଷ ଫେରିଆସେ । କିନ୍ତୁ ଥରେ ଗଲେ ଏ ଜୀବନ ଆଉ ଫେରିଆସେ ନାହିଁ । ତେଣୁ ଖାଲି ନାଚି ନାଚି ଗୀତ ଗାଇ ଆମେ ଆଜି ବାଁଧନା ପରବଟି କଟାଇ ଦେବା ।’

 

ଜଙ୍ଗଲୀ ଜାତିଙ୍କର ଗୋଟାଏ ପ୍ରଧାନ ଆକର୍ଷଣ ସେମାନଙ୍କର ଜୀବନଭୁଲା ନାଚ ଓ ସଙ୍ଗୀତ । ବାରମାସ ସେମାନଙ୍କର ବସ୍ତିରେ ବାଜଣା ବାଜୁଥାଏ, ହାଣ୍ଡିଆ ପିଇ ତେର ପରବରେ ସେମାନେ ନାଚିବାରେ ମାତିଥାନ୍ତି । ଦିନଯାକ କିଏ ବାବୁର ଆସବାବ ପତ୍ର ବୁହେ, କିଏ ସୋମବାର ହାଟକୁ କମଳା ବୋଝ ମୁଣ୍ଡେଇ ଯାଏ, କିଏ ବୈଶାଖ ମାସ ଝାଞ୍ଜିରେ ପର୍ବତ ଢାଳୁରୁ ଗଛ କାଟି ବଗଡ଼ ତିଆରି କରେ । ମୁଣ୍ଡରେ ତେଲ ନାହିଁ, ପାଦ ଫାଟି ଗୋଡ଼ି ପଥରର ମେଦ ପରି ଆଁ କରିଛି, କଉପୁନୀ ଖଣ୍ଡେ ଯେ କୌଣସି ପ୍ରକାରେ ଖୋସି ଦିଆଯାଇଛି, ତଥାପି ରାତି ହେଲେ ସେଇ ଜଙ୍ଗଲର ଶବର ରାଜାପରି ମଉଜ ମଜଲିସ୍ କରେ । ପରାଣ ଖୋଲି ହସେ ଆଉ ପରାଣ ଖୋଳି ଭଲପାଏ । ଜ୍ୟୈଷ୍ଠ ତାତିରେ ସିଦ୍ଧ ସନ୍ତପ୍ତ ଥୁଣ୍ଟା ଗଛ ଆଷାଢ଼ର ବରଷା ଭିତରେ ନିଜକୁ ସନ୍ତର୍ପଣର ଦାନ କରି ଦେଲା ପରି ଦିବସର କର୍ମସନ୍ତପ୍ତ ଶବର ରାତିର ଗୀତ, ହାଣ୍ଡିଆ ଓ ବାଜାର ସୁଅରେ ଆପଣାକୁ ନିଃଶେଷ କରି ଦେଇଦିଏ । ସେତେବେଳେ ସେ ସବୁ ଭୁଲିଯାଏ—ବାବୁର ଆକଟ, ଭୋକର ଭ୍ରୁକୁଟି ଓ ଟାଙ୍ଗର ଭୂଇଁର ନିର୍ମମ ଜୀବନ ସେହି ଦୁଇଟା ମଦୁଆ ଆଖିର ଭୋଳ ନିଶା ଭିତରେ ରଙ୍ଗୀନ ହୋଇ ଉଠେ ।

 

ସଂସାର ମଣିଷକୁ ନାନା ସମସ୍ୟାର ଫାନ୍ଦ ପକାଇ ଘେରି ରହିଛି । ସେହି ସମସ୍ୟାର ସାମନାସାମନି ରହିଥିଲେ ସେ ଘଡ଼ିକେ ଅଣନିଶ୍ୱାସୀ ହୋଇ ମରି ଯାଉ ଥାଆନ୍ତା । ଜୀବନରେ କେତେ ଜଞ୍ଜାଳ; ଚାଉଳ ମାଣେ ପ୍ରତ୍ୟହ ଯୋଗାଡ଼ କରିବା ପଛରେ କେତେ କଷ୍ଟ କେତେ ଆଖିଲୁହ । ତଥାପି ମଣିଷ ବଞ୍ଚିଛି କିପରି ? ଦୁଃଖର ବରଷାଧାରାରେ ଅସମର୍ଥ ଭୀତତ୍ରସ୍ତ ଶିଶୁପରି ଅଥଳରେ ଭାସି ନ ଯାଇ ଏ ପର୍ଯ୍ୟନ୍ତ ସେ ସୁନାର ସ୍ୱପ୍ନ ଦେଖୁଛି କିପରି ?

 

ସଂସାରକୁ ଭୁଲି ପାରୁଛି ବୋଲି ମଣିଷ ତା’ର କଳ୍ପନା ଭିତରେ ସୁନାର ସମ୍ପଦ ଗଢ଼ି ଦେଇ ପାରୁଛି । ଏ ଯୁଗରେ କେତେ ଦୈନ୍ୟ, କେତେ କ୍ଳିଷ୍ଟତା ଦୈନନ୍ଦିନ ଜୀବନକୁ ନିରବଧି ସମାକୁଳ କରି ରଖିଛି । ନିଷ୍ଠୁର ସତ୍ୟ ଓ ନଗ୍ନ ବାସ୍ତବତା ମଣିଷର ମୁହଁ ଉପରେ ଆଘାତ କରି କରି ଚାଲିଛି; ବୀରପରି ସେ ସବୁର ସମ୍ମୁଖୀନ ହେବାର ସାହସ ବା ଯୋଗ୍ୟତା ମଣିଷର ନାହିଁ । ସେଥିଲାଗି ଅଚେତନ ମନ ନାନା ଉପାୟରେ, ନାନା ଛଳନାରେ ଏଡ଼ି ଏଡ଼ି ଚାଲିଛି । ସଭ୍ୟ ମଣିଷର ଧର୍ମ, ସାହିତ୍ୟ ଓ ସଂସ୍କୃତି ଅନେକ ପରିମାଣରେ ଏଇ ଏଡ଼ି ଦେବାର ରୂପ ପ୍ରକାଶ ମାତ୍ର-। ଅତି ଆଧୁନିକ ସାହିତ୍ୟ, କଳା ଓ ସ୍ଥପତିରେ ତାହାର ନିଦର୍ଶନ ମିଳିବ । ସାମାଜିକ ସତ୍ୟର ସୁକଠୋର ନ୍ୟାୟ ମଣିଷକୁ ସମାଜ ସହିତ ଏକାନୁଭର ହେବାକୁ ଭିତରୁ ଚାବୁକ ମାରୁଛି, ବାସ୍ତବ ଜଗତର ନାନା ସ୍ୱାର୍ଥ ଓ ମୋହଜଡ଼ିତ ଆକାଙ୍‌କ୍ଷା ମଣିଷକୁ ସେପରି ଯୋଗ୍ୟ ହୋଇ ପାରିବାରୁ ଦୂରଛଡ଼ା କରି ରଖିଛି, ତେଣୁ ସାହିତ୍ୟ ଓ କଳା ଭିତର ଦେଇ ଆଧୁନିକ କବି ଓ ଚିତ୍ରକର ମନେ ମନେ ସମାଜର ନିମ୍ନତମ ସ୍ତରକୁ ଓହ୍ଲାଇ ଆସୁଛି । ମନେ ମନେ ସେ ଆପଣା ସ୍ୱାର୍ଥର ସମସ୍ତ ବ୍ୟବଧାନ ପହଁରିଯାଇ ଜଗତର ସବୁ ବଞ୍ଚିତ, ଅଖ୍ୟାତ ଓ ଅଜ୍ଞାତର ଭାଗ୍ୟ ସହିତ ଆପଣାର ଭାଗ୍ୟ ଗୁନ୍ଥି ଦେଉଛି । କିନ୍ତୁ ମନର ବାହାରେ ଯେଉଁ ଅନ୍ତରକୁ ସେହି ଅନ୍ତର ଚିରଦିନ ରହିଛି-। ରାଜନୀତି ଓ ରାଜନୈତିକ ଦଳର ବାସ୍ତବ କାର୍ଯ୍ୟଠାରୁ ସ୍ଳୋଗାନ ଅତି ବଡ଼ ହୋଇ ଗଲାଣି-। ଅପରିତୃପ୍ତ ମଣିଷର ଆତ୍ମସନ୍ତୋଷ ଲାଗି ଏହି ସବୁ ସ୍ଳୋଗାନ, ସନ୍ତକ ଓ ନିଶାଣ ବେଶ୍ ବୁଝି ଯୋଗାଉଛି । ଜୟହିନ୍ଦ୍ କହିଲାବଳେ ସମସ୍ତଙ୍କର ହାତ ଯେପରି ସହଜରେ ଉପରକୁ ଉଠି ଯାଉଛି, ଜୟହିନ୍ଦ୍‌ର ଯୋଗ୍ୟ ଦାୟିତ୍ୱ ତୁଳାଇବାକୁ ପଡ଼ୁଥିଲେ ହୁଏତ ରାଜନୀତିରୁ ଅନେକେ ଛାଟି ପିଟି ପଳାଇ ଯାଆନ୍ତେଣି ।

 

ମଣିଷ ତାର ମନ ଭିତରେ ପରିପୂରଣ କରିବାର କେତେ ଇନ୍ଦ୍ରଭୁବନ ଗଢ଼େ, କିନ୍ତୁ ନାନା ମୋହ ମମତାର ପ୍ରତିବନ୍ଧକ ପାଇ ସେ ସବୁ ଚରିତାର୍ଥ କରିବା ତା’ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ତଥାପି ସନ୍ତୋଷ-କାମୀ ସ୍ୱାଭାବିକ ମନଟା କ୍ଷତିପୂରଣ ଖୋଜି ବୁଲେ । ଏଇଥିରୁ ହିଁ ମଣିଷର ସୂକ୍ଷ୍ମ ମନ କଳ୍ପନାଦ୍ୱାରା ନାନା ପ୍ରକାର ସୃଷ୍ଟି କରି ଦେବାର ଅନୁପ୍ରେରଣା ପାଏ । ଏହାରି ଦ୍ୱାରା କଳା, ସାହିତ୍ୟ ଓ ସଙ୍ଗୀତର ସୃଷ୍ଟି ହୁଏ । ମନ କୌଣସି ପ୍ରକାରେ ଉପାସୀ ରହି ପାରେ ନାହିଁ । ତାର ଦୁଃଖର ବୋଝ କାହା ଆଗରେ ଅଜାଡ଼ି ଦେଇ ନ ପାରିଲେ ସେ ଆପେ ଆପେ ଲୁହ ଗଡ଼ାଇ ତାର ଭାର ଲାଘବ କରିଦିଏ, ତାରି ଦ୍ୱାରା ହିଁ ସେ ସମସ୍ତ ଦୁଃଖ ଭୁଲି ଯାଏ । ମଣିଷର ଶୁଦ୍ଧ ଅନ୍ତର ସମସ୍ତ ଜଗତକୁ ସୁନ୍ଦର ଓ ସୁବ୍ୟବସ୍ଥିତ କରି ଦେଖିବାକୁ ଚାହେଁ, କିନ୍ତୁ ଚେତନ ଜଗତରେ ନାନା ବୁଦ୍ଧି–ପ୍ରଧାନ ଯୁକ୍ତି ହୃଦୟର ସରଳତାକୁ ଆଚ୍ଛନ୍ନ କରିଦିଏ । ମଣିଷ ଜଳ ଜଳ କରି ଦେଖେ, ସଂସାରର ଅପୂର୍ଣ୍ଣତା ଲାଗି ସେ ନିଜେ ଦାୟୀ ଜଗତର ନୂତନ ନିର୍ମାଣରେ ସେ ନିଜେ ମଧ୍ୟ ଗୋଟିଏ ପ୍ରତିବନ୍ଧକ । କିନ୍ତୁ ସମସ୍ତ ସ୍ୱାର୍ଥର ବାହାରକୁ ଯାଇ ଆପଣାକୁ ଜଗତ ଲାଗି ନିୟୋଜିତ କରିବାର ଧୈର୍ଯ୍ୟ ସାହସ ତା’ର ନ ଥାଏ । ତେଣୁ ହୃଦୟର ଆବେଗ ବାସ୍ତବ ରୂପ ନ ପାଇ ନାନା କଳ୍ପନାରେ ଆତ୍ମପ୍ରକାଶ କରେ । ସେଇଥିରୁ ଯୁଗର ସାହିତ୍ୟ ଓ ସୂକ୍ଷ୍ମ କଳାର ଜନ୍ମ ହୁଏ-। ଏ’ତ ଗଲା ସଭ୍ୟ ସମାଜର କଥା । ଜୀବନର ଆହ୍ୱାନକୁ ଫାଙ୍କି ଦେଇଯିବାର ଚମତ୍କାର ବ୍ୟଞ୍ଜନା ସଭ୍ୟ ସଭାରେ ଅବିରତ ଚାଲିଛି ।

 

ସମାଜର ତଳୁଆ ମଣିଷ ମଧ୍ୟ ଭୁଲିଛି, କିନ୍ତୁ ତାର ରାସ୍ତା ପୃଥକ୍ । ଜୀବନରେ କେତେ ଦୁଃଖ, ତଥାପି ତାର କାରଣ ବୁଝି ପ୍ରତିକାର କରିବାର ବାଟ ତା’ବୁଦ୍ଧିରେ ଜୁଟୁ ନାହିଁ । କୋଉ ପୁରୁଷରୁ ସମସ୍ତ ସହି ସହି ତା’ର ରକ୍ତରେ ଏହି ସହ୍ୟ କରିବାର ରୋଗଟା ଏକାବେଳକେ ମିଞ୍ଜି ଗଲାଣି । ତଥାପି ଅଚେତନ ମନଟା ପରିପୂର୍ଣ୍ଣତାଲାଗି ଭିତରେ ଭିତରେ ବିଦାରି ହେଉଛି । ସେଥିଲାଗି ଦିନଯାକର ସମସ୍ତ ଅବରୁଦ୍ଧ ପ୍ରହରର ଗ୍ଳାନି, ରାତିର ନାଚ, ଗୀତ ଓ ହାଣ୍ଡିଆରେ ସେ ମେଣ୍ଟାଇ ଦେଇ ଚାଲିଛି । ସେ ନାଚ, ସେ ଗୀତ ବା ସେ ହାଣ୍ଡିଆ ପିଇବାକୁ ଅନେକ ରସଜ୍ଞ ଲୋକେ ସୂକ୍ଷ୍ମ କଳା ବୋଲି କହନ୍ତି, ଖୁବ୍ ସମ୍ଭବ ସଭ୍ୟସମାଜରେ ସଚ୍ଚା ଆନନ୍ଦର ଅଭାବ ଦେଖି ସେମାନେ ଏହି ଅସଭ୍ୟ ମଣିଷର ଅଜ୍ଞ ଆନନ୍ଦ ଆଡ଼କୁ ଟିକିଏ ଏକାବେଗୀ ହୋଇପଡ଼ନ୍ତି । କିନ୍ତୁ ଟିକିଏ ଅନ୍ତର ରଖି ଜଙ୍ଗଲି ମଣିଷର ନୈଶ ମଜଲିସ୍‌କୁ କଳା ରୂପେ ଗ୍ରହଣ କରିବାକୁ ହେବ । ଏହି କଳା ମଧ୍ୟରେ ଉତ୍‌କ୍ରାନ୍ତ ଉଦ୍ଦୀପ୍ତ ମନର କୌଣସି ସାଧନା ବା ଆକାଙ୍‌କ୍ଷା ନାହିଁ । ଏହା କେବଳ ଦୁଃଖ ଭୁଲିବାର କଳା, ରାତି ଅନ୍ଧାର ଭିତରେ ଦିନର ଦୈନ୍ୟ ପାଶୋରିବାର କଳା ଏ । ଭୁଲିବାର ଏହି ଅବକାଶ ପାଇଲେ ରାମଗିରି ଶବର ଭିତରୁ ଅସଲ ପ୍ରାଣପୁରୁଷଟା ବାହାରି ଆସେ । ସୁରଙ୍ଗୀରେ ସେହି ରାତିଟା କଥା ପୁଣି ମନେ ପଡ଼ିଯାଉଛି । ଏଗାର କୋଶ ବାଟ ଚାଲି ଭୋକରେ ପେଟ ଗରଜୁଥାଏ । ମୋର ଶବର ଭାରୁଆମାନଙ୍କୁ ରୋଷେଇ କରିବାକୁ କହିବାରୁ ସେମାନେ ସେଦିନ ମୋଟେ ରାଜି ହେଲେ ନାହିଁ । ଇସ୍କୁଲ ପିଣ୍ଡା ଧରି ଯେ ଯୁଆଡ଼େ ନିମିଷକେ ଶୋଇ ପଡ଼ିଲେ । ହୁଏତ ଟିକିଏ ପରିଶ୍ରମ କରିଥିଲେ ବେଶ୍ ରୋଷେଇ କରି ଖାଇ ପାରିଥାନ୍ତେ, କିନ୍ତୁ ନିଜ ଭିତରେ ଭୋକ ଭୁଲିଯିବାର ମୁଗ୍ଧ ରାସ୍ତାଟି ତାଙ୍କୁ ଅତି ଭଲ ଭାବରେ ଜଣା ଥିଲା । ତେଣୁ ଓଳିକିଯାକ ଉପାସରେ ବାଟ ଚାଲିବା ସତ୍ତ୍ୱେ ସେମାନେ ଅତି ସହଜରେ ସେହି ଉପାସ ପେଟରେ ଶୋଇ ରାତି କଟାଇ ଦେଲେ ।

 

ସଂସାରର ସବୁଠିଁ ଦୁଃଖୀ ଲୋକର ଦୁଃଖ ତାକୁ ଏପରି ନିଦରେ ଭୋଳ କରି ରଖିଛି । ଦୁଃଖର ଆଘାତ ସମଝି ପ୍ରତିଘାତ ଲାଗି ଗରଜି ଉଠିବାକୁ ଯେତେ ଟିକିଏ ଜୀବନ୍ତ ହୃଦୟ ଦରକାର ସେତକ ରାମଗିରିର ଶବର ହରାଇ ବସିଛି । ସେଥିଲାଗି ଏତେ ଅନ୍ଧାର ଭିତରେ ମଧ୍ୟ ତା’ର ମାତାଳ ଆଖି ଜୁଳୁଜୁଳୁ କରି ହସେ; ଏତେ ଉପାସ ଭିତରେ ମଧ୍ୟ ସେ ମାଦଳରେ ଚାପୁଡ଼ା ବାଡ଼େଇବାର ବଳ ପାଏ, ଏତେ ଦୁଃଖ ଦହନ ଭିତରେ ମଧ୍ୟ ସେ ହାକିମମାନଙ୍କୁ ଅକାରଣରେ ଜୁହାର ପକାଇବାକୁ ଆସେ । ଶବର ପଲ୍ଲୀକୁ ଯେତେବେଳେ ଯାଅ ଦେଖିବ, ଶହେ ଦୁଃଖରେ ମଧ୍ୟ ସେଠି ପ୍ରାଣର ଆର ପାଖଟା ହସୁଛି । କଣ୍ଠତଳୁ ସେଠି ସହଜ ଗାନର ଉଲ୍ଲୋଳ ଉଚ୍ଛ୍ୱାସ ଉଠି କ୍ଳିଷ୍ଟ ଜୀବନର ସମସ୍ତ କ୍ଷତକୁ ପୂର୍ଣ୍ଣ କରି ରଖିଛି । ସେଠି ସମସ୍ତେ ଏକ ସ୍ୱାଭାବିକ ଅକାରଣ ଆନନ୍ଦରେ ଭୋଳ । ଏଣେ ପିଚାକୁ ଲୁଗା ଅଣ୍ଟୁ ନାହିଁ, ସାପ ଚୋଟରେ ଗୋଟାକୁ ଗୋଟା ଭେଣ୍ଡିଆ ମରୁଛନ୍ତି, କେତେ ଟୋକାଙ୍କୁ ବଣରେ ଭାଲୁ ଚାଟି ନେଉଛି, ତଥାପି ପର୍ବତ ଆବାସର ମଣିଷ ସଂସାରରେ ସେ ଦୁଃଖର କୌଣସି ଆଘାତ ବାଜୁ ନାହିଁ । ଅଜ୍ଞାନତାର କେଉଁ ନୀଳକଣ୍ଠ ଦେବତା ଦୁଃଖୀ ଜୀବନର ସମସ୍ତ ଜହର ପିଇ ପିଇ ଚାଲିଛି; ଯେତିକି ପିଉଛି, ସେ ସେତିକି ସୁନ୍ଦର ଦିଶୁଛି ।

 

ଯେଉଁ ଭାଷାର ସାହିତ୍ୟ ମଣିଷର ସ୍ୱାଭାବିକ ଭାବନା ସହିତ ଠିକ୍ ତାଳ ମିଳାଇ ଚାଲି ପାରି ନାହିଁ, ସେ ଦେଶର ଜୀବନ ପରିଚୟ, ମିଳିବ ତାର ଲୋକସଂଗୀତରେ । ସାହିତ୍ୟ କେବଳ ଅବକାଶ ବିନୋଦନର ବିସ୍ମୃତିବିହାର ନୁହେଁ; ଜୀବନର ସମସ୍ତ ପ୍ରକାଶସାଧନକୁ ପ୍ରାଣମୂର୍ତ୍ତ କରିବାର ମଧୁର ସାନ୍ନିଧ୍ୟ ହେଉଛି ସାହିତ୍ୟ । ତେଣୁ ଭଲ କବିତା, ଭଲ ନାଟକ ବା ଭଲ ଉପନ୍ୟାସ ନେଇ ଆମେ ଆମର ମକ୍ଷିମଣ୍ଡଳ ଭିତରେ ଭଣ ଭଣ ହେବାର ଯେତେ ଆୟୋଜନ ଓ ଜାକଜମକ ଜମାଇ ବସୁଥିଲେ ମଧ୍ୟ ସମଗ୍ର ଜୀବନ ସହିତ ଯେଉଁଠି ମାନସପ୍ରକାଶର ସମ୍ପର୍କ ନାହିଁ, ତାହା ଅଚିରେ ମରିଯିବାକୁ ବାଧ୍ୟ । ପୃଥିବୀରେ ଯେଉଁ ଲେଖକ ଯେତିକି ଶୀଘ୍ର ନାମ କରିଛନ୍ତି । ପୃରସ୍କୃତ ହୋଇଛନ୍ତି, ସେ ସେତିକି ଶୀଘ୍ର ମରିଛନ୍ତି, ସେକ୍‌ସପୀୟର, ଶେଲୀ ଓ ରବୀନ୍ଦ୍ରନାଥଙ୍କ କଷଣ-ମୟ ଜୀବନହିଁ ଏହାର ଜ୍ୱଳନ୍ତ ପ୍ରମାଣ ହୋଇ ରହିଥିବ । ଖାଲି ସାହିତ୍ୟ କାହିଁକି ଦର୍ଶନ, ବିଜ୍ଞାନ ଓ ସମାଜ ନିର୍ମାଣରେ ଯେଉଁଠି ଯେତେ ମନୀଷୀ ସମଗ୍ର ଜୀବନର ସ୍ୱପ୍ନ ଦେଖିଛନ୍ତି, ସେମାନଙ୍କୁ ତତ୍କାଳୀନ ସୁଧୀମଣ୍ଡଳ ହତାଦର କରିଛି, ବୁଝିନପାରି ଭୁଲ ବୁଝିଛି । କିନ୍ତୁ ସ୍ଥାୟୀ ଓ ଅସଲ ସାହିତ୍ୟ ଜୀବନ ପରି ସନାତନ, ଦୈବ–କାରୀଗରର ଜୀବନ ତିଆରି କରିବା ତୁଳୀ ମଣିଷର କଲମ ଭିତରେ ଅବତାର ଗ୍ରହଣ କରି ସଂସାର ସଭାରେ ଜୀବନର ଦୁନ୍ଦୁଭି ବଜାଈ ଦେଇଯାଇଛି । ଗୋଟାଏ ଜୀବନ ବା ଗୋଟାଏ ଯୁଗର ସ୍ୱୀକାର ଓ ସ୍ତୁତି ଭିତରେ ରହି ଯେଉଁ କ୍ଷୁଦ୍ର ମଣିଷ ମୋହ ସ୍ୱପ୍ନ ଦେଖିବାରେ ଲାଗିଛି, ପ୍ରତ୍ୟେକ ସ୍ରଷ୍ଟା ତାହାକୁହିଁ ସବୁଠାରୁ ବେଶୀ ବିଚଳିତ କରି ଦେଇଯାଇଛି-

 

ପୃଥିବୀର ପ୍ରତ୍ୟେକ ଜାତିର ଇତିହାସ ସନ୍ଧାନ କଲେ ଆମେ ଦେଖି ପାରିବା ଯେ ସବୁ ସାହିତ୍ୟର ଜନ୍ମ ଏହି ଲୋକ ସଂଗୀତରୁ । ଆଦିମ ମଣିଷ ପଥରର ନିହାଣ ଓ ପିତଳର ଅସ୍ତ୍ର ତିଆରି କରିବା ସଙ୍ଗେ ସଙ୍ଗେ ଆପଣା ମନୋଭାବର ନାନା ପ୍ରକାଶ କରିଥିଲା, ଏହି ଲୋକ ସଂଗୀତ ମଧ୍ୟ ଦେଇ । ଗ୍ରୀକ୍ ନାଟକର ଉତ୍ସ ହେଉଛି ଡିଥିରାମ୍ୱ୍‌ (Dythiramb) ନାମକ ଏକ ବସନ୍ତ ଗାନ, ସବୁ ଭାଷାକୁ ଏହିପରି ଏକ ଲୋକସଂଗୀତର ପର୍ଯ୍ୟାୟ ଭିତରେ ଆସିବାକୁ ହୋଇଛି-। ଏହି ଲୋକସଂଗୀତ ଓ ଲୋକ ଗାଥାକୁ ମୂଳ କରି ଇତାଲୀର ଡେକାମେରନ୍ ଓ ସ୍ପେନ୍‌ର Celestina ଦୁଇଟି ଆଦିଉପନ୍ୟାସ ଲେଖା ହୋଇଛି । ଆମ ଦେଶରେ ମଧ୍ୟ ଠିକ୍ ଏହିପରି ଗୋଟିଏ ଯୁଗ ଯାଇଛି । ଅନେକ ହୁଏତ ବିଚାରନ୍ତି ଯେ ସଂସ୍କୃତରୁ ପ୍ରାକୃତ ବାହାରି ସେଥିରୁ ପୁଣି ପ୍ରାନ୍ତୀୟ ଭାଷାମାନଙ୍କର ଅନୁକ୍ରମ ବିକାଶ ହେବା ପରେ ଯାଇ ପ୍ରାଦେଶିକ ସାହିତ୍ୟର ସୃଷ୍ଟି ହୋଇଛି । କିନ୍ତୁ ଏପରି ଭାବିବାର ଅର୍ଥ ହେଉଛି ମଣିଷମନର ମୌଳିକତାକୁ ଅସ୍ୱୀକାର କରିବା । ଭାଷା ଅତି ପଛରେ, ମନର ଚିତ୍ରଣପ୍ରୟାସ ମଣିଷର ମନ ପରି ଅତି ଆଦିମ । ପ୍ରାନ୍ତୀୟ ଭାଷାର ମାର୍ଜିତ ଉଦ୍ଭବ ହେବାର ଅନେକ ଆଗରୁ ସେହି ସଂସ୍କୃତ ଓ ପ୍ରାକୃତ ଯୁଗରେ ମଧ୍ୟ ଦେଶର ପୁରପଲ୍ଲୀ ଯାବତୀୟ ଜନସମାଗମ ଏହି ପଲ୍ଲୀଗାଥା ଓ ଲୋକ ସଙ୍ଗୀତରେ ପ୍ରକାଶମୁଖର ହୋଇ ଉଠିଥିଲା । ରାଜାର ଦରବାର ବା ରାଜାଶ୍ରିତ ପଣ୍ଡିତ ସଭାରେ ପ୍ରତ୍ୟେକ ସଂସ୍କୃତ ଶ୍ଳୋକ ଲାଗି ସହସ୍ର ସୁନା ମୋହର ଦିଆ ଯାଉଥିବା ଯୁଗରୁ ଦରବାରର ବହୁ ଦୂରରେ ଗାଆଁ ଗହଳରେ ଏହି ସବୁ ପାଲାଗାନ ଓ ଲୋକଗାଥାର ବହୁଳ ସୃଷ୍ଟି ହୋଇଥିଲା । ଉଜ୍ଜୟିନୀର ବହୁ ଦୂରରେ କେତେ ଆଖ୍ୟାତ ସିପ୍ରା କୂଳରେ କେତେ ଯୁଗଳପ୍ରେମିକ ହୁଏତ ଆପଣାର ଦରଭଙ୍ଗା ଭାଷାରେ କେତେ ଗୀତ ଗାଇଛନ୍ତି । ସେ ସବୁର ହିସାବ ବିକ୍ରମାଦିତ୍ୟଙ୍କର ସଭାଚାରଣ ରଖି ପାରି ନାହିଁ । କିନ୍ତୁ ସେହି ସବୁହିଁ ଆମ ସାମାଜିକ ସାହିତ୍ୟର ମୂଳଦୁଆ ପକାଇଛି । କୌଣସି ଭାଷା, କୌଣସି ବ୍ୟାକରଣ ବା କୌଣସି ସ୍ୱୀକାରକୁ ଏହି ସହଜ ଅଭିବ୍ୟକ୍ତିର ସାହାସୀ ସ୍ରୋତ ଅପେକ୍ଷା କରି ବସି ନାହିଁ । ପରେ ନାନା ସାମାଜିକ ଓ ଧର୍ମଗତ କାରଣରୁ ସଂସ୍କୃତର ବେଢ଼ା ଭାଙ୍ଗି, ପ୍ରାକୃତର ପାଚେରୀ ଭୁଷୁଡ଼ି ଯେତେବେଳେ ପ୍ରାଦେଶିକ ଭାଷାମାନଙ୍କର ବିକାଶ ହୋଇଛି, ସେତେବେଳେ ସବୁ ଭାଷା, ସବୁ ପ୍ରଦେଶ ଅନେକ ଦିନରୁ ଚଳି ଆସୁଥିବା ଏହି ଲୋକ—ସଙ୍ଗୀତ, ପାଲା, ଗାଥା ଓ ଗାନ ଗୁଡ଼ିକୁ ପ୍ରଥମ ସାହିତ୍ୟ ରୂପେ ସ୍ୱୀକାର କରିଛନ୍ତି । ଏହି ଅବହେଳିତା କାବ୍ୟାନ୍ତଃପୁରବର୍ଜିତା ଉର୍ମିଳାର କ୍ରମଶଃ ଆଦର ବଢ଼ିଛି ଓ ଏହାକୁ ସଂଗୃହୀତ ଓ ସଙ୍ଗଠିତ କରି ନୂଆ ନୂଆ ସାହିତ୍ୟର ଉଦ୍ଭବ ହୋଇଛି ।

 

ଆଗକାଳର ଏକକ ସମାଜରେ ସାହିତ୍ୟର ମଧ୍ୟ ଏକକ ପ୍ରକାଶ ଭଙ୍ଗୀ ଥିଲା । ଯେ କୌଣସି କ୍ଷେତ୍ରର କାର୍ଯ୍ୟ କଳାପକୁ ଜୀବନର ଚତୁଃସୀମା ଡିଆଁଇ ଆକାଶକଇଁଆ କରିବାର ପ୍ରବୃତ୍ତି ସେତେବେଳେ ନ ଥିଲା । ତେଣୁ ସାମାଜିକ ଜୀବନର ସ୍ୱାଭାବିକ ଦୁଃଖ ସୁଖ, କ୍ରନ୍ଦନ ଓ କାରୁଣ୍ୟକୁ ଭାଷା ଓ ଭାବନାର ଶୋଭନ ପ୍ରକାଶରେ ସଜାଇ ଦେଇ ସାହିତ୍ୟ ତାର କର୍ତ୍ତବ୍ୟ ସମ୍ପନ୍ନ କରୁଥିଲା । ସେତେବେଳେର ମଣିଷକୁ ଯଥାର୍ଥ ସାନ୍ନିଧ୍ୟ ହେଉଥିଲା ଏଇ ସାହିତ୍ୟ । ସେ ଯୁଗର କୋଇଲି, ବୋଲି ଓ ଚଉତିଶା ବାସ୍ତବ ଜୀବନର ମାନସ ପ୍ରତି ଛାପରୂପେ ମନ ଭିତରେ ଦୃଶ୍ୟମାନ ଓ ଭୁଜ୍ୟମାନ ସଂସାରକୁ ଜୀଆଇ ରଖିଥିଲା । ସମସ୍ତେ ସମାଜ ନିର୍ମାଣରେ ଆବଶ୍ୟକ ଅଂଶ ଗ୍ରହଣ କରୁଥିଲେ । ଛୋଟ ବଡ଼ ସବୁରି ପରିଶ୍ରମର ସାଦର ସ୍ୱୀକାର ସେ କାଳ ସମାଜର ବିଶେଷତ୍ୱ ଥିଲା, ତେଣୁ ସେ ଯୁଗର ସାହିତ୍ୟ ମଧ୍ୟ ସମସ୍ତଙ୍କ ଜୀବନର ଚମତ୍କାର ରୂପ ଲେଖି ମଣିଷର ଅତି ଆପଣାର ହୋଇ ରହିଥିଲା ।

 

ଖାଲି ଲେଖକ ବା ଖାଲି ପାଠକ ସାହିତ୍ୟ ସୃଷ୍ଟି କରନ୍ତି ନାହିଁ । ଉଭୟଙ୍କର ସୁଖ–ସମାଗମର ଅଭାବ ହେଲେ ସମାଜର ସମୃଦ୍ଧି ମଧ୍ୟ ଗ୍ଳାନିଗ୍ରସ୍ତ ହୋଇପଡ଼େ । ଏଇଠି subjective ଓ objectiveର ପ୍ରଶ୍ନ ଉଠେ । ଏଇ ନୀତିଗତ ସଂଶୟ ଉପରେ ନାନା ଦେଶର ସାହିତ୍ୟରେ ନାନାରକମର ସନ୍ତୁଳା ସମୀକ୍ଷା ହୋଇ ସାରିଛି, ତଥାପି ନିର୍ଦ୍ଦିଷ୍ଟ ନିଷ୍ପତ୍ତିକୁ କେହି ଏପର୍ଯ୍ୟନ୍ତ ଆସି ପାରି ନାହାନ୍ତି । ସ୍ରଷ୍ଟା ସୃଷ୍ଟି କରେ । ମଣିଷ ଆଖିରେ ସୃଷ୍ଟି ସୁନ୍ଦର ଦିଶେ । ମଣିଷର ମନ ଭିତରେ ସ୍ରଷ୍ଟା ଆପଣା ମନର ରଙ୍ଗ ଦର୍ପଣ ରଖି ନ ଥିଲେ ହୁଏତ ତାର ସୃଷ୍ଟିକୁ ଚମତ୍କାର କହି ବିସ୍ମିତ ହେବାର ଜୀବ ସଂସାରରେ କେହି ନଥାନ୍ତେ । ସ୍ରଷ୍ଟାର ମନ ଓ ଦ୍ରଷ୍ଟାର ଆଖି ଯେତେବେଳେ ଗୋଟିଏ ସ୍ୱପ୍ନରେ ମିଞ୍ଜିବେ, ସେତିକିବେଳେ ରୂପ ନିର୍ମାଣର ସୌନ୍ଦର୍ଯ୍ୟ ସାର୍ଥକ ହେବ । ଲେଖକ ଲେଖେ, ସମାଜର ପାଠକ ଲାଗି ସେ ତାହା ପରିବେଷଣ କରିଦିଏ । ପାଠକର ମନ ଭିତରେ ଯଦି ଲେଖକ ମନର କାଣିଚାଏ ବି ନଥିବ, ତେବେ ଭଗୁଡ଼ା ପତ୍ର ଉପରେ ରସ ଢାଳିବା ପରି ସମସ୍ତ ସାହିତ୍ୟ–ରସ ସେହି ମାଟିରେହିଁ ପଡ଼ି ରହିବ । ତେଣୁ ସାହିତ୍ୟ ଲେଖକର କର୍ତ୍ତବ୍ୟ ଦୁଇଟି, ଆପଣା ସନ୍ଦର୍ଶନକୁ ସୁନ୍ଦର ପ୍ରକାଶ ଦେବା ସଙ୍ଗେ ସଙ୍ଗେ ସେ ସାହିତ୍ୟର ଶରୀର ମଧ୍ୟରେ ଏପରି ଦ୍ୱାର ବା ସୋପାନ ରଖିଥିବ, ଯେପରିକି ସମାଜର ରସଗ୍ରାହୀ ସେହି ସୋପାନ ସାହାଯ୍ୟରେ ଯଥାର୍ଥ ରସର ଗୁପ୍ତ ଘରକୁ ଉଠିଯାଇ ପାରିବ । ତା’ ନ ହେଲେ ସୃଷ୍ଟି ସମ୍ପୂର୍ଣ୍ଣ ହେବ ନାହିଁ । ଜଗତରେ ଯଦି କବିର ଆଖି ନଥାନ୍ତା, କୋଇଲିର କଣ୍ଠ ନ ଥାନ୍ତା, ମୟୂରର ପୁଚ୍ଛ ନ ଥାନ୍ତା, ତେବେ ଜଗତ୍-କବିର ସୌନ୍ଦର୍ଯ୍ୟ ବୁଝି ଋତୁ ଋତୁକେ ତା’ର ସ୍ତୁତି କରୁଥାନ୍ତା କିଏ ?

 

ଲେଖକର ଦୃଷ୍ଟି ପାଠକକୁ ଏଡ଼ି ଚାଲି ଯିବନାହିଁ, ଏହାହିଁ ହେଉଛି ସୁସ୍ଥ ସାହିତ୍ୟର ପ୍ରଥମ ଲକ୍ଷଣ । ସମାଜର ଗ୍ରହଣ-ମାନ ଅନୁସାରେହିଁ ତାର ସମୃଦ୍ଧି ବଢ଼ିବ, ତା’ର ଆୟୁଷ ବଢ଼ିବ । ଆମ ସାହିତ୍ୟର କୋଇଲି ଓ ଚଉତିଶା ଯୁଗରେ ସେହି ସମ୍ୟକ୍ ଦୃଷ୍ଟି ସାହିତ୍ୟକର ଥିଲା ବୋଲି ସେ ଯୁଗର ସାହିତ୍ୟ ସମାଜର ପତ୍ରକୁ ଗ୍ରହଣ-ଯୋଗ୍ୟ କରି ରଖିଥିଲା । ଅର୍ଥ କୋଇଲି, କଳସା ଚଉତିଶା ଓ ମନବୋଧ ଚଉତିଶା ଭିତରେ ଯେଉଁ ଗୁଢ଼ ଓ ଉଚ୍ଚ ଦର୍ଶନ ତତ୍ତ୍ୱମାନ ଅଛି, ଆଜିର ଦର୍ଶନ-ପ୍ରବୀଣ ହୁଏତ ସେତକ କହିବାକୁ ଯାଇ କେତେ ବଚସାର ବକ୍ରକୁଟିଳ ଗ୍ରନ୍ଥ ଭିତରେ ଅସଲ ସତ୍ୟକୁ ଆବିଳ କରି ପକାଇବ । କିନ୍ତୁ ସେହି ପୁରାତନ ସାହିତ୍ୟର ଗଠନ-ଶରୀରରେ ଏପରି ଏକ ସହଜ ପ୍ରବେଶଦ୍ୱାର ଥିଲା, ଯାହା ଭିତରେ ପ୍ରବେଶ କରିବା ସମାଜର ସାଧାରଣ ଲୋକ ପକ୍ଷରେ ମଧ୍ୟ ଅତ୍ୟନ୍ତ ସହଜ ଥିଲା ଓ ସେଇଥିଲାଗି ସେ ଉପରର ଆବରଣ ଭେଦି ଭିତରର ଭାବ ସହିତ ମଧ୍ୟ ସୁପରିଚିତ ହୋଇ ପାରୁଥିଲା ।

 

ଏ ଯୁଗରେ ମଧ୍ୟ ସାହିତ୍ୟ ଲେଖା ଚାଲିଛି । ଦୁଇଗୁଣ ଜୋର ସୋରରେ ଚାଲିଛି । ସାହିତ୍ୟର ପ୍ରଶସ୍ତି ଲାଗି କେତେ କମିଟି ଓ କ୍ଳବ ଗଢ଼ା ହେଉଛି, ସେଇ ଗମ୍ଭୀରି ଭିତରେ ଆଧୁନିକ ସାହିତ୍ୟ ଲେଖକ ପାର୍ଶ୍ୱଲୋକଙ୍କର ବାହା ବାହା ପାଇ ଆପଣାକୁ ଧନ୍ୟ ମନେ କରୁଛି । ଖବର କାଗଜର ପ୍ରଚାରରେ ଏହିପରି ଜାତୀୟ ସାହିତ୍ୟ ଓ ଜାତୀୟ ସଂସ୍କୃତିର ଗୌରବ ବଢ଼ି ବଢ଼ି ଚାଲିଛି-। କିନ୍ତୁ ଆତ୍ମାଭିମାନୀର ନିର୍ବାସିତ ମନ୍ଦିର ଭିତରେ ଆଧୁନିକ ଓ ଅତି ଆଧୁନିକର ମାର୍କା ବାଡ଼ିଆ ହୋଇ ଯେତେ ଜୀବନ ସୃଷ୍ଟିର କୀର୍ତ୍ତନ ଚାଲିଥିଲେ ମଧ୍ୟ, ଶିକ୍ଷିତ ମହଲର ଅତି ତଳେ ସୁବିସ୍ତୀର୍ଣ୍ଣ ଉଷର ଖେତରେ ଶତାବ୍ଦୀ ଶତାବ୍ଦୀ ପୂର୍ବର ସେ ଦିନର ସେହି ମଲା ହଡ଼ାଟା ଭିତରେ ଏପର୍ଯ୍ୟନ୍ତ ମଧ୍ୟ ଜୀବନ ସୁକୁ ସୁକୁ କରୁଚି । ଏ ପର୍ଯ୍ୟନ୍ତ ବି କିଲଟରୀ କଚେରୀର ବିଡ଼ାବୁହା ବହି ବିକାଳୀ ପାଖରେ ଗ୍ରାହକର ଭିଡ଼ ଜମିବା ବନ୍ଦ ହୋଇନାହିଁ । ସମାଜର ଗ୍ରହଣ–ପାତ୍ର ସେଇଠି ଯାଇ ରହିଛି-। ଅଥଚ ଶିକ୍ଷିତ ସ୍ରଷ୍ଟାର ଲୋଟଣୀ ମନ ସେ ପ୍ରାଣଭୁବନକୁ ଅସ୍ୱୀକାର କରି ଆପଣା ବୁଦ୍ଧିର ସୋରିଷ-ପ୍ରମାଣ ଦୁଆର ରଖି ଭଳି ଭଳି ସାହିତ୍ୟ ମହଲ ତୋଳି ଚାଲିଛି । ଇଂରାଜୀରେ ଅନୁବାଦ ହେଲେ ହୁଏତ ସେହିପରି ଆଉ କୋଉଦେଶର ବୁଦ୍ଧିଆ କେତେଜଣ ସେ ଗୁମ୍ଫାକୁ ବାଟ ପାଉଚନ୍ତି-। କିନ୍ତୁ ଯାହାର ଦୁଃଖ, କାନ୍ଦ, ହସ, ଖେଳ ଓ ଏଷଣାକୁ ରୂପ ଦିଆହୋଇ ସାହିତ୍ୟ ଲେଖା ଯାଇଛି, ସେ ତା’ର କୌଣସି ରସ ପାଉ ନାହିଁ । ତା’ରି ମନ ଦର୍ପଣରୁ ପାରା ଛାଡ଼ି ଯାଇ କୋଉ ଦିନୁଁ ତାହା ଜଳକା ହୋଇଗଲାଣି ।

 

ଯେଉଁ ଭାଷାର ସ୍ୱୀକୃତ ସାହିତ୍ୟ ଏହିପରି ଭୂଇଁ ଛାଡ଼ି ଆସିଛି, ଯେଉଁଠି କବି ଓ ଲେଖକର ସ୍ୱପ୍ନ ଏହିପରି ପାଠକର ପାତ୍ରରେ ଧରା ନ ଦେଇ ଉଡ଼ୁମ୍ବର ହୋଇ ରହିବାକୁ ଭଲ ପାଉଛି, ସେହି ଭାଷାଭାଷୀ ପୁରପଲ୍ଲୀରେ ଏପର୍ଯ୍ୟନ୍ତ ଲୋକସଙ୍ଗୀତର ଢେଉ ଖେଳୁଛି । ସେହି ଜାତିରେ ଗାଆଁ ଗହଳରେ ଏବେ ବି ଗାଥା ଓ ଗାନ ଓ ପାଲାର ମଜଲିସ୍ ବସୁଛି । ଯେଉଁ ଦେଶର ସାହିତ୍ୟ ଏହି ଦୃଷ୍ଟିରୁ ଯେତେ ଦୂରରେ ପଡ଼ିଛି, ତା’ର ଲୋକ-ସଙ୍ଗୀତ ସେତେ ସମୃଦ୍ଧ ହୋଇ ରହିଛି, ତା’ର ଗଣ-ମନରେ ଏପର୍ଯ୍ୟନ୍ତ ବି ସହଜ ପ୍ରାଣର ଭଅଁରଟି ଗୁଣୁ ଗୁଣୁ କରୁଛି । ନାନା ଯାନ୍ତ୍ରିକ କୃତ୍ରିମତା ଦୋଷରେ ଆମ ସାହିତ୍ୟର ଜୀବନ ଧାରା ଶୁଖି ଯାଇଛି, କିନ୍ତୁ ପୁରୁଣା ଯୁଗର ସେହି ସମାଜ ଭିତରେ, ସଭ୍ୟ ସାମିୟାନାର ବହୁଦୂରରେ ଅରଣ୍ୟ ଘେରା ସେହି ପଲ୍ଲୀ ଗୁଡ଼ିକରେ ଗ୍ରାମ–ସଙ୍ଗୀତର ସୁଅ ଅଜସ୍ର ପ୍ରାଣରେ ଏବେ ମଧ୍ୟ ନିନାଦିତ ହୋଇ ଉଠୁଛି ।

 

ଆଜି ନାନା ଦେଶର ସାହିତ୍ୟରେ ପୁଣି ଏହି ଲୋକସଙ୍ଗୀତଗୁଡ଼ିକୁ ଉଦ୍ଧାର କରିବାର ତୁମୁଳ ପ୍ରୟାସ ଆରମ୍ଭ ହେଲାଣି । ସୋଭିଏଟ୍ ଶାସନ ପ୍ରତିଷ୍ଠା ପରେ ଯେତେବେଳେ ସୁଦୂର ମଧ୍ୟଏସିଆର ସାହିତ୍ୟ ଓ ସଂସ୍କୃତିକୁ ସୁନ୍ଦର କରି ଗଢ଼ିବାର ବିରାଟ ଉଦ୍ୟମ ଆରମ୍ଭ ହେଲା, ସେତେବେଳେ ସେ ସବୁ ଅଞ୍ଚଳର କୌଣସି ଲିଖିତ ଭାଷା ନଥିଲା, ତଥାପି ଲୋକ ମୁଖରେ, ଯାତ୍ରାପର୍ବ ଓ ମୁଖର ଜୀବନର ନାନା କାର୍ଯ୍ୟକଳାପ ଭିତରେ ସେ ଦେଶରେ ଲୋକସଂଗୀତ ଓ ଗାଥାମାନ ଭରପୂର ହୋଇ ରହିଥିଲା । ଏହି ଜୀବନ୍ତ ଅଥଚ ବିଚ୍ଛୁରିତ ସାହିତ୍ୟହିଁ ସେ ଦେଶର ସମାଜ ସଂଗଠନକୁ ଏକମାତ୍ର ପଥ ଦେଖାଇଲା ଓ ସେଇ ସବୁର ପୁନରୁଦ୍ଧାର କରାଯାଇ କାଜାକ୍ ଉଦ୍‌ବେକ୍ ଓ ତୁର୍କମେନ୍ ପ୍ରଭୁତି ବିସ୍ମୃତ ଜାତିମାନଙ୍କର ସାହିତ୍ୟ, ସଂସ୍କୃତି ଓ ଇତିହାସ ପୁଣି ଉଜ୍ଜୀବିତ ହୋଇଥିଲା । ଲୋକସଂଗୀତର ସଂସ୍କୃତି-ମୂଳକ ଇତିହାସ ଲେଖାହେଲେ ଡେନ୍‌ମାର୍କ, ନରଓ୍ୱେ, ସୁଇଡ଼େନ୍ ଓ ଫିନ୍‌ଲାଣ୍ଡ ପ୍ରଭୃତି ବଲ୍‌ଟିକ୍ ଦେଶମାନଙ୍କର କୃତି ନିର୍ଣ୍ଣୟ ଅମର ମହାନ୍ ହୋଇ ରହିଥିବ । ଡେନ୍‌ମାର୍କ ଜାତୀୟ କବି ଗ୍ରନ୍ତଫିଗ୍ Grundtovig ପ୍ରଥମେ ଜାତିକୁ ଏହି ଜୀବନ–ଜୁଆରର ପରିଚୟ ଦେଇଥିଲେ । ଆଈମାର ମୁହଁଠାରୁ ଆରମ୍ଭ କରି ବୁଲାଭାଟ୍‌ ପର୍ଯ୍ୟନ୍ତ ଯେଉଁଠି ଯେତେ ଗାଥା, ଗାନ ଓ ପ୍ରଦାନ ବିକୀର୍ଣ୍ଣ ହୋଇଥିଲା, ସେ ସମସ୍ତ ଏକତ୍ର ସଂଗ୍ରହ କରିବାର ମହାନ୍ ସ୍ୱପ୍ନ ସେହି ଜାତିର ମନୀଷୀମାନଙ୍କ ମନରେ ଜାଗ୍ରତ ହୋଇ ଉଠିଲା । ସେ ସବୁକୁ ପୁଣି ଆଧୁନିକ ସମ୍ମାର୍ଜନଦ୍ୱାରା ସଂଗତ ଓ ସୁନ୍ଦର କରାଯାଇ ରୁଚିର ପ୍ରାଣମୟ ସାହିତ୍ୟର ସୃଷ୍ଟି ହୋଇ ପାରିଲା । ଜାତୀୟ ସଂସ୍କୃତିର ମୂଳଦୁଆ ରୂପେ ସାହିତ୍ୟକ ଏହି ଅରଣ୍ୟ–ସୁବାସକୁ ଚିହ୍ନି ନେଇ ପାରିଥିଲା ବୋଲି ଏ ଯନ୍ତ୍ର ଯୁଗରେ ମଧ୍ୟ ସେ ଦେଶ ଯଥାର୍ଥ ଜାତୀୟ ସାହିତ୍ୟ ରଚନା କରିବାରେ ଗର୍ବ ରଖି ପାରିଛି । ଡେନ୍‍ମାର୍କର କବିତା ପଢ଼ିଲେ ତା’ର ସ୍ୱାଭାବିକ ବୈଶିଷ୍ଟ୍ୟ ସ୍ପଷ୍ଟ ପରିସ୍ଫୁଟ ହୋଇଉଠେ । ସେଠି କବିମନରେ ନିର୍ବାସିତ ହୋଇ ରହିବାର କୌଣସି କୁଟିଳ ବ୍ୟୁହରଚନା ନାହିଁ, ପାଠକର ଧରାଛୁଆଁ ଏଡ଼ାଇ ଶୂନ୍ୟ-ଅଭିମାନରେ ବାତସ୍ଫୀତ ହୋଇ ଭାସିବାର ଅସୁସ୍ଥ ଆକାଙ୍‌କ୍ଷା ମଧ୍ୟ ନାହିଁ । ଡେନମାର୍କର ପ୍ରସିଦ୍ଧ ଲେଖକ ହାନ୍‍ସ ଆଣ୍ଡର୍‍ସନ୍‌ଙ୍କର ଅପ୍‍ସରା କାହାଣୀ ସହିତ ସେ ଦେଶର ପ୍ରତ୍ୟେକ ପାଠକ ପରିଚିତ । ସୁଇଡେନ୍ ଓ ଫିନ୍‌ଲାଣ୍ଡର ସାହିତ୍ୟ ଅଧିକ ପରିମାଣରେ ଏହି ଗାଥା (Folklore) ଓ Ballad ଜାତୀୟ ।

 

ସୁଖର କଥା, ଆମ ଦେଶରେ ମଧ୍ୟ ଏଇ ଲୋକସଂଗୀତର ପୁନରୁଦ୍ଧାର କରିବା ଲାଗି ଏବେ ପ୍ରବଳ ଆନ୍ଦୋଳନ ଚାଲିଛି ଓ ନାନା ପ୍ରାଦେଶିକ ସାହିତ୍ୟର ସୁଯୋଗ୍ୟ ଲେଖକମାନେ ଏଥିରେ ବ୍ରତୀ ହୋଇ ବାହାରିଛନ୍ତି । ଆଧୁନିକ ବୋଲି କୁହାଯାଉଥିବା ସାହିତ୍ୟ ମୂଳମାଟି ଛାଡ଼ି ଯେ ଦିନକୁ ଦିନ ନିର୍ଜୀବ ଓ ନିସଙ୍ଗ ହୋଇ ପଡ଼ୁଛି ଏକଥା ଦିନକୁ ଦିନ ଅଧିକରୁ ଅଧିକ ଲେଖକ ବୁଝୁଛନ୍ତି । ତେଣୁ କୁମାରୀ ଜନମାଟିର ପାସୋରା ସ୍ତରକୁ ଫେରିଯାଇ ସେହି ପରସ୍ତର ଦୁଃଖ ସୁଖ, ହସ କାନ୍ଦର ସାଥୀ ଲୋକସଂଗୀତଗୁଡ଼ିକୁ ସଂଗ୍ରହ କରି ତା’ର ଆଲୋଚନା କରିବାକୁ ସେମାନେ ଏକ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ତା’ର ଭିତରେ ଧର୍ମ ରହିଛି, ଜାତିର ନିଜସ୍ୱ ଦୁଆରଟି ଫିଟାଇ ଗଣମନର ନିଜସ୍ୱ–ଦେବତାଟିକୁ ଚିହ୍ନିବାର ଚାବି ସେହି ଲୋକସଂଗୀତରେ ହିଁ ରହିଛି ।

 

ଏ ଦିଗରେ ଜାତିର ବରେଣ୍ୟ କବି ରବୀନ୍ଦ୍ରନାଥ ହେଉଛନ୍ତି ପ୍ରଥମ ଅଗ୍ରଣୀ । ଜମିଦାରୀର ନାନା କାର୍ଯ୍ୟରେ ପୂର୍ବ ବଙ୍ଗର ନାନା ଗ୍ରାମରେ ବୁଲିବୁଲି ସେ ଅଜସ୍ର ଲୋକ ସଂଗୀତ ଶୁଣିଛନ୍ତି । ପିଲାକୁ ଶୁଆଇବାର କେତୋଟି ଦୋଳି ଗୀତ ସଂଗ୍ରହ କରି ବିଷୟରେ ସେ ଏକ ସୁଚିନ୍ତିତ ପ୍ରବନ୍ଧ ଲେଖି ଯାଇଅଛନ୍ତି । ବଙ୍ଗଦେଶର ବାଉଲ୍ ସଂଗୀତ ଆଗରୁ ଏକ ଭ୍ରଷ୍ଟ ବିସ୍ମୃତ ଧର୍ମର ଅବଶେଷ ରୂପେ ଅବହେଳିତ ହୋଇ ପଡ଼ିଥିଲା । ସେକ୍‌ସପୀୟର, ଦାନ୍ତେ ଓ କାର୍ଲାଇଲ୍ ପଢ଼ି ବଙ୍ଗ ଭାଷାର ତତ୍କାଳୀନ ଲେଖକମାନେ ସାହିତ୍ୟ ମାଠିବାର ପ୍ରୟାସରେ ବ୍ୟସ୍ତ ଥିଲେ; କିନ୍ତୁ ଏହି ବାଉଲ୍ ସଂଗୀତ ନବୀନ କବି ରବୀନ୍ଦ୍ରନାଥଙ୍କୁ ଜାତିର ,ଏକ ନୂତନ ଦ୍ୱାରରେ ପହଞ୍ଚାଇ ଦେଇଥିଲା । ତା’ରି ଭିତରେ ସେ ଦେଶର ଧର୍ମ, ସାହିତ୍ୟ ଓ ସଂସ୍କୃତି ସବୁ ପାଇ ପାରିଥିଲେ । ଅକ୍ସଫୋର୍ଡ଼ରେ ବକ୍ତୃତା ଆକାରରେ ଦେଇଥିବା ତାଙ୍କର ନିବନ୍ଧ ‘ମଣିଷ–ଧର୍ମ’ (Religion of man) ଗ୍ରାମ୍ୟ ବାଉଲ୍‍ର ‘ମନର ମଣିଷ’ ଦ୍ୱାରା ନିଶ୍ଚୟ ପ୍ରଭାବିତ ହୋଇଥିଲା । କେବଳ ସେତିକି ନୁହେଁ, ବାଉଲ୍‍ର ସରଳ ଓ ସରଳ ପ୍ରକାଶ ଭଙ୍ଗୀ ଯେ ରବୀନ୍ଦ୍ରନାଥଙ୍କର ଭାଷାକୁ ଅନେକ ପରିମାଣରେ ପରବର୍ତ୍ତିତ କରିଥିଲା, ଏପରି ଏକ ସାହାସୀ କଥା କହିବା ପଛରେ ମଧ୍ୟ ଅନେକ ପ୍ରମାଣ ରହିଛି । ଗ୍ରାମ୍ୟ ଗୀତ ଓ ବାଉଲ୍ ଗାନ ଗୁଡ଼ିକର ପର୍ଯ୍ୟାଲୋଚନ କରି ସେ ବଙ୍ଗ ଭାଷାରେ ଶବ୍ଦ–ଭଙ୍ଗୀର ଏକ ସ୍ୱାଭାବିକ ଧାରା ବାହାର କରି ପାରିଥିଲେ ଓ ଗୀତାଞ୍ଜଳି, ଗୀତାମାଲ୍ୟ ପ୍ରଭୃତି ତାଙ୍କର ପ୍ରସିଦ୍ଧ ପୁସ୍ତକମାନଙ୍କରେ ସେହି ପୁରାତନ ଶୈଳୀର ନୂତନ ପରୀକ୍ଷା କରିଥିଲେ । ଲୋକଗୀତଦ୍ୱାରା ଲୋକମନକୁ ବୁଝିବାର ମନ୍ତ୍ର ପାଇ ସେ ଆପେ ଅନେକ ଶବ୍ଦ ସୃଷ୍ଟି କରି ବଙ୍ଗଭାଷାକୁ ସଜୀବ ଓ ସମୃଦ୍ଧିମନ୍ତ କରି ପାରିଥିଲେ ।

 

ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାର ଯେ କୌଣସି ଜାତୀୟ କବି ଏହି ଲୋକସଙ୍ଗୀତର ମହତ୍ତ୍ୱ ବୁଝି ତାକୁ ଉଚ୍ଚ ସାହିତ୍ୟର ପର୍ଯ୍ୟାୟକୁ ଆଣିବାଲାଗି ପ୍ରବଳ ଆନ୍ଦୋଳନ କରିଛନ୍ତି । ଗୁଜରାତି ସାହିତ୍ୟର ଜାତୀୟ କବି ସ୍ୱର୍ଗତଃ ଶ୍ରୀଯୁକ୍ତ ଝବେରଚାନ୍ଦ ମେଘାଣୀ ଏ ଦିଗରେ ଅତି ଆଗୁଆ ଥିଲେ । ସେ ନିଜେ ଗୁଜରାତ୍‌ର ଏପାଖରୁ ସେ ପାଖ ବୁଲି ଯେଉଁଠି ଯେତେ ଗ୍ରାମ୍ୟସଙ୍ଗୀତ ପାଇଥିଲେ, ସେ ସବୁ ଏକତ୍ର ପ୍ରକାଶିତ କରିଥିଲେ ଓ ସୁଧୀସମାଜର ଦୃଷ୍ଟି ସେଥି ଉପରକୁ ଆକର୍ଷଣ କରିଥିଲେ । ତାଙ୍କର ସମ୍ପାଦିତ ଗୁଜରାତ୍ ଲୋକଗୀତର ଏକ ବିରାଟ ସଂସ୍କରଣ ନାନା ଭାଗରେ ପ୍ରକାଶିତ ହୋଇଛି । ଅନେକ ଛାତ୍ର ସେ ସମ୍ୱନ୍ଧରେ ବର୍ତ୍ତମାନ ଆଲୋଚନା କରୁଛନ୍ତି । ‘ଲୋକସଙ୍ଗୀତର ଦର୍ଶନ’ ନାମରେ ନିଜେ ମେଘାଣୀ ଏକ ସାରଗର୍ଭ ଗ୍ରନ୍ଥ ପ୍ରଣୟନ କରି ଯାଇଛନ୍ତି-। ଗୁଜରାତ୍‌ର ଇତିହାସ ଓ ନିଜସ୍ୱ ପ୍ରାଣ ପ୍ରକୃତି ବୁଝିବାକୁ ହେଲେ ଯେ ଏହିସବୁ ଲୋକସଙ୍ଗୀତ ଅତ୍ୟାବଶ୍ୟକ, ଏହାହିଁ ତାଙ୍କ ଗ୍ରନ୍ଥର ମୂଳକଥା ।

 

ଭାରତର ଲୋକସଙ୍ଗୀତ ଶ୍ରୀଯୁକ୍ତ ଦେବେନ୍ଦ୍ର ସତ୍ୟାର୍ଥୀଙ୍କୁ ଚିରଦିନ ମନେ ରଖିଥିବ । ପିଲାଦିନରୁ ଘରୁ ପଳାଇଯାଇ ଭାରତ ଜନାରଣ୍ୟର ମୁକ୍ତ ବିହଙ୍ଗମ ପରି ବୁଲିବାର ସୁଯୋଗ ସେ ପାଇଥିଲେ । ସେ ପ୍ରତ୍ୟେକ ପ୍ରାନ୍ତୀୟ ଭାଷାରେ ଥିବା ସହସ୍ର ସହସ୍ର ଲୋକସଙ୍ଗୀତ ସଂଗ୍ରହ କରିଛନ୍ତି ଓ ତାଙ୍କର ଅମର କୃତି ‘ଭ୍ରାମ୍ୟମାଣର ଡାଏରୀ’ ଓ ‘ଗାଇଯା ହିନ୍ଦୁସ୍ଥାନ’ ଭିତରେ ନାନା ଗଳ୍ପଛଳରେ ସେ ସବୁର ସୁନ୍ଦର ସମାବେଶ କରି ଦେଇଛନ୍ତି । ଭାରତବର୍ଷ ଛଡ଼ା ସିଂହଳ ଓ ବ୍ରହ୍ମ ଦେଶର ଗ୍ରାମେ ଗ୍ରାମେ ବୁଲି ସେ ଜନସଂସ୍କୃତିର ଅନେକ ମଣି ଲୋକସମକ୍ଷକୁ ଆଣି ପାରିଛନ୍ତି ।

 

ପ୍ରତ୍ୟେକ ଦେଶ ଓ ପ୍ରାନ୍ତର ଲୋକସଙ୍ଗୀତର ଅସଲ କଥା ହେଉଛି ତା’ର ସ୍ୱାଭାବିକତା-। ସଂସାରକୁ ବୁଝିବା ଲାଗି ସ୍ରଷ୍ଟା ମଣିଷକୁ ଯେଉଁ ପ୍ରଥମ ଅବଲମ୍ୱନଟି ଦେଇଥିଲେ, ସେ ହେଉଛି ତା’ର ଅନ୍ତରାବେଗ । ଇଂରେଜୀରେ ଏହାର ପ୍ରତିଶବ୍ଦ ହେଉଛି emotion । ବିଚାରି ବୁଝି ଭାଗ ଭାଗ କରିବା ଆଗରୁ ଜଗତର ନାନା ବିଷୟବସ୍ତୁର ମର୍ମପ୍ରବେଶ ଏହି emotion ଦ୍ୱାରାହିଁ ହୋଇଥାଏ । Emotion ସବୁବେଳେ ସକ୍ରିୟ, ଅନ୍ତରର ଜ୍ୟୋତିରାବେଗ ଦେଇ ଏହା ମନକୁ ସକ୍ରିୟ କରି ରଖେ । ଜଗତର ସମସ୍ତ ଧର୍ମ ଓ ସମସ୍ତ ତତ୍ତ୍ୱଶାସ୍ତ୍ରରେ emotionର ସ୍ଥାନ ଆଗ, ବୁଦ୍ଧି ତା’ର ଅନେକ ପଛରେ । ଅନ୍ତରର emotion ସହିତ ବିଶ୍ୱଚେତନାର ସ୍ପର୍ଶ ବାଜିଲେ ସାହିତ୍ୟର ସୃଷ୍ଟି ହୁଏ । ଆମର ଅନ୍ତରାବେଗ ଆମକୁ ଏକ ଆତ୍ମ–ଅତିରିକ୍ତ ତୀର୍ଥ–ସଙ୍ଗମକୁ ଉଛୁଳାଇ ନିଏ । ସେଇ ଉଛୁଳା ମନର ସ୍ତବଗାନ କରି କବିର କବିତା ନିଃସରି ଉଠେ, ଔପନ୍ୟାସିକ ମଣିଷ ମନକୁ ନେଇ ନାନା ଦୂରନ୍ତ ସମ୍ଭାବନାର ସ୍ୱପ୍ନ ଦେଖେ ।

 

ଆମ ଯୁଗ ବୁଦ୍ଧିର ଯୁଗ । ମେସିନ୍ ସାହାଯ୍ୟରେ ତଳିପାର ରକ୍ତକଣା ଠାରୁ ଆରମ୍ଭ କରି ତାଳୁ ଭିତରର ମସ୍ତିଷ୍କ ପର୍ଯ୍ୟନ୍ତ ସମସ୍ତ ଦେହ ପ୍ରକ୍ରିୟାକୁ ମଣିଷ ଖିନଭିନ୍ନ କରି ସାରିଲେଣି । ତେଣୁ ସ୍ୱଭାବତଃ ମେସିନ୍‌ର ବନସି–ଥୋପ ବାହାରେ କୌଣସି ସହଜ ସତ୍ୟ ଓ ସରସ ପ୍ରାଣତତ୍ତ୍ୱ ଥିବ ବୋଲି ସେ ହଠାତ୍ ମାନିବାକୁ ପ୍ରସ୍ତୁତ ନୁହେଁ । ବୌଦ୍ଧିକ ମନର ଏଇ ଆତ୍ମମ୍ଭର ଅଭିଯାନ ଆଜି ସାହିତ୍ୟର ସୂକ୍ଷ୍ମ କ୍ଷେତ୍ରକୁ ମଧ୍ୟ ହାତ ବଢ଼ାଉଛି । ସେଥିଲାଗି ମିଶର ଦେଶର ପୀରାମିଡ଼ ଓ ଉଦ୍ଭିଦବିତ୍‌ର ପ୍ରୋଟୋପ୍ଳାଜମ୍ ଠାରୁ ଆରମ୍ଭ କରି ଜ୍ୟାମିତିର ସରଳ ରେଖା ଓ ବବୁର୍ଚ୍ଚିର ପଗଡ଼ି ପର୍ଯ୍ୟନ୍ତ ନାନା ଅଳିଆର ଅବତାରଣା ନ କଲେ ଏ ଯୁଗର କବି ସହଜେ ସନ୍ତୁଷ୍ଟ ହେଉନାହିଁ । ଏ ବର୍ଷର (୧୯୪୯) ସ୍ୱୀକୃତ ଓ ପୁରସ୍କୃତ ସାହିତ୍ୟ ସେହି ବୁଦ୍ଧିର ସାହିତ୍ୟ । ମେସିନ୍‌ର ଅଣୁପଥ ସହିତ ଦୃଷ୍ଟିକୁ ସଂକୀର୍ଣ୍ଣ କରି ଦେଇ ଭାବନାଚାରୀ ମଣିଷ ତା’ର ଦୈବ ଦୃଷ୍ଟିଟି ଭୁଲି ସାରିଲାଣି, ସହଜଗ୍ରାହୀ ମନର ସମସ୍ତ କବାଟ କିଳି ସେ ମାଦଳପରି ଗୋଟା ହୋଇ ଗଲାଣି । ଅନ୍ତରାବେଗର ସ୍ୱଭାବଜ ଉନ୍ମେଷ ଆଉ ନାହିଁ । ତା’ର ଆଖି ଆଗରେ ଜଗତରେ ସବୁ ଖାଲି ଭାଙ୍ଗି ପଡ଼ୁଛି ସବୁ ଭୁଷୁଡ଼ି ପଡ଼ୁଛି । ସାହାସୀ କବିର ଅନୁପ୍ରେରଣା ପାଇ ଫମ୍ପା ମଣିଷକୁ ଉଦ୍ଧାର କରିବାର ଦୃଷ୍ଟି ଶିଥିଳ କବି–ମଥାର ସ୍ପନ୍ଦନହୀନ ତନ୍ତୁରେ ଆସିବ କୁଆଡ଼ୁ ? ତେଣୁ ତା’ର କାମଳ ଆଖିରେ ସେ କେବଳ ଶୀର୍ଣ୍ଣ ଯୁଗର ମରଣ–ଦୃଶ୍ୟ ଦେଖୁଛି । ଜଗତର ବିରାଟ ଏକ ଉଷର ଭୂମି (waste land) ଉପରେ ତା’ର ଶୃଗାଳମନ କେବଳ ସିଆଣିଆ ବାଗ୍ମିତାର ସମାଧାନ ଖୋଜି ବୁଲୁଛି ।

 

ସେଇଥିଲାଗି ଯେଉଁଠି ଯେତେ ନାଗରା ପିଟା ହେଉଥିଲେ ମଧ୍ୟ ବର୍ତ୍ତମାନ ଜାତୀୟ ସାହିତ୍ୟ ଆଗେଇ ପାରୁନାହିଁ । ତାହାର ସହଜ ପ୍ରମାଣ ସେହି ଜାତିହିଁ ଦେବ । କେତେ ସାହିତ୍ୟ ଛପା ହୋଇ ପାଣିରେ ପଡ଼ୁଛି, ତଥାପି ଜାତି ଦୁଆରେ ତା’ର ପରିଚୟ ପହଞ୍ଚି ପାରୁନାହିଁ । ତା’ର କାରଣ ଏ ଯୁଗର ସାହିତ୍ୟ ପ୍ରଧାନତଃ ବୁଦ୍ଧିର ସାହିତ୍ୟ । ଏଥିରେ ଆନ୍ତରିକତାର ଯଥାଯୋଗ୍ୟ ସ୍ଥାନ ନାହିଁ, ତେଣୁ ଏହା ସ୍ୱାଭାବିକ ନୁହେଁ । ମନରେ ସକ୍ରିୟତାର ଅଭାବ ଥିଲେ, ମନୋଭାବନାମାନ ଅବରୁଦ୍ଧ ହୋଇ ରହି ହଠାତ୍ ଦିନେ ସମାଜ ଉପରେ ତା’ର ସ୍ୱୈରାଚାର ଆରମ୍ଭ କରିଦିଏ । ଅଳସ ମନ ବସିରହି ହଠାତ୍ ଦିନେ ଡିକ୍‌ଟେଟର୍ ପରି ଆପଣା ଆଡ଼କୁ ସମାଜର ଦୃଷ୍ଟି ଓ ଶ୍ରଦ୍ଧା ଟାଣି ଆଣିବାକୁ ଚାହେ । ବର୍ତ୍ତମାନ ସାହିତ୍ୟର ଦଶା ଠିକ୍‍ ସେଇଆ ହୋଇଛି । ଏଣେ ଆନ୍ତରିକତାର ଦୁଆର ବନ୍ଦ, ନାନା କାରଣରୁ କବିର ଉଦାସୀନ ପ୍ରାଣ ସମାଜ ଲାଗି ଆପଣାର କରି କିଛି ସୃଷ୍ଟି କରିପାରୁ ନାହିଁ । ଏଇ ଦୁର୍ଦ୍ଦଶାରେ ତା’ର ବୁଦ୍ଧିହିଁ ତାର ସହାୟତା କରିଛି । ବୁଦ୍ଧି–ବରସାର ନାନା ଜାଲ ବୁଣି, ନାନା ଟେକ୍‌ନିକ୍ ଓ ସ୍ଳୋଗାନର ଘଣ୍ଟ ବାଡ଼େଇ ସେ ଜବରଦସ୍ତି ସମାଜର ଦୃଷ୍ଟି ଲାଭ କରିବାକୁ ଯାଉଛି । ସ୍ୱେଚ୍ଛାଚାରୀ ମନଃମୈଥୁନର ବିଷଫଳ ରାଜନୀତି ଓ ସମାଜନୀତି କ୍ଷେତ୍ରରେ ଗଲା ତିରିଶ ବର୍ଷ ଭିତରେ ବେଶ୍ ଜଣାପଡ଼ିଛି । ହୁଏତ ପୁରୁଣା ଦୃଷ୍ଟାନ୍ତରୁ ଶିଖି ସାହିତ୍ୟକର ସାବଧାନ ହେବା ସମୟ ଆଜି ବଳେଇ ଯାଇନାହିଁ, ଆପଣାବୁଦ୍ଧିର ଝିଙ୍କ କାଠିକୁ ଅପସରାଇ ଆଣି ଅନ୍ତରାବେଗଦ୍ୱାରା ସମାଜର ନିକଟବର୍ତ୍ତୀ ହେବାର ସୁଯୋଗ ଏବେ ବି ଛାଡ଼ି ଯାଇନାହିଁ ।

 

ଲୋକସଂଗୀତରେ ବୁଦ୍ଧିର ବେପାର ନାହିଁ, କୌଣସି ଟେକ୍‌ନିକ୍ ବା ଶୈଳୀର ସ୍ୱାଧିକାର ପ୍ରମତ୍ତ ଆଡ଼ମ୍ୱର ସେଠି ନାହିଁ । କେବଳ ଆନ୍ତରିକତାଦ୍ୱାରା ସେଠି କବିର ମନ ସମାଜରେ ମନକୁ ଭେଦ ପାରିଛି । ସରଳ ସୁଦ୍ଧ ଓ ଶ୍ରଦ୍ଧାବନ୍ତ ମନର ଆବେଗ ଗୁଡ଼ିକ ମନ ଭିତରେ ଜନ୍ମ ଲାଭ କଲା ମାତ୍ରକେ ଠିକ୍ ସେହି ସ୍ୱାଭାବିକ ରୂପରେ ବାହାରକୁ ବାହାରି ଆସିଛି । ତେଣୁ ଗ୍ରାମସଂଗୀତରେ କୌଣସି ଅକ୍ଷର ବନ୍ଧର ଛାଟେଣୀପିଟା ନଥିଲେ ମଧ୍ୟ ପ୍ରାଣର ଆବେଦନ ତା’ଭିତରେ ଏତେ ବେଶୀ ଭରି ରହିଛି ଯେ ସମସ୍ତ ଶୈଳୀକୁ ପରାସ୍ତ କରି ସେଠି କେବଳ ସାହିତ୍ୟର ବିଜୟ ହୋଇଛି-। କାରଣ ନିରାଭରଣ ଅନ୍ତରଟିକୁ ଦେଇ ସେ ସହସ୍ର କର୍ମକ୍ଷେତ୍ରରେ ସହସ୍ର ନରନାରୀଙ୍କୁ ହସାଉଛି, କନ୍ଦାଉଛି । ଦୁଃଖକୁ ଜିତି ଜୀଇ ଉଠିବା ଲାଗି ସେମାନଙ୍କ ଛୋଟିଆ ସଂସାର ଭିତରେ ଜୀବନ ଜ୍ୟୋତି ଭରାଇ ଦେଉଛି ।

 

ଭାଗ ଭାଗ କରିଦେବା ହେଉଛି ବୁଦ୍ଧି ଓ ବିଜ୍ଞାନର କୌଶଳ । ଅନ୍ତରର ପାଞ୍ଜିରେ ଭିନ୍ନ କରି ଦେଖିବାର କୌଣସି ସ୍ଥାନ ନାହିଁ । ଅନ୍ତରର ଗତି ସାହାସୀ ଝରଣାର ଗତି ପରି, ଗୋଟାଏ ଗର୍ଭ ଫଟାଇ ସେ କେବଳ ବିଶ୍ୱଗର୍ଭକୁ ଡେଇଁ ପଡ଼ି ସାର୍ଥକ ହୁଏ । ସବୁରି ଅନ୍ତର ଭିତରେ ଏହିପରି ଏକ ଡେଇଁ ପଡ଼ିବାର ଆବେଗ ରହିଛି । ନାନା ଭାଷା ଓ ନାନା ପ୍ରଦେଶର ବାଡ଼ ଭିତରେ ମଧ୍ୟ ସେ ଆବେଗକୁ କେହି ଦବାଇ ପାରିନାହିଁ । ଏହି ଆବେଗହିଁ ବିଶ୍ୱମନର ସାଗର ତୀରରେ ସମସ୍ତ ଦେଶ–ମନକୁ ଏକ କରି ଗୁନ୍ଥି ଦେଇଛି । ପ୍ରତ୍ୟେକ ପ୍ରଦେଶ, ଏପରିକି ଅଧିକାଂଶ ଦେଶର ବିଭିନ୍ନ ବିଷୟକ ଲୋକସଂଗୀତର ପ୍ରାଣ ଏକାଭଳି । ସବୁ ଦେଶର ମଣିଷ ଏକାପରି ହସେ, ଏକାପରି କାନ୍ଦେ; ଠିକ୍ ସେହିପରି ତା’ର ମୁକୁଳା ଅନ୍ତର ଭିତରୁ ସବୁଦେଶରେ ପ୍ରାୟ ଏକାପରି ସଂଗୀତ ବାହାରି ଆସିଛି । ନାନା ଭାଷାର ଦୋଳିଗୀତ, ପିଲା ଶୁଆଇବା ଗୀତ ପ୍ରଭୃତି ମିଳାଇ ଦେଖିଲେ ଏହି ଐକ୍ୟ–ପ୍ରାଣ ସହଜରେ ଧରା ପଡ଼େ । ଏପରିକି ଅନେକ ସ୍ଥଳରେ ଭାଷାର ମୂର୍ଚ୍ଛନା ମଧ୍ୟ ଏକାଭଳି, ସଂଗୀତର ସୁର ଓ ଛନ୍ଦ ଏକାଭଳି । ଫରାସୀ ଗାଆଁର ମାଆ ପିଲାକୁ ଦୋଳିରେ ଝୁଲାଇଲାବେଳେ ଯେଉଁ ସୁରରେ ଗୀତ ଗାଏ, ସିଂହଳର କେଉଁ ପାର୍ବତ୍ୟ ରମଣୀର ଦୋଳି ଗୀତରେ ମଧ୍ୟ ସେହି ଏକ ସୁର ଓ ଏକ ମୂର୍ଚ୍ଛନା ପରିସ୍ଫୁଟ ହୋଇ ଉଠେ । ମଣିଷର ଅନ୍ତରାବେଗହିଁ ତାକୁ ଏକ ମାଳାରେ ମିଳାଇ ଦେଇ ପାରିବ, ତା’ର ସମସ୍ତ ବୈଷମ୍ୟ ଭାଙ୍ଗି ତାକୁ ଏକ ଭଦ୍ଭାବନରେ ମିଳିତ କରାଇଦେଇ ପାରିବ, ଲୋକସଂଗୀତର ସହଜ ଐକ୍ୟ ପ୍ରଧାନତଃ ଏହି ଆଶା ଦେଇଯାଏ । ବିଭିନ୍ନ ଦେଶର ଲୋକସଂଗୀତ ସଂଗୃହୀତ ହୋଇ ଯେତିକି ଯେତିକି ସେ ସବୁର ତୁଳନାତ୍ମକ ଆଲୋଚନା ଓ ଚର୍ଚ୍ଚା ହେଉଥିବ, ଏହି ସତ୍ୟଟି ସେତିକି ବେଶୀ ପ୍ରମାଣିତ ହୋଇପାରିବ ।

 

କେବଳ ସୁର, ଭାଷା ବା ମୂର୍ଚ୍ଛନାର ମିଳନ ନୁହେଁ, ବାସ୍ତବ ଓ ଆଦର୍ଶର ସୁଖମିଳନ ଏହି ଲୋକସଂଗୀତରେ ହୋଇଛି । ଆଜିର ଜଗତରେ ଏଇ ଦୁଇଟିର ଦ୍ୱନ୍ଦ୍ୱ କବିକୁ ସବୁଠାରୁ ବେଶୀ ବ୍ୟାକୁଳ କରୁଛି । ସେ ଯାହା ବୁଦ୍ଧି ଦେଇ କଳ୍ପନା କରୁଛି ଆଖି ଆଗରେ ସଂସାରକୁ ସେହିପରି ଭାବରେ ଦେଖି ପାରୁ ନାହିଁ । ଅନ୍ତରାବେଗର ସକ୍ରିୟତା ହରାଇ ବସିଥିବାରୁ ସେ ଆପଣାର ସ୍ୱପ୍ନ ମହଲ ଧରି ତାକୁ ବାସ୍ତବରେ ଖାପ ଖୁଆଇ ପାରୁନାହିଁ । ଲୋକସଂଗୀତର ଗତି କିନ୍ତୁ ଅନ୍ୟ ପ୍ରକାରର । ସେଠି ଚମଶରୀର ମଣିଷ ନିତିଦିନର ଜୀବନ ବଞ୍ଚେ, ନିତ୍ୟ-ଦୁଃଖର ଗଞ୍ଜଣା ସହେ, ନିତିବିଜୟର ହସ ହସେ; ତେଣୁ ତା’ର ସଂଗୀତ ମଧ୍ୟ ନିତି–ଅନୁଭୂତିର ଆବେଗମାନ ଦେଇ ଜୀବନର ଚାରଣିକା ଗାଇ ଉଠେ । ପ୍ରତ୍ୟେକ ଦିନର ଜୀବନ ଭିତରେ ସେ ତଳେ ମାଟିରେ ବିଚରଣ କରେ, ସାହସ ଓ ସମ୍ୱଳ ଲାଗି ଉପରର ତାରାକୁ ଅନାଏ । ତାର ସଂଗୀତର ସରଳ ପ୍ରକାଶରେ ମାଟି ଓ ଆକାଶ ଉଭୟ ପ୍ରାଣବନ୍ତ ହୋଇଉଠେ; ବାସ୍ତବ ଓ ଆଦର୍ଶର ମିଳନ ହୁଏ । ସରଳ ମଣିଷର ଧର୍ମ ଜୀବନଧର୍ମ, ସେଥିଲାଗି ତା’ର ସଂଗୀତ ମଧ୍ୟ ଜୀବନସଂଗୀତ । ସେଠି ସେ ଫୁଲଟି ପରି ଫୁଟି ଉଠି ମାଟି, ପବନ ଓ ଆଲୋକ ସମସ୍ତଙ୍କର କଲ୍ୟାଣ ଲାଭକରେ । ରାମ ଲକ୍ଷ୍ମଣ ରତ୍ନସିଂହାସନ ଛାଡ଼ି ତା’ରି କୁଡ଼ିଆ ଓ ବଣ ପାହାଡ଼କୁ ଆସନ୍ତି । କୃଷ୍ଣ ବୈକୁଣ୍ଠପୁର ଛାଡ଼ି ତା’ରି ଗାଈଆଳ ପୁଅ ହୋଇ ନବଜନ୍ମ ନିଅନ୍ତି । ଗଞ୍ଜାମ ଜିଲାର ଦାସକାଠିଆ ଗୀତରେ ଏଇ ଦୃଷ୍ଟିରୁ ଏକ ଚମତ୍କାର ବୈଶିଷ୍ଟ୍ୟ ଅଛି । ରାମାୟଣ ମହାଭାରତର ଗାନ ସଙ୍ଗେ ସଙ୍ଗେ ନିତ୍ୟ–ଜୀବନର ସରଳ ଚପଳ ହସ, କାରୁଣ୍ୟ ଓ ପ୍ରୀତି–ଆକାଙ୍‌କ୍ଷା ଗୁଡ଼ିକର କାହାଣୀ ତ ଗଛଳରେ ବୋଲା ହୋଇ ଶୁଣିବା ଲୋକଙ୍କ ଭିତରେ ଏପରି ଏକ ମିଳିତ ଆବେଗ ସୃଷ୍ଟି କରେ, ଯାହାକି ବୁଦ୍ଧି ପ୍ରସ୍ତୁତ ଖୁବ୍ କମ୍ ସାହିତ୍ୟରୁ ମିଳେ । ଦେବତାର କୀର୍ତ୍ତନ କରିବା ସଙ୍ଗେ ସଙ୍ଗେ ମଣିଷ ଆପଣା ମନର କୀର୍ତ୍ତନ କରି ଚାଲେ, ଚମ ଓ ଚିନ୍ମୟର ମିଳନ ହୁଏ । ଚମ ଓଠର ସହଜ ହସ ଭିତରେ ଦୈବତୁଳୀର ରଙ୍ଗ ମାଠି ହୋଇଯାଏ ।

 

ସଂସ୍କୃତି ଦୃଷ୍ଟିରୁ ଦେଖିଲେ ଗଞ୍ଜାମ ଜିଲା ଉପେନ୍ଦ୍ର ଭଞ୍ଜଙ୍କର ଇଲାକା । କବି ପୁଙ୍ଗବ ଉପେନ୍ଦ୍ର ଘୁମୁସରର ରାଜବଂଶୀ ଥିଲେ । ଖୋର୍ଦ୍ଧାଠାରୁ ଲଗାଏତ ବିଶାଖାପାଟଣା ଯାଏ ନାନା ହୋଟେଲରେ, ମଟର ବା ରେଳଗାଡ଼ିରେ କୌଣସି ଘୁମୁସରିଆ ଜଣକୁ ଦେଖିଲେ ଭଞ୍ଜ ସଂସ୍କୃତିର ବାହାର ବେଢ଼ଟା ସ୍ପଷ୍ଟ ଆଖିକୁ ଦିଶିଯାଏ । ପାଚିଲା ଗାମୁଛା, ଟହ ଟହ ମୁଖରେ ଟହ ଟହ କଥା, କଥା କଥାକେ କେତେ ଢଗ, କେତେ ଢମାଳୀ, କେତେ ଶ୍ଳେଷ ଏହିସବୁ ନେଇ ଘୁମୁସରର ଯୁବକ ଯେଉଁଠିକି ଯାଏ ଗର୍ବ କରେ । ଘୁମୁସରଠାରୁ ରାମଗିରି ଉଦୟଗିରି ଅନେକ ଦୂର । ତଥାପି ଏଠାରେ ସମାଜରେ ଭଞ୍ଜଙ୍କର ପ୍ରଭାବ ଯେପରି ମଞ୍ଜଧରି ରହିଛି; ହୁଏତ ଭଞ୍ଜଙ୍କର ଐତିହ୍ୟ ଗଞ୍ଜାମର ଆଚାରକୁ ଗଢ଼ିଛି ବା ଗଞ୍ଜାମ ସମାଜର ରୁଚି ଭଞ୍ଜ କବିଙ୍କୁ ଗଢ଼ିଛି । ରାମଗିରିର ଯେ କୌଣସି ଗାଈଆଳ ପିଲାକୁ ଦୁଇଟା ବିଡ଼ି ଦେଇ ଖୁସି କରିଦିଅ, ଭଞ୍ଜଙ୍କର କେତେ ଛାନ୍ଦରୁ ସେ ପଦକୁ ପଦ ଗାଇ ଚାଲିଯିବ । ସ୍କୁଲରେ ଅକ୍ଷର ଶିଖି ଭଞ୍ଜଙ୍କର ପୋଥି ସହିତ ପରିଚୟ ଘଟିବାର ସୁଯୋଗ ହୁଏତ ସେ ପାଇ ନାହିଁ, କିନ୍ତୁ ‘‘ଦ୍ୱିତୀୟା ଯାମିନୀରେ ‘ମୋ’ ପ୍ରାଣସହୀ’’ ଛାନ୍ଦଟା ସେ ପୂରାପୂରି ମନେ ରଖି ପାରିଛି । ବାବୁଙ୍କଠାରୁ ନିର୍ଭର ପାଇଲେ ଗୀତ ଗାଉ ଗାଉ ହସ୍ତ ଓ ନିତମ୍ବର ଭଙ୍ଗୀଠାଣି ଦେଖାଇବାକୁ ସେ କଦାପି ଛାଡ଼ିବ ନାହିଁ । ପିଲାଦିନେ ନୟାଗଡ଼ରେ ଥରେ ଦକ୍ଷିଣୀ ପିଲାଙ୍କ ନାଚ ଦେଖିଥିଲି । କଟକର ମାରୁଆଡ଼ୀମାନେ ମଧ୍ୟ ଶସ୍ତା କାଳରେ ଦକ୍ଷିଣୀ ପିଲା ଅଣାଇ ନାଚର ବରାଦ କରୁଥିଲେ । ସାହିତ୍ୟ–ସମାଲୋଚନାରୁ ପଢ଼ିଛି, ଭଞ୍ଜଙ୍କ ଅମଳରେ କୁଆଡ଼େ ଗୋଟୀପୁଅ (ପିଲା) ନାଚ ଓଡ଼ିଶୀ ରାଜଦରବାରରେ ସର୍ବତ୍ର ଥିଲା । ଚଉଦ ପନ୍ଦର ପିଲା ଆଜାନୁଲମ୍ୱିତ କେଶ ବଢ଼ାଇ କୋଉ ଦେଶରେ ଏମିତି ଗୋଟୀପିଲା ସାଜୁଥିଲେ, ମୁଁ ଜାଣେ ନାହିଁ । ଲକ୍ଷ୍ନୌ ଦରବାରର ଅସ୍ତମୁଖ ବିଳାସ–ମସନଦରେ ମୋଗଲ ବାଦଶାହାମାନେ ଅଣ୍ଡିରିପୁଅ ରଖି ‘କଥକ’ ନାଚ କରାଉଥିଲେ, ପ୍ରେମାବେଦନର ସମସ୍ତ ଅଭିଲକ୍ଷ୍ୟଗୁଡ଼ିକ ନାନା ବୋଲ ଓ ଅଙ୍ଗଭଙ୍ଗୀ ଦ୍ୱାରା ଦେଖାଇବା କାମ ଅଣ୍ଡିରି ପୁଅର ଥିଲା ।

 

ଗଞ୍ଜାମର ଅଣ୍ଡିରି ପୁଅ ସେଇ ଗୋଟୀପିଲା ଅମଳର ପରିପାଟିକୁ ଦେହରେ ଓ ମନରେ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିଛି । ନାକ କାନ ଫୋଡ଼ି, ଉଚ୍ଚ ନିତମ୍ୱରେ ଚାଲି, କଟି ଭାଙ୍ଗି ଠିଆହୋଇ ସେ ଗୋଟାକୁ ଗୋଟା ଛାନ୍ଦ ବୋଲିଲା ବେଳେ, ମନ ଠିକ୍ ପୂର୍ବର ସେଇ ଯୁଗକୁ ଚାଲିଯାଏ । ଅକ୍ଷର ବସାଣରେ ‘‘ଧର୍ମ ନିରପେକ୍ଷ’’ ଛାନ୍ଦ ଲେଖା ଯାଇ ଗୋଟୀପିଲା ନାଚ ହେଉଥିଲା ବେଳେ ରାଜସଭା ଓ ରାଜ ଇଲାକାର ବାହାରେ କୌଣସି ପୃଥିବୀ ବିଷୟରେ କୌଣସି ଧାରଣା ସେ କାଳର ସଭା–ମାଳିକର ଥିଲା କି ନାହିଁ, ଓଡ଼ିଶାରେ ସେହି କବିନ୍ଦ୍ରଯୁଗର ପର୍ଯ୍ୟାଲୋଚକମାନେ ତାହା ଅନୁମାନ କରି ପାରିବେ ।

 

ରାମଗିରି ଉଦୟଗିରିରେ କିଶୋର ଓ ଯୁବକମାନଙ୍କର ସମ୍ପର୍କରେ ହଠାତ୍ ଏଇ କଥାଟା ମନରେ ବେଶୀ ବାଜିଥିଲା । ସେଠିକାର ଲୋକସଙ୍ଗୀତ ଶୁଣି ଏଇ ଧାରଣା ଆହୁରି ବଳବନ୍ତ ହୋଇଗଲା । ସେ କାଳର ରାଜା ନାନା ଡରର ଖୋପ ବସାଇ ମଣିଷର ପକ୍ଷୀ ମନକୁ ବାନ୍ଧି ରଖିଥିଲା । ସେଇ ବନ୍ଧାମନର ଶଙ୍କିତ ତ୍ରାସ ଆଜି ମଧ୍ୟ ସେ ସମାଜକୁ ସେଇପରି ବାନ୍ଧି ରଖିଚି । କିନ୍ତୁ ଗୋଟିଏ ବିଷୟରେ ରାଜା ତା’ର ଅନୁଗତ ପ୍ରଜାକୁ ମୁକ୍ତି ଦେଇଥିଲା, ସେ ହେଉଛି–କାନଫୋଡ଼ି, ନାକଫୋଡ଼ି ନାଚି ନାଚି ରାଜକବିଙ୍କର ଭଣିତା ଗୀତମାନ ଗାଇବା । ଆଦି ରସରେ ସାରା ଜୀବନଟାକୁ ମିଞ୍ଜାଇ ଦେବାର ଏତେ ସ୍ୱାଧୀନତା ବୋଧହୁଏ ସଂସାରରେ କମ୍ ଦେଖିବାକୁ ମିଳିବ । ପର୍ବ, ପାର୍ବଣ, ଗୋରୁ ଗୋଠ ଓ ତୋଟା ତଳରେ ଏବେ ମଧ୍ୟ କେବଳ ସେହି ସଙ୍ଗୀତ ଗଞ୍ଜାମକୁ ଉଛୁଳାଇ ରଖିଛି । ସେ ରାଜରାଜୁଡ଼ିଆ ଆମ୍ୱୁଆ ସମୟ ଚାଲିଗଲାଣି, ସେ ସାଆନ୍ତିଆ କାରବାରରେ କଳାକନା ବୁଲିଗଲାଣି; ତଥାପି ଗଞ୍ଜାମ ତା’ର ରସିକ ମନଟାକୁ ଏପର୍ଯ୍ୟନ୍ତ ଛାଡ଼ି ପାରିନାହିଁ । ଦୁଃଖମୟ ଜୀବନ ଭିତରେ ରସସ୍ପାଳ ଗୀତରୁ ପଦେ ପଦେ ବୋଲି ଦେଇ ଆପଣାକୁ ସେ ଅଧେ ଜୀଆଇ ରଖିଛି । ଧାଡ଼ୀ ଧାଡ଼ୀକେ ପଦ ପଦକେ ରାମଗିରିର ଲୋକସଙ୍ଗୀତରେ ଏଇ ସ୍ୱାଧୀନ ପ୍ରୀତି ଓ ରୂପାଶ୍ରୟୀ ପୂର୍ବଭାଗର ପୂର୍ଣ୍ଣ ବ୍ୟଞ୍ଜନା ରହିଛି । ଗରିବ ଧାନରୁଆଳୀ ଧାନ ରୋଉ ରୋଉ ପାଖରେ କାମ କରୁଥିବା ଭାରିଯାକୁ କହୁଛି—

 

ବାଉଁଶ ପତର ସରୁ, ତୁହିଁ ମୁହିଁ ଯିବା ଲୋ ଛତରପୁରୁ,

ଧାନ ରୁଆ ଖଣ୍ଡେ ସରୁ ।

ଆଖୁବାଡ଼ି ଠିଆ ଜହ୍ନ, ଧୋବଲା ଘୋଡ଼ାକୁ ଟିପି ଚନ୍ଦନ,

ଓଡ଼ିଶା ଯିବାକୁ ମନ ।

 

ଧାଙ୍ଗଡ଼ା ଆଉ ଧାଙ୍ଗଡ଼ୀ, ଅର୍ଥାତ୍ ଅବିବାହିତ ବୟସର ଯୁବକ ଓ ଯୁବତୀ, ଏ ଦୁଇଟା ଶବ୍ଦ ରାମଗିରିରେ ଅନେକ ଶୁଣିବାକୁ ପାଇଛି । ନାନା ପର୍ବରେ ସେଠାରେ ଧାଙ୍ଗଡ଼ା ଓ ଧାଙ୍ଗଡ଼ୀ ନାଚ ହୁଏ । ପାଣ ଶବରଙ୍କ ଠାରୁ ଆରମ୍ଭ କରି ଶିକ୍ଷିତ ଯାଏ ସଭିଏଁ ଏଥିରେ ସମାନ ଭାବରେ ମାତନ୍ତି । ଯୁବତୀକୁ ଲକ୍ଷ୍ୟ କରି ନାନା ପ୍ରକାରର ଉଲୁଗଣାରେ ଧାଙ୍ଗଡ଼ା ଗୀତ ସମସ୍ତଙ୍କୁ ମଞ୍ଜାଇ ରଖିଥାଏ ।

 

ନଈରେ କିଏ ଯାଉଛି, ବାରହାତ ଲୁଗା ଫେରି ପଡ଼ିଛି,

ତା’ର ଚାଲିରୁ ଜଣାଯାଉଛି ।

ଏ ବାଟେ କିଏ ଯାଉଛି, ବାରହାତ ଲୁଗା କୁମ୍ଭ ପଡ଼ିଛି,

ଚାଲିରେ ଜଣାଯାଉଛି ।

 

ସାବଳା ଶୁଖୁଆ ମେରୁ, ଆପରା ଦିଣ୍ଡାର ଅଣ୍ଟାଟି ସରୁ,

ଭାଙ୍ଗିଯିବ ବୋଲି ଡରୁ ।

ପାଣିଗଲା ଗେବେ ଗେବେ, କେତେ ଅନାଉଛୁ ମୁଖକୁ ଏବେ,

ତୋତେ ପରା ମୋତେ ଦେବେ ।

 

ପାଚିଲା ଡିମରି ପଣେ, ଦିଣ୍ଡା ହଜିଗଲା ଖଜୁରୀ ବଣେ,

ତହିଁକି ଭେଣ୍ଡିଆ ଜଣେ ।

ବାଉଁଶ ଟିପରେ ମହୁ, ଏ ବାଟେ ଯାଉଛି କାହାର ବୋହୂ,

ମତେ ବାହା କରି ଦେଉ ।

 

କଳା ରୂପ, କଳା ସୌନ୍ଦର୍ଯ୍ୟର ବେଶୀ ଆଦର । ମୁଗୁନୀ ବରଣୀ ଯୁବତୀକୁ ସରଗକୁ ଉଠାଇ ଦେଇ, ରସିକ କବି ଗୀତ ବାନ୍ଧିଛି ।

 

କାଉକୁ ନ ବୋଲ କଳା, ନନ୍ଦୀଘୋଷ ରଥ ଝରାବଉଳା ଲୋ,

ଓଡ଼ିଶାରେ ଚକାଡ଼ୋଳା ।

 

ଚଢ଼େଇଆ ମୁହଁରେ ମଧ୍ୟ ସେହି ଗୀତ । କ ଠାରୁ କ୍ଷ ପର୍ଯ୍ୟନ୍ତ ଚଉତିଶା ଛାନ୍ଦରେ ଗୀତ କରି ଚଢ଼େଇଆ ମଧ୍ୟ ବିଧୁର ମନର କଥା କହିଦେଇ ଯାଏ ।

 

କରୁଣା କର ନାଗରୀ, କିଞ୍ଚିତେ ମୋଠାରେ ଦଶନ ଧରି

ଯା କରୁଣା କରି, ତୋର କର୍ଣ୍ଣେ ଫୁଲ ଦେବ ଭରି ।

ଠିକ୍ ତୋତେ କହୁ ନାହିଁ, ଠିକ୍ କଥା କହୁଅଛି ଲୋ ସହୀ

ଯା ଠୁଳ ସୁଦେହୀ, ଠୁଳ ମୁଦି ଲଗା ନେଇ ।

 

ଥୟ ହେଉ ନାହିଁ ମତି, ଥିରେ ଅଙ୍ଗୀକାର କର ସୁମତି

ଯା ଥବିର ମତି, ଥିରେ ଲଗା ପାନପତ୍ରି । ଇତ୍ୟାଦି ।

 

ଯୌବନ ଆଖିରେ ବସି କଳ୍ପନାକୁ କେତେ କୁଞ୍ଜକୁ ଉଡ଼ାଇନିଏ । କିନ୍ତୁ ସାମାଜିକ ମନଟା ବାଟ ଉଗାଳେ । ତେଣୁ ଲୋକସଙ୍ଗୀତ ଦେଇ ମଣିଷର ଗୋପନ ଅଭିଳାଷ ମଧୁର ରୂପରେ ପ୍ରକାଶ ପାଏ ।

 

ନଦୀରେ ପୋତିଲି ରଞ୍ଜା, କଳା ଲୁଗାପିନ୍ଧି ଦାଣ୍ଡକୁ ନ ଯା,

ଭେଣ୍ଡିଆ ଯାରିବ ଖଜା ।

ଦେଉଳ ଉପରେ ଇଟା, ଥିରି ଥିରି କରି କବାଟ ଫିଟା,

ଖାଇବୁ ଆରିଶା ପିଠା ।

 

ପଣସ ପତର ପିକା, ରାଇଗଡ଼ ଲୋକ ମାଇପ ବିକା,

ଡାବୁଥିଲେ କିଣି ପକା ।

ନଈ ବାଲି ଗିରା ଗିରା, ନଈ ସେ ପାଖରେ ଡାକୁଛି ହୀରା,

ପଇତିରେ ନାହିଁ ଜିରା ।

 

ଇଟା ମାଟି ହୁକୁ ହୁକୁ, କିଏ ନେଇଗଲା ସୁନା ଫୁଲକୁ,

ତଳମାଳ ରାଇଜକୁ ।

ବାଟେ ବାଟେ ଗଲା ରଣା, ଗୁରୁଜି (ଗୋହରୀ) ବାଟରେ

ଧଇଲି ଡେଣା, ଭେଣ୍ଡିଆ ପିଲାକୁ ଜଣା ।

 

ଧୋବଲା ଗାଈର ଛେନା, ବଡ଼ଲୋକ ସଙ୍ଗେ କଲି ଭାବନା,

ଅଧର ଦିନିଆ ସିନା ।

ଯା’ମି ଝିଲିକା ରସ, ରସ ଥିବା ଯାକେ ପାଶରେ ବସ ।

ରସ ଗଲେ ଦୂର ଦେଶ ।

 

ରସାଳ ମନର ରଙ୍ଗୀନ୍ କଳ୍ପନାରେ ଦେବତାଙ୍କୁ ମଧ୍ୟ ସଂସାରର ରସଶାଳାକୁ ଆସିବାକୁ ହୋଇଛି । ରାମ ସୀତାଙ୍କର ଉପଲକ୍ଷ୍ୟ ଭିତରେ ମଣିଷ ମନର ଅଭୀପ୍‌ସାମାନ ଫୁଟି ବାହାରିଛି ।

 

ଦେଉଳ ଉପରେ ଘାସ, ସୀତା ଠାକୁରାଣୀ ଯୁବା ବୟସ,

ରାମ ଗଲେ ବନବାସ ।

ଡାବୁ ଛଣଗଜି ମଲା, ସୀତାକୁ ରାବଣ ଚୋରାଇ ନେଲା,

କେତେଦିନ ଭୋଗ କଲା ।

 

ଧାଙ୍ଗଡ଼ିଆ ଆଉ ଚଢ଼େଇଆ ଗୀତ ଭିତରେ ମଧ୍ୟ ଦୈନନ୍ଦିନ ଜୀବନର କରୁଣ ସଜଳ ଚିତ୍ର ଗୁଡ଼ିକ ମଝିରେ ମଝିରେ ଫୁଟି ଉଠିଥାଏ ।

 

ଧାନକୁ ମାଣ୍ଡିଆ ମିଶୁ, ଗୋଟି ଗୋଟି କରି ବନ୍ଦିଆ ବସୁ,

ଚଷାକୁ ସୁନ୍ଦର ଦିଶୁ ।

ନଈରେ କେଞ୍ଚୁଆ ଗାତ, ବଡ଼ ବୋହୂ ଦେଲା ପଖାଳ ଭାତ,

ଘୋଟିଗଲା ସନ୍ନିପାତ ।

 

ନୂଆ ଖଦୀ ପର ପର, କେବେ ଦେଖି ନାହିଁ ଜହିଲ

(ଜେଲ) ଘର, ଦେଖିଲେ ମାଡ଼ୁଛି ଡର ।

ନଈରେ ପୋତିଲି ଛତା, ଆଠଗଡ଼ ପାଣି ଦିହକୁ ବଥା,

ଚାଲିଯିବା କଲିକତା ।

 

ଅଣ୍ଡିରି ପୁଅକୁ ସ୍ତ୍ରୀ-ବେଶ କରାହୁଏ, ତା’ରି ମୁହଁରେ ନୋଥ, ବସଣୀ ଖଞ୍ଜାହୁଏ । ପ୍ରତି ପର୍ବରେ ତା’ରି ମୁହଁର ଏହି ସବୁ ଗୀତରେ ରାମଗିରି ଉଦୟଗିରିର ପର୍ବତ ପଡ଼ା ମୁଖରିତ ହୋଇ ଉଠେ । ଯେତେ ଅଶ୍ଳୀଳ ହେଲେ ମଧ୍ୟ ସେଠାର ସମାଜ, ସେଠାର ସଂସ୍କୃତି, ସର୍ବୋପରି ସେଠାରେ ଲୋକ–ମନର ପରିଷ୍କାର ପରିଚୟ ଲୋକସଙ୍ଗୀତର ଏହି ଅନ୍ତରାବେଗରୁ ହିଁ ମିଳିଥାଏ ।

 

ଉଦୟଗିରିରେ ଚାରିଦିନ ରହିବା ପରେ ରାମଗିରି ଆସିଲି । ଆସିବାର ପ୍ରଧାନ ଆକର୍ଷଣ ହେଉଛି ବେଜୁଯାତ୍ରା । ବରଷକରେ ଥରେ ଅଶ୍ୱିନ ମାସରେ ଗଞ୍ଜାମ ମାଳରେ ଏହି ଯାତ୍ରା ହୁଏ । ଉଦୟଗିରି, ରାୟଗଡ଼ା ପ୍ରଭୃତି କେତେ ଯାଗାରେ ବେଜୁ ବାହାରୁଥିଲେ ମଧ୍ୟ ରାମଗିରି ଯାତ ଅଞ୍ଚଳ ଗୋଟାକରେ ସବୁଠାରୁ ବଢ଼ିଆ । ରାମଗିରି ଆସି ଦେଖିଲି, ସେଦିନ ଦାଣ୍ଡ ଘାଟ ନୂଆ ମଣିଷରେ ଫାଟି ପଡ଼ୁଛି । ସଭିଙ୍କ ଘରେ କୁଣିଆ ଭିଡ଼ ଅତିରିକ୍ତ ହୋଇ ପଡ଼ିଛି ।

 

ସେଦିନ ମେଘ ଘୋରା ଘୋରା କରୁଥାଏ । ଦିନ ବାରଟାବେଳେ ରାମଗିରିରେ ପହଞ୍ଚିଲାବେଳକୁ ସୁବଳଦା ମୁଣ୍ଡିଆ ଉପରେ ଖଣ୍ଡେ କଳା ମେଘର ମାଦଳ ତଳକୁ ଗଡ଼ି ଆସୁଥାଏ-। ତା’ପରେ ଅସରାଏ ବର୍ଷା ବି ହୋଇଗଲା, ତେବେ ବି ରାମଗିରି ପାଇକ ସାହୀ ଢୋଲମାଡ଼ରେ ଫାଟି ପଡ଼ୁଥାଏ । ଡାକ୍ତରବାବୁ ରାମଗିରି ଆସିଚନ୍ତି ଶୁଣି ବାଜା ଶବ୍ଦଟା ଆମରି ଘର ଆଡ଼କୁ ମୋହିଁଲା । ଖାଇ ସାରି ଉଠିଲାବେଳକୁ ଦାଣ୍ଡ ଦୁଆରେ ଭାରି ଭିଡ଼ । ଆମେ ସମସ୍ତେ ବାହାରକୁ ଆସିଲୁଁ ।

 

ଏ କିନ୍ତୁ ଅସଲ ବେଜୁନାଟ ନୁହେଁ । ସେ ଯାଇ ରାତିକୁ । ତା’ପୂର୍ବରୁ ନକଲି ବେଜୁକୁ କେନ୍ଦ୍ର କରି ଗାଁ ଟୋକାଙ୍କର ପୋଷାକୀ ଯାତ୍ରା ଗାଁର ବସ୍ତି ବସ୍ତି ବୁଲୁଥାଏ ନାଟ ଦେଖାଇ ପଇସା ରୋଜଗାର କରିବା ଲାଗି । ଗୋଟିଏ ଛୋଟିଆ ଅଣ୍ଡିରି ପୁଅ ବେଜୁ ସାଜିଥାଏ । ରାତିରେ ଅସଲ ବେଜୁ ଯେମିତି ନାଚେ, ସେମିତି ଅଙ୍ଗଭଙ୍ଗୀ କରି ପିଲାଟି ତା’ର ନକଲରେ ନାଚୁଥାଏ ।

 

ଛୋଟିଆ ବେଜୁ କିଛି ସମୟ ନାଚି ସାରିବା ପରେ ଅନ୍ୟ ଅଭିନୟମାନ ଆରମ୍ଭ ହୁଏ । ଛଅ ସାତ ଜଣ ଭେଣ୍ଡିଆ ଟୋକା ସଖୀ ବେଶ ସାଜିଥାନ୍ତି । ଓସ୍ତାଦ୍ ହାରମୋନିଅମ୍ ବଜାଇଲେ ସଖୀମାନଙ୍କର ନାଟ ହୁଏ । ଦୁଇଦଳ ହୋଇ ସେମାନେ ପଦେ ପଦେ ଗୀତ ଗାଇ ଏ ପାଖରୁ ସେପାଖ ହେଉଥାନ୍ତି । ଗୀତ ମୁଖ୍ୟତଃ ଲୋକସଂଗୀତ । ପୂର୍ବରୁ ଉଦ୍ଧୃତ ହୋଇଥିବା ଲୋକସଂଗୀତ କେତେକ ସେହିମାନଙ୍କ ମୁହଁରୁ ସଂଗୃହୀତ ହୋଇଛି । ଆଦି ରସର ଏହି ସୁପରିଚିତ ସଂଗୀତର ଅନୁଷ୍ଠାନଟି ଗ୍ରାମର ରସଜ୍ଞ ଶ୍ରୋତାମାନଙ୍କୁ ମଜ୍ଜାଇ ରଖିଥାଏ । ଆମ ପିଲାଦିନେ ନାଟ ଆଗରୁ ଗୋଟିପିଲା ବାହାରୁଥିଲା । ରାଜାଙ୍କ ଅମଳର ଏକ ନାଟ୍ୟୋପାଙ୍ଗ ରୂପେ ଗଞ୍ଜାମର ଗାଁ ଏହାକୁ ଆଜିଯାଏ ବଞ୍ଚାଇ ରଖିଛି ।

 

ଏଇଠୁଁ ଅଭିନୟର ସବୁଠାରୁ କୁତୁହଳ ପର୍ବ ଆରମ୍ଭ ହୁଏ । ବେଜ୍ ଓ ସଖୀପିଲାଙ୍କ ଛଡ଼ା ଆଉ ଦଳେ ଶବର ଜାତିର ଅନୁକରଣରେ ବଣୁଆ ସ୍ତ୍ରୀ, ପୁରୁଷ, ପୁଅ ଓ ଝିଅ ସାଜନ୍ତି । ଏଇଠି କହି ରଖେଁ, ବେଜୁ ହେଉଛନ୍ତି ଶବରମାନଙ୍କର ଠାକୁରାଣୀ, କାଙ୍ଗୁ–ଅମଳ ପରେ ପାହାଡ଼ ଖୋଲରେ ବେଜୁକୁ ନେଇ ସେମାନଙ୍କର ଯାତ୍ରା ପ୍ରତ୍ୟେକ ବରଷ ହୁଏ । ସେମାନଙ୍କର ଭାଷାରେ ଏହାକୁ ଯାନି କହନ୍ତି । ଖୁବ୍ ସମ୍ଭବ ଶବ୍ଦଟିକୁ ଆଣି ଓଡ଼ିଆ ଭାଷାରେ ‘ଯାନି ଯାତ୍ରା’ ଯୁଗ୍ମ ଶବ୍ଦଟି ହୋଇଛି ।

 

ଯାହାହେଉ, ଦିନବେଳର ଅଭିନୟରେ ଗାଁ ଟୋକାମାନେ ଏହି ଶବରମାନଙ୍କର ଦୈନନ୍ଦିନ ଜୀବନର ନାନା ଚିତ୍ରଣ ଦେଖାଇଥାନ୍ତି । ଶବରମାନେ ସଭ୍ୟ ସମାଜର ନୀତିବାଦ ନେଇ ଖୁବ୍ ବେଶୀ ସଚେତ ନୁହନ୍ତି । ତେଣୁ ସେମାନଙ୍କର ଚାଲିଚଳନ, ବେଶଭୂଷା, କଥାବାର୍ତ୍ତା ଏପରିକି ନାଚ ଗୀତ ଆମକୁ ଟିକିଏ ଅମାର୍ଜିତ ମନେ ହେଉଥିଲେ ମଧ୍ୟ, ସେ ସବୁର ସ୍ୱାଭାବିକତା ଓ ନୀତି–ନିରପେକ୍ଷତାହିଁ ଶବର ଜାତିର ବୈଶିଷ୍ଟ୍ୟ । ପର୍ବତ ତଳର ଓଡ଼ିଆ ଟୋକାମାନେ ବେଜୁ ଯାତ୍ରାରେ ଦୁଇଦିନ ଲାଗି ସୁଯୋଗ ନିଅନ୍ତି ଶବରମାନଙ୍କର ସ୍ୱଭାବସିଦ୍ଧ ସ୍ୱାଧୀନତାର ଅଭିନୟ ଅନୁକରଣ କରିବାକୁ । କିନ୍ତୁ କେବଳ କାମୁକ ଅଭିନୟର ସ୍ୱାଧୀନତାଟିହିଁ ଅଭିନୟରେ ସବୁଠାରୁ ପ୍ରଧାନ ହୋଇଥାଏ । ଦିନକ ସକାଶେ ରାମଗିରି ବସ୍ତି କାମୁକତାର ସମସ୍ତ ସାମାଜିକ ସଂସ୍କାର ଭୁଲିଯାଏ । ସମାଜର କଟକଣା ହେତୁ ତାର ନାନା କାମାଙ୍ଗଲିପ୍‌ସା ତୃପ୍ତ ହୋଇ ନଥାଏ । ସେଥିଲାଗି ଯାତ୍ରା ଉପଲକ୍ଷ୍ୟରେ ଅଭିନୟ ଦ୍ୱାରା ସେ ତା’ର ସବୁ ରଜ୍ଜୁ ମୁକ୍ତ କରିଦିଏ । ସେଦିନ ସମସ୍ତ ଲୋକ–ଲଜ୍ଜା ଓ ଚକ୍ଷୁଲଜ୍ଜା ଚାଲିଯାଏ । ଘର ଘର ବୁଲି ଟୋକାମାନେ ଏହି ଅଭିନୟ ଦେଖାଇ ପଇସା ଆଣନ୍ତି । ନାନା ଦାଣ୍ଡରେ ଅଭିନୟ ଦେଖିବାକୁ ଗାଁର ଛୋଟ ପିଲାଏ ଦିନଯାକ ବେଶଦଳ ପଛରେ ଗୋଡ଼ାଇଥାନ୍ତି । ଏହି ଆନନ୍ଦରୁ ଅଫିସରମାନେ ମଧ୍ୟ ବାଦ୍ ପଡ଼ନ୍ତି ନାହିଁ । ବେଶୀ ପଇସା ପାଇବାର ଭରସାରେ ସେଇମାନଙ୍କ ବସାରେ ବଛା ବଛା ଅଭିନୟମାନ ହୁଏ ।

 

ପ୍ରଥମେ ହାଣ୍ଡି କୁଣ୍ଢେଇ, ଝାଡ଼ୁ, ଡାଳ ପତର ଧରି ଶବର ପରିବାରର ସମବେତ ନାଚ ହୁଏ । ମୁହଁରେ ସିସିରି ମାରି ଶବର ନାଟର ଅନୁକରଣରେ ବାଜା ବଜାଇବାକୁ ମଧ୍ୟ ଚେଷ୍ଟା କରାଯାଏ । ତା’ପରେ ଅସଲ ଅଭିନୟ ଆରମ୍ଭ ହୁଏ । ଅଞ୍ଚଳର ପୋଲିସ୍ ସବ୍–ଇନ୍‌ସପେକ୍‌ଟର, ପାତ୍ର ଓ ପାଇକମାନଙ୍କୁ ନେଇ ନାନା ଛୋଟିଆ ପ୍ଳଟ୍‌ର ସୃଷ୍ଟି ହୋଇଥାଏ । କୌଣସି ସ୍ତ୍ରୀଲୋକ ଉପରେ ଅତ୍ୟାଚାର କରା ହୋଇଥିଲେ ପୋଲିସ୍‌ବାବୁ ଯାଇ ତା’ର କିପରି ତଦାରଖ କରନ୍ତି, ଶବର ପଡ଼ାରେ କିପରି ଭାବରେ ଗୋପନରେ ପ୍ରୀତି ପ୍ରଣୟମାନ ହୁଏ, ସେ ସବୁର ଅବିକଳ ଛାପ ଏହି ଅଭିନୟରେ ପ୍ରକାଶ ପାଉଥାଏ । ଏହାଦ୍ୱାରା ଶବର ଜାତି ଅପେକ୍ଷା ଅଭିନେତାମାନଙ୍କର ଆପଣା ମନର ଚିତ୍ରଣହିଁ ବେଶୀ ଫୁଟି ପଡ଼ୁଥାଏ ।

 

ସେଦିନ ହଠାତ୍ ସେ ଖୋଲା ଅଭିନୟ ଦେଖି ଅବାକ୍ ହୋଇ ଯାଇଥିଲି । ମଟର ରେଳ ପାଖରୁ ଯୋଜନ ଯୋଜନ ବାଟରେ ପ୍ରତି ବରଷ ଏହିପରି ହୁଏ । ଏହିପରି ଆନନ୍ଦ ବସ୍ତିର ସମସ୍ତଙ୍କୁ ମିଳେ । ଅନୁସନ୍ଧିତ୍ସୁ ହିସାବରେ ଏହାର କାରଣ ଓ ବୟସ ପଚାରି ଠିକ୍ କିଛି ପାଇପାରିଲି ନାହିଁ । ତଥାପି ସେ ସମାଜର ନୈତିକ ମାନ ଉପରେ ଯେ ପର୍ବଛଳରେ ଏହି ଅଭିନୟ ଯଥେଷ୍ଟ ପ୍ରଭାବ ପକାଉଥିବ, ଏତିକି ସ୍ୱୀକାର କରିବାକୁ ନିଶ୍ଚୟ କାହାରି କୌଣସି ଆପତ୍ତି ରହିବ ନାହିଁ ।

 

ଏଥର ଅସଲ ବେଜୁନାଟ କଥା ପଡ଼ୁ । ଆମ ଆଡ଼େ ଶାରଳା ଓ ଚର୍ଚ୍ଚିକା ଠାକୁରାଣୀଙ୍କ ପାଖରେ ବର୍ଷକୁ ବର୍ଷ ପାଟୁଆ ନାଟ ହୁଏ । ଓଡ଼ିଶାର ଅନେକ ଯାଗାରେ ଝାମୁଯାତର ପ୍ରଚଳନ ଅଛି । ବେଜୁକୁ ସେହି ଜାତୀୟ ଏକ ପର୍ବ ବୋଲି ପ୍ରଥମରୁ ଧରି ନିଆଯାଇ ପାରେ । ଅନେକ ପୁରୁଷରୁ ରାଜାଙ୍କ ତରଫରୁ ରାମଗିରିର ଜଣେ ଲୋକକୁ ଜମି ଜାଗିରି ମିଳେ, ସେ ବେଜୁଯାତ୍ରାରେ ବେଜୁ ସାଜେ । ପ୍ରଥମେ ଦୁଇଦିନ ପର୍ଯ୍ୟନ୍ତ ଅରୁଆ ଖାଇ ସେ ଆପଣାକୁ ଶୁଦ୍ଧ କରିନିଏ । ପ୍ରଥମ ଦିନ ସନ୍ଧ୍ୟାବେଳକୁ ବାଜା ବଜାଇ ତାକୁ ନଈ କୂଳକୁ ନିଆଯାଏ । ନଈକୂଳରେ ବେଜୁଠାକୁରାଣୀଙ୍କର ମନ୍ଦିର ଅଛି । ସେଇଠି ସେବକ କଣ ସବୁ ମନ୍ତ୍ର ପଢ଼େ ଓ ବେଜୁକୁ ସଜାଇ ଦିଏ । ରାମଗିରିର ବେଜୁ କଳା ସଡ଼ସଡ଼ ଡେଙ୍ଗା ମଣିଷଟାଏ, କଳାଶାଢ଼ୀ ପିନ୍ଧାଇ ଦେଲେ ସେ ଆହୁରି ଭୟଙ୍କର ଦିଶେ । ନାନା ପତ୍ର ଓ ଫୁଲର ମାଳରେ ତାର ବେକ ପୂରି ଯାଇଥାଏ । ଖଡ଼ୁ, ତାଡ଼, ବାଜବନ୍ଧ ଓ କଟିହାର ପ୍ରଭୃତି ପିନ୍ଧି ସେ ପ୍ରକୃତରେ ଠାକୁରାଣୀ ପରି ଦିଶେ । ସେଇଠି ପୂଜା ସରିବା ପରେ ସେ ମଣିଷଟି ଭିତରେ ବେଜୁଠାକୁରାଣୀ ଅବତାର ଗ୍ରହଣ କରନ୍ତି ଓ ବାଜା ବାଜି ବେଜୁ ନଈରୁ ଆସେ । ସେତେବେଳକୁ ଗାଁ ଦାଣ୍ଡରେ ମଣିଷର ଲହଡ଼ି ଖେଳୁଥାଏ । କେତେଆଡ଼ୁ କେତେ ଶବର ପରିବାର ପିଲାପିଲି ଧରି ନାଟ ଦେଖିବାକୁ ଆସିଥାନ୍ତି । ଗାଆଁ ମୁଣ୍ଡରେ ଗୋଟାଏ ପ୍ରଶସ୍ତ ଘର ଭିତରେ ଏ ନାଟ ହୁଏ । ମଝିରେ ଅରାଏ ଯାଗା ଛାଡ଼ି ଚାରିଆଡ଼େ ଲୋକ ବିଞ୍ଚିହୋଇ ବସିଥାନ୍ତି । ପାତ୍ରଙ୍କ ପାଇକମାନେ ହାଉଦା ପକାଇ ବେତ ଧରି ଶାନ୍ତିରକ୍ଷା କରୁଥାନ୍ତି । ଲୋକଙ୍କ ମଝିରେ ଚଉକୀ ପଡ଼ି ହାକିମମାନଙ୍କ ପାଇଁ ଯାଗା କରି ଦିଆ ଯାଇଥାଏ । ରାତିଯାକ ଏଇ ନାଟ ଚାଲେ । ଯହୁଁ ଯହୁଁ ରାତି ବେଶୀ ହୁଏ, ତହୁଁ ତହୁଁ ନାଚର ମାଦକ ବଢ଼େ । ମଝିରେ ମଝିରେ ବେଜୁକୁ ଫୁରସତ୍ ଦେଇ ଧାଙ୍ଗଡ଼ିଆ ନାଟ ଆସେ । ପଞ୍ଝାଏ ଟୋକା ହାତ ଧରାଧରି ହୋଇ ଲହରୀ–ଛନ୍ଦରେ ନାଚି ନାଚି ଯାଆନ୍ତି । ବେଶ୍ ଅଧଲଙ୍ଗଳା; ମୁହଁ ଓ ଦେହଯାକ କଳାବୋଳା ହୋଇଥାଏ । ମୋଟ ଉପରେ ଶବରମାନଙ୍କୁ ଅନୁକରଣ କରାଯାଇ ଏ ସବୁ ବେଶ ପ୍ରସ୍ତୁତ ହୁଏ । ବେଜୁ ପାଖରେ ଜଣେ ଅବିରତ ଧୂପଦାନୀ ଧରି ବସିଥାଏ । ଦରକାର ହେଲେ ବେଜୁ ସେହି ଝୁଣାଧୂଆଁରୁ ପାଞ୍ଚ ଛଅ ଥର ଶୋଷି ନେଇ ପୁଣି ସତେଜ ହୋଇ ଉଠେ । ଆହୁରି ଜୋରରେ ବାଜା ବାଜେ । ଝିମେଇ ପଡ଼ିଥିବା ଦେଖଣାହାରୀମାନେ ପୁଣି ଝାଡ଼ି ଝୁଡ଼ି ଉଠନ୍ତି, ପୁଣି ଜୋରରେ ନାଚ ଚାଲେ ।

 

ଏମିତି ରାତି ସାରା ବେଜୁ ନାଚୁଥାଏ । ଦେଖିବା ଲୋକଙ୍କ ଆଖିରେ କଷା ପଡ଼େ ନାହିଁ-। ପାଖରେ ପାନ, ଗୁଆ, ଚୂଡ଼ା, ମୁଢ଼ି ନେଇ ଛୋଟିଆ ବଜାରଟିଏ ବସିଥାଏ । ଶେଷ ରାତି ବେଳକୁ ବେଜୁର ଭଳି ଭଳି ନାଚ ଆରମ୍ଭ ହୁଏ । କେତେବେଳେ ସେ ହେଟା ପରି ବୋବାଏ, କେତେବେଳେ ଭାଲୁ ପରି ଗର୍ଜନ କରେ; ପୁଣି କେତେବେଳେ ଠାକୁରାଣୀଙ୍କର ଭୈରବୀ ଖଣ୍ଡା ବୁଲାଇ ନାଚିବାକୁ ଲାଗେ । ତା’ପରେ ଗୋଟାଏ ଓଜନିଆ ଖଣ୍ଡାକୁ ତିନି ଚାରିଜଣ ଲୋକ ମାଟି ଉପରେ ସିଧା କରି ଧରନ୍ତି । ବେଜୁ ନାଚି ନାଚି ଯାଇ ସେହି ଖଣ୍ଡା ମୁନ ଉପରେ ପଦ୍ମାସନ କରି ବସେ । ବାଜା ସେମିତି ବାଜୁଥାଏ । ଭକ୍ତ ଦର୍ଶକମାନେ ହୋ ହୋ କରି ଉଠନ୍ତି, ମୁହଁର ସିସିରି ଶବ୍ଦରେ ଯାତ୍ରାର ନିଶା ଆହୁରି ବଢ଼ିଯାଏ । ଏମିତି ସେ ଦିନର ରାତି କଟିଯାଏ । ତଥାପି ବେଜୁର କ୍ଳାନ୍ତି ଆସେ ନାହିଁ । ସେ ପର୍ଯ୍ୟନ୍ତ ତା’ର ହିତାହିତ ଜ୍ଞାନ ଥାଏ; ସେ ପର୍ଯ୍ୟନ୍ତ ସେ କଣ କିଛି ଦରକାର ପଡ଼ିଲେ ସେବକମାନଙ୍କ କାନରେ କଥାବାର୍ତ୍ତା କରୁଥାଏ, ପାତ୍ର ବା ହାକିମ ହୁକୁମାଙ୍କୁ ଚିହ୍ନି ସେମାନଙ୍କର ଗଳାରେ ଆପଣା ଧଣ୍ଡା ଲମ୍ୱାଇ ଦିଏ ବା ଆପଣା ଭୋଗରୁ ଗୋଟିଏ ଲେଖାଏଁ କମଳାଲେମ୍ୱୁ ଧରାଇ ଦିଏ ।

 

ତା’ଆରଦିନ ସକାଳୁ ମଣିଷ–ପଟାଳୀ ଭାଗିଯାଏ, ସମସ୍ତେ ଯେଝା ଘରକୁ ଚାଲି ଯାଆନ୍ତି । ଦିନଯାକ ପୂର୍ବଦିନ ପରି ରହସ୍ୟ–ରୂପାୟନମାନ ବାହାରେ, ଢୋଲବାଜାର ଶବ୍ଦରେ ସାହୀକୁ ସାହୀ କମ୍ପି ଉଠୁଥାଏ ।

 

ସେଦିନ ସଞ୍ଜକୁ ଅସଲ ଯାତ୍ରା ଆରମ୍ଭ ହୁଏ । ସଞ୍ଜହେଲେ ବାଜା ବଜାଇ ବେଜୁକୁ ନଈକୂଳ ଠାକୁରାଣୀଙ୍କ ପାଖକୁ ନିଆଯାଏ । ପୂର୍ବଦିନ ପରି ସେବକ ସେଠି ନାନା ପ୍ରକାରର ପୂଜା କରେ । ରାତି ପ୍ରହରକ ବେଳକୁ ପ୍ରସନ୍ନା ଠାକୁରାଣୀ ରୂପଧରି ବେଜୁ ନଈ କୂଳରୁ ଆସେ । ଦ୍ୱିତୀୟ ଦିନ ଦୁଇଗୁଣ ଭିଡ଼ି । ଗାଆଁ ମୁଣ୍ଡରେ ବେଜୁ ଲାଗି କଣ୍ଟାଦୋଳି ତିଆରି ହୋଇଥାଏ । ଲମ୍ବା ମୁନିଆ କଣ୍ଟା ପିଟା ହୋଇଥିବା ଗୋଟିଏ କାଠର ଆସନ ଦୁଇଟା ଖୁଣ୍ଟ ପୋତା ହୋଇ ଝୁଲୁଥାଏ । ସେଇଠି ଆସି ପହଞ୍ଚିଲାବେଳକୁ ବେଜୁର ବେଶ ବଡ଼ ଭୟଙ୍କର ହୋଇଯାଏ । କଳାଶାଢ଼ୀ ଉପରେ ଶାଗୁଆ ପତରର ମାଳ ତା’ର ଭୈରବୀ କାନ୍ତିକୁ ଆହୁରି ବଢ଼ାଇଦିଏ । ଅନେକ ନାଚି ନାଚି ହଠାତ୍ ଲମ୍ଫ ଦେଇ ବେଜୁ ସେହି କଣ୍ଟା ଆସନ ଉପରେ ଯାଇବସେ । ସଙ୍ଗେ ସଙ୍ଗେ ବିଶ୍ୱାସୀ ମଣିଷ ଭିଡ଼ର ଉଲ୍ଲୋଳ କଣ୍ଠରେ ପର୍ବ–ରାତିର ନିଶା ଆହୁରି ମତ୍ତ ହୋଇ ଉଠେ । ମୁଖର ସିସିର ଶବ୍ଦରେ ଶବରମାନେ ସବୁ ଭୁଲି ମାତି ଉଠନ୍ତି । ଚାରି ପାଞ୍ଚ ଜଣ ଲୋକ ଦୋଳିର ଦଉଡ଼ା ଧରି ବେଜୁକୁ ଝୁଲାଇଥାନ୍ତି । ତା’ପରେ ବନ୍ଦନା ଆରମ୍ଭ ହୁଏ । ଦୁର୍ଗାଙ୍କ ଆଗରେ ଚଣ୍ଡୀପାଠ ହେଲାପରି ବେଜୁ ଆଗରେ କଳାମାଳଶ୍ରୀ ଓ ଗମାମାଳଶ୍ରୀ ବୋଲାହୁଏ । ପ୍ରଥମଟି କେବଳ ବେଜୁର କଳା–ରୂପର ବର୍ଣ୍ଣନା ।

 

ସର୍ବାଙ୍ଗେ କଳା ଶରୀର ତୋହର, କଳା କେଶର ତୈଳ ଜର ଜର

କଳା ଝୀନ ଶାଢ଼ୀ ତୋ ଦେହକୁ ଶୋଭେ,

ନୟନକଳା ତ୍ରିଭୁବନ ମୋଦେ ଗୋ ।

କଳା ବେନି ଚକ୍ଷୁଡ଼ୋଳା, ଗୋ ଅଭୟା

ମାଗୋ, ତାମ୍ୱୁଳ ବିହୀନେ ଦାନ୍ତ ତୋ କଳା । ଇତ୍ୟାଦି ।

 

ଦ୍ୱିତୀୟ ବନ୍ଦନାଟି ମହିଷାସୁର ବଧ ଉପାଖ୍ୟାନର ଅନ୍ୟତମ ଅନୁକରଣ । ଲୋକକବିର ସାହାସୀ କଳ୍ପନା ଭିତରେ ଦୁର୍ଗାଙ୍କର ସ୍ତୁତି ଏକ ଲୋକ–କାବ୍ୟରେ ରୂପାୟିତ ହୋଇପାରିଛି । ଅସୁରର ନାମ ଗମା ମହିଷାସୁର । ପୃଥିବୀଯାକ ଏକଛତ୍ର କରି ସେ ଅତି ପ୍ରବଳ ହେବାରୁ ଦେବତାମାନେ ଅଭୟା ପାଖରେ ଗୁହାରି କଲେ । ମହିଷାକୁ ମାରି ଦେବକୁଳ ଉଦ୍ଧାର କରିବାକୁ ହେବ । ବ୍ରହ୍ମା, ବିଷ୍ଣୁ, ଶିବ ଓ ଅନ୍ୟାନ୍ୟ ଦେବତା ନାନା ଅସ୍ତ୍ର ଶସ୍ତ୍ରରେ ଅଭୟାକୁ ଭୂଷିତ କରିଦେଲେ-। ଦେବତାମାନଙ୍କର ଗୁହାରି ଶୁଣି ଦେବୀ ବନସ୍ତକୁ ଗଲେ । ମହିଷାସୁରର ଅନୁଚର ମାନେ ବିନ୍ଧ୍ୟପର୍ବତରେ ଦେବୀଙ୍କୁ ଦେଖି ତାଙ୍କର ରୂପରେ ମୋହିତ ହୋଇଗଲେ । ଦେବୀ ସେମାନଙ୍କୁ କହିଲେ, ‘‘ଆଗରୁ ମୋର ପିତାମାତା କେହି ନାହାନ୍ତି, ମୁଁ ଅଗ୍ନି ସମ୍ଭୂତା । ମୁଁ ମହିଷାସୁରକୁ ମାରିବାକୁ ଆସିଛି ।’’ ଦୂତମାନଙ୍କ ଠାରୁ ଦେବୀଙ୍କ ରୂପରାଶିର ବର୍ଣ୍ଣନା ଶୁଣି ଅସୁର ବନକୁ ଯାଇ ଦେଖିଲା ଦେବୀ ତପସ୍ୟାରେ ବସିଛନ୍ତି । ଲକ୍ଷ ଯୁବତୀରେ ନାୟିକା କରିବାର ଲୋଭ ଦେଖାଇ ମହିଷା ତାଙ୍କୁ ଆପଣା ସହିତ ଯିବା ପାଇଁ ଡାକିଲା ।

 

‘‘ପର୍ବତ ଶିଖରେ ମାଗୋ ବେଲବନିକା,

ଏଥିରେ ସୁନ୍ଦରୀ କି କରୁ ଏକା ।

ସ୍ତିରୀ ହୋଇ ଜଟା କାଛଟା ବହୁ,

ଏ ନବ ଯୌବନ କେମନ୍ତେ ରଞ୍ଜାଉ ।

ସିନ୍ଦୂର ବିନ୍ଦୁ–ଲୋଚନା ଗୋ,

ମାଗୋ କୃତାଞ୍ଜଳିରେ କେତେ କରୁ ଭାବନା ।’’

 

ମହିଷାର ଅଳି ଶୁଣି ଦେବୀଙ୍କ କ୍ରୋଧ ବର୍ଣ୍ଣିଲେ ନ ସରେ । ଅସୁରର ପଦଭାର ସହି ନ ପାରି ତାଙ୍କ ମୁଖରୁ ରୁଧିର ଧାର ବହି ଯାଉଥାଏ । ଦେବୀ ଉତ୍ତର ଦେଲେ, ‘‘ମୁଁ ପୂର୍ବରୁ ସତ୍ୟ କରିଛି, ଯେ ମୋତେ ସଂଗ୍ରାମରେ ଜିଣି ପାରିବ, ସେହି ମୋର କାନ୍ତ ହେବ ।’’ ତା’ପରେ ହେଲା ଯୁଦ୍ଧ ମହିଷାର ଖଡ଼୍‌ଗକୁ ଦେବୀ ତ୍ରିଶୁଳ ମାରି ଅଟକାଇଲେ । ମହିଷାର ପିଣ୍ଡ ଭୂଇଁରେ ଲୋଟିଲା, ଶବ୍ଦାଘାତରେ ବ୍ରହ୍ମାଣ୍ଡ କମ୍ପିଲା । ସ୍ୱର୍ଗ ଓ ମର୍ତ୍ତ୍ୟ ଚାରିଆଡ଼େ ଦେବୀଙ୍କର ଜୟ ଜୟକାର ହେଲା ।

 

ଦୁର୍ଗା ଓ ମହିଷାସୁରର କାହାଣୀରେ ଏଠାରେ ଯାହାସବୁ ମଠାମଠି ହୋଇଛି, ତାହା କେବଳ ଲୋକଗାଥାର କରାମତି । ଦେବତାମାନଙ୍କର ଗୁହାରି ଶୁଣି ଏଠାରେ ଦେବୀ ବନକୁ ଯାଇଛନ୍ତି । ବିବାହର ସର୍ତ୍ତ ହିସାବରେ ଦୁର୍ଗା ମହିଷାକୁ ଯାହା କହିଛନ୍ତି, ତାହା ମଧ୍ୟ ଜଙ୍ଗଲୀ ସମାଜର ନିଜସ୍ୱ । ଏ ପର୍ଯ୍ୟନ୍ତ ପୃଥିବୀର ନାନା ଦେଶରେ ବନ୍ୟଜାତି ଭିତରେ ଏହିପରି ବିବାହ ସର୍ତ୍ତ ରହି ଆସିଛି । ଯୁବକ ଓ ଯୁବତୀ ମଧ୍ୟରେ ବଳ ପରୀକ୍ଷା ହୋଇ ଯଦି ଯୁବକ ଜିତି ପାରିଲା ତେବେ ଯୁବତୀଟିକୁ ସେ ବିବାହ କରି ପାରିବ । ଏଠାରେ ବେଜୁର ବନ୍ଦନା–ଗାଥା ଭିତରେ ସେହି ପ୍ରଥାଟି ଅବିକଳ ଫୁଟି ଉଠିଛି ।

 

ବନ୍ଦନାପରର କାମ ହେଉଛି ଭକ୍ତ ସମାଗମ । ଗତବର୍ଷ ବେଜୁବେଳେ ଅନେକ ଲୋକ ବେଜୁଠାରୁ ନାନା ବର ମାଗିଥାନ୍ତି । ଏତିକିବେଳେ ସେମାନେ ସମସ୍ତେ ଆସି ମନସ୍କାମନା ପୂର୍ଣ୍ଣ ହେବାର ଜବାବ–ଦେହୀ ଦେଇଯାଆନ୍ତି । ଅଧିକାଂଶ ସ୍ଥଳରେ ସ୍ତ୍ରୀ ମାନେ ପିଲାପିଲି ହେବାର ବରମାଗି ବେଜୁ ପାଖରେ ମାନସିକ କରିଯାଆନ୍ତି । ହୁଏତ ଯାହାର ଇଚ୍ଛା ପୂରଣ ହୋଇଥାଏ, ସେ ଆପଣା ପିଲାଟାକୁ ନେଇ ବେଜୁ ପାଖକୁ ଆସେ । ବେଜୁର ଭୟଙ୍କର ମୁଖାବକୃତିରେ ଜନନୀର କୋମଳ ଭାବ ଖେଳି ଯାଉଥାଏ । ହଜାର ହଜାର ମଣିଷର ଭିଡ଼ ଭିତରୁ ବାହାରି ସ୍ୱେଦସ୍ନାତା ଶବର ମାଆ ଯେତେବେଳେ ଆପଣାର ମାସିକିଆ ବା ଦୁଇମାସିଆ ଛୁଆଟିକୁ ବେଜୁ କୋଳକୁ ବଢ଼ାଇ ଦେଉଥାଏ, ସେତେବେଳେ ସେ ଯେପରି ବରଷକର ବୋଝ ଉଶ୍ୱାସ କରିଦିଏ । ଆଶୀର୍ବାଦର ଇଙ୍ଗିତ ଦେଇ ବେଜୁ ଶିଶୁଟିର ମୁଣ୍ଡ ଆଉଁସୁଥାଏ, ସହସ୍ର କଣ୍ଠର ସ୍ତବରୋଳ ଭିତରେ ଶିଶୁଟି ଏକାବେଳକେ ସ୍ତବଧ ହୋଇଯାଏ । ଯାହାର ଦାନର ଫଳ ପୁଣି ତାହରିଠାରୁ ଗ୍ରହଣ କରି ମା’ର ଉଲ୍ଲସିତ ବୁକୁ ସ୍ୱପ୍ନରେ ଶିହରି ଉଠେ, ସରଳ ଶୁଦ୍ଧ ମାଆର ସନ୍ତର୍ପଣରେ ସେ ବେଜୁଠାରୁ ବିଦାୟ ନେଇ ଆସେ ।

 

ବରଦାର ବରଦାନର ହିସାବ ନିକାଶ ଓ ଆଶୀର୍ବାଦ ପରେ ପ୍ରଶ୍ନୋତ୍ତର ଆରମ୍ଭ ହୁଏ । କଣ୍ଟାର ତୀକ୍ଷଣ ଆସନ ଉପରେ ବେଜୁ ଅଧିକରୁ ଅଧିକ ସୁନ୍ଦର ଦେଖା ଯାଉଥାଏ । ଯାହାର କିଛି ପ୍ରଶ୍ନ ପଚାରିବା କଥା, ସେ ମନ ଭିତରେ ସେହି ପ୍ରଶ୍ନଟି ଭାବି ଚାଉଳ ମୁଠାଏ ବେଜୁର ହାତକୁ ବଢ଼ାଇଦିଏ । ବେଜୁ ସେହି ଚାଉଳକୁ ନାକ ପାଖକୁ ନେଇ ସୁଙ୍ଘେ ଓ ପ୍ରଶ୍ନ ସହିତ ଯଥାଯଥ ଉତ୍ତରମାନ କହିଦିଏ । ଯେଉଁ ଲୋକ ପ୍ରତିବର୍ଷ ବେଜୁ ହୁଏ, ସେ ନାଁ ଦସ୍ତଖତ କରିବା ଛଡ଼ା ବେଶୀ ପାଠ ପଢ଼ି ନାହିଁ । ବେଜୁ ହୋଇ ଯେଉଁସବୁ ଭାଷା ଓ ଶବ୍ଦ ସେ ବ୍ୟବହାର କରେ ବ୍ୟାବହାରିକ ଜୀବନରେ ସେ ନିଜେ ତାହାର କୌଣସି ଅର୍ଥ ଜାଣି ନ ଥାଏ । ତଥାପି କି ପ୍ରତିଭା ବଳରେ ଯେ ପ୍ରଶ୍ନଗୁଡ଼ିକ ଠିକ୍ ଠିକ୍ କହି ସେ ତାହାର ଯଥାଯଥ ଉତ୍ତର ଦିଏ, ଦେଖି ସେ ଦିନ ଅତି ବିସ୍ମିତ ହେବାକୁ ପଡ଼ିଥିଲା । ହାକିମ ହୁକୁମାଙ୍କ ଭିତରୁ କେତେଜଣ ଚାଉଳ ମୁଠା ଦେଇଥିଲେ । ବେଜୁ ସେମାନଙ୍କର ପ୍ରଶ୍ନ ଗୁଡ଼ିକ ଅବିକଳ କହିଦେଲା ଓ ସେଗୁଡ଼ିକର ଯଥାର୍ଥ ଉତ୍ତର ଦେଲା । ଶୁଣିଲି, ଗଲାବର୍ଷ ବେଜୁ କହିଥିବା ସେମାନଙ୍କର କେତେକ ପ୍ରଶ୍ନର ଉତ୍ତର ବର୍ଷକ ଭିତରେ ସଫଳ ହୋଇଚି-। ପ୍ରଥମ ବର୍ଷ ଏତିକି ଦେଖି ସଠିକ୍ କିଛି ବାରି ପାରିଲି ନାହିଁ । ଏବେ ମନଃଶାସ୍ତ୍ରରେ ମନଃ ପ୍ରବେଶ (Mind reading) ଓ ଅତିକ୍ରାନ୍ତ୍ର ଦୃଷ୍ଟି (Chainvoyance) ଯେଉଁ କେତୋଟି ନୂତନ ଦିଗର ସଙ୍କେତ ମିଳିଛି, ପଣ୍ଡିତମାନେ ସେ ସବୁର ଗଭୀର ପରୀକ୍ଷା ଓ ପର୍ଯ୍ୟାଲୋଚନା ଚଳାଇଛନ୍ତି-। ଅନେକ ପାଶ୍ଚାତ୍ୟ ପଣ୍ଡିତ ତିବ୍ବତ୍‌ର ନାନା ଅଞ୍ଚଳ ବୁଲି ଏହି ଦିଗରେ ନାନା ଦୃଷ୍ଟାନ୍ତ ଓ ନିର୍ଦ୍ଦେଶିକା ପାଉଛନ୍ତି । କ୍ୟାନନ୍ ସାହେବ (Sir Alexander Cannon) ତାଙ୍କ ତିବ୍ବତ୍‌ ଯାତ୍ରାରୁ ନାନା ବିଷୟବସ୍ତୁ ସଂଗ୍ରହକରି ଏହାର ଏକ ଦାର୍ଶନିକ ଭୂମିର ସୂଚନା ମଧ୍ୟ ଦେଇଛନ୍ତି । ତଥାପି ଏ ପର୍ଯ୍ୟନ୍ତ ଏକ ସଂଗତ ତଥ୍ୟ ଖୋଜି ପାଇବା ସମ୍ଭବ ହୋଇନାହିଁ । ଆମ ଦେଶର ଧର୍ମାଚାର ଦିନେ ଏହିସବୁ ବେଜୁ, କାଳେସୀ ଓ ବୃକ୍ଷ ପୂଜା ମଧ୍ୟରେ ସୀମାବଦ୍ଧ ଥିଲା । ପାଶ୍ଚାତ୍ୟ ସଂଶୟବାଦର ଝଲକରେ ପଡ଼ି ଏଗୁଡ଼ିକୁ ଆମେ କେତେଦିନ ଧରି ଅନ୍ଧବିଶ୍ୱାସ ବା କୁସଂସ୍କାର କହି ଉଡ଼ାଇ ଦେଉଥିଲୁ । ବର୍ତ୍ତମାନ ସୁଦୂର ଆମେରିକାରେ ହିନ୍ଦୁ ମନୋବିଜ୍ଞାନରେ ତନ୍ନ ତନ୍ନ ଚର୍ଚ୍ଚା ହେଉଥିବା ବେଳେ ଆମରି ଦେଶର କାଉଁରୀ କୁହୁକ ମାଆ ଠାକୁରାଣୀ ଆଡ଼କୁ ଆମ ଦୃଷ୍ଟି ଫେରି ଆସିଛି-। ଏବେ ମଧ୍ୟ ଗାଆଁ ମାନଙ୍କରେ ଏହି ସବୁର ଶରଣ ନେଇ ଲୋକେ ସମସ୍ତ ରୋଗ ଭଲ କରନ୍ତି, ନାନା ମନାସ ପୂରଣ କରନ୍ତି । ଦେଶର ନାନା ଅଭିସନ୍ଧିରେ ନାନା ଯାନିଯାତ୍ରାରେ ଏବେ ସୁଦ୍ଧା ଏହାର ଭଙ୍ଗା ସଙ୍କେତ ପଡ଼ି ରହିଛି । ଓଡ଼ିଶାରେ ଅଷ୍ଟସଖୀ ରୂପେ ଅଷ୍ଟଦେବୀ ବିଭିନ୍ନ ପୀଠରେ ରହିଛନ୍ତି, ସେମାନଙ୍କର ମନ୍ଦିର–ଇତିହାସରେ ଏହି ସବୁ ଅଦ୍ଭୁତ ଶକ୍ତିର ନାନା କାହାଣୀ ପୂରିଛି-। ସେ ସବୁ ଖୋଜି ବାହାର କରି ତା’ର ତୁଳନାତ୍ମକ ଆଲୋଚନା କଲେ ଆମ ପ୍ରଦେଶର ପ୍ରାଚୀନ ମନ ତଥା ଭାରତୀୟ ଧର୍ମର ଏକ ମହତ୍ୱପୂର୍ଣ୍ଣ ଲୁପ୍ତପ୍ରାୟ ଜ୍ଞାନର ନାନା ସତ୍ୟ ଆମର ମନୋଗତ ହୋଇପାରିବ । ରାମଗିରିର ବେଜୁଯାତ୍ରା ଠିକ୍ ଏହିପରି ଏକ ସମ୍ଭାବ୍ୟ ଅନୁଷ୍ଠାନ । ଏ ବିଷୟରେ ବିଶଦ ତଥ୍ୟ ପାଇବା ଲାଗି ଏ ସ୍ଥାନକୁ ବାର ବାର ଆସି ପ୍ରତ୍ୟେକଟି କ୍ରିୟାନୁଷ୍ଠାନକୁ ପରଖି ଦେଖିବାକୁ ହେବ । ଶ୍ରଦ୍ଧା ଓ ଜିଜ୍ଞାସା–ସହିତ ଏ ସବୁର ଆଲୋଚନା କଲେ ଅନେକ କଥା ଆମର ଦୃଷ୍ଟି ଭିତରକୁ ଆସିପାରିବ ।

 

ତା’ପରେ ବଳି ଆରମ୍ଭ ହେଲା । ଗତବର୍ଷର ନାନା ମନାସ କରି ଅନେକ ବୋଦା ପଣ ରଖିଥିଲେ । ମନସ୍କାମନା ପୂର୍ଣ୍ଣ ହେବାରୁ ସେମାନେ ବୋଦାଟିଏ ଲେଖାଁ ଧରି ଆସିଛନ୍ତି । ତା’ଛଡ଼ା ପାତ୍ରେ ମଧ୍ୟ ଆପଣା ଇଲାକାରୁ ବେଜୁବଳି ଲାଗି ବୋଦା ସଂଗ୍ରହ କରି ଆଣିଛନ୍ତି । ସବୁମିଶି ସଂଖ୍ୟା ପଚାଶ ସରିକି ହେବ । ପ୍ରଶ୍ନୋତ୍ତର ପରେ ହଠାତ୍ ଘଣ୍ଟ ଘଣ୍ଟା ଗରଜି ଉଠିଲା । ଭୈରବୀ ବେଜୁର ଶ୍ରଦ୍ଧାକର ସ୍ତାବକମାନେ ମୁହଁରେ ପୁଣି ସିସିରି ବଜାଇ ଉଠିଲେ । ବେଜୁର ଦେହ ସେତେବେଳକୁ ଗୋଟାକଯାକ କମ୍ପି ଉଠୁଥାଏ । କଣ୍ଟାଦୋଳିର ଆସନ ଉପରେ ତା’ର ଉନ୍ମତ୍ତ କମ୍ପନ ଏକ ମୁଗ୍ଧ ବାୟୁମଣ୍ଡଳ ସୃଷ୍ଟି କରି ଦେଇଥାଏ । ସେବକ ତା’ର ପୂଜା କର୍ମ ସାରିଲା । ବେଜୁ ସାମନାରୁ ବଳିଥାନ ଯାଏ ମଣିଷ ଆଡ଼ ହୋଇଗଲେ । ପାଇକମାନେ ବେତଧରି ମଣିଷ ପଟାଳିକୁ ସମ୍ଭାଳି ରଖିଥାନ୍ତି । ପ୍ରଥମ ବଳିଟି ପଡ଼ିଲା । ମୁଣ୍ଡଟା ଛିଡ଼ି ପଡ଼ିଗଲା ମାତ୍ରକେ ସେବକ ଚଣ୍ଡିଟାକୁ ବେଜୁପାଖକୁ ନେଇଗଲା । କବନ୍ଧ ପିଣ୍ଡଟା ସେତେବେଳେ ପ୍ରାଣର ଅଜ୍ଞାନ–ପ୍ରବୃତ୍ତ ଟାଣରେ ଛଟପଟ ହେଉଥାଏ । ଗଳନଳୀ ଦେଇ ସଦ୍ୟ ରକ୍ତ ଫସ୍ ଫସ୍ ବାହାରି ଆସୁଥାଏ । ବେଜୁର ରୂପ ସେତେବେଳକୁ ବଦଳି ଗଲାଣି । ତା’ର ଜିଭ ବାହାରି ଆସିଲାଣି, ପକ୍ଷ୍ମସହ ଚକ୍ଷୁ–ଡ଼ୋଳା ସ୍ଥିର ହୋଇଗଲାଣି, ଉଦ୍‌ଗ୍ରୀବ ହୋଇ ସେ ଭୋଜ୍ୟଲାଗି ଅନାଇ ରହିଛି । କବନ୍ଧଟ ତା’ର ହାତରେ ପଡ଼ିବା ମାତ୍ରକେ ବେକ ପାଖରେ ମୁହଁ ଭର୍ତ୍ତି କରିଦେଇ ସେ ରକ୍ତ ଗୁଡ଼ାକ ପିଇଗଲା । ଗୋଟାକ ପରେ ଗୋଟାଏ ବଳି ପଡ଼ି ଚାଲିଲା । ଗୋଟିକ ପରେ ଗୋଟିକର ପ୍ରାଣବାହୀ ରକ୍ତ ପିଇ ବେଜୁ ରକ୍ତିମ ହୋଇ ଉଠିଲା । କଳାଶାଢ଼ୀ ଭିତରୁ ତା’ର କରାଳୀ କାଳୀ ରୂପ ସ୍ୱତଃ ଫୁଟି ଉଠିଲା । ସେତେବେଳେ ଆଉ କାହାରି ମନରେ ଦୟାନାହିଁ, ପ୍ରାଣନାଶର କ୍ଳେଶ ନାହିଁ, ଦେବୀ ମୁଖକୁ ଚାହିଁ ସମସ୍ତେ ସଦ୍ୟରକ୍ତର ଶୁଦ୍ଧ ସମର୍ପଣ ବେଳେ ଜୀବନଦାତ୍ରୀ ଜନନୀର ଜୟ ଜୟ କରି ଉଠୁଥାନ୍ତି ।

 

ଗତବର୍ଷ କୋଡ଼ିଏ, ପଚିଶଟା ବଳିର ରକ୍ତ ପିଇ ବେଜୁ ବାନ୍ତି କରିଥିଲା । ତେଣୁ ଏବର୍ଷ ଦଶଟା ପରେ ସେ ଆଉ ରକ୍ତ ପିଇଲା ନାହିଁ । ପ୍ରଥାରକ୍ଷା ଲାଗି ସେବକ କେବଳ ଛୋଟିଆ ପତର ଚୌପଦୀଟିରେ ପ୍ରତ୍ୟେକ ବଳିର ସଦ୍ୟରକ୍ତ ବେଜୁର ଗୋଡ଼ତଳେ ରଖି ଦେଇ ଆସୁଥାଏ । ବଳିରକ୍ତକୁ ହଜମ କରିବାକୁ ବେଜୁ ତୁହାକୁ ତୁହା ଝୁଣାଧୂପ ଶୋଷି ଚାଲିଥାଏ ।

 

ତା’ପରେ ଶେଷ କୃତ୍ୟ । ପନ୍ଦର ଗଜ ଛଡ଼ାରେ ଦୁଇଟା ଅଗ୍ନିଶଯ୍ୟା ତିଆରି କରାଯାଇଥାଏ । ସକାଳୁ ଗଡ଼ କାଠର ନିଆଁ ଜଳାଇ ତା’ରି ରଡ଼ଖଣ୍ଡମାନଙ୍କରେ ଅରାକ ଯାକ ଭୂଇଁ ଲାଲ ଧକ୍ ଧକ୍ ଦେଖାଯାଉଥାଏ । ସେ ଯାଏ ରାସ୍ତା ପରିଷ୍କାର କରିଦିଆଗଲା । ପ୍ରସ୍ତୁତ ଅଗ୍ନିର ସମାକର୍ଷୀ ଦୃଶ୍ୟ ବେଜୁ ଆଖିରେ ଅଗ୍ନି ଖେଳାଇ ଦେଲା । ପୁଣି ଘଣ୍ଟା ମାଦଳ ବାଜି ଉଠିଲା । ପୁଣି ବେଜୁ ଧୂପ ଧୁଆଁରୁ ଚାରିଶୋଷା ଟାଣି ନେଇ ଉଗ୍ର ହୋଇ ଉଠିଲା । କଣ୍ଟା ଦୋଳିରୁ ଲମ୍ଫ ଦେଇ ସେ ଗୋଟାକଯାକ ନିଆଁପଟାଳି ଉପରେ ଦୁଇଥର ବୁଲି ଆସିଲା । ତା’ପରେ ଭକ୍ତ ଓ ଦର୍ଶକଙ୍କର ପାଳି । ଆପଣା ସେବକ ଓ ହାକିମମାନଙ୍କୁ ଦୁଇ ହାତରେ ଧରି ଥରକୁ ଥର ବେଜୁ ନିଆଁ ଉପରେ ଚଲାଇ ନେଉଥାଏ । ବଡ଼ କୌତୁହଳ ଲାଗିଲା । ମୁଁ ମଧ୍ୟ ବେଜୁର ହାତ ଧରି ଖାଲି ପାଦରେ ନିଆଁରେ ଚାଲିବାକୁ ବାହାରି ପଡ଼ିଲି । ସେତେବେଳର ପ୍ରତିକ୍ରିୟା-ପ୍ରବଣ ମନଟାକୁ କିଏ ଅଧିକାର କରିଥିଲା କେଜାଣି, ଗୋଡ଼ତଳେ ଏତେ ଟିକିଏ ନିଆଁ କାଟିଲା ନାହିଁ । ଅଙ୍ଗାର ମାଡ଼ିବାର ଶବ୍ଦ ପରିଷ୍କାର ଶୁଭୁଥାଏ, ଅଥଚ ଅଙ୍ଗାରର ଦାହନ ଗୋଡ଼କୁ ଏତେଟିକିଏ ଲାଗୁ ନ ଥାଏ । ବେଜୁର ହାତଧରି ସମସ୍ତେ ନିଆଁ ବୁଲି ଆସିଲେ । ସେ ଦିନ ପ୍ରାୟ କୋଡ଼ିଏ ଜଣଙ୍କୁ ବେଜୁ ଏହି ନୂତନ ଅଭିଚିତା ଦେଇଥିଲା । ସାରଳା ଓ ଚର୍ଚ୍ଚିକା ଠାକୁରାଣୀଙ୍କ ପାଖରେ ଏହିପରି ଅଗ୍ନିଯାତ୍ରା ହୁଏ ବୋଲି ଶୁଣିଛି । ଓଡ଼ିଶାର ଗଡ଼ଜାତରେ ମଧ୍ୟ ଆଜିଯାଏ ସ୍ଥାନେ ସ୍ଥାନେ ମାଣ୍ଡୁ ପରୀକ୍ଷାର ଚଳନ ଅଛି । ପୂର୍ବ–ଯୁଗର ଅଗ୍ନି ପରୀକ୍ଷା ପରି ସେଠାରେ ଅପରାଧ ସାବ୍ୟସ୍ତ କରିବା ଲାଗି ଲୋକକୁ ଜଳନ୍ତା ନିଆଁ ଉପରେ ଚଳାଇ ନିଅନ୍ତି । କିନ୍ତୁ ଠାକୁରାଣୀ ବା ଦେବତାର ଅବତାର ଗ୍ରହଣ କରିଥିବା ମଣିଷର ହାତ ଧରି ସାଧାରଣ ଲୋକ ନିଆଁ ଉପରେ ଚାଲିଯିବାର ଦୃଷ୍ଟାନ୍ତ ପ୍ରଥମେ ଏଇଠି ଦେଖିଲି । ପୃଥିବୀର ଅନେକ ପ୍ରାଚୀନ ସଭ୍ୟତାରେ ଏହି ଅଗ୍ନି ପରୀକ୍ଷା ରହିଛି । ଉତ୍ସବ ଦିନମାନଙ୍କରେ ତିବ୍ବତ୍‌ରେ ମଧ୍ୟ ଏହାର ଅନୁଷ୍ଠାନ କରାଯାଏ ।

 

ନିଆଁଗଲା ପରେ ଲୋକମେଳି ଭାଙ୍ଗିଯାଏ । ବେଜୁ ନାଚି ନାଚି ପ୍ରଥମେ ପାତ୍ରଙ୍କର ଦାଣ୍ଡକୁ ଯାଏ । ତା’ପରେ ଗାଆଁଯାକ ସମସ୍ତଙ୍କ ଦାଣ୍ଡରେ ତାକୁ ନାଚିବାକୁ ହୁଏ । ତା’ପରେ ସବୁ ଶୂନଶାନ୍ ହୋଇଯାଏ । ବରଷକର ବେଜୁଯାତ ଏଇଠି ଶେଷ । ପରଦିନ ଠାକୁରାଣୀଙ୍କର ସେବକ ରାମଗିରିର ଘରେ ଘରେ ମୁଗର କେତୋଟି ଚାରାଗଛ ବାଣ୍ଟି ଦେଇଯାଏ । ପଚାରି ବୁଝିଲି ତିନିଦିନ ଆଗରୁ ପୋଡ଼ିଗଲାଯାଏ ମୁଗକୁ ଭାଜି ବାଲି ଭର୍ତ୍ତି ପଲମଟିରେ ତାକୁ ବୁଣି ଦିଆଯାଏ । ଯାତ୍ରା ତିନିଦିନଯାକ ପଲମ ସେହି ଠାକୁରାଣୀ ଘରେ ରହେ । ଏହି ମୁଗରୁ ଚାରାଗଛ ଉଠେ ଓ ଏଇଆକୁ ଘରେ ରଖିଲେ ବରଷଯାକ ଅଗ୍ନି ଭୟ ନଥାଏ ଓ ଶସ୍ୟ ନଷ୍ଟ ହୁଏ ନାହିଁ ।

 

ଯାତ୍ରା ସରିଲେ ବେଜୁ ପୁଣି ସାଧାରଣ ମଣିଷ ହୋଇଯାଏ । ତା’ର ତିନୋଟି ପୁଅଝିଅ, ରାଜାଙ୍କ ଜାଗିରିକୁ ହାଣି ଚଷି ସେ କୁଟୁମ୍ୱ ପୋଷେ । ଦୁଇଦିନକାଳ ଠାକୁରାଣୀ ସାଜି ତା’ର ରୁଢ଼ଗୁଡ଼ାକ ଲମ୍ୱା ହୋଇଯାଇ ଥାଏ । ପୂର୍ବଦିନଗୁଡ଼ିକର ଅନୁଷ୍ଠାନ କଥା ପଚାରିଲେ ସେ ତା’ର କୌଣସି ଉତ୍ତର ଦେଇ ପାରେ ନାହିଁ । କହେ, ଠାକୁରାଣୀଙ୍କ ମନ୍ଦିରରେ ପୂଜା ସରିଲେ ସତେ ଯେପରି ଠାକୁରାଣୀ ମୋ ଭିତରେ ପଶିଗଲା ପରି ଲାଗେ । ତା’ପରେ ମୁଁ ଆପଣା କଥାସବୁ ଭୁଲିଯାଏ । ଭୋକ ଶୋଷ କୁଆଡ଼େ ପାସୋରି ଯାଏ । ଯାହାସବୁ ମୁଁ କରେ, ଏତେ ବେଳ ଧରି ଯେ ମୁଁ ନାଚେ, ସେସବୁ ମୁଁ କିଛି ଜାଣିପାରେ ନାହିଁ । ପ୍ରଶ୍ନୋତ୍ତର କଥା ମଧ୍ୟ ଠିକ୍ ସେଇଆ । ଯିଏ ଯାହା ପଚାରେ, ହଠାତ୍ କୁଆଡ଼େ ସେହି ପ୍ରଶ୍ନ ତା’ର ମନକୁ ଆସିଯାଏ ଓ ତା’ର ଉତ୍ତର ମଧ୍ୟ ସେହି ମନରୁ ମିଳେ । ତେଣୁ ଏଠାରେ ବେଜୁର ଆପଣା ଯୋଗ୍ୟତାର ପ୍ରଶ୍ନହିଁ ଉଠୁ ନାହିଁ । ତିନିଦିନର ଦୈବୀନିଶା ପରେ ସେ ଅତି ସାଧାରଣ ମଣିଷ ହୋଇରହେ; ଖଜଣା ଗଣେ, ଜମି ଚଷେ, ମାଣକୁ ଚାରିମାଣ କରିବାରେ ଦିନରାତି ଲାଗିଥାଏ ।

 

ଏବର ଧର୍ମ ଭାବନା ଅନେକ ଦୂରକୁ ଆଗେଇ ଗଲାଣି । ସେଥିଲାଗି ବେଜୁର କାଳେସୀ ଓ ତାମିଲନାଡ଼ରେ ପ୍ରଚଳିତ ମରିଅତ୍ତାର ନିଗୁଢ଼ ଧର୍ମଟି ଆମ ଆଗରେ ସହଜରେ ଧରା ପଡ଼ୁନାହିଁ । ସେ ଅନେକ ଯୁଗ ଆଗର କଥା, ଅନେକ ଇତିହାସ ପୂର୍ବର ପ୍ରଥମ କାହାଣୀ । ମଣିଷ ଅଳ୍ପଦିନ ହେବ ଏକାଠି ରହି ଶିଖିଥାଏ, ନାନା ଆଡ଼ୁ ନାନା ତ୍ରାସ ତା’ର ଅନଭିଜ୍ଞ ମନକୁ ସଂବିବସ୍ତ କରି ରଖିଥାଏ । ସେତେବେଳେ ନାନା ଦେଶୀୟ ସଂସ୍କୃତି ଓ ସଭ୍ୟତା ଗଢ଼ା ହେବାକୁ ଅନେକ ଡେରିଥିଲା । ଆକାଶରେ ତୋଫାନ୍ ଓ ବଜ୍ର, ପୃଥିବୀରେ ବନ୍ୟା ଓ ବନ୍ୟଜନ୍ତୁ, ପାତାଳରେ ଭୂମିକମ୍ପ ଓ ଅଗ୍ନ୍ୟୁତ୍ପାତ—ସବୁବେଳେ ମଣିଷ ଆପଣା ଗୁହାରେ ସନ୍ତ୍ରସ୍ତ ଜୀବନ ନେଇ କମ୍ପୁଥିଲା । ଏହି ଭୟରୁ ରକ୍ଷାକବଚ ଭାବରେ ସେ ଆପଣା ସ୍ଥୁଳ ଭାବନାରେ ନାନା ପ୍ରତୀକମାନ ବାହାରକଲା-

 

ଡାଳିମ୍ୱ କୁମର ବା କଲାରାଇ ଫୁଲ କାହାଣୀରେ ବୁଢ଼ା ଅସୁରର ଜୀବନ ତା’ଭିତରେ ନଥାଏ । କେଉଁଠି କେତେ ଦୂରନ୍ତର ଦରିଆରେ ଗୋଟିଏ ମାଛ, ମାଛ ପେଟରେ ଫରୁଆ, ଫରୁଆ ଭିତରେ ଭଅଁର । ସେଇ ଭଅଁରକୁ ମାରି ପାରିଲେ ଏଣେ ଅସୁର ମରେ । ଗ୍ରୀକ୍ ଦେଶର ମନସ୍ (Manas) ଓ ପ୍ରାଚୀନ ମିଶର କା (Ka) ଏହି ଠୁଳ ପ୍ରାଣର ଇଙ୍ଗିତ ଦିଏ । ମଣିଷ ଯେତେବେଳେ ସମାଜକୁ ଆସିଲା, ସମସ୍ତ ସମାଜର ରକ୍ଷାକବଚ ରୂପରେ ସେ କୌଣସି ଗଛ, ଫଳ ବା ଜୀବକୁ ଜୀବନ–ପ୍ରତୀକ କରି ରଖିଲା । ଏବେ ମଧ୍ୟ ଓଡ଼ିଶାର ଗାଁଏ ଗାଁଏ ଗଛ, ଫଳ ଓ କୌଣସି ଜୀବର ପୂଜା କରାଯାଏ । ଜୁତୀୟା ଓଷାରେ ଚିଲ ଶିଆଳଙ୍କର ପୂଜା ଏବେ ବି ପ୍ରଚଳିତ ଅଛି । ନାନା ପ୍ରାଣୀଙ୍କୁ ନେଇ ସମାଜରେ ନାନା ଗୋତ୍ରର ସୃଷ୍ଟି ହୋଇଛି । ସାହାଡ଼ା, ବର, ଓସ୍ତ, ବେଲ ପ୍ରଭୃତିକୁ ଲୋକେ ଏବେ ମଧ୍ୟ ପବିତ୍ର ବୋଲି ପୂଜା କରନ୍ତି । ଏହି ଆରୋପ–ପୂଜା ଖାଲି ଭାରତରେ କାହିଁକି, ପୃଥିବୀରେ ସର୍ବତ୍ର ରହିଛି । ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପରେ ଦୁଇହଜାର ବରଷ କଟିଗଲାଣି । ଏହି ଆରୋପରେ ନାନା ରୂପ ବଦଳା ହୋଇ ଗଲାଣି । କିନ୍ତୁ ଅଶିକ୍ଷା, ଅବିଦ୍ୟାର ପ୍ରାକୃତିକ ଓ ସାମାଜିକ ପାହାଡ଼ ଭିତରେ ଯେଉଁ ମଣିଷ ଆଜିଯାଏ ଖୁବ୍ ବେଶୀ ବଦଳି ପାରିନାହିଁ, ସେ ସେହି ଯୁଗର ପୂଜା ଓ ଧର୍ମ ଭାବନାର ସ୍ତରରେ ପଡ଼ି ରହିଛି ।

 

ଏହି ଆଦିମ ଭାବନାରେ କ୍ରମଶଃ ଉନ୍ନତି ହୋଇ ପଶୁକୁ ପ୍ରତୀକ ମାନିବାର ଅବସ୍ଥା ଆସିଲା । କୌଣସି ପଶୁକୁ ସମାଜର ଶୁଭ–ପ୍ରତୀକ ବୋଲି ଜ୍ଞାନ କରାଯିବାର ପ୍ରଥା ସବୁ ଦେଶର ଇତିହାସରୁ ମିଳିବ । ଛେଳି, ମେଣ୍ଡା, ଓଟ, ଷଣ୍ଢ ଓ ମହିଷ ପ୍ରଭୃତି ନାନା ପଶୁ ଏହି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛନ୍ତି । ପଶୁଟିକୁ ନିରାପଦ ରଖି ପୂଜା କରୁଥିବା ପର୍ଯ୍ୟନ୍ତ ସମାଜର କୌଣସି ବିଘ୍ନ ଘଟିବ ନାହିଁ, ଏହି ବିଶ୍ୱାସ ସେ କାଳର ମଣିଷ ଭିତରେ ବଳବତ୍ତର ଥିଲା । ପ୍ରାଚୀନ ଗ୍ରୀକ୍ ସମାଜ ଷଣ୍ଢକୁ ଅତି ପବିତ୍ର ବୋଲି ବିଶ୍ୱାସ କରୁଥିଲା । ସେହି ବୃଷଭକୁ କେନ୍ଦ୍ର କରି ନାନା ଉତ୍ସବ, ପର୍ବ ଓ ଗାଥା ଗାନର ଉଦ୍ଭବ ହୋଇଛି । ଗ୍ରୀକ୍ ନାଟକ ଓ କାବ୍ୟର ମୂଳ ଉତ୍ସ ତିଆରି କରିବାରେ ଏହି ଦ୍ରବ୍ୟାତ୍ସ ବୃଷଭ–ପୂଜା ଇତିହାସରେ ଅତି ମହତ୍ୱପୂର୍ଣ୍ଣ ହୋଇ ରହିଛି ।

 

ମଣିଷର ସଂସାରୀମନ ସେତିକିରେ ସନ୍ତୁଷ୍ଟ ହୋଇ ନାହିଁ । ସଂସାରର ମୁକ୍ତ ବାତାବରଣରେ ପ୍ରତୀକ–ପଶୁଟିକୁ ଛାଡ଼ିଦେବାକୁ ସେ ନିରାପଦ ମନେ କରିନାହିଁ । ଏଇଥିରୁ ସମାଜିକ ବଳୀର ପ୍ରଥମ ଉଦ୍ଭବ ହୋଇଛି । ପବିତ୍ର ପଶୁକୁ ବଳିଦେଇ ତାର ପବିତ୍ର ମାଂସ ଖାଇବା ଓ ପବିତ୍ର ରକ୍ତ ବୋଳି ହେବା ଏବେ ମଧ୍ୟ ନାନା ରୂପରେ ସଭ୍ୟସମାଜରେ ରହିଛି । ଆଗ କାଳରେ ଆରବ ଦେଶରେ ଓଟ ବଳି ପଡ଼ୁଥିଲା । ସେହି ଓଟର ରକ୍ତ ଓ ମାସଂକୁ ଲୋକେ ଆପଣା ଭିତରେ ବାଣ୍ଟି ନେଉଥିଲେ । ଖ୍ରୀଷ୍ଟିଆନ୍‌ ପୂଜା ପଦ୍ଧତିରେ ଖ୍ରୀଷ୍ଟଙ୍କୁ ଅର୍ପଣ କରାଯାଉଥିବା ଖାଦ୍ୟ ଓ ପେୟ ଯୀଶୁ ଖ୍ରୀଷ୍ଟଙ୍କର ମାଂସ ଓ ରକ୍ତରେ ପରିଣତ ହେଉଥିବାର ବଳବନ୍ତ ବିଶ୍ୱାସ ଏପର୍ଯ୍ୟନ୍ତ ରହିଛି । ସେହି ଖାଦ୍ୟ ପେୟକୁ ଭକ୍ତିକବଚ ହିସାବରେ ଭକ୍ତମାନେ ଆଜି ମଧ୍ୟ ଗ୍ରହଣ କରନ୍ତି ।

 

ବୀରଭୂମ ଜିଲ୍ଲାର କଙ୍କାଳିତଳାରେ ଏହିପରି ଗୋଟିଏ ନିଦର୍ଶନ ଦେଖି ଆସିଛି । ଜନରବ ଅଛି ଯେ ସେଠାରେ ଏକ ପ୍ରସିଦ୍ଧ ତାନ୍ତ୍ରିକ ପୀଠ ଥିଲା । ଏ ପର୍ଯ୍ୟନ୍ତ ମହା ବିଷୁବ ସଂକ୍ରାନ୍ତି ଦିନ ସେଠାରେ ପ୍ରାୟ ଚାରି ପାଞ୍ଚ ଶହ ଛେଳି ବୋଦା ବଳି ପଡ଼ନ୍ତି । ସେହିଦିନ ଏକ ବିରାଟ ମେଳା ହୁଏ । ଏଣେ ତେଣେ ପୋତା ହୋଇଥିବା ଖୁଣ୍ଟିରେ ବଳିମାନ ପଡ଼ିସାରିବା ପରେ ସମସ୍ତ ସ୍ଥାନଟି ରକ୍ତରେ ଲାଲ ହୋଇଯାଏ । ହଜାର ହଜାର ଭକ୍ତ ସେହି ରକ୍ତଲଗା ଭୂଇଁରୁ ମୁଣ୍ଡରେ ଚିତା ଘେନନ୍ତି ଓ ଅତି ପବିତ୍ର ମନେକରି ତାକୁ ଘରେ ସାଇତି ରଖନ୍ତି ।

 

ଏସବୁ ଗଲା ଓଡ଼ିଶା ବାହାର କଥା । ଜୟପୁର ସମସ୍ଥାନର କନ୍ଧମାନଙ୍କ ଭିତରେ ପ୍ରଚଳିତ ଥିବା ଜୁରଯାତ୍ରା ଏହିପରି ଗୋଟିଏ ଅନୁଷ୍ଠାନ । ଆଶ୍ୱିନ ମାସରେ ଠାକୁରାଣୀଙ୍କ ପାଖରେ ଜୀଅନ୍ତା ମଇଁଷଟିଏ ବାନ୍ଧି ଦିଆଯାଏ । କନ୍ଧମାନେ ମଦ ପିଇ କଟୁରୀ ଧରି ଠାକୁରାଣୀଙ୍କ ପାଖକୁ ଆସନ୍ତି । ଘଣ୍ଟା ମାଦଳ ବାଜିଉଠିଲେ ଶହ ଶହ କନ୍ଧ ଜୀଅନ୍ତା ମଇଁଷିରୁ ଖଣ୍ଡେ ମାଂସ କାଟିନେବାକୁ ମାତି ଛୁଟି ଆସନ୍ତି । ପି’ବରଷର ପର୍ବରେ ଅନେକ ମଣିଷ ଆହତ ହୁଅନ୍ତି । ଅଧବାଟରେ କନ୍ଧରମଣୀମାନେ ପଥଚାହିଁ ବସି ଥାଆନ୍ତି । ଯେଉଁ ଯୁବକ ମାଂସ ନ ନେଇ ଫେରେ, ତାକୁ ତାର ସ୍ତ୍ରୀ ଭୀରୁ ବୋଲି କହି ସ୍ୱାମୀବୋଲି ଗ୍ରହଣ କରେନାହିଁ । ତା’ପରେ ସେହି ପବିତ୍ର ମାଂସ ରନ୍ଧା ହୁଏ ନାନା ନାଚ ଓ ଗୀତ ଭିତରେ ସେତକ ଖାଇ ଜଙ୍ଗଲର କନ୍ଧ ଆପଣାକୁ ବରଷକ ଲାଗି ନିରାପଦ କରିଦିଏ । ବଳିର ନାନା ଦୃଷ୍ଟାନ୍ତ ଏହିପରି ନାନା ସ୍ଥାନରେ ରହି ଆସିଛି ।

 

ଏହାର ମାର୍ଜିତ ରୂପ ହେଉଛି ଠାକୁରାଣୀ ପୂଜା । ଅତି ପୁରୁଣା ଯୁଗର ବୃକ୍ଷ ଓ ତା’ପରେ ପଶୁ ଯେଉଁ ପ୍ରତୀକ–କ୍ଷୁଧାର ଆବଶ୍ୟକତା ମେଣ୍ଟାଉ ଥିଲା, ମଣିଷର କଳାପ୍ରବଣ ସ୍ରଷ୍ଟାମନ ତାକୁ ଠାକୁରାଣୀ ରୂପରେ ସଜାଇଦେଲା । ଗାଆଁ ମୁଣ୍ଡ ଗଛ ମୂଳରେ ତାଙ୍କର ଅଧିଷ୍ଠାନ, ସେଇଠି ଗାଁର ଦ୍ୱାର ଜଗି ସେ ସମାଜକୁ ବରାଭୟ ଦେବେ । ଓଡ଼ିଶାର ନାନା ଗ୍ରାମରେ ଏ ପର୍ଯ୍ୟନ୍ତ ଗ୍ରାମ ଦେବତୀମାନ ଅଛନ୍ତି । ଗାଁକୁ କୌଣସି ବ୍ୟାଧି ବା ବିପଦ ପଡ଼ିଲେ ଅନ୍ୟାନ୍ୟ ଦେବତାଙ୍କ ପୂର୍ବରୁ ଆଗ ତାଙ୍କରି ପାଖରେ ପୂଜା, ପଣା ଓ ମାଜଣା ହୁଏ । ପ୍ରତ୍ୟେକ ରକମର ରକ୍ଷାକବଚ ଲାଗି ଗୋଟିଏ ଲେଖାଏଁ ଠାକୁରାଣୀର ସୃଷ୍ଟି ମଧ୍ୟ ହୋଇଛି । ବସନ୍ତ, ହଇଜାର ଠାକୁରାଣୀ ଏବେ ମଧ୍ୟ ଅଧ ରାତିରେ ଗାଆଁ ଦାଣ୍ଡରେ ବେତ ଧରି ଦଉଡ଼ନ୍ତି ଓ ଅପରାଧୀ ଗ୍ରାମବାସୀଙ୍କଠାରୁ ପଣା ମାଗନ୍ତି । ସବୁ ଧର୍ମର ଯାବତୀୟ ଦେବୀ ବା ଠାକୁରାଣୀଙ୍କ ପଛରେ ଗୋଟିଏ ଗୋଟିଏ ବିଶେଷ ରାଣ ଖଞ୍ଜିଦିଆଯାଇଛି । ଶସ୍ୟ ନ ହେଲେ ଲକ୍ଷ୍ମୀଙ୍କର ପୂଜା କରିବାକୁ ପଡ଼େ ବିଦ୍ୟାଲାଗି ସରସ୍ୱତୀଙ୍କର ପୂଜା ହୁଏ ।

 

ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମ ଉଭୟରେ ହିଁ ଦେବୀ ପୂଜା ରହିଛି । ନାନା ପ୍ରକାର ବିପଦକୁ ଏଡ଼ାଇ ପାରିବାର ଶକ୍ତି ଦେବୀ ବା ଠାକୁରାଣୀଙ୍କର ଅଛି ବୋଲି ଏହାଙ୍କୁ ବୋଧହୁଏ ଶକ୍ତି ବୋଲି କୁହାଯାଇଛି । ଗ୍ରାମ ଦେବତୀ ଗାଁର ସବୁ ଦେଖନ୍ତି, ରୋଗ ବୈରାଗ ଭଲ କରିବାଠାରୁ ଡାଆଣୀ ଚିରୁଗୁଣୀ ହୁରୁଡ଼େଇବା ପର୍ଯ୍ୟନ୍ତ ତାଙ୍କର କାମ । ଡଙ୍ଗାଟିଏ ପାଣିରେ ପଡ଼ିବା ଆଗରୁ ତାର ପୂଜା ହୁଏ, ନୂଆ ଘର ଭିତରକୁ ମଣିଷ ଆସିବା ଆଗରୁ ତାର ପ୍ରତିଷ୍ଠା ହୁଏ । ତନ୍ତ୍ରଶାସ୍ତ୍ରରେ ନାନାଶକ୍ତିର ପ୍ରଦାୟିନୀ ରୂପେ ଦେବୀଙ୍କର କଳ୍ପନା କରାଯାଇଛି । ଯାଜପୁର ସବ୍‌ଡ଼ିଭିଜନ୍‌ର ରତ୍ନଗିରି ପାହାଡ଼ ଉପରେ ଗୋଟିଏ ବୌଦ୍ଧମୂର୍ତ୍ତ ରହିଛି । ମୂର୍ତ୍ତି ଚାରିପାଖରେ ଡଙ୍ଗାବୁଡ଼ା ଘରପୋଡ଼ା ହିଂସ୍ରଜନ୍ତୁ ଆକ୍ରମଣ ପ୍ରଭୃତି ନାନା ପ୍ରକାର ଦୃଶ୍ୟ ଖେଳା ହୋଇଛି । ଅର୍ଥ ହେଉଛି, ଏହିସବୁ ନାନା ବିପଦ ବେଳେ ସେହି ଦେବୀ ମଣିଷକୁ ରକ୍ଷା କରିବେ । ଏହିପରି ଭାବରେ ଶକ୍ତି ବା ଦେବୀର ପୂଜା ପ୍ରସାରିତ ହୋଇ ମଣିଷ ମନର ପ୍ରସାର ମଧ୍ୟ ବଢ଼ିଛି । ସମସ୍ତ ପୃଥିବୀକୁ ସେ ଶକ୍ତିମୟୀ ଅଧିଷ୍ଠାତ୍ରୀରୂପେ କଳ୍ପନା କରିଛି, ଏହି ହେଉଛି ହିନ୍ଦୁ ଦର୍ଶନର ପ୍ରଧାନ ପ୍ରକୃତି ବା ଶକ୍ତି । ଏହି ତତ୍ତ୍ୱ ମୂଳ ଭାବନାରୁ ସାରା ପୃଥିବୀରେ ମାତୃପୂଜାର ପ୍ରଚଳନ ହୋଇଛି । ଏହି ପ୍ରକୃତି ଆଦ୍ୟାଶକ୍ତି; ଏହାର ଜନ୍ମନାହିଁ, ପିତାମାତା ନାହାନ୍ତି ଏହା ସତେ ସଚଳା, ଶକ୍ତିମୟୀ । ରାମଗିରିର ବେଜୁ ପଛରେ ଏହି ଠାକୁରାଣୀ ବା ଶକ୍ତିମୂର୍ତ୍ତ ଜନନୀର ପରିକଳ୍ପନା ରହିଛି । ବେଜୁବନ୍ଦନାରେ ନିଜେ ଦେବୀ ମହିଷାସୁରର ଦୂତଙ୍କୁ ତାଙ୍କର ପରିଚୟ ଦେଇଛନ୍ତି ।

 

ଦେବୀ ବୋଲୁଛନ୍ତି ଶୁଣ ଡଗର, ପୂର୍ବେ ପିତାମାତା ନାହିଁ ଆମ୍ଭର ଅଗ୍ନି ସମ୍ଭୁତରୁ ହୋଇଲ ଜାତ, ମାରିବି ମୈଶା କରିବି ନିପାତ ।

 

ବେଜୁଯାତ୍ରାର ମଣିଷ ବେଜୁ ଏହି ଠାକୁରାଣୀଙ୍କର ପ୍ରତିମୂର୍ତ୍ତି ପ୍ରତୀକ । ଠିକ୍‌ ପଶୁ ଓ ବୃକ୍ଷର ଦେବାତ୍ମତା ପରି ଲୋକେ ଏହାକୁ ମଧ୍ୟ ଦେବୀ ବୋଲି ଜ୍ଞାନ କରନ୍ତି ? ଦେବୀ ବା ଶକ୍ତିରୂପ ଭାବ ବେଜୁର ବିଗ୍ରହ ଗ୍ରହଣକରି ସମାଜର ବରଦା ରୂପରେ ବରଷକେ ଥରେ ଆସେ । ମଣିଷ ଭିତରେ ଦେବୀ ଅବତରିବା ଆମ ଦେଶରେ ଅଛପା ନୁହେଁ । କାଳେସୀ, ବାସେଳୀ ଓ ଶୀତଳା ଲାଗିବା ପଲ୍ଲୀର ଚିରା ଚରିତ ଘଟଣା । ନାନା ଧର୍ମାଚାରର ପରିବେଶ ସୃଷ୍ଟିକରି ମଣିଷର ଉତ୍‌ସୃଷ୍ଟ ମନକୁ ଦେବ ମନରେ ପରିଣତ କରାଯାଇପାରିବ, ବିଶ୍ୱାସ ବିଜ୍ଞାନ (Occult science)ର ପଣ୍ଡିତମାନେ ମଧ୍ୟ ଏହାର ସୂଚନା ଦେଉଛନ୍ତି । କଙ୍କାଳୀ–ତଳା ଯାତ୍ରାରେ ଦଳକୁ ଦଳ ଲୋକ ଗୋଟିଏ ପିଲାକୁ କୃଷ୍ଣ ସଜାଇ ପଇସା ଆଦାୟ କରନ୍ତି । ଘଣ୍ଟା ଘଣ୍ଟା ଅବିରତ ନାଚି ନାଚି ପିଲାଟିର ମୁଖମଣ୍ଡଳ ଉପରେ କୃଷ୍ଣ ସୂଚକ ମାଦକିତ ଆଭା ଖେଳି ଯାଉଥାଏ । ଯାତ୍ରୀମାନେ, ବିଶେଷତଃ ସ୍ତ୍ରୀ ଯାତ୍ରୀମାନେ, ବାଳକଟିକୁ ସତ କୃଷ୍ଣମଣି ତାର ମୁହଁ ଆଉଁସି ଦିଅନ୍ତି, ଚିକୁରରେ ଚୁମ୍ୱନ ଦିଅନ୍ତି, ଅନେକ ପୁଣି କାଖ କରି ପକାନ୍ତି ।

 

ବରଷକରେ ଥରେ ରାମଗିରିକୁ ରକ୍ଷା କରୁଥିବା ଠାକୁରାଣୀର ପ୍ରତୀକଭାବେ ବେଜୁର ଅନୁଷ୍ଠାନ ହୁଏ । ରାମଗିରିର ଲୋକେ ଜୀବନ୍ତ ଦେବତାର ଆରୋପ କରି ନିଜ ନିଜର ମନସ୍କାମନା ମେଣ୍ଟାଇ ନିଅନ୍ତି । ସେମାନଙ୍କର ସରଳ ବିଶ୍ୱାସହିଁ ସମସ୍ତ ଫଳ ଦିଏ, କିନ୍ତୁ ବାହାରର ପରିବେଶ ସୃଷ୍ଟି କରିବାକୁ ବେଜୁ ଅନୁଷ୍ଠାନର ନାନା ବହିରାଭରଣ ଦରକାର ପଡ଼େ । ସାଧାରଣ ଜୀବନରେ ଯାହା ଅସାଧ୍ୟ ଓ ଅସ୍ୱାଭାବିକ, ବେଜୁ ସେହି ସବୁ କରେ । ସେ କଣ୍ଟା ଦୋଳିରେ ବସେ, ଭୈରବୀ ଖଣ୍ଡାଉପରେ ବସେ ନିଆଁରେ ଚାଲେ, କଞ୍ଚା ରକ୍ତ ପିଏ । ଏହିସବୁ ଅତି ଅମାନୁଷିକତାର ପ୍ରମାଣରେ ଅନୁଷ୍ଠାନପ୍ରିୟ ମଣିଷ ବେଜୁର ଶକ୍ତିକୁ ପ୍ରତିପନ୍ନ କରି ରଖିଥାଏ । ପ୍ରଥମ ଦିନ ଶେଷ ରାତିରେ ବେଜୁ ବାଘ ଓ ଭାଲୁ ପରି ଡାକେ । ଧର୍ମ ଦୃଷ୍ଟିରୁ ଏହାର ଖୁବ ମହତ୍ୱ ରହିଛି । ଜଙ୍ଗଲମଣିଷର ପରିଶ୍ରମଜୀବୀ ଜୀବନ ଅଧିକ ସମୟ ଜଙ୍ଗଲରେ କଟେ । ତେଣୁ ହିଂସ୍ରଜନ୍ତୁ ତା’ଜୀବନର ଏକ ପ୍ରଧାନ ଶତ୍ରୁ । ହୁଏତ କେଉଁ ପ୍ରାଚୀନ ଯୁଗର ମଣିଷ ସେହି ଜନ୍ତୁମାନଙ୍କୁ ଦୈବ ଶକ୍ତି ସମ୍ପନ୍ନ ଭାବି ପୂଜା କରୁଥିଲା । ବର୍ତ୍ତମାନ ସେହି ସକଳ ଧର୍ମ ଭାବନା ଏକ ବେଜୁ ଭିତରେ ଗୁନ୍ଥା ହୋଇଗଲାଣି । ବାଘ ଓ ଭାଲୁ ପରି ଚିତ୍କାର କରିବା ଦ୍ୱାରା ବେଜୁଠାରେ ଯେ ହିଂସ୍ରଜନ୍ତୁଠାରୁ ରକ୍ଷାକରିବାର ଶକ୍ତି ରହିଛି, ତାହାରି ପ୍ରତିପାଦନ ହେଉଛି । ବେଜୁ ଯାତ୍ରାପରେ ଯେଉଁ ଅଦ୍ଭୁତ ଉପାୟରେ ଉପୁଜା ଯାଇଥିବା ମୁଗ ଗଛକୁ ସବୁରି ଘରେ ବାଣ୍ଟିଦିଆ ହୁଏ, ତାହାଦ୍ୱାରା ସମାଜରେ ସମସ୍ତେ ଅଗ୍ନି ଭୟ ଓ ଶସ୍ୟ ହାନିରୁ ନିଜକୁ ନିରାପଦ ମନେ କରନ୍ତି । ବେଜୁର ପବିତ୍ର ଆରୋପ ରହିଥିବା ଚାରାଗଛ ଗୁଡ଼ିକ ସେମାନଙ୍କୁ ବରାଭୟ ଦେଇ ରଖୁଛି ।

 

ବେଜୁ ବିଷୟରେ ଏହା ମୋର ମାତ୍ର ଗୋଟିଏ ବର୍ଷର ଅଭିଜ୍ଞତା । ତେଣୁ ହୁଏତ ସକଳ ଦୃଷ୍ଟିରୁ ଅନୁଷ୍ଠାନଟିକୁ ବିଚାର କରିବାର ପ୍ରସାରୀ ଆଖିରେ ମୁଁ ଏହା ଦେଖିପାରି ନାହିଁ । ଆମ ଦେଶର ଦୂରନ୍ତ ଲୋକସମାଜରେ ଏହିପରି ଅନେକ ଅନୁଷ୍ଠାନ ଅଛି, ଯାହାର କରାମତିମାନ ଏପର୍ଯ୍ୟନ୍ତ ଆମ ପାଖରେ ଯାଦୁହୋଇ ରହିଛି । ରହସ୍ୟମୟ ତିବ୍ବତ୍‌ ଦେଶକୁ ମଧ୍ୟ ଦିନେ ସମସ୍ତେ ଏହି ଦୃଷ୍ଟିରେ ଦେଖୁଥିଲେ । ଆପଣାର ଜୀବନ ବିପନ୍ନ କରି ଅନେକ ବୈଜ୍ଞାନିକ ପଣ୍ଡିତ ସେ ଦେଶକୁ ଗଲେଣି ଓ ନାନା କୌଶଳରେ ଧର୍ମ ବିଷୟକ ନାନା ଅଦ୍ଭୁତ ଦୃଷ୍ଟାନ୍ତମାନ ଲୋକସମକ୍ଷକୁ ଆଣିଲେଣି । ନୂତନ ଦୃଷ୍ଟିରୁ ତୁରନ୍ତ ଗବେଷଣା ଆରମ୍ଭ ହୋଇ ଗଲାଣି । ନୂତନ ଦୃଷ୍ଟିରୁ ମଣିଷ ସମାଜର ଇତିହାସ ଲେଖାଯିବାଲାଗି ଆମ ଦେଶରେ ମଧ୍ୟ କମ୍‌ ବିଷୟବସ୍ତୁ ନାହିଁ । ସେ ସବୁ ସଂଗ୍ରହ କରି ତୁଳନାତ୍ମକ ଆଲୋଚନା କଲେ ମଣିଷ ମନର ଅନେକ ସନ୍ଧାନ ଲାଭ କରାଯାଇ ପାରିବ । ଏ ଯୁଗର କାଣ୍ଡଛିଣ୍ଡା ମନକୁ ଲଗାମରେ ରଖିବାକୁ ମଧ୍ୟ ଏହି ପ୍ରାଚୀନ ଧର୍ମର ସୁଯୋଗ୍ୟ ଆଲୋଚନା ଅନେକ ଇଙ୍ଗିତ ଦେଇ ପାରିବ ।

☆☆☆

 

–ସାତ–

 

ଏଥର ଗଞ୍ଜାମ ଯାଇ ଆଫ୍ରିକା ଦେଖି ଆସିଲି । ଆଫ୍ରିକା କଥା କେବଳ ବହିରେ ପଢ଼ିଛି-। କିନ୍ତୁ ଆଖି–ଦେଖା ଏଇ କଳାଜୀବନର ସାନ୍ନିଧ୍ୟ ଯେପରି ମୋର ହୃଦୟର କଳାକୁ ମଳିନ କରି ପକାଇଲା । ନରକରେ ମଣିଷ ଦେଖିଲେ ନିଶ୍ଚୟ ମଣିଷର କଷ୍ଟ ହୁଅନ୍ତା; କାମୁଡ଼ା କୁକୁର ଅନ୍ଧ ହୋଇଗଲେ ଗାଁ ଲୋକେ କଣ ତାକୁ ଡାକି ଡାକି ଖାଇବାକୁ ଦିଅନ୍ତି ନାହିଁ ?

 

ପଠାଇଲାବେଳେ ବିଧାତା କିନ୍ତୁ ମତେ ଏ ଦୟା ଦେଇ ନାହିଁ ।

 

ଦୟାଦ୍ୱାରା ସଂସାରରେ କିଛି ହେଉନାହିଁ । ସୂର୍ଯ୍ୟଙ୍କ ଦୟାରେ ପଦ୍ମ ଫୁଟୁ ନାହିଁ କି ବସନ୍ତର ଦୟାରେ ପତର କଅଁଳୁ ନାହିଁ । ଯିଏ ଆପଣା ଦୀପଟି ନିଆଁ ପାଖକୁ କରି ଦେଖାଇ ପାରୁଛି କେବଳ ତାରି ଦୀପ ଜଳିପାରୁଛି । ଆପଣା ପାତ୍ରଟିକୁ ଯିଏ ବିଶ୍ୱ-ବିକାଶ ଉତ୍ସର ଧାରା ମୁହଁକୁ ଦେଖାଇ ପାରୁଛି, ଜୀବନରେ ତା’ରି ପାତ୍ର ପୂର୍ଣ୍ଣ ହେଉଛି ।

 

ହୁଏତ ରାଜନୀତି ଏହାର ଧାର ଧାରେ ନା । ମଣିଷକୁ ଦୟାର ଦୁର୍ବଳ ଗ୍ୟାରେଣ୍ଟି ଦେଇ ସହିସ ସାଜି ରାଜନୀତି ଖାଲି ଆମ ଦେଶରେ କାହିଁକି ସାରା ପୃଥିବୀରେ ଖୁବ୍‌ ବଦନାମ କଲାଣି । ଭୋଟ ଦେଇ ଦୟନୀୟ ଦଳରେ ନାମ ରେଜିଷ୍ଟ୍ରୀ କରିବାର ବହଳିଆ କଥାରେ ଆଉ କିଛି ଲାଭ ହେଉ ନାହିଁ । ଆଜିଯାଏ ରାଜନୀତି କେବଳ ଦୟାରେ ଚଳି ଆସିଛି ।

 

ଏ ଦେଶରେ ଅନେକ ବାବୁ ଅଛନ୍ତି, ଯେଉଁମାନେ ପ୍ରଦେଶ ଓ ସଂସ୍କୃତି ଲାଗି ଚିତ୍କାର କରିବାକୁ ଏକ ସିଆଣିଆ ବ୍ୟବସାୟ ବୋଲି ଧରି ନେଇଛନ୍ତି । କଟକ ସହରର ସଂସ୍କୃତିକୁ ଆପଣାର କୁତ୍ସିତ ଜୀବନ ଓ କୁତ୍ସିତ ଓକିଲାତିରେ ଦୂଷିତ କରି ସେମାନେ ମେଦିନୀ ପୁରଠାରୁ ମଞ୍ଜୁଷାଯାଏ ସଂସ୍କୃତିର ପୋଳୁହ ଧରିଯାଆନ୍ତି । ତାଙ୍କ ସହିତ ବାଦୀ ହେବାକୁ ଆନ୍ଧ୍ର, ବିହାର ଓ ବଙ୍ଗରେ ମଧ୍ୟ ସେମିତି ଦଳେ ଦଳେ ଅଛନ୍ତି । ସ୍ୱାଧୀନତା ପରେ ଏହିପରି ପୋଳୁହାଙ୍କ ସଂଖ୍ୟା ସବୁଠାରୁ ବେଶୀ ହୋଇଛି । ଗଣ୍ଡ ପାଣିରୁ ମୀନ ଚିପିବାକୁ ଯାଇ ଏମାନେ ନାନା ଚିତ୍କାରରେ ସମସ୍ୟାର ଶୂନ୍ୟ ଭରାଇ ରଖିଛନ୍ତି ।

 

ଚଉଦ ବରଷ ହେଲା ଗଞ୍ଜାମ ଆଉ କୋରାପୁଟ ଆମ ଇଲାକାକୁ ଆସିଛି । ସଂସ୍କୃତି ଦୃଷ୍ଟିରୁ ସେଠି କ’ଣ ହୋଇଛି ଜାଣେ ନାହିଁ, କିନ୍ତୁ ଅସଂସ୍କୃତ ମଣିଷ ଲାଗି ଯେତିକି ଦରକାର, ସେଇ ଭାତ ଗଣ୍ଡାକ ମିଳିବାର ପ୍ରଥମ ପ୍ରଶ୍ନଟା ସେଠି ଆଜିଯାଏ ଅଛିଣ୍ଡା ରହିଛି । ଚିରଦିନ ବଳକା ଜିଲ୍ଲା ବୋଲାଇ ଖୁଣ୍ଟା ବ୍ୟବସାୟୀଙ୍କ ଜରିଆରେ ସେଠାରୁ ସୁନାଧାନ–ବୋଝାଇ ମଟର ବିଦେଶକୁ ଯାଇଛି । ଖଣ୍ଡେ ପାହାଡ଼ ଜାଗିରି ଦେଇ ଏ ପର୍ଯ୍ୟନ୍ତ ବି ହାକିମହୁକୁମାଙ୍କ କାମଲାଗି ସେଠିକାର ଲଙ୍ଗଳା ମଣିଷଠାରୁ ବେଠି ନିଆ ହେଉଛି । ହଳଦୀ, କାନ୍ଦୁଲଠାରୁ ଆରମ୍ଭକରି ଲୁଗା କିରାସିନୀ ପର୍ଯ୍ୟନ୍ତ ସମସ୍ତ ଜିନିଷ ସେଠି କି ସହଜରେ ଝାମ୍ପ ମାରି ଅଣାଯାଇ ପାରେ, ସେକଥା କଟକଆଡ଼ୁ ଯାଇଥିବା ଆମର ହାକିମ ମାତ୍ରକେ ସମସ୍ତେ ଜାଣନ୍ତି । ଉଦୟଗିରିର ଜଙ୍ଗଲରେ ଆଗେ ବି ବଡ଼ ବଡ଼ ମଶାଥିଲେ । କିନ୍ତୁ ସେମାନେ କେବଳ ମଣିଷଙ୍କର ଦେହର ରକ୍ତ ଶୋଷୁଥିଲେ । ଏବେ ଓଡ଼ିଆମାନଙ୍କ ତରଫରୁ ଯେଉଁ ମଣିଷ ମଶାମାନେ ସେଠାକୁ ଯାଇ ସଂସ୍କୃତିର ଅନ୍ଧାରି ଗଡ଼ିଆମାନ ତିଆରି କରୁଛନ୍ତି, ସେମାନେ ମଣିଷର ମନ ଓ ଅନ୍ନ ଉଭୟ ଶୋଷି ଆଣୁଛନ୍ତି ।

 

ବିଂଶ ଶତାବ୍ଦୀରେ ରାମଗିରି ଉଦୟଗିରିର ହାଲ ଅଳ୍ପ ବହୁତେ ନିଶ୍ଚୟ ପାଠକଙ୍କର ବିବେକ ଗୋଚର ହୋଇପାରିଛି । ବର୍ତ୍ତମାନ ସ୍ୱତନ୍ତ୍ର ଓଡ଼ିଶାର ଚଉଦ ଅଙ୍କ, ସ୍ୱାଧୀନ ଓଡ଼ିଶାର ତୃତୀୟ ଅଙ୍କ । କଟକ କଲିକତାରେ କେତେ କ’ଣ କାରବାର ଖୋଲୁଛି, ଯନ୍ତ୍ର ବସି ସିଆଡ଼େ ଇନ୍ଦ୍ରର ଜଳ ଭଣ୍ଡାର କାଟି ବୃଷ୍ଟି କରାଯାଉଛି, କିନ୍ତୁ ରାମଗିରିରେ ସବୁ ସେମିତି ଚାଲିଛି । ସେମିତି ବିଡ଼ିଖିଆ, ଜୁଆଖେଳ, ଭଞ୍ଜ–ଛାନ୍ଦ–ଗନ୍ଧ–ମାଦକ, ଆଉ ସବୁରି ଉପରେ ମଦଭୁଲା ଉପାସୀ ପେଟ, ସବୁ ସେମିତି ବଳବତ୍ତର ରହିଛି । ଆଦିବାସୀଙ୍କ ତରଫରୁ ପଢ଼ୁଆ ନେତା କେଇଜଣ ବାହାରି ଝାଡ଼ଖଣ୍ଡ ଯାଏ ଗଲେଣି । ତଥାପି ଆମର ମଣିଷ-ଚରାଳୀମାନଙ୍କର ଜଡ଼ ମୁଣ୍ଡ ଏ ପର୍ଯ୍ୟନ୍ତ ଚହଲି ପାରୁନାହିଁ ।

 

ରୁଷିଆ ଦେଶରେ ୧୯୧୭ ମସୀହାରେ ଗୋଟାଏ ନୂଆ ରକମର ସଂହାର-ସୃଷ୍ଟିକାଣ୍ଡ ହୋଇଥିଲା । ଦେଶ ଦେହରୁ ଅସଂଗତ ଆବୁଗୁଡ଼ାକ ପରିଷ୍କାର କରି ସେମାନେ ଦୁର୍ବଳ ଅଙ୍ଗର କ୍ଷତପୂରଣ କରି ଦଦେଶକୁ ସୁନ୍ଦର ଓ ସମାନ କରି ଗଢ଼ିଲେ । ମଧ୍ୟ ଏସିଆରେ ଯେଉଁମାନଙ୍କର ପେଟର ଦାନା କି କଣ୍ଠର ଭାଷା ନଥିଲା, ସେହିମାନଙ୍କ ଲାଗି ବେଶୀ ଖରଚ ହେଲା । ବେଶୀ କର୍ମୀ ସେଇ କାମରେ ଲାଗିଲେ । ଆଜି ରୁଷିଆକୁ ଦେଖି ଆମର ଅନେକ ଶିଖିବା କଥା । ଆମ ଦେଶରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ନିନ୍ଦ ଭାଙ୍ଗି ନାହିଁ, । ଅଶିକ୍ଷା, ଅନାଦର ଓ ଅବହେଳାର ନାନା ମୌନ ମହଲ ଭିତରେ ଏ ଦେଶର ଶବର ସାନ୍ତାଳଙ୍କର ମନ ଅଳସ ହୋଇପଡ଼ିଛି । ସ୍ୱାଧୀନ ଦେଶର ସଚ୍ଚା ଟୀକା ପିନ୍ଧିବାକୁ ହେଲେ ସେହିମାନଙ୍କୁ ଆମର ସମକକ୍ଷ କରି ଆଣିବାକୁ ହେବ । ନହେଲେ ରକ୍ଷା ନାହିଁ । ସହରର ସଭ୍ୟ ବେଙ୍ଗ ଦିନେ ଶୂନ୍ୟ ଆୟୋଜନରେ ଫୁଲି ଫୁଲି ଫାଟିଯିବ, ଆମର ସବୁ ସ୍ୱପ୍ନ ଇତିହାସକୁ ଉପହାସର ବିଷୟ ହୋଇ ରହିବ ।

 

କିନ୍ତୁ ଆଶଙ୍କାର ସତର୍କବାଣୀ ଶୁଣିବାକୁ ଆଉ କାହାରି ତର ନାହିଁ । ରାଜନୀତି, ରାଷ୍ଟ୍ରନୀତି ନାଁରେ ଆଜି ସବୁ କ୍ଷେତ୍ରରେ କେବଳ ଦୁର୍ଗନ୍ଧ ପ୍ରତିଦ୍ୱନ୍ଦିତା ଚାଲିଛି । ସେହି ପ୍ରତିଦ୍ୱନ୍ଦିତାରେ ମଟର, ଉଡ଼ାଜାହାଜ ଯେତିକି ଉପରକୁ ଉଡ଼ୁଛି, ଜୀଅନ୍ତା ମଣିଷର ସମ୍ମାନକୁ ତେତିକି ତଳେ ରୁନ୍ଧି ଦିଆହେଉଛି । ତଥାପି ଇତିହାସର ସାକ୍ଷୀ ରହିଛି, ତଥାପି କାଳ କାଳର ମଣିଷ ଗଢ଼ୁଥିବା ଭଗବାନ୍‌ କହି ଉଠୁଛନ୍ତି, ‘‘ହଁ ଏଇମାନଙ୍କର ଯୁଗ ଆସୁଛି । ଏଇମାନେ ଦିନେ ଉଠିବେ । ଏଠି ମଧ୍ୟ ଦିନେ ରାତି ପାହିବ । ମନର ଭୀମ ଏଇ ଜଙ୍ଗଲ ମାଳର ପାଷାଣ ଉପରେ ଏ ପର୍ଯ୍ୟନ୍ତ ବି ଗଦା ଘୋରି ସମାନ କରୁଛି, ସେ ନିଶ୍ଚୟ ଉଠିବ । ଏଇଠୁ ଦିନେ ସର୍ବନାଶୀ ସଂହାରର ରୁଦ୍ର ଅଭିଯାନ ବାହାରି ସଭ୍ୟ ସୌଖୀନ ସମାଜର ଏ ରୋମାନ୍‌( Roman ) ସଭ୍ୟତାକୁ ଭାଙ୍ଗି ଚୁରମାର କରିଦେବ ।’’

 

ସଭ୍ୟ ସମାଜକୁ ଆଜି ଦୁଇଟା ବାଟର ଆହ୍ୱାନ ଆସିଛି । ଆପଣା ବିକାଶର ସମସ୍ତ ସୁଯୋଗ ପାଇବାର ସୌଭାଗ୍ୟ ଯେଉଁ ମାନଙ୍କର ରହିଛି, ଜନ–ଭଗବାନର ନିବେଦନ–ପତ୍ର ସେମାନଙ୍କୁ ଦୁଇଟା ବାଟରେ ଇସାରା ଦେଇଯାଉଛି । ଗୋଟାଏ ହେଉଛି ଧ୍ୱଂସର ବାଟ ବିପୁଳ ନିସ୍ୱାର୍ଥ ଜାତୀୟତାବୋଧର ପ୍ରେରଣାରେ ମନୋଦୃଷ୍ଟି ନ ବଦଳାଇ ସଭ୍ୟ ମଣିଷ ଯଦି ଚିରଦିନ ତଳୁଆ ମଣିଷ ଉପରେ ଏହି ପରି ଅବଜ୍ଞା ପ୍ରଦର୍ଶନ କରିବାରେ ଲାଗିଥିବ, ତେବେ ବିଷ୍ଣୁଙ୍କୁ ଦିନେ ନା ଦିନେ ରୁଦ୍ରର ସଂହାରୀ ରୂପ ନେଇ ଆସିବାକୁ ପଡ଼ିବ । ତଳ ସମାଜର ଶୋଇଲା ଭୂଇଁରୁ ମାତିଲା ମାରଣା ମନ ଉଠି ସେଦିନ ସହର, ସଭ୍ୟତା ଓ ସଂସ୍କୃତି କିଛି ରଖି ଦେବ ନାହିଁ । ସମଗ୍ର ମହାଭାରତର ମ୍ଳେଚ୍ଛ କାଣ୍ଡରେ ହୁଏତ ମନୁବଂଶର ଲୋପ ହୋଇଯିବ । ଦ୍ୱିତୀୟ ରାସ୍ତାଟା ମଣିଷର ରାସ୍ତା, ବିବେକର ରାସ୍ତା । ସ୍ୱାଧୀନତାର ନିର୍ମମ ସତ୍ୟ ସଂଜ୍ଞାଟି ଆମକୁ ବୁଝିବାକୁ ହେବ । ଭାରତ ବୋଇଲେ ଯେତେ ଲୋକଙ୍କୁ ବୁଝାଏ, ଦେଶ ଯଥାର୍ଥରେ ସେ ସମସ୍ତଙ୍କର ହେବ । ଯୁଗ ଯୁଗ ଧରି ଯେଉଁମାନେ ଆମ ଚୁଲାକୁ ଇନ୍ଧନ ଯୋଗାଇ ଆସୁଛନ୍ତି ସେହିମାନଙ୍କୁ ଆମର ସମସ୍ତ ଯୋଜନା ଭିତରେ ସ୍ୱୀକାର କରିବାକୁ ପଡ଼ିବ । ଏଥିଲାଗି କେବଳ ଆଇନ ଦରକାର ନୁହେଁ, କେବଳ ବକ୍ତୃତାର ଶୂନ୍ୟ ମଣ୍ଡା ଦରକାର ନୁହେଁ । ଏଥିଲାଗି ତ୍ୟାଗ ରହି, ନିର୍ମଳ ମନର ଚିତ୍‌ପ୍ରତ୍ୟୟ ଚାହି, ନିସ୍ୱାର୍ଥ ଆଦର୍ଶର ଆତ୍ମସମର୍ପଣ ଚାହି । ଦେଶର ରାଜନୀତି କେବଳ ପତାକା ଧରିବାର ଆଡ଼ମ୍ୱର ନୁହେଁ । ଏହା ଏକ ବିରାଟ ତପସ୍ୟା । ତେଣୁ ସଙ୍ଗ ରାଜନୀତି କରିବାକୁ ଗଲେ ଭିତରେ ସେଇ ତପଃ ସାଧନର ଅଗ୍ନି–ସଂକଳ୍ପ ଥିବା ଚାହି ।

 

ଆମଦେଶର ପାଞ୍ଚବର୍ଷିଆ ଇନ୍ଦ୍ରମାନେ ଦେଶକୁ ମୋତି ଛୁଆଣି କରିଦେବାର କଳ୍ପନାମାନ କରୁଛନ୍ତି । ଯୁଗେ ଯୁଗେ କେତେ ଇନ୍ଦ୍ର ସେମିତି କେତେ ବଡ଼ ବଡ଼ କଥା କହିଚନ୍ତି, କେତେ ଜାକଜମକରେ ଢୋଲ ପିଟିଛନ୍ତି । କିନ୍ତୁ ମଣିଷର ଭୋକିଲା ପେଟ ଓ ଭୋକିଲା ମନ ଲାଗି କିଛି ହୋଇ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏ ଦୁଃଖଯୁଗରେ ମଣିଷର ସହିବା ଶକ୍ତି ଦୁଇ ଶହ ଗୁଣ ବଢ଼ିଯାଇଛି । ନିତି ଲୋକର ପେଟକଟା ହେଉଛି, ନିତି ତା’ମନକୁ ବଶ କରିବା ଲାଗି ଅଫିମ ଖଞ୍ଜା ହେଉଛି; ତଥାପି ଦଳକୁ ଦଳ କେତେ କିଏ କେତେ ରଙ୍ଗର ସ୍ଳୋଗାନ୍‌ ଆବୃତ୍ତି କରାଇ ମଣିଷର ଇଜ୍ଜତ ଉପରେ ପାଞ୍ଚ ବର୍ଷିଆ ନାଟ କରି ଦେଇ ଯାଉଛନ୍ତି । ତଥାପି ମଣିଷ ଶୋଇଛି, ତଥାପି ତା’ଭିତରର ଅସହ୍ୟ ଦେବତା ଗର୍ଜନ କରି ଉଠୁ ନାହିଁ । ଚଉଦ ପାଆ ଶରୀର, ହାତ, ଗୋଡ଼, ଆଖି, କାନ ସବୁ ଅଛି; ତଥାପି ତା’ର ମଣିଷ ପଣିଆ ନାହିଁ । ରାଜନୀତିର ନିଶାଖୋଇବା ଯୁଗରେ ପଳକୁ ପଲ ହୋଇ ସେ ଖାଲି ଆଖିବୁଜି ଡେଇଁ ପଡ଼ୁଛି, ଆଖିବୁଜି ଅପମାନ ସହୁଛି । ସାରା ଭାରତରେ ଆଜି ଏଇ ମଣିଷ ପଲର ସଂଖ୍ୟା ବେଶୀ, ତେଣୁ ୠଷିଆଠାରୁ ଆମେରିକା ଯାଏ ଯେତେ ଧର୍ମ ରାଜ୍ୟର ଡିଣ୍ଡିମ ବଜା ହେଉଥିଲେ ମଧ୍ୟ ଆମ ଘର, ଆମ ମାଟି ଯୋଉ ଅଲକ୍ଷ୍ମୀକୁ ସେଇ ଅଲକ୍ଷ୍ମୀ ହୋଇ ପଡ଼ିଛି ।

 

କଳା ସଂସ୍କୃତିର ଦୋହାଇ ଦିଆହୋଇ ମଲା ଛବି ଓ ମଲା ମୂର୍ତ୍ତିର ପ୍ରଦର୍ଶନୀମାନ ଦିଲ୍ଲୀରେ ଖୋଲା ହେଉଛି । ହଜାର ହଜାର ଟଙ୍କା ସେଇବାଟେ ବୋହିଯାଉଛି । କିନ୍ତୁ ହିନ୍ଦୁ, ପଠାଣ, ମୋଗଲ ଓ ଇଂରେଜ ଅମଳର ନାନା ଧକ୍‌କା ଖାଇ ଯେଉଁ ଜୀଅନ୍ତା ମଣିଷର ସଂସ୍କୃତି ଆମକୁ ନାନା ଏତେ ଦୂରକୁ ଆଗେଇ ଆଣିଚି, ଆମର ବିଦେଶ–ବାଉଳା ମନ ତେଣିକି ଦୃଷ୍ଟି ଦେଇପାରୁ ନାହିଁ । ଏ ଦେଶ ଗାନ୍ଧୀର ଦେଶ ବିବେକାନନ୍ଦର ଦେଶ, ରବୀନ୍ଦ୍ରନାଥର ଦେଶ । ବାହାରେ ସୁନାରେ ରୂପାରେ ଯେତେ ସେମାନଙ୍କର ପୂଜା ହେଉଥିଲେ ମଧ୍ୟ ଅନ୍ତର ଭିତରୁ ତାଙ୍କର କଳ୍ପନାମାନ କ୍ରମେ ମାରି ଦିଆଯାଉଛି । ପ୍ରତ୍ୟେକ ମଣିଷର ମନୁଷ୍ୟତ୍ୱ ଫେରିବ, ସେ ଆପଣାର ପବିତ୍ର ଦାୟିତ୍ୱରେ ନିଜକୁ ଗୌରବାନ୍ୱିତ ମନେ କରିବ । ତା’ର ବ୍ୟକ୍ତିତ୍ୱ ଉପରେ ଯେଉଁଠି ଯେତେ ମେଣ୍ଡା ଅଡ଼େଇବାର ଷଡ଼ଯନ୍ତ୍ର ହେବ, ସେ ତୀବ୍ର ଆସହିଷ୍ଣୁତାରେ ତାକୁ ପଣ୍ଡ କରିଦେବ, ଏଇଆ ଥିଲା ସେମାନଙ୍କର ସ୍ୱପ୍ନ । ଗାନ୍ଧିର ରାମରାଜ୍ୟ, ରବୀନ୍ଦ୍ରଙ୍କର ମଣିଷ–ଧର୍ମ ଓ ବିବେକାନନ୍ଦର ମଣିଷ–ଗଢ଼ା ଶିକ୍ଷା, ସବୁରି ମୂଳରେ ଏହି ଲୁପ୍ତ ବ୍ୟକ୍ତିତ୍ୱ–ବୋଧର ପୁନରୁଦ୍ଧାର କରିବାର ଆହ୍ୱାନ ରହିଛି । ଯେ ଆପଣା ସମ୍ମାନ ହରାଇ ବସିଛି, ସେ ସୁରୁଖୁରୁରେ ଭୋଟ ଦେଇ ପାରିବ, ସଭାରେ ସ୍ଳୋଗାନ୍‌ ଦେଇ ପାରିବ, ଦରକାର ପଡ଼ିଲେ ଖଦଡ଼ ପିନ୍ଧି ପାରିବ; କିନ୍ତୁ ସେ ଭୀରୁ କଦାପି ଆମର ସମ୍ମାନିତ ଭାରତବର୍ଷ ଗଢ଼ିବାର ଭାର ଗ୍ରହଣ କରି ପାରିବ ନାହିଁ ।

 

ଏ ଦେଶରେ ମଣିଷର କଣ ଲୋଡ଼ା ? ରାମଗିରି ଓ ଉଦୟଗିରିରେ ମଣିଷର ଅତି କଳା ପାଖଟାର ସାମନାସାମନି ରହି କେବଳ ମୁଁ ଏଇ କଥା ଭାବୁଥିଲି । କଣ ଏ ମାନଙ୍କର ଲୋଡ଼ା-? ମଦ, ବିଡ଼ିଧୂଆଁ, ଜୁଆଖେଳ ଓ ଆଜ୍ଞା ଆପଣର ଧନ୍ଦାଭିତରେ କେଉଁ ଜିନିଷର ଅଭାବରେ ଏମାନେ ପଡ଼ିଛନ୍ତି ? ଅନେକଙ୍କର ଏଠି ଯଥେଷ୍ଟ ଅଭାବରେ ଏମାନେ ପଡ଼ିଛନ୍ତି ? ଅନେକଙ୍କର ଏଠି ଯଥେଷ୍ଟ ପଇସା ଅଛି, ମଣିଷ ଅନୁପାତରେ ଯଥେଷ୍ଟ ଜମି ମଧ୍ୟ ରହିଛି, ଶଉରାମାନଙ୍କର ବଡ଼ ବଡ଼ ଫଳ ବଗିଚା ଅଛି, ତଥାପି ମାଣ୍ଡିଆ ଚୂନାର ପଇତି ଖାଇ ଏମାନେ ଉପାର୍ଜିତ ସାର ଶସ୍ୟମାନ ବଡ଼ ଲୋକଙ୍କୁ ଦେଇ ଦିଅନ୍ତି କାହିଁକି ? ଏଠି ସ୍କୁଲ ନାହିଁ । ଯେଉଁଠି ଅଛି, ସେଠି ମାଷ୍ଟର ପିଲାହାତରେ ମଦ ଅଣାଇ ପିଏ, ପିଲା ଆଗରେ ବିଡ଼ିଟାଣେ ପିଲାକୁ ବେଠୀ ଖଟାଏ—, ଶିକ୍ଷାର ଆଲୋକ ଏଠୁଁ ବହୁ ଦୂରରେ । କିନ୍ତୁ ସେ ଶିକ୍ଷା ଖାଲି ସ୍କୁଲ କଲେଜର ଶିକ୍ଷା ନୁହେଁ । ସମତଳ ଭୂଇଁର ସ୍କୁଲ କଲେଜରୁ ବାହାରୁଥିବା ପିଲା ତ ହାକିମ ସାଜି ଏଠି ସବୁଠୁଁ ବେଶୀ ବ୍ୟଭିଚାର କରୁଛନ୍ତି । ତେଣୁ କେବଳ ଅକ୍ଷର ବା ଅଙ୍କଶିକ୍ଷା ନୁହେଁ, ଏମାନଙ୍କର ନିର୍ଭିକତାର ଶିକ୍ଷା ଦରକାର-। ସେଇ ନିର୍ଭୀକତା ଶିଖିବାକୁ ହେବ ଏମାନଙ୍କୁ ସଂସାରରେ ସୁନ୍ଦର ହୋଇ ବଞ୍ଚିବାକୁ ହେଲେ ଏମାନଙ୍କୁ ମୁଣ୍ଡଟେକି ସଦମ୍ଭେ ବାଟ ଚାଲିବାକୁ ହେବ । ମଣିଷର ଭଗବାନ୍‌ ବଡ଼ଶକ୍ତ ତେଣୁ ସେହି ଭଗବାନଙ୍କ ପାଖରେ ଆପଣାକୁ ଅଧିଷ୍ଠତ ଓ ପ୍ରତିଷ୍ଠିତ କରିବାକୁ ହେଲେ ଏଠିକାର ଲୋକକୁ ସେହିପରି ଶକ୍ତ ଓ ସବଳ ହେବାକୁ ପଡ଼ିବ ।

Image